କିଏ ହେବେ ବିରୋଧୀ ଦଳର ନେତା, ଦିଲ୍ଲୀରେ ଚାଲିଛି ମାନ ଭଞ୍ଜନ

0 102

ଭୁବନେଶ୍ୱର: ବିରୋଧୀ ଦଳର ନେତା ତଥା କଳାହାଣ୍ଡିର ବିଜେପି ନେତା ପ୍ରଦୀପ୍ତ ନାଏକ କରୋନାର ପରବର୍ତ୍ତୀ ଜଟିଳତା ବା ପୋଷ୍ଟ କୋଭିଡରେ ସଂକ୍ରମିତ । ଅସୁସ୍ଥତା ପାଇଁ ସେ ଶୀତକାଳୀନ ଅଧିବେଶନରେ ଯୋଗ ଦେଇ ନାହାନ୍ତି । ଏବେ ସେ ଚିକିତ୍ସା ପାଇଁ ଦିଲ୍ଲୀରେ ରହିଛନ୍ତି ।

ଏହାରି ଭିତରେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ ଦିଲ୍ଲୀରେ ଚାଲିଛି ଅଙ୍କ କଷା । ବିରୋଧୀ ଦଳର ଉପ ନେତା ବିଷ୍ଣ୍ଣୁ ସେଠୀ ଏବଂ ସଚେତକ ମୋହନ ମାଝୀ ଏହି ପଦ ପାଇବେ ବୋଲି ଗୋଡ ଲମ୍ବେଇ ବସିଛନ୍ତି । ହେଲେ ନିକଟରେ ସମ୍ବଲପୁର ବିଧାୟକ ତଥା ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ନିକଟରେ ଅନେକ ପ୍ରସଙ୍ଗରେ ନିଜର ଆକ୍ରାମଣାତ୍ମକ ଆଭିମୁଖ୍ୟ ପାଇଁ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିବା ପରେ କେନ୍ଦ୍ର ବିଜେପି ନଜରରେ ଏବେ ଜୟ ନାରାୟଣ ରହିଛନ୍ତି। ଯାହାକି ବିଷ୍ଣୁ ଏବଂ ମୋହନଙ୍କ ମୁହଁକୁ ଆମ୍ବିଳା କରିପକାଇଛି।

ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପି ବିଜେଡି ପରେ ସର୍ବାଧିକ ବିଧାୟକ ଆସନରେ ବିଜୟୀ ହୋଇଛି। ଏହାପରେ ବିରୋଧୀ ଦଳର ନେତା କିଏ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ସେତେବେଳେ ଜୟ ନାରାୟଣ ମିଶ୍ରଙ୍କ ବାବଦରେ ଚର୍ଚ୍ଚା ଜୋରଧରିଥିଲା। ସେ ବିଜେଡିର ଜଣେ ହାର୍ଡକୋର ବିରୋଧୀ ହୋଇଥିବାରୁ ବିରୋଧୀ ଦଳର ନେତା ସିଏ ହେଲେ ଠିକ୍ ହେବ ବୋଲି କୁହାଯାଉଥିଲା। କିନ୍ତୁ ବିଜେଡିର କୋର କମିଟି ଏବଂ ଦେଶର ଜଣେ କ୍ଷମତାଶାଳୀ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଯୋଗସୂତ୍ର ଏବଂ ଦିଲ୍ଲୀରେ ବିଜେପିକୁ ସମର୍ଥନ କରିବାକୁ ଆଂଚଳିକ ଦଳର ସହଯୋଗ ଦରକାର ଭାବି ଜଣେ ସରଳ ଓ ଭଦ୍ର ନେତାଙ୍କୁ ବିଜେପି ବିରୋଧୀ ଦଳର ଆସନରେ ବସାଇଛି।

ଇତି ମଧ୍ୟରେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ସହିତ ବିଜେଡି ଦିନକୁ ଦିନ ପାଓ୍ୱାରଫୁଲ ହେବା ବିରୋଧୀ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ କେନ୍ଦ୍ର ବିଜେପି ମଧ୍ୟ ହୃଦବୋଧ କରିଛି ଯେ ରାଜ୍ୟରେ ସଂପୃକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ଲୋକପ୍ରିୟତା କେବଳ ଦଳ ଭିତରେ ସୀମିତ । ଦଳ ଶାସକ ଦଳ ପ୍ରତି ନରମ ମନୋଭାବ ରଖୁଥିବାରୁ ଭୋଟ୍ ବ୍ୟାଙ୍କ ହରାଉଛି। ଏହାକୁ ଚିନ୍ତାକରି ବିଜେପି ବିରୋଧୀ ଦଳର ନେତା ଭାବରେ ଜଣେ ଫାୟାର ବ୍ରାଣ୍ଡ ବିଧାୟକଙ୍କୁ ଏହି ଆସନରେ ବସାଇବାକୁ ଚିନ୍ତା କରିଛି।

ପୂର୍ବରୁ ଜୟନାରାୟଣ ବିରୋଧୀ ଦଳର ନେତା ନହେବାର କାରଣ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ ନଥିଲା ବୋଲି କୁହାଯାଏ। ହେଲେ ଇତିମଧ୍ୟରେ ଏହି ସମୀକରଣ ବଦଳିଛି। ବିଜେଡି ଅନେକ ପ୍ରସଙ୍ଗରେ ଯେତେବେଳେ ବିଜେପିର ଟପ୍ ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେତେବେଳେ ଜୟନାରାୟଣ ଏହାର କଡା ଜବାବ ଦେଇଛନ୍ତି। ଏପରି କରିବାକୁ ଜୟନାରାୟଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି ନା ସେ ତାଙ୍କ ଆଡୁ କରିଛନ୍ତି ତାହା ଦଳ ଭିତରର କଥା। କିନ୍ତୁ ଜୟନାରାୟଣ ବିଭିନ୍ନ ପ୍ରସଙ୍ଗରେ ଫ୍ରଣ୍ଟ ଫୁଟକୁ ଆସି ଖେଳିବା ତାଙ୍କ ପାଇଁ ଲାଭ ଦାୟକ ହେବ ବୋଲି କୁହାଯାଉଛି।

ତେବେ ଜୟନାରାୟଣ ଯଦି ବାଦ୍ ପଡନ୍ତି ତାହେଲେ ମୋହନ କିମ୍ବା ବିଷ୍ଣୁ ଏହି ପଦ ହାତେଇବେ ବୋଲି ଚର୍ଚ୍ଚା ହେଉଛି। ଏହି ତିନି ନେତା ଦିଲ୍ଲୀର ବିଜେପି ଦରବାରରେ ନିଜ ନିଜର ଲବି ଆରମ୍ଭ କରିଛନ୍ତି। କିନ୍ତୁ ବିଜେପି ସଭାପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହା ମୁଣ୍ଡରେ ସୁନା କଳସ ରଖୁଛନ୍ତି ତାହା ଖୁବଶୀଘ୍ର ଜଣାପଡିବ।

Leave A Reply

Your email address will not be published.