ଦେଶରେ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବାକୁ ଆସିବ ବିଲ୍‌

cryptocurrency

0 1

ନୂଆଦିଲ୍ଲୀ: ଭାରତରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବାକୁ ସରକାର ଯୋଜନା କରିଛନ୍ତି।  ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ବିଲ ଆଣିବେ। ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ସେହି ବିଲକୁ ଉପସ୍ଥାପନ କରାଯିବ । ସଂସଦର ଏହି ଅଧିବେଶନରେ ସରକାର ୨୬ଟି ବିଲ୍ ଆଣିବାକୁ ଯୋଜନା ରଖିଥିବା ବେଳେ ସେଥିରୁ ଗୋଟିଏ ହେଉଛି କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍ । ତାହାର ନାମ ହେଉଛି ‘ଦି କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେସନ୍ ଅଫ ଅଫିସିଆଲ ଡିଜିଟାଲ୍ କରେନ୍ସି ବିଲ୍, ୨୦୨୧’ । ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିବାକୁ ଥିବା ନିଜସ୍ୱ ଡିଜିଟାଲ୍ ମୁଦ୍ରା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାରେ ଏହି ବିଲ୍ ସହାୟକ ହେବ । କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବାରମ୍ବାର ଦାବି କରୁଛନ୍ତି । ୨୦୧୮ରେ କି୍ରପ୍ଟୋକୁ ନିଷିଦ୍ଧ କରାଯାଇଥିଲା । ମାତ୍ର ୨୦୨୦ରେ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା । ଏବେ ପର୍ଯ୍ୟନ୍ତ କ୍ରିପ୍ଟୋକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇନାହିଁ । କେନ୍ଦ୍ର ସରକାର ନୂଆ ବିଲ୍ ଜରିଆରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବେ । ଏଥି ସହିତ କେତେକ ମାମଲାରେ ରିହାତି ମଧ୍ୟ ପ୍ରଦାନ କରିବେ । କ୍ରିପ୍ଟୋକରେନ୍ସି ଓ ଏହାର ବ୍ୟବହାରର ପ୍ରସାର କରିବା ଲାଗି ଏଭଳି ପଦକ୍ଷେପ ନିଆଯିବ । ନିଜର ଡିଜିଟାଲ୍ ମୁଦ୍ରା ଆଣିବାର କ’ଣ ସମ୍ଭାବନା ରହିଛି ତାହାକୁ ଏବେ ରିଜର୍ଭ ବ୍ୟାଙ୍କ ଅନୁଧ୍ୟାନ କରୁଛି । କିନ୍ତୁ ଏହାର ପରୀକ୍ଷଣ କେବେ ଆରମ୍ଭ ହେବ ସେହି ନିଷ୍ପତ୍ତି ନିଆଯାଇପାରୁନାହିଁ । ଉଲ୍ଲେଖଯୋଗ୍ୟ, ବିଟକଏନ୍ ଓ ଏଥେରିଅମ୍ ଭଳି କ୍ରିପ୍ଟୋକରେନ୍ସି ଏବେ ସାରା ବିଶ୍ୱରେ ବେଶ ଲୋକପ୍ରିୟ ହୋଇପାରିଛି । ସେଗୁଡ଼ିକୁ ଅନଲାଇନରେ କାରବାର କରିବା ଅତି ସହଜ । କିନ୍ତୁ କୌଣସି ଦେଶର ସରକାର କିମ୍ବା କେନ୍ଦ୍ରୀୟ ବ୍ୟାଙ୍କର ପରିସର ମଧ୍ୟରେ ସେଗୁଡ଼ିକ ଆସୁନାହିଁ । ତେଣୁ କ୍ରିପ୍ଟୋକରେନ୍ସିରେ ହେଉଥିବା କାରବାରକୁ ଆଇନଗତ ବ୍ୟବସ୍ଥାରେ ନିୟନ୍ତ୍ରଣ କରାଯାଇପାରୁନାହିଁ । ଯେଉଁମାନେ କ୍ରିପ୍ଟୋକରେନ୍ସି ବ୍ୟବହାର କରୁଛନ୍ତି ସେମାନଙ୍କ ଅର୍ଥର ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନାହିଁ । ତାହା ହିଁ ସରକାରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ।

 

Leave A Reply

Your email address will not be published.