କାହିଁକି ସଫଳ ହେଲେନି ସିନେମା ଷ୍ଟାର…!

odisha film star in politics

0 19

odisha daily-ଦକ୍ଷିଣ ଭାରତୀୟ ସିନେମା ଷ୍ଟାରଙ୍କର ରାଜନୀତିରେ ପ୍ରଭାବ ସମସ୍ତଙ୍କୁ ଜଣା । ତାମିଲନାଡୁର ଏମଜିଆର, ଜୟଲଳିତା, ଆନ୍ଧ୍ର ପ୍ରଦେଶର ଏନଟି ରାମରାଓଙ୍କ ଏକଦା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ବେଳେ ତାଙ୍କ ନାମରେ ଦଳ ଚାଲିଛି । ସେହିପରି ରଜନୀକାନ୍ତ, କମଲ ହାସନ, ଚିରଂଜୀବୀଙ୍କ ପରି ସିନେମା ଷ୍ଟାରଙ୍କର ରାଜନୀତିରେ ଲୋକପ୍ରିୟତା ବଢୁଛି । ଏଭଳି କ୍ଷେତ୍ରରେ ଦେଖିବାକୁ ଗଲେ ଓଡ଼ିଆ ଫିଲ୍ମ ଷ୍ଟାରଙ୍କ ଓଡ଼ିଶା ରାଜନୀତିରେ ପ୍ରଭାବ ଅତ୍ୟନ୍ତ ଗୌଣ । ଯଦିଓ କିଛି ରାଜନେତା କ୍ଷମତାର ସ୍ୱାଦ ଚାଖିଛନ୍ତି, ତେବେ ତାହା ସେମାନଙ୍କ ନିଜସ୍ୱ ଲୋକପ୍ରିୟତା ଯୋଗୁ ନୁହେଁ, ବରଂ ଦଳୀୟ ଟିକେଟ ଯୋଗୁ ସମ୍ଭବପର ହୋଇଛି ।

ଓଡ଼ିଶା ରାଜନୀତିରେ ସବୁଠାରୁ ସଫଳତମ ସିନେ ବ୍ୟକ୍ତିତ୍ୱ ଭାବେ ବରିଷ୍ଠ ନିର୍ମାତା ନିର୍ଦ୍ଦେଶକ, ଅଭିନେତା ପ୍ରଶାନ୍ତ ନନ୍ଦଙ୍କୁ ନିଆଯାଇପାରେ । ଶ୍ରୀ ନିନ୍ଦ ଅନେକ ସୁପରହିଟ୍ ସିନେମା ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି । ଯଦିଓ ରାଜନୀତିରେ ପ୍ରବେଶ କରିବା ପରେ ଥରେ ତାଙ୍କ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିିଳିଛି, ତେବେ ତାହା ଅତ୍ୟନ୍ତ ଗୌଣ କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୦୦ ମସିହାରେ ଶ୍ରୀ ନନ୍ଦ ପ୍ରଥମ ଥର ପାଇଁ ବିଜେପି ଟିକେଟରୁ ବିଧାନସଭାରେ ପ୍ରବେଶ କରିଥିଲେ । ନବୀନଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଉଚ୍ଚଶିକ୍ଷା ପରି ଗୁରୁଦାୟିତ୍ୱ ଦିଆଯାଇଥିଲା । ତେବେ ୨୦୦୧ ମସିହା ଜୁଲାଇ ୯ ତାରିଖରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରିଥିଲେ ନବୀନ । ପରବର୍ତୀ ସମୟରେ ବିଜେଡିରେ ଯୋଗଦାନ ପରେ ଯଦିଓ ସେ ରାଜ୍ୟସଭା ଓ ବିଧାନସଭା ଆସନ ଲାଭ କରିପାରିଛନ୍ତି, ତେବେ ରାଜନୀତିରେ ତାଙ୍କ ପ୍ରଭାବ ବିଶେଷ ପରିଲକ୍ଷିତ ହୋଇନାହିଁ ।

ସିଦ୍ଧାନ୍ତ ମହାପାତ୍ର: ଆଉ ଜଣେ ସଫଳ ସିନେ ବ୍ୟକ୍ତିତ୍ୱ ସିଦ୍ଧାନ୍ତ ମହାପାତ୍ରଙ୍କ କଥା ବିଚାରକୁ ନିଆଯାଇପାରେ । ଓଡ଼ିଆ ସିନେ ଜଗତରେ ସିଦ୍ଧାନ୍ତ ଜଣେ ହିଟ୍ ନାୟକ ଭାବେ ଲୋକପ୍ରିୟ ଥିଲେ । ବିଜେଡି-ବିଜେପି ଅଲଗା ହେବା ପରେ ବ୍ରହ୍ମପୁରର ଲୋକପ୍ରିୟ ନେତା ତଥା ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ଟକ୍କର ଦେବା ପାଇଁ ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ କରିଥିଲେ ନବୀନ । ରାଜନୀତିରେ ନବାଗତ ହୋଇ ମଧ୍ୟ ସିଦ୍ଧାନ୍ତ ଚନ୍ଦ୍ରଶେଖରଙ୍କୁ ଦୁଇ ଦୁଇଥର ପରାସ୍ତ କଲେ । ୨ ଥର ସାଂସଦ ରହି ସାରିଥିଲେ ମଧ୍ୟ ରାଜ୍ୟ ବା କ୍ଷେତ୍ରୀ ରାଜନୀତିରେ ତାଙ୍କ ପ୍ରଭାବ ପରିଲକ୍ଷିତ ହୋଇନାହିଁ । ଗତ ୨୦୧୯ ନିର୍ବାଚନରେ ତାଙ୍କ ଦଳୀୟ ଟିକେଟ ମଧ୍ୟ ମିଳି ନ ଥିଲା ବା ପରବର୍ତୀ ସମୟରେ ହୋଇଥିବା ସାଂଗଠନିକ ବ୍ୟବସ୍ଥାରେ ତାଙ୍କୁ କୌଣସି ପଦ ପଦବୀରେ ମଦ୍‌ୟ ରଖାଯାଇନାହିଁ ।
ଅନୁଭବ ମହାନ୍ତି: ଯୁବ ବୟସରୁ ରାଜନୀତିରେ ପାଦ ଥାପିଥିବା ଅନ୍ୟ ଜଣେ ସିନେ ବ୍ୟକ୍ତିତ୍ୱ ହେଉଛନ୍ତି ଅନୁଭବ ମହାନ୍ତି । ପ୍ରଥମେ ରାଜ୍ୟସଭା ଓ ପରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା ଲୋକସଭା ଆସନରୁ ସେ ବିଜେଡିର ସାଂସଦ ହୋଇପାରିଛନ୍ତି । ପଦ ପଦବୀ ଓ କ୍ଷମତା ସତ୍ୱେ ସେ ନେତା ପଦବାଚ୍ୟ ହୋଇପାରିନାହାନ୍ତି । କେବଳଂ ନବୀନଂ ନ୍ୟାୟରେ ଲୋକେ ତାଙ୍କୁ ଭୋଟ ଦେଇଛନ୍ତି ସତ, ହେଲେ ଭୋଟରମାନଙ୍କ ପାଖରେ ସେ ଏଯାବତ ଗ୍ରହଣୀୟ ହୋଇପାରିନାହାନ୍ତି ବୋଲି ରାଜନୈତିକ ସମାଲୋଚକମାନେ ମତ ଦିଅନ୍ତି ।

ଆକାଶ ଦାସନାୟକ: ଶାସକ ବିଜେଡିରୁ ଥରଟିଏ କୋରେଇ ଆସନରୁ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ ମଧ୍ୟ ଆକାଶ ନେତା ପଦବାଚ୍ୟ ହୋଇପାରିନାହାନ୍ତି । ରାଜନୀତିରେ ଅପରିପକ୍ୱତା କାରଣରୁ ଶାସକ ବିଜେଡି ତାଙ୍କୁ ଦ୍ୱିତୀୟ ବାର ଟିକେଟ ମଧ୍ୟ ଦେଲାନାହିଁ । ତେବେ ସମାଲୋଚକମାନଙ୍କ ମତରେ ଆକାଶଙ୍କ ବ୍ୟକ୍ତିତ୍ୱ, ଭଦ୍ର ଓ ଅମାୟିକ ଭାବ ତାଙ୍କୁ ଯେତିକି ଲୋକପ୍ରିୟ କରିଛି, ରାଜନୀତି ତାଙ୍କୁ ସେତିକି ଲୋକପ୍ରିୟତା ଦେଇନାହିଁ ।

ମୁନ୍ନା ଖାଁ: ବର୍ତମାନର ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସ୍ୱର୍ଗତ ବିଜୁବାବୁଙ୍କ ସମୟରୁ ରାଜନୀତିରେ ରହିଥିଲେ ମଧ୍ୟ ତାଙ୍କୁ କେବଳ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ଛଡା ଅନ୍ୟ କିଛି ମିଳିପାରି ନ ଥିଲା । ଯଦିବା ଚଳଚ୍ଚିତ୍ରରେ ସେ ସେତେଟା ସଫଳ ନ ଥିଲେ, ତେବେ ତାଙ୍କ ଦଳପ୍ରୀତି ଓ ଅନୁଗତ୍ୟକୁ ସମ୍ମାନ ଜଣେ ବିଜେଡି ସୁପ୍ରିମୋ ନବୀନ ବାବୁ ଶେଷରେ ତାଙ୍କୁ ରାଜ୍ୟସଭା ପଠାଇଛନ୍ତି ।
ଏତ ଗଲା ବିଜେଡି ରାଜନୀତି । ଅଣ ବିଜେଡି ଯଥା କଂଗ୍ରେସ ଓ ବିଜେପିରେ ମଧ୍ୟ କିଛି ଅଭିନେତା ଯୋଗଦେଇଛନ୍ତି, ଯେଉଁମାନଙ୍କୁ ଅସଫଳତାର ସ୍ୱାଦ ହିଁ ଚାଖିବାକୁ ମିଳିଛି । ବରିଷ୍ଠ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ଗଲା ୧୪ ନିର୍ବାଚନରେ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇ ଶୋଚନୀୟ ପରାଜୟ ବରଣ କରିଥିଲେ । ସେହିପରି ବିଜେପିରୁ ଲୋକପ୍ରିୟ ନାୟିକା ଅପରାଜିତା ମହାନ୍ତି ଗତ ୧୯ ନିର୍ବାଚନରେ ଉତର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଛନ୍ତି

Leave A Reply

Your email address will not be published.