ଚିର ନିଦ୍ରାରେ କଟାକ୍ଷ କିଶୋର

0 33

ଭୁବନେଶ୍ୱର: ଦୈନିକ ଖବରକାଗଜ ସମ୍ବାଦରେ କାର୍ଟୁନ ଜରିଆରେ କଟାକ୍ଷ କରୁଥିବା କିଶୋର ରଥ ଏବେ ଚିର ନିଦ୍ରାରେ । ତିନି କୃଷି ଆଇନ୍, ପେଗାସସ ହେଉ ଅବା ତେଲ ଦର ବୃଦ୍ଧି ସମସ୍ତ ପ୍ରସଙ୍ଗରେ କିଶୋରଙ୍କ କାର୍ଟୁନ ସାଧାରଣ ଲୋକଙ୍କ ମନଛୁଇଁ ହୋଇଥିଲା। କିଶୋରଙ୍କ ମୃତ୍ୟୁ ବାବଦରେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କିଶୋରଙ୍କ ବିୟୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ଭୋର ସମୟରେ କିଶୋର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା।

କିଶୋରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ତାଙ୍କ ସୃଜନଶୀଳତା ଘରେ ଘରେ ପରିଚିତ ଥିଲା। ଯଦିଓ ଲୋକମାନେ ତାଙ୍କୁ କଟାକ୍ଷ କିଶୋର ବୋଲି ଜାଣିଥିଲେ ହେଲେ ଅଧିକାଂଶ ତାଙ୍କୁ କେବେ ଦେଖିନଥିଲେ। ପରଦା ପଛରେ ରହି ଗୋଟିଏ ଦୁଇଟି ଶବ୍ଦ ବ୍ୟବହାର କରି ଲୋକଙ୍କ ପାଖରେ ଆଦୃତ ହୋଇଥିବା ଖ୍ୟାତନାମା କାର୍ଟୁନିଷ୍ଟ ଏବେ ଚିରନିଦ୍ରାରେ ।

କିଶୋର ରଥଙ୍କର ଜନ୍ମ ୧୯୬୩ରେ ହୋଇଥିଲା । ସେ ସମ୍ବାଦ ସହିତ ୧୯୮୦ରୁ ଜଡିତ ଥିଲେ । ଗଂଜାମର ଖଲ୍ଲିକୋଟ ଆର୍ଟ କଲେଜରୁ ଫାଇନ ଆର୍ଟରେ ସେ ସ୍ନାତୋକତ୍ତର କରିଥିଲେ।

Leave A Reply

Your email address will not be published.