ବିଜେଡି-ବିଜେପି ଢାଂଚାରେ ଲଢିବ କି କଂଗ୍ରେସ

ଓଡ଼ିଆ ଅସ୍ମିତା ଅସ୍ତ୍ର

-ବିଜୟଙ୍କୁ ନେଇ ବିଜୟୀ ହେବ କି କଂଗ୍ରେସ !

-କାହିଁକି ତୃତୀୟ ମହଲାକୁ ଟାର୍ଗେଟ କଲେ ବିଜୟ ପଟ୍ଟନାୟକ!

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଲା ପରେ କଂଗ୍ରେସରେ ଏକ ନୂଆ ସ୍ପନ୍ଦନ ଦେଖାଦେଇଛି। କଂଗ୍ରେସ ବି ଏବେ ବିଜେ ଓ ବିଜେପି ପରି ଯୋଜନାବଦ୍ଧ ଉପାୟରେ ଭୋଟ ରାଜନୀତିକୁ ଆପଣାଇବ, ଏ ନେଇ ଅନେକ କଂଗ୍ରେସ କର୍ମୀ ଆଶା ବାନ୍ଧିଛନ୍ତି। ଏବେ କଂଗ୍ରେସ ଆଉ ଦୁର୍ବଳ ନୁହେଁ ବରଂ ବିକଳ୍ପ ବିରୋଧ ଭାବେ ଠିଆ ହେବ ବୋଲି ରାଜନୈତିକ ମହଲରେ ଆଶା ପ୍ରକାଶ ପାଇଛି। କଂଗ୍ରେସରେ ଯୋଗ ଦେଉଦେଉ ଶ୍ର ପଟ୍ଟନାୟକ ମଧ୍ୟ ନିଜ ଅଭିମୁଖ୍ୟ ଏକଦମ୍‌ ରୋକ୍‌ଠୋକ୍‌ କରିଛନ୍ତି।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ ଶ୍ରୀ ପଟ୍ଟନାୟକ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସାମ୍ବାଦିକଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ଦେଇଛନ୍ତି। ଏଥିରେ ଗୋଟିଏ କଥା ସ୍ପଷ୍ଟ ପ୍ରତୀୟମାନ ହୋଇଛି, ତାହା ହେଲା ଓଡ଼ିଆ ଅସ୍ମିତା ଅସ୍ତ୍ର । ଓଡ଼ିଶାରେ ଓଡ଼ିଆମାନେ କିପରି ନିର୍ଯାତୀତ ଅବସ୍ଥାରେ ଅଛନ୍ତି, ତାହାର କିଛି ପ୍ରମାଣ ଦେଇ ସେ ଏକ ବିରାଟ ଯୁଦ୍ଧର ଆହ୍ବାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଟାର୍ଗେଟ ରାଜ୍ୟ ସରକାର ହିଁ ଥିଲେ। କାରଣ ସେ କେବଳ ଓ କେବଳ ସଚିବାଳୟର ତୃତୀୟ ମହଲାକୁ ହିଁ ଟାର୍ଗେଟ କରିଥିଲେ। ଏପରିକି ସବୁ ବିଭାଗରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରା ନ ଯାଇ କାହିଁକି ଫାଇଭ୍‌ ଟି ପରି ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଗଲା, ସେ ନେଇ ପ୍ରଶ୍ନ ଉଠାଇ ବିଜୟ ବାବୁ ନିଜ ନିଶାନା କାହା ଉଦ୍ଦେଶ୍ୟରେ, ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି।
ଅବସରର ୧୦ ବର୍ଷ ପରେ କଂଗ୍ରେସରେ କାହିଁକି ଏ ଯୋଗଦାନ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ଯାଇ ଶ୍ରୀ ପଟ୍ଟନାୟକ ସିଧାସଳଖ କହିଥିଲେ, ରାଜ୍ୟରେ ଓଡ଼ିଆମାନେ ନିର୍ଯାତନା ଓ ଆକ୍ରୋଶର ଶିକାର ହେଉଚନ୍ତି ଓ ଏହା କେବଳ ସଚିବାଳୟର ତୃତୀୟ ମହଲା ଦ୍ବାରା କରାଯାଉଛି । ଓଡ଼ିଆ ନେତା, ଜନତା, ସାମ୍ବାଦିକ, କଂଟ୍ରାକ୍ଟର, ବ୍ୟବସାୟୀ, ଏପରିକି ବ୍ୟୁରୋକ୍ରାଟମାନେ ମଧ୍ୟ ତୃତୀୟ ମହଲା ଦ୍ବାରା ନିଷ୍ଫେସିତ ହେଉଛନ୍ତି । ଜନତାଙ୍କ କଥା ଦୂର, ଖୋଦ ଲୋକପ୍ରତିନିଧିମାନେ ମଧ୍ୟ ତୃତୀୟ ମହଲାରେ ପହଂଚିପାରୁନାହାନ୍ତି। ଏପରି ଏକ ସଙ୍ଗିନ ପରିସ୍ଥିତିରୁ ଓଡ଼ିଆମାନଙ୍କୁ ରକ୍ଷା କରିବାକୁ କଂଗ୍ରେସ ହିଁ ରାଜ୍ୟରେ ଏକମାତ୍ର ବିକଳ୍ପ ବୋଲି ସେ କହିବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ନବୀନ ସରକାରଙ୍କ ମୁଖ୍ୟ ସଚିବ ଥିଲେ:
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟର ମୁଖ୍ୟ ସଚିବ ରହି ସାରିଛନ୍ତି। ବିଶେଷ କରି ନବୀନ ସରକାରଙ୍କ ସମୟରେ ସେ ଏହି ପଦବୀରେ ରହିଥିଲେ ତଥା ନବୀନଙ୍କର ଖୁବ ନିକଟତର ଭାବେ ବିବେଚିତ ହେଉଥିଲେ। ନବୀନ-ପ୍ୟାରୀ ବିଚ୍ଛେଦ ପରେ ବିଜୟ ବାବୁ ନବୀନ ସରକାରଙ୍କ ପ୍ରଶାସନିକ ମଙ୍ଗ ସମ୍ଭାଳିଥିଲେ। ତେଣୁ ସେତେବେଳେ ବିଜେଡିର ଅନେକ ନେତାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଗଢି ଉଠିଥିଲା। ବିଜୟ ବାବୁ ଅବସର ପରେ ବିଜେଡିରେ ଯୋଗଦେବେ ବୋଲି ସେତେବେଳେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା।

କଂଗ୍ରେସରେ ଯୋଗଦାନର କାରଣ:

୧୦ ବର୍ଷର ନୀରବତା ପରେ ବିଜୟ ବାବୁ କଂଗ୍ରେସରେ ଯୋଗଦେବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତେବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ବିଜୟ ବାବୁ ଠିକଣା ସମୟରେ ଠିକଣା ନିଷ୍ପତି ନେଇଚନ୍ତି। କାରଣ ୨୪ ବର୍ଷର ଶାସନ ପରେ ବିଜେଡି ପ୍ରତି ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ବିକଳ୍ପର ଅଭାବ ଭୋଟରଙ୍କୁ ନୀରବଦ୍ରଷ୍ଟା କରି ରଖିଛି। ଅପରପକ୍ଷରେ ଲୋକେ ବିଜେପିକୁ ମଧ୍ୟ ଆଉ ବିକଳ୍ପ ଭାବେ ବିଶ୍ବାସ କରୁନାହାନ୍ତି। ବିଶେଷକରି ବିଜେଡି-ବିଜେପିର ବାହାରେ କଳି, ଭିତରେ କୋଳାକୋଳି ନୀତିକୁ ଲୋକେ ଜାଣିଗଲେଣି। ଚିଟ୍‌ଫଣ୍ଡ ଦୁର୍ନୀତି ହେଉ, ବା ବିଭିନ୍ନ ଅପରାଧର ତଦନ୍ତ, ଏପରିକି ନିକଟରେ ଇଡି ପକ୍ଷରୁ କରାଯାଉଥିବା ଅର୍ଚ୍ଚନା ନାଗ ମାମଲାର ତଦନ୍ତ, ସବୁକ୍ଷେତ୍ରରେ ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସିଗୁଡିକର ଦୋମୁହାଁ ନୀତିକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଲୋକେ ବିଜେପି ଉପରେ ଅସ୍ଥା ପ୍ରକଟ କରିପାରୁନାହାନ୍ତି। ଏପରି ସ୍ଥଳେ କଂଗ୍ରେସ ହିଁ ଏକମାତ୍ର ଦଳ ଯାହା ବିଜେଡିକୁ ସଠିକ୍‌ ମୁକାବିଲା କରିପାରିବ ବୋଲି ଅନେକ ବିଶ୍ବାସ କଲେଣି।

ଆଜି ବି ଅଛନ୍ତି ପଟା କଂଗ୍ରେସିଆ:
୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି କ୍ଷମତାଠୁ ଦୂରେଇ ରହିଥିଲେ ମଧ୍ୟ ଆଜି ବି କଂଗ୍ରେସ ପାଖରେ ପାଖାପାଖି ୫୦ ଲକ୍ଷ ଭୋଟ ରହିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୧.୦୫ କୋଟି ଭୋଟ ମିଳିଥିବା ବେଳେ ବିଜେପିକୁ ୭୬.୯୦ ଲକ୍ଷ ଓ କଂଗ୍ରେସକୁ ୩୭.୭୯ ଲକ୍ଷ ଭୋଟ ମିଳିଥିଲା। ଦୀର୍ଘବର୍ଷ ଧରି କ୍ଷମତାରେ ନ ରହିବା, ନେତାମାନଙ୍କ ମଧ୍ୟରେ ଗୋଡ ଟଣାଟଣି, ପାଂଠିର ଅଭାବ, ନେତୃତ୍ବର ଅଭାବ, ରଣକୌଶଳର ଅଭାବ, ସକରାତ୍ମକ ମନୋଭାବର ଅଭାବ ସତ୍ବେ କଂଗ୍ରେସକୁ ଏତେ ଭୋଟ ମିଳିବାର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ। ଆଉ ତାହା ହେଲା ଆଜି ମଧ୍ୟ କଂଗ୍ରେସ ଭୋଟ ବ୍ୟାଙ୍କ ଅନେକାଂଶରେ ଅକ୍ଷୁଣ୍ଣ ରହିଛି। ଆଜି ବି ରାଜ୍ୟରେ ପିଟା କଂଗ୍ରେସିଆ ରହିଛନ୍ତି, ଯେଉଁମାନେ ଯେକୌଣସି ପରିସ୍ଥିତିରେ ବି କଂଗ୍ରେସକୁ ହିଁ ଭୋଟ ଦେଇଛନ୍ତି ଓ ଦେଉଥିବେ ମଧ୍ୟ। ଅନେକ ମତଦାତା ବିକଳ୍ପ ଖୋଜୁଥିବା ବେଳେ ଯଦି କଂଗ୍ରେସ ନିଜ ଢାଂଚା ବଦଳାଇ ଯୋଜନାବଦ୍ଧ ରଣନୀତି ସହ ମଇଦାନକୁ ଓହ୍ଲାଏ, ତାହାଲେ କିଛି ବି ଅସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ବିଚାର କରୁଛନ୍ତି।

ବିଜୟଙ୍କ ବାଣ:
ଏପରି ସମୟରେ ବିଜୟ ବାବୁ ମଂଜ କଥାଟିକୁ ଧରିଛନ୍ତି। ତୃତୀୟ ମହଲା ଓ ଓଡ଼ିଆ ଅସ୍ମିତାକୁ ଆୟୁଧ କରି ସେ ବିଜେଡି ବିରୋଧୀ ନେତା ଓ ପ୍ରଶାସକମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ବିଜେଡିର ବୃହତ ବିଜୟ ପଛରେ ଯେ ପ୍ରଶାସନର ପ୍ରମୁଖ ଭୂମିକା ରହିଛି, ଏକଦା ବିଜୟ ବାବୁ ନିଜେ ନବୀନ ସରକାରର ପ୍ରଶାସକ ଥିବା ବେଳେ ଅଙ୍ଗେ ନିଭାଇଛନ୍ତି। ତେଣୁ ବିଜେଡିର ଚକ୍ରବ୍ୟୁହକୁ ଭେଦ କରିବାର କଳାକୌଶଳ ମଧ୍ୟ ତାଙ୍କୁ ମାଲୁମ ଅଛି। ବିଶେଷ କରି ଶ୍ରୀ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଶୋଭାଯାତ୍ରାରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କ ଯୋଶ୍‌ ଦେଖି ଏକଥା ମଧ୍ୟ କୁହାଯାଇପାରେ ଯେ, କିଛି ବି ଅସମ୍ଭବ ନୁହେଁ। ଖାଲି ଦେଖିବା କଥା, ଗୋଷ୍ଠୀ କନ୍ଦଳରେ ଜର୍ଜରିତ କଂଗ୍ରେସ ଦଳ ବିଜୟ ବାବୁଙ୍କୁ ଉପଯୋଗ କରି ମୈଦାନରେ ଲଢୁଛି, ନା ଦିଲ୍ଲୀ ଚଲୋ ନୀତି ଅପଣାଉଛି।

#ODISHA POLITICS
Comments (0)
Add Comment