ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିଶନ (NMC) ଏମବିବିଏସ୍ ବିଦ୍ୟାର୍ଥୀଙ୍କ ପରୀକ୍ଷା ନିୟମକୁ କଡାକଡି କରିଛି। ଏବେ ଯେଉଁ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଫେଲ୍ ହେବେ ସେମାନେ ଆଉ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ। ପୁଣିଥରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସହ ପାଠ ପଢ଼ି ପରୀକ୍ଷା ଦେଇ ପାସ କଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହେବେ।
ଏନଏମସିର ନିର୍ଦ୍ଦେଶନାମା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଏମବିବିଏସର ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହେବେ। ଯଦି ଜଣେ ଛାତ୍ର ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହୁଏ, ତେବେ ତାଙ୍କୁ ତିନିମାସ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ କରିବାକୁ ହେବ। ଯଦି ସେ ଏଥିରେ ବିଫଳ ହୁଅନ୍ତି ତେବେ ସେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ।
ଏବେ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ପୂର୍ବରୁ ଯେଉଁ ଛାତ୍ରମାନେ ପ୍ରଥମ ବର୍ଷର ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିଲେ ସେମାନେ ଦ୍ୱିତୀୟ ବର୍ଷର ମେନ୍ ପରୀକ୍ଷା ଦେବା ପରେ ପ୍ରଥମ ବର୍ଷର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିଲେ। ଏମବିବିଏମସ ପାଠ୍ୟକ୍ରମ ବେଳେ ମୋଟ୍ ଚାରି ଥର ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସୁଯୋଗ ମିଳୁଥିଲା।
ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏମବିବିଏସ ପାଠ ପଢା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହା ଛାତ୍ରମାନଙ୍କୁ ଠିକ୍ ଭାବରେ ପାଠ ପଢ଼ାଇବାକୁ ସୁନିଶ୍ଚିତ କରାଇବ। କିନ୍ତୁ ଯେଉଁମାନେ ଫେଲ୍ ହେବେ ସେମାନେ ପାସ କରିବା କଷ୍ଟକର ହେବ। ସେମାନଙ୍କୁ ଆଉ ଗୋଟିଏ ବର୍ଷ ଅଧିକ ପଢ଼ିବାକୁ ହେବ ଏବଂ ଫି ମଧ୍ୟ ଦେବାକୁ ପଡିବ। ବିଶେଷକରି ଘରୋଇ କଲେଜଗୁଡ଼ିକରେ ଫିସ୍ ଅଧିକ ଥିବାରୁ ବ୍ୟୟବହୁଳ ହେବ।