୩୨ ବର୍ଷ ତଳେ ପଦ୍ମପୁରରେ ବିଜୁବାବୁ କହିଥିଲେ- ‘ଅଫିସରଙ୍କୁ ବାଡ଼ାଅ, ମୁଁ ଅଛି’

ଅଫିସରଙ୍କୁ କଡ଼ା ନଜରରେ ଦେଖୁଥିଲେ ବିଜୁବାବୁ,

0 565

ଭୁବନେଶ୍ୱର: ବର୍ତମାନ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ପଦ୍ମପୁର ଏକଦା ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚିତ ହୋଇ ପଡିଥିଲା । ଆଜକୁ ପ୍ରାୟ ୩୨ ବର୍ଷ ତଳେ, ୧୯୯୦ ମସିହା ନଭେମ୍ବର ୩୦ ତାରିଖରେ ପଦ୍ମପୁର ଗସ୍ତରେ ଆସିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସିଧା ସଳଖ ଅଫିସରମାନଙ୍କୁ ଟାର୍ଗେଟ କରିବା ସହ ଅଫିସରମାନଙ୍କୁ ପିଟିବାକୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଅହ୍ୱାନ ଦେଇ ବିଜୁବାବୁ କହିଥିଲେ, ‘ଯେଉଁ ଅଫିସରମାନେ କାମ କରୁନାହାନ୍ତି, ବା ଲାଂଚ ମାଗୁଛନ୍ତି, ତାଙ୍କୁ ବାଡ଼ାଅ, କେଶ୍ ହେଲେ ମୁଁ ଅଛି ।’ ୧୯୯୦ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ହେବା ପରେ ଅଫିସରିରାଜ୍‌ର କରୁଣ ପରିଣତିକୁ ହୃଦୟଙ୍ଗମ କରିଥିଲେ ବିଜୁବାବୁ । ନେତାଙ୍କ ଅପେକ୍ଷା ଅଫିସରମାନେ ଲୋକଙ୍କୁ ଲୁଟିବା ଆଉ ରାଜକୋଷ ଲୁଂଠନ କରୁଥିବା ସେ ଅନୁଭବ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ସିଧା ଅଫିସରମାନଙ୍କୁ ଟାର୍ଗେଟ କରିଥିଲେ । ବିଜୁବାବୁଙ୍କ ଏହି ବୟାନ ପରେ ସରକାରୀ କର୍ମଚାରୀ ମହଲରେ ବେଶ୍ ହଲ୍‌ଚଲ୍ ସୃଷ୍ଟି ହୋଇଥିଲା । ଏପରି କି ସଚିବାଳୟ ପରିସରରେ ଏକଦା ତାଙ୍କୁ କର୍ମଚାରୀଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିଥିଲା । ତଥାପି ନିଜ ଯିଦ୍‌ରେ ଅଟଳ ଥିଲେ ବିଜୁବାବୁ । ନିଜ କାର୍ଯ୍ୟକାଳ ସମୟରେ ସେ କୌଣସି ଅଫିସରଙ୍କୁ ମୁଣ୍ଡରେ ଚଢିବାର ସୁଯୋଗ ଦେଇ ନ ଥିଲେ । ଖାଲି ସେତିକି ନୁହେଁ ନିଜ ମୁଖ୍ୟମନ୍ତ୍ରିତ୍ୱର ୩ ମାସ ମଧ୍ୟରେ ଅର୍ଥାତ ୧୯୯୦ ମସିହା ଜୁଲାଇ ୧୭ରୁ ୨୦ ମଧ୍ୟରେ ରାଜଧାନୀ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେବ ବଦଳି ହୋଇ ନ ଥିବା ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ବାବୁଙ୍କୁ ଏକକାଳିନ ବଦଳି କରି କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି କରିଥିଲେ । ବଦଳୀ ଭୟରେ ଅନେକ ଛୋଟବଡ଼ ବାବୁ କାମ ଛାଡ଼ି ଛୁଟିରେ ପଳାଇଥିଲେ ।

Leave A Reply

Your email address will not be published.