ଏଥର କେଉଁ କେଉଁ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଲାଗିବ ଦଳ ଏବଂ ଦଳପତିଙ୍କର?

0 331

ଭୁବନେଶ୍ୱର: ଆମ ନେତା ନମ୍ବର ଓ୍ୱାନ, ଦଳ ବି ନମ୍ବର ଓ୍ୱାନ୍ । କିନ୍ତୁ ରାଜ୍ୟ କେଉଁଠି ଏହାର ହିସାବ ଦେବାର ସମୟ ଆସିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଦୀର୍ଘ 21 ବର୍ଷ ଧରି ଗୋଟିଏ ଚେୟାରରେ ବସିଥିବା ମୁଖ୍ୟମନ୍ତ୍ରୀ । ରାଜ୍ୟ ସବୁଥିରେ ଭଲ ପ୍ରଦର୍ଶନ କରୁଛି ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ବୋଲି କହିଛନ୍ତି। ତେଣୁ ତାଙ୍କ ଦଳର ନେତା ମାନେ ପ୍ରତିଦିନି ଟିଭି ବିତର୍କରେ ଅନେକ କିଛି କହୁଛନ୍ତି। ଯିଏ ଶୁଣିବ ସିଏ ନିଶ୍ଚିତ କହିବ ବାଃ.. ବିକାଶ ପଥରେ ଆଗେଇଛି ଓଡ଼ିଶା ।

ହେଲେ ନିକଟରେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସର୍ଭେକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଏ ସରକାରର ବିଧି ବ୍ୟବସ୍ଥା କିପରି ହୁଗୁଳି ଯାଇଛି ଏବଂ ନିଜ ନେତା ଏବଂ କର୍ମୀଙ୍କ ଦ୍ୱାରା ଗୁଣଗାନ କରାଯାଇ ମିଛକୁ ସତ ଭଳି ପ୍ରଚାର କରାଯାଉଛି ତାର ନମୁନା ସାମ୍ନାକୁ ଆସିଛି। ଏହା ପୂର୍ବରୁ କିନ୍ତୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏବଂ ଆଉଟଲୁକ ଭଳି ପତ୍ରିକାରେ ସର୍ବେଶ୍ରେଷ୍ଠ ସମ୍ମାନ ପାଇଥିଲେ ଆମ ମୁଖ୍ୟମନ୍ତ୍ରୀ। ଆଉ ଏଥିପାଇଁ ନବୀନ ନିବାସକୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ସୁଦୂରରେ ଥିବା କର୍ମୀ ଏବଂ ନେତା । ନବୀନ ନିବାସ ପାଲଟିଥିଲା ସାହାଣ ମେଳା । ଆଉ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା ବଡ ବଡ ହୋର୍ଡିଂ।

2003 ପାଖରୁ ଇଣ୍ଡିଆ ଟୁଡେ ପ୍ରତିବର୍ଷ ରାଜ୍ୟର ଅର୍ଥନୀତି, ଶିକ୍ଷା, ଆଇନ କାନୁନ, ସାମାଜିକ ବ୍ୟବସ୍ଥା, କୃଷି ଆଦି 12ଟି ପ୍ରସଙ୍ଗକୁ ନେଇ ସର୍ଭେ କରି ଆସୁଛି। ଆଉ ପ୍ରତିବର୍ଷ ଏହାର ବିଜେତା ଘୋଷଣା କରୁଛି ସର୍ବ ଭାରତୀୟ ସ୍ତରରେ ।

ସବକା ସାଥ ସବକା ବିକାଶ ବର୍ଗରେ ତାମିଲନାଡୁ, ହିମାଚଳ ପ୍ରଦେଶ, କେରଳ ଯଥାକ୍ରମେ ଉପର ଆଡୁ ରହିଥିବା ବେଳେ ଓଡ଼ିଶା 16 ନମ୍ବରରେ ରହିଛି। ମୋଟ୍ 20ଟି ବଡ ବଡ ରାଜ୍ୟକୁ ନେଇ ଏହି ସର୍ଭେ ହୋଇଛି। ଓଡ଼ିଶା ତଳେ ବିଜେପି ଶାସିତ ରାଜ୍ୟ ଆସାମ, ୟୁପି, ଝାଡଖଣ୍ଡ, ବିହାର ରହିଛି। ଓଡ଼ିଶା ଉପରେ 15 ନମ୍ବର ସ୍ଥାନରେ ଛତିଶଗଡ ରହିଛି। ଯାହାକି କଂଗ୍ରେସ ଦ୍ୱାରା ଶାସିତ। ସେହିପରି ଛୋଚ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ତାଲିକାରେ ପୁଡୁଚେରୀ ପରେ ଗୋଆ ରହିଥିବା ବେଳେ ଶେଷରେ ମେଘାଳୟ ରହିଛି। ଏହି ତାଲିକାରେ ମୋଟ୍ 10ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ରହିଛି।

ଗ୍ରାମୀଣ ବିକାଶ କ୍ଷେତ୍ରରେ ବଡ ରାଜ୍ୟ ତାଲିକାରେ ବିହାର ଏକ ନମ୍ବରରେ ରହିଛି।  ଏପରି କରି ବିହାର ସରକାର ଗାଁର ବିକାଶ କରିବା ସହିତ ଗାଁରେ ରହୁଥିବା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତୀ ଆଣିଛନ୍ତି। ଏପରି ହେଲେ ରାଜ୍ୟର ଅର୍ଥନୀତି ଓ ଅଭିବୃଦ୍ଧିକୁ ମଧ୍ୟ ଗତି ମିଳିଥାଏ। ତେବେ ଏହି ତାଲିକାରେ ଓଡ଼ିଶା ନାହିଁ । ରାଜ୍ୟର ନବୀନ ସରକାର ମିଶନ ଶକ୍ତି ଭଳି ଯୋଜନା କରିଛନ୍ତି। ଯାହାଦ୍ୱାରା ଗାଁର ମହିଳା ସଶକ୍ତ ହେବେ ବୋଲି ଦାବି କରୁଛନ୍ତି। କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ରହିଛି ଇଣ୍ଡିଆ ଟୁଡେ ମ୍ୟାଗାଜିନର ସର୍ଭେ ଅନୁଯାୟୀ ।

ଅର୍ଥବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ ଏହି ତାଲିକାରେ ତାମିଲନାଡୁ ଏକ ନମ୍ବର ରହିଛି। 2020 ଓ 19ରେ ଏହି ସ୍ଥାନରେ ଗୁଜରାଟ ରହିଥିବା ବେଳେ ଚଳିତ ଥର ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ନିକଟରେ ତାମିଲନାଡୁର ସରକାର ବଦଳିଛି। ଡିଏମସି ଶାସନ ଗାଦିରେ ବସିଛି। ଏପରି କରି ଏମ୍. କେ ଷ୍ଟାଲିନ ରାଜ୍ୟକୁ ଆଗକୁ ନେଉଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ଓଡ଼ିଶା ଏହି ତାଲିକାରେ 16 ନମ୍ବରରେ ରହିଛି। ସବୁଠୁ ବଡ କଥା ହେଲା ପୂର୍ବ ବର୍ଷ ଗୁଡିକରେ ଯଥାକ୍ରମେ, 13,12, 9 ଥିଲା। ଅର୍ଥାତ୍ 2018ରେ ରାଜ୍ୟର ସ୍ଥିତି ଭଲ ଥିଲା । ହେଲେ ଏହି ସରକାରରେ ରାଜ୍ୟର ଅର୍ଥ ବ୍ୟବସ୍ଥା ତଳ ଆଡକୁ ଯାଉଛି ବୋଲି ଇଣ୍ଡିଆ ଟୁଡେ ସର୍ଭେରୁ ଜଣାପଡିଛି।

ଢାଞ୍ଚାଗତ ପ୍ରକ୍ରିୟାରେ ପରିବର୍ତ୍ତନ, କୃଷି ଏବଂ ସ୍ୱଚ୍ଛତା ପ୍ରଦର୍ଶନରେ ବଡ ରାଜ୍ୟ ତାଲିକାରେ ପଂଜାବ ଏକ ନମ୍ବର ସ୍ଥାନରେ ରହିଛି। ବିଗତ ଦୁଇ ବର୍ଷ ହେବ ପଂଜାବ ଏହି ସ୍ଥାନରେ ଏକ ନମ୍ବର ରହିଛି । 2018ରେ ଏହି ରାଜ୍ୟ କିନ୍ତୁ 3 ନମ୍ବର ସ୍ଥାନରେ ଥିଲା।  ସେହିପରି ଓଡ଼ିଶା 13 ନମ୍ବର ସ୍ଥାନରେ ରହିଛି। ପୂର୍ବ ବର୍ଷ ଗୁଡିକରେ ଓଡ଼ିଶା ତାଲିକାରେ 14, 13, 14 ଯଥାକ୍ରମେ ଥିଲା। କୃଷିରେ ଓଡ଼ିଶା 13 ନମ୍ବର ସ୍ଥାନରେ ଥିବା ବେଳେ ସ୍ୱଚ୍ଛତାରେ ଏହା 19 ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ଆସାମ ରହିଛି 20 ନମ୍ବର ତାଲିକାରେ ।

ସ୍ୱାସ୍ଥ୍ୟ, ପରିବେଶ ଏବଂ ପର୍ଯ୍ୟଟନ କ୍ଷେତ୍ରରେ କେରଳ ଏକ ନମ୍ବର ସ୍ଥାନରେ ରହିଛି। ପୂର୍ବ ବର୍ଷ ମଧ୍ୟ କେରଳ ଏହି ସ୍ଥାନରେ ଥିଲା। ଏହା ପୂର୍ବରୁ 2020, 2019 ଏବଂ 2018ରେ 1, 2, 2 ସ୍ଥାନରେ ଥିଲା । ଓଡ଼ିଶା ଏହି ତାଲିକାରେ 13 ନମ୍ବରରେ ରହିଛି।

ଶିକ୍ଷାରେ ହିମାଚଳ ପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶା 14 ନମ୍ବର ସ୍ଥାନରେ ରହିଛି। 2018 ପାଖରୁ ହିମାଚଳ ପ୍ରଦେଶ ଏହି ସ୍ଥାନରେ ରହି ଆସୁଛି। ଓଡ଼ିଶା ଏହା ପୂର୍ବରୁ 14,12 ଏବଂ 13 ନମ୍ବର ସ୍ଥାନରେ ଥିଲା।

ଆଇନ ଓ କାନୁନ ବ୍ୟବସ୍ଥାରେ ଚଳିତ ବର୍ଷ ଗୁଜରାଟ ଏକ ନମ୍ବରରେ ରହିଛି। ପୂର୍ବରୁ ଏହି ରାଜ୍ୟ 2, 3 ଏବଂ 8 ନମ୍ବର ରାଙ୍କରେ ଥିଲା। ତେଣୁ ଗୁଜରାଟ ପାଇଁ ଏହା ଏକ ବଡ ଉପଲବ୍ଧି । ସେହିପରି ଓଡ଼ିଶା 19 ନମ୍ବର ସ୍ଥାନରେ ରହିଛି। ରାଜ୍ୟରେ ସରକାର ଏବେ ମମିତା ମେହେର, ନୟାଗଡ ପରୀ, ମାହାଙ୍ଗା ଡବଲ ମର୍ଡର ଆଦି ଅନେକ ପ୍ରସଙ୍ଗରେ ସରକାର ବିବାଦରେ ରହିଛନ୍ତି। ଯଦିଓ ସରକରା ଦାବି କରୁଛନ୍ତି ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ଠିକ୍ ଅଛି ହେଲେ ଅସଲରେ ଆଉ କିଛି ବୋଲି ଇଣ୍ଡିଆ ଟୁଡେ ରିପୋର୍ଟରୁ ଜଣାପଡିଛି। ଓଡ଼ିଶା ତଳକୁ ଆସାମ ରହିଛି।

Leave A Reply

Your email address will not be published.