ଭୁବନେଶ୍ୱର: ରୋଷେଇ ଗ୍ୟାସ, ତେଲ ଦର ବୃଦ୍ଧି, ପନିପରିବା, ଡାଲି ଦର ଆକାଶ ଛୁଆଁ ହୋଇଛି । ଏହାକୁ ବିରୋଧ କରି ରାଜଧାନୀରେ ଗର୍ଜିଛି ଶାସକ ଦଳ ବିଜେଡି। କେନ୍ଦ୍ର ସରକାରଙ୍କ ବେପରୁଆ ନୀତିକୁ ବିରୋଧ କରି ରାଜରାସ୍ତାକୁ ବିଜୁ ମହିଳା ଜନତା ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛି। ରବିବାର ପ୍ରଥମେ ଭୁବନେଶ୍ୱରରେ ବିଜେଡି ପ୍ରତିବାଦ କରିଥିବାବେଳେ ସୋମବାର ମଧ୍ୟ ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି ।
ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ମଧ୍ୟ ବିରୋଧ ହୋଇଛି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇ ନାରାବାଜି କରିଛନ୍ତି । ନାରାବାଜିରେ କିନ୍ନରମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିିଛି । ଏଲପିଜି ଗ୍ୟାସ ରଖି ଲୋକେ ନାରାବାଜି କରିଛନ୍ତି।
କେନ୍ଦ୍ର ସରକାରଙ୍କ ବେପରୁଆ ନୀତି ପାଇଁ ଆଜି ତେଲ ଏବଂ ଅନ୍ୟାନ୍ୟ ଦର ବୃଦ୍ଧି ହୋଇଛି । ଯେଉଁଥିପାଇଁ ସାଧାରଣ ଲୋକେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ବିଜେଡି କହିିଛି । ସେପଟେ ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ଯୁବ ଓ ଛାତ୍ର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଜଣାପଡିିଛି । ଯଦି କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ ନକରିବେ ତାହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଆହୁରି ବଡ ବିକ୍ଷୋଭ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।