ଟିଏମ୍‌ସି ମୁହାଁ ଅନ୍ୟ ଦଳର ଅସନ୍ତୁଷ୍ଟ ନେତା  

tmc

0 12

ନୂଆଦିଲ୍ଲୀ: ବିଭିନ୍ନ ଦଳରେ ଅସନ୍ତୋଷ ହୋଇ ରହଥିବା ନେତାଙ୍କ ପାଇଁ ଏବେ ତୃଣମୂଳ କଂଗ୍ରେସ ପ୍ରକୃଷ୍ଟ ସ୍ଥାନ ପାଲଟିଛି। ଜାତୀୟ ରାଜନୀତିରେ ପାଦ ଥାପିବାକୁ ଇଚ୍ଛା ରଖିଥିବା ଟିଏମ୍‌ସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲେକ ପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଟିଏମ୍‌ସିର କଳେବର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ଦଳରୁ ବଡ଼ ବଡ଼ ନେତା ଏବେ ଟିଏମ୍‌ସି ମୁହାଁ ହେବାରେ ଲାଗିଛନ୍ତି। ମଙ୍ଗଳବାର କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନୱର, ଜେଡିୟୁର ପୂର୍ବତନ ମହାସଚିବ ପବନ ବର୍ମା ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଛନ୍ତି । ଏହି ତିନି ନେତାଙ୍କୁ ତୃଣମୂଳ ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାଗତ ଜଣାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୂର୍ବତନ ଉପଦେଷ୍ଟା ଏବଂ ରାଜ୍ୟସଭାର ପୂର୍ବତନ ରାଜ୍ୟସଭା ସଦସ୍ୟ ବର୍ମାଙ୍କୁ ୨୦୨୦ରେ ରାଜ୍ୟରେ ଶାସକ ଜେଡିୟୁରୁ ବହିଷ୍କୃତ କରାଯାଇଥିଲା । ପବନ ବର୍ମା କହିଛନ୍ତି, ସେ ଟିଏମସିରେ ଯୋଗ ଦେଇଛନ୍ତି । ଜେଡିୟୁ ଛାଡ଼ିବା ପରେ ରାଜନୀତିର ଗଭୀରତାକୁ ଯାଇ ଅନୁଭବ କଲି, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ମଜଭୁତ ବିରୋଧୀ ଦଳକୁ ସମର୍ଥନ କରିବା ଶ୍ରେୟସ୍କର । ସରକାରଙ୍କୁ ଗଣତାନ୍ତ୍ରିକ ଢଙ୍ଗରେ ଆହ୍ୱାନ ଦେବା ଜରୁରୀ । ୨୦୨୪ରେ ନିର୍ବାଚନ ଜିତି ମମତା କେନ୍ଦ୍ରରେ ସରକାର ଗଢ଼ିବେ ବୋଲି ଆଶା ରଖୁଛି । ଟିଏମସିରେ ଯୋଗ ଦେବା ପରେ କୀର୍ତ୍ତି ଆଜାଦ କହିଥିଲେ, ମମତା ବାନାର୍ଜୀ ତୃଣମୂଳ ସ୍ତରରୁ ଆସି ଲଢେ଼ଇ କରିଛନ୍ତି । ମୁଁ ମଧ୍ୟ ସବୁବେଳେ ଏହିଭଳି ପ୍ରୟାସ କରି ଆସିଛି । ଯେଉଁମାନେ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ ଲଢେ଼ଇ ଜାରି ରହିବ ବୋଲି କୀର୍ତ୍ତି କହିଛନ୍ତି ।

Leave A Reply

Your email address will not be published.