ବଗିଚାର ନାଁ ପିଞ୍ଜରବାଗ୍‌

ଇତିହାସ ପୃଷ୍ଠାର ଅଭୁଲା ଅନୁଭବ

0 16

ODISHA DAILY: ହରିୟାଣାର ପଂଚକୁଲ୍ ଜିଲାରେ ଅବସ୍ଥିତ ପିଞ୍ଜରବାଗ ବଗିଚା ଖାଲି ଭାରତ କାହିଁକି, ସମଗ୍ର ପୃଥିବୀରେ ଅନନ୍ୟ । ମଧ୍ୟଯୁଗୀୟ ମୋଗଲ ଶୈଳୀରେ ନିର୍ମିତ ଏହି ବଗିଚା ଯାଦବେନ୍ଦ୍ରବାଗ୍ ଭାବେ ମଧ୍ୟ ପରିଚିତ । ଏହା ଏମିତି ଏକ ବଗିଚା ଯାହା ଦେଖିବାକୁ ଯେତିକି ରମଣୀୟ, ଏହାର ଐତିହାସିକ ପୃଷ୍ଠଭୂମି ମଧ୍ୟ ସେତିକି ରୋଚକ ।
ପ୍ରବେଶ ପଥର ନିଆରା ଅନୁଭବ:
ଶ୍ରୀନଗରର ସାଲିମାରବାଗ ଶୈଳୀରେ ନିର୍ମିତ ଏହି ବଗିଚା ମଧ୍ୟକୁ ପ୍ରବେଶ କରିବାକୁ ୪ଟି ବାଟ ରହିଛି । ପ୍ରଥମ ପ୍ରବେଶ ପଥର ନାଁ ହେଉଛି ଶିଶ୍ ମହଲ ଯାହା ରାଜସ୍ତାନୀ ଓ ମୋଗଲ ଶୈଳୀରେ ପ୍ରସ୍ତୁତ କରାଯାଇଛି ଯାହା ହାୱା ମହଲ୍‌କୁ ସଂଯୋଗ କରୁଛି । ଦ୍ୱିତୀୟ ପ୍ରବେଶ ପଥର ନାଁ ହେଉଛି ରଙ୍ଗ ମହଲ । ଏଠାରେ ରଙ୍ଗ ବେରଙ୍ଗ ଶିତ୍ରକଳାର ସମାହାର ଦେଖିବାକୁ ମିଳେ । ତୃତୀୟ ପ୍ରବେଶ ପଥର ଯଦିଓ ସେମିତି କିଛି ନିର୍ଦ୍ଦିଷ୍ଟ ନାଁ ନାହିଁ, ତେବେ ଏଠାରେ ବିଭିନ୍ନ ପ୍ରଜାତିର ଫଳଗଛ ଦେଖିବାକୁ ମିଳେ । ୪ର୍ଥ ପ୍ରବେଶ ପଥର ନାଁ ହେଉଛି ଜଲ୍ ମହଲ୍‌, ଯେଉଁଠି ପାଣି ମଧ୍ୟରେ ଅନେକ କାରୁକାର୍ଯ୍ୟ ଦେଖିବାକୁ ମିଳେ । ପାଣି ଭିତରେ ଥିବା ଫାଉଂଟେନ୍‌ଗୁଡରୁ ବାହାରୁଥିବା ଜଳ ତରଙ୍ଗ ଦେଖିବାକୁ ଏଠାରେ ଅନେକଙ୍କ ଭିଡ଼ ଜମେ । ସବା ଶେଷରେ ରହିଛି ମୁକ୍ତାକାଶ ରଂଗମଂଚ ଯେଉଁଠି ବର୍ଷ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବଗିଚା ସମ୍ମୁଖରେ ରହିଛି ଏକ ମୁକ୍ତାକାଶ ମ୍ୟୁଜିୟମ, ଯାହା ହରିୟାଣା ରାଜ୍ୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ଦ୍ୱାରା ପରିଚାଳନା କରାଯାଉଛି । ମ୍ୟୁଜିୟମଟି ରଂଗବେରଂଗର ଆଲୋକମାଳା ସୁସଜ୍ଜିତ ହୋଇଥିବାରୁ ରାତ୍ରିକାଳୀନ ଦୃଶ୍ୟ ଅତୀବ ନିଆରା । ପିଂଜୋରବାଗ୍‌କୁ ଆଉ ଟିକେ ଆକର୍ଷଣୀୟ କରାଯିବାକୁ ଏଠାରେ ସ୍ୱତନ୍ତ୍ର ହେରିଟେଜ୍ ଟ୍ରେନ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଐତିହାସିକ ରୋଚକ ତଥ୍ୟ

ପିଞ୍ଜୋରବାଗ୍‌କୁ ନେଇ ରହିଛି ସୁନ୍ଦର ଏକ ଐତିହାସିକ କାହାଣୀ । ୧୭୬୦ରୁ ୧୭୮୧ ମଧ୍ୟରେ ପଂଜାବର ମୋଗଲ ଗଭର୍ଣ୍ଣର ଫିଦାଏ ଖାନ୍ ଏହି ପିଂଜୋରବାଗର ସ୍ଥାପନା କରିଥିଲେ । ସୌନ୍ଦର୍ଯ୍ୟରେ ଅତ୍ୟନ୍ତ ରୁଜି ରଖୁଥିବା ଫିଦାଏ ଖାନ ଏହି ବଗିଚାଟିକୁ ଅତି ଯତ୍ନର ସହ ନିର୍ମାଣ କରିଥିଲେ । ଏହା ପ୍ରସ୍ତୁତ ହୋଇଯିବା ପରେ ଲୋକେ ଏହାକୁ ମୋଗଲମାନଙ୍କ ଅନ୍ୟାନ୍ୟ ବଗିଚା ସହ ତୁଳନା କରିବାରେ ଲାଗିଲେ । ତେବେ ଫିଦାଏ ଖାନ୍ କିନ୍ତୁ ଏହାର ସୌନ୍ଦର୍ଯ୍ୟ ବେଶୀଦିନ ଉପଭୋଗ କରିପାରି ନ ଥିଲେ । ନିର୍ମାଣର ମାତ୍ର ୭ ବର୍ଷ ପରେ ଫିଦାଏ ଖାନଙ୍କୁ ନିଜର ପ୍ରିୟ ବଗିଚାକୁ ଛାଡି ଚାଲିଯିବାକୁ ପଡିଲା ।
ହିନ୍ଦୁ ରାଜାଙ୍କ ଗୁଜବ ଅସ୍ତ୍ର:
ଲୋକ କାହାଣୀ ଅନୁସାରେ ଭବାନାର ରାଜା ଅମର ସିଂହ ଏହି ଅଂଚଳରୁ ମୋଗଲମାନଙ୍କୁ ତଡ଼ିବାକୁ କୌଶଳ ଖୋଜିବାରେ ଲାଗିଲେ । ତେଣୁ ସେ ଏମିତି ଏକ କାହାଣୀ ରଟନା କଲେ, ଯାହା ଫଳରେ ଫିଦାଏ ଖାନ୍ ଓ ତାଙ୍କ ସହଯୋଗୀମାନେ ଭୟରେ ପଳାୟନ କଲେ । ସେ ସମୟରେ ହୀମାଳୟର ନିମ୍ନଭାଗ ଅଂଚଳରେ ଲୁଣରେ ଆୟୋଡିନ୍ ମାତ୍ର କମ୍ ଥିବାରୁ ଗଳଗଣ୍ଡ ରୋଗ ବ୍ୟାପିବାରେ ଲାଗିଲା । ଏହାର ଫାଇଦା ଉଠାଇଲେ ଭବାନାର ରାଜା । ଗଳଗଣ୍ଡ ରୋଗରେ ଶିକାର ମହିଳାମାନଙ୍କୁ ଏକତ୍ର କରି ସେ ନିଜ ରାଜପ୍ରସାଦରେ ନିଯୁକ୍ତି ଦେଲେ । ଖାଲି ରାଜପ୍ରସାଦ କାହିଁକି, ସେମାନଙ୍କୁ ବାଡ଼ି ବଗିଚାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଦିଆଗଲା । ଲୋକ ଲଗାଇ ରାଜା ପ୍ରଚାର କଲେ ଯେ, ପିଞ୍ଜୋର ଜଳବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହୋଇଯାଇଛିି ଯେ, ସବୁ ମହିଳା ଏପରି ରୋଗର ଶିକାର ହେଉଛନ୍ତି । ଏ ଖବର ଫିଦାଏ ଖାନଙ୍କ ରାଜଦରବାରର ମହିଳାମାନଙ୍କ ପାଖରେ ପହଂଚିବା କ୍ଷଣି ସେମାନେ ଆତଙ୍କିତ ହୋଇପଡିଲେ । ତୁରନ୍ତ ଏ ଯାଗା ପରିତ୍ୟାଗ କରିବାକୁ ମହିଳାମାନେ ଅଡି ବସିଲେ । ବାଧ୍ୟ ହୋଇ ଫିଦାଏ ଖାନ ନିଜ ପରିଷଦ ବର୍ଗଙ୍କ ସହ ପିଞ୍ଜୋରବାଗ୍ ଛାଡି ସବୁଦିନ ପାଇଁ ଚାଲିଗଲେ । ଠିକ୍ ପରେ ପରେ ଏହାକୁ ପଟିଆଲା ରାଜା ନିଜ ଅଧିକାରକୁ ନେଇ ନିଜ ଚିତବିନୋଦନ ସ୍ଥାନର ମାନ୍ୟତା ପ୍ରଦାନ କଲେ ।

ପିଂଜୋରବାଗରୁ ୟାଦବେନ୍ଦ୍ରବାଗ୍‌:
ସ୍ୱାଧୀନତା ପରେ ଏଠାକାର ମହାରାଜ ୟାଦବେନ୍ଦ୍ର ସିଂ ପିଂଜୋର ବାଗ୍‌କୁ ଭାରତ ସରକାରଙ୍କୁ ଦାନ କରିଦେଇଥିଲେ । ମହାରାଜାଙ୍କୁ ସମ୍ମାନ ଜଣାଇ ଭାରତ ସରକାର ଏହାର ନାମ ପରିବର୍ତନ କରି ୟାଦବେନ୍ଦ୍ର ବାଗ୍ ରଖିଥିଲେ । ସେବେଠାରୁ ପିଂଜୋର ବାଗ୍ ୟାଦବେନ୍ଦ୍ର ବାଗ୍ ଭାବେ ପରିଚିତ ହୋଇଆସୁଛି । ସ୍ୱାଧୀନତା ପୂର୍ବରୁ ପଟିଆଲାର ଶାସକମାନେ ଏଠାରେ ନିଜ ଅବସର କାଟିବା ସହ ଏଠାରେ ସୁନ୍ଦର ବଗିଚା ତିଆରିକଲେ । ବିଶେଷ କରି ଏଠାରେ ଜାତି ଜାତିକା ଗୋଲାପ ଚାଷ କରାଗଲା ଯାହା ଏହି ବଗିଚାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଦେଲା । ଏଠାରେ ମଧ୍ୟ ଖୁବ୍ ସୁନ୍ଦର ଅତର ପ୍ରସ୍ତୁତ ହେଲା ଯାହା ରାଜପ୍ରସାଦରେ ବ୍ୟବହାର ହେଲା । ଏବେ ଏହି ବଗିଚାରେ ଅନେକ ବଲିଉଡ୍ ଫିଲ୍ମ ସୁଟିଂ ମଧ୍ୟ କରାଯାଉଛି ।
ଐତିହାସିକ ପିଂଜୋରବାଗ୍‌ର ଶୋଭାକୁ ଆହୁରି ବଢାଇବାରେ ସହାୟକ ହୁଏ ଏଠାରେ ଆୟୋଜନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ । ବିଶେଷକରି ଏପ୍ରିଲ ମାସରେ ପାଳନ କରାଯାଉଥିବା ପିଂଜୋର ବୈଶାଖୀ ପର୍ବ ଓ ଜୁଲାଇ ମାସରେ ପାଳନ କରାଯାଉଥିବା ପିଂଜୋର ଆମ୍ବ ମେଳା ଦେଖିବାକୁ ଦେଶ ବିଦେଶରୁ ପହୁ ପର୍ଯ୍ୟଟକ ଏଠାରେ ସମବେତ ହୋଇଥାନ୍ତି । ସେହିପରି ପ୍ରତିବର୍ଷ ଡିସେମ୍ବର ମାସରେ ପାଳନ କରାଯାଉଥିବା ପିଂଜୋର ହେରିଟେଜ୍ ଫେଷ୍ଟିଭାଲ୍ ମଧ୍ୟ ସାଜିଥାଏ ପର୍ଯ୍ୟଟକଙ୍କ ଆଉ ଏକ ଆକର୍ଷଣ ।

Leave A Reply

Your email address will not be published.