ଭୁବନେଶ୍ୱର: ଗୁରୁବାର ରାତିରେ ହୋଇଥିବା ଘଟଣାକୁ ନେଇ ଗର୍ଜିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାରରେ ହୋଇଥିବା ଗଣ୍ଡଗୋଳ ପାଇଁ ସାଂସଦ ଷଡ଼ଙ୍ଗୀ ବିଜେଡି ଉପରେ ବର୍ଷିଛନ୍ତି। ତାଙ୍କ ଉପରେ ଆକ୍ରମଣ ପ୍ରୟାସକୁ ସେ ନିନ୍ଦା କରିଛନ୍ତି। ବିଜେଡି ଶାସନରେ ମହିଳା ନିର୍ଯାତନାରେ ଓଡିଶା ଦ୍ୱିତୀୟରେ ରହିଛି । ଏପରି ସ୍ଥିତିରେ ମହିଳାଙ୍କ ଉପରେ ଆହୁରି ଆକ୍ରମଣ କରି ବିଜେଡି ଓଡିଶାକୁ ମହିଳା ନିର୍ଯାତନାରେ ଏକ ନମ୍ବର କରିବାକୁ ଚାହିଁଛି ବୋଲି ଏହି ପୂର୍ବତନ ଆଇଏଏସ କହିଛନ୍ତି।
ସେ ଆଜି ପ୍ରେସମିଟ୍ କରି କହିଛନ୍ତି, ମତେ ସୁରକ୍ଷା ଦରକାର , ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟ ହେଉଛି ଓଡିଶା । ଆମେ ସମସ୍ତେ ତାଙ୍କ ପ୍ରତି ସମର୍ପିତ ଅଛୁ । ଏଭଳି ଗୁଣ୍ଡାଗର୍ଦି ଓ ଅରାଜକତା କାହାକୁ ଦରକାର ନାହିଁ । ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ । ରାଜ୍ୟ ସରକାରଙ୍କ ଦାୟିତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା । କେବଳ ଏତିକି ନୁହଁ ରାଜ୍ୟରେ ସରକାରୀ ଦଳ ଘଟାଉଥିବା ହିଂସାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ସେ ସନ୍ଦେହ କରିଛନ୍ତି । 29 ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଅପରାଜିତା ଉଠାଇବେ ବୋଲି କହିଛନ୍ତି।
ଗତକାଲି ରାତିରେ ଆକ୍ରମଣକାରୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି । ଡିସିପି ଓ ସିପିଙ୍କ ସହ ଆଲୋଚନା ହୋଇଛି । ପ୍ରଦୀପ୍ତ ବଡ଼ଜେନା ଯୁବ ମୋର୍ଚ୍ଚାର ସଭାପତି, ତାଙ୍କ ଗୋଡ଼ରେ ଜଣେ ମହିଳା କାମୁଡ଼ି ଦେଇଛନ୍ତି । ସମସ୍ତ ଘଟଣାର ଭିଡିଓ ରେକର୍ଡିଂ ଅଛି । ବିଜେଡ଼ିର କେଉଁ ନେତା ଫୋନ କରିଥିଲେ । ତାହା ସାମ୍ନାକୁ ଆସିବା ଦରକାର । ସବୁ ଜିନିଷର ସୀମା ଥାଏ । ବିନମ୍ର ରହିବା ଦରକାର ବୋଲି ସାଂସଦ କହିଛନ୍ତି। ପୋଲିସ ଓ ପ୍ରଶାସନ ଉପରେ ଭରସା ଅଛି । 24 ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏ ବିଷୟରେ ସେ ପୋଲିସ କମିଶନରଙ୍କୁ ପଚାରିବେ ବୋଲି କହିଛନ୍ତି।
ସମସ୍ତ ଆକ୍ରମଣକାରୀଙ୍କ ଫୋଟୋ ଅଛି । ସେମାନଙ୍କୁ ଏତେ ଡର କାହିଁକି । ଯଦି କିଛି ଅଭିଯୋଗ ଅଛି ମତେ କୁହନ୍ତୁ । ବିଜେଡି ସରକାର ଗର୍ବ ଓ ଅହଂକାରରେ ବୁଡି ରହିଛି। ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ରାଜ୍ୟରେ ଯେପରି ହିଂସା ଘଟାଉଛି ସେପରି ଓଡିଶାର ଶାସକ ଦଳ ବିଜେଡି ମଧ୍ୟ କରୁଛି ବୋଲି ସାଂସଦ ଷଡ଼ଙ୍ଗୀ କହିଛନ୍ତି। ଟିଏମସି ଭଳି ଓଡିଶାରେ ହିଂସା ବଢିବାରେ ଲାଗିଛି ବୋଲି ସେ କହିଛନ୍ତି।
ଷଡ଼ଙ୍ଗୀ ଏହି ଅବସରରେ ଚେତାଇବାକୁ ଯାଇ କହିଛନ୍ତି, ତାଙ୍କୁ ଯେତେ ବିରୋଧ କଲେ ବି ରାଜ୍ୟ ସାରା ବୁଲି ସେ ଲୋକଙ୍କ ପାଇଁ କାମ କରିବେ। ଏପରି କହି ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେପିର ଏହି ହେବିଓ୍ୱେଟ ନେତା ।
ବିଜୁଜନତା ଦଳ ମହିଳାଙ୍କୁ ନିର୍ଯାତନା ଦେଉଛି। ସର୍ବଭାରତୀୟ ସ୍ତରରେ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧରେ ଓଡିଶା ଦ୍ୱିତୀୟରେ ରହିଛି । ବିଜେଡି ଏହାକୁ ପ୍ରଥମ କରିବାକୁ ଚାହୁଁଥିବା ଅପରାଜିତା କହିଛନ୍ତି । ଗତକାଲି ଯେଉଁମାନେ ଟାର୍ଗେଟ କରିଥିଲେ ସେମାନଙ୍କ ବିରୋଧରେ ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସାଂସଦ ଅପରାଜିତା କହିଛନ୍ତି।
ତେବେ ଖବର ଲେଖାହେବା ସୁଦ୍ଧା ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।