ନୂଆଦିଲ୍ଲୀ: ଦେଶରେ କେତେକ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଭାବେ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଆକାଂକ୍ଷା ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଅଦ୍ୟାବଧି ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇପାରିନଥିବା ଘୋର ପରିତାପର ବିଷୟ।
ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ କଲେଜ୍ ପାଇଁ ଭିତ୍ତିଭୂମି ରହିଥିବାବେଳେ ବହୁ ରୋଗୀ ଆଗମନକୁ ଦେଖି ଓ ମେଡିକାଲ୍ କଲେଜ୍ ସୁବିଧାରୁ ବଂଚିତ ହେଉଥିବା ଅନୁଭବ କରି ଢେଙ୍କାନାଳ ସାଂସଦ ମହେଶ ସାହୁ ସଂସଦର ଶୀତକାଳୀନ ଅଧିବେଶନରେ ସଂସଦ ଗୃହରେ ଉପସ୍ଥାପନ କରିବା ସହିତ ବ୍ୟକ୍ତିଗତ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟଙ୍କୁ ଭେଟି ଢେଙ୍କାନାଳରେ ମେଡିକାଲ୍ କଲେଜ୍ ସ୍ଥାପନ ବିଷୟରେ ଲିଖିତ ଭାବେ ଦାବି ଜଣାଇଛନ୍ତି। ସାଂସଦ ଦାବି ପତ୍ର ପାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ।