ମହାତ୍ମା ଗାନ୍ଧୀ ହୋଇଥିଲେ ସଂକ୍ରମିତ!

କରୋନାଠୁ ବି ଭୟଙ୍କର ଥିଲା ୧୯୧୮ର ସ୍ପାନିଶ ଫ୍ଲୁ...!

0 28

ଆଜିକୁ ପ୍ରାୟ ୧ ଶତାବ୍ଦୀ ପୂର୍ବେ ୧୯୧୮ ମସିହାରେ ଭାରତରେ ଯେତେବେଳେ ସ୍ପାନିଶ ଫ୍ଲୁ ତାର କରାଳ ରୂପ ଦେଖାଇ ଚାଲିଥିଲା, ସେତେବେଳେ ଅନେକ ଭାରତୀୟଙ୍କ ମନରେ ଏହି ଆଶଙ୍କା ପ୍ରକାଶ ପାଇଥିଲା: ମଣିଷ ସମାଜ ଲୋପ ପାଇଯିବ କି…? କଳିଯୁଗ ଶେଷର ଏହା ପୂର୍ବାଭାସ କି…? ଏ ମହାମାରୀ ଭୂତାଣୁର କଣ ମାନବ ସମାଜର ଅନ୍ତ ଘଟାଇଲା ପରେ ଯାଇ ଥୟ ଧରିବ…?
ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଧୀରେ ଧୀରେ ଏହି ମହାମାରୀ କାବୁହେଲା । ରୋଗାକ୍ରାନ୍ତ ଆରୋଗ୍ୟ ହେଲେ । ଜୀବନଯାତ୍ରା ସ୍ୱାଭାବିକ ହେଲା । ପୁଣି ମଣିଷ ସମାଜ ଜୀବଜଗତର ଶ୍ରେଷ୍ଠ ପ୍ରାଣୀ ଭାବେ ଆଗକୁ ଆଗକୁ ମାଡ଼ି ଚାଲିଲା । ତେବେ ଯେଉଁ କେଇ ମାସ ଏହି ମହାମାରୀ ସାରା ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିଥିଲା, ସେତେବେଳର ମଣିଷମାନେ ନିଜର ଶେଷ ସମୟ ଆସିଗଲା ବୋଲି ଭାବି ଅତ୍ୟନ୍ତ ଭୟଭୀତ ହୋଇପଡିଲେ । କିଛି ନିଃସ୍ୱାର୍ଥପର ସ୍ୱେଚ୍ଛାସେବୀଙ୍କ ଅବିରତ ଉଦ୍ୟମ, ଅଳ୍ପକିଛି ଡାକ୍ତର ଓ ପାରାମେଡିକାଲ କର୍ମୀଙ୍କ ଅବିରତ ଉଦ୍ୟମ ଆଉ ଶେଷ ଆଡକୁ ବ୍ରିଟିଶ ସରକାରଙ୍କ ସାମାନ୍ୟ ଅନ୍ତରିକତା ଯୋଗୁ ଏହି ରୋଗ ଭାରତରୁ ଲୋପ ପାଇଥିଲା ।

ଭାରତରେ ଜନସଂଖ୍ୟାର ୬% ପ୍ରାଣ ହରାଇଥିଲେ:
ପ୍ରାଣଘାତକ ସ୍ପାନିଶ ଫ୍ଲୁ ଭାରତରେ ଯେଉଁ କେତେଦିନ ନିଜ କାୟା ବିସ୍ତାର କରିଥିଲା, ସେଥିରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୧୮ ଲକ୍ଷ ଲୋକ…! ମୋଟ ଜନସଂଖ୍ୟାର ପ୍ରାୟ ୬% ଲୋକ ଏଥିରେ ମୃତ୍ୟୁମୁଖରେ ପଡିଥିଲେ । ଏଥିରେ ମଧ୍ୟରେ ଅଧିକାଂଶ ଥିଲେ ମହିଳା । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଅପପୁଷ୍ଟି ଓ ରୋଗଗ୍ରସ୍ତ ଥିବାରୁ ସେମାନେ ଏହି ମହାମାରୀ କବଳରେ ସହଜରେ ପଡିଯାଇଥିଲେ । କୁହାଯାଏ ଯେ, ଏହି ମହାମାରୀରେ ପ୍ରାୟ ଏକ ତୃତୀୟାଂଶ ବିଶ୍ୱବାସୀ ରୋଗାକ୍ରାନ୍ତ ହୋଇଥିବା ବେଳେ ୫ରୁ ୧୦ କୋଟି ଲୋକଙ୍କ ମୃତ୍ୟୁ ଘଟିଥିଲା! ତତ୍କାଳୀନ ପ୍ରସିଦ୍ଧ ହିନ୍ଦୀ ଲେଖକ ସୂର୍ଯ୍ୟକାନ୍ତ ତ୍ରିପାଠୀ ଲେଖିଥିଲେ, ‘ମୋ ଆଖି ଆଗରେ ମୋ ସ୍ତ୍ରୀ ମୋ ପିଲାମାନେ ଗୋଟି ଗୋଟି ହୋଇ ଚାଲିଗଲେ । ତଥାପି ମୋତେ ଟିକେ ଅଶ୍ରୁ ବୁହାବାର ବି ଅବକାଶ ନ ଥିଲା । ଜୀବନ୍ତ ଲୋକମାନେ ମୁର୍ଦ୍ଦାରମାନଙ୍କୁ କାନ୍ଧରେ ବୋହି ଗଙ୍ଗାନଦୀକୂଳକୁ ଧାଉଁଥିଲେ । ଆଉ ଗଙ୍ଗାନଦୀରେ ଜଳ ବଦଳରେ ଦେଖିବାକୁ ମିଳୁଥିଲା ମାଳମାଳ ଭାସମାନ ଶବ! ସତରେ କି ଦାରୁଣ ସେ ସମୟ! ସେତେବେଳର ଅବସ୍ଥାକୁ ଲକ୍ଷ୍ୟ କରି ସ୍ୱାସ୍ଥ୍ୟ ଅଧିକାରୀ ଜେ.ଏସ.ଟର୍ଣ୍ଣର କହିଥିଲେ, ‘ଏହା ଏକ ଚୋର ଯିଏ ଛଦ୍ମବେସରେ ଗୋପନରେ ଆସି ନିଜ ଉଦ୍ଦେଶ୍ୟ ସାଧାନ କରିଚାଲିଛି ।’

୍ୱମଶାଣୀ ପାଲଟିଥିଲା ବମ୍ବେ!
୧୯୧୮ର ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ବମ୍ବେ! ମହାମାରୀ ପ୍ରଥମେ ବମ୍ବେରୁ ହିଁ ଆରମ୍ଭ ହୋଇଥିଲା । କିଛି ଲୋକ ଦାବି କରିଥିଲେ ଯେ, ବମ୍ବେ ଡକ୍‌ରେ ଲାଗିଥିବା ଏକ ଜାହଜରୁ ବ୍ରିଟିଶ ସୈନିକମାନେ ଅବତରଣ କରିବା ପରେ ଏହି ରୋଗ ବ୍ୟାପିଥିଲା । ଏହି ସୈନିକମାନେ ବିଶ୍ୱଯୁଦ୍ଧ ଫେରନ୍ତା ଥିଲେ । ତେଣୁ ବିଦେଶରୁ ସଂକ୍ରମଣକୁ ଆମଦାନୀ କରିଥିଲେ । ମହାମରୀ ସଂକ୍ରମଣ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ, ବମ୍ବେ ସହର ଏମିତି କୌଣସି ଘର ନ ଥିଲା, ଯେଉଁଥିରେ କେହି ସଂକ୍ରମିତ ନ ଥିଲେ । ଏମିତି ଗୋଟିଏ ଗୋଟିଏ ଘରେ ପ୍ରତିଟି ସଦସ୍ୟ ଏହି ସଂକ୍ରମଣର ଶିକାର ହୋଇଥିଲେ । ପରିସ୍ଥିତି ଜଟିଳ ହୋଇ ପଡୁଥିବା ବେଳେ ବ୍ରିଟିଶ ଶାସକମାନଙ୍କ ଭୂମିକା ଅତ୍ୟନ୍ତ ଯଂତ୍ରଣାଦାୟକ ଥିଲା । ଭାରତରେ ସେତେବେଳେ ଗ୍ରୀଷ୍ଣଋତୁ ଥିବାରୁ ଅଧିକାଂଶ ବଡ଼ବଡ଼ ବ୍ରିଟିଶ ଅଧିକାରୀ ହିଲ୍ ଷ୍ଟେସନଗୁଡିକରେ ମଜା ଲୁଟୁଥିଲେ! ସେତେବେଳେ ଭାରତରେ ଡାକ୍ତରଙ୍କ ଘୋର ଅଭାବ ଥିଲା । ଯେତିକି ଡାକ୍ତର ଓ ନର୍ସ ଥିଲେ, ସେମାନଙ୍କ ମଧ୍ୟରୁ ଅନେକାଂଶ ପ୍ରଥମ ବିଶ୍ୱଯୁଦ୍ଧ ଆହତମାନଙ୍କ ଚିକିତ୍ସା କରି କ୍ଳାନ୍ତ ହୋଇପଡିଥିଲେ । ଫଳରେ ସ୍ୱାସ୍ଥ୍ୟସେବା ମିଳିମା ଦୁର୍ମୂଲ୍ୟ ହୋଇପଡିଥିଲା । ବମ୍ବେରେ ସେତେବେଳେ ପ୍ରାୟ ୨ କୋଟି ଲୋକ ବସବାସ କରୁଥିଲେ ଯେଉଁଥିରୁ ଅର୍ଦ୍ଧେକ ଏହି ସଂକ୍ରମଣର ଶିକାର ହୋଇଥିଲେ ।

କରୋନା ବନାମ ସ୍ପାନିଶ ଫ୍ଲୁ:
ବର୍ତମାନ ପୃଥିବୀ ପୃଷ୍ଠରେ ବିଭୀଷିକା ରଚାଇଥିବା କରୋନା ଓ ୧୯୧୮ର ସ୍ପାନିଶ ଫ୍ଲୁ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ । ଦୁଇଟି ଯାକ ରୋଗର ଭୂତାଣୁ କେବଳ ମନୁଷ୍ୟମାନଙ୍କୁ ସଂକ୍ରମିତ କରୁଥିବା ବେଳେ ଏହାର ସଂକ୍ରମଣ କ୍ଷମତା ମଧ୍ୟ ପ୍ରାୟତଃ ସମାନ । ଉଭୟ ସମାନ କ୍ଷମତା ବିଶିଷ୍ଟ ପ୍ରାଣନାଶକ । କରୋନା ଜଣକଠାରୁ ଅନ୍ୟଜଣକୁ ଯେଉଁ ଉପାୟରେ ସଂକ୍ରମଣ ହେଉଛି, ସ୍ପାନିଶ ପ୍ଲୁ ମଧ୍ୟ ସମାନ ଢଙ୍ଗରେ ସଂକ୍ରମିତ ହେଉଥିଲା । ତେବେ ତଫାତ ଏତିକି, ସେତେବେଳେ କୌଣସି ପ୍ରକାରର ଆଂଟିବାୟୋଟିକ୍‌ର ଉଦ୍ଭାବନ ହୋଇ ନ ଥିଲା । ଫଳରେ ଲୋକେ କେବଳ ଦେଶୀୟ ଚିକିତ୍ସା ଉପରେ ହିଁ ଭରସା କରୁଥିଲେ, ଯାହା ମୃତ୍ୟୁସଂଖ୍ୟା ଯଥେଷ୍ଟ ବଢାଇ ଦେଇଥିଲେ । ବର୍ତମାନ କରୋନା ପାଇଁ ଯଦିଓ ଔଷଧ ବାହାରିନାହିଁ, ତେବେ ପୂର୍ବ ଆଂଟିବାୟୋଟିକ ବ୍ୟବହାର କରି ଓ ଉନ୍ନଚ ଚିକତ୍ସା ପଦ୍ଧତିର ବ୍ୟବହାର କରି ମୃତ୍ୟୁସଂଖ୍ୟାକୁ ଯଥେଷ୍ଟ ସୀମିତି କରାଯାଇପାରିଛି ।

ସେତେବେଳେ ବି ହୋଇଥିଲା ଲକ୍ ଡାଉନ୍‌:
ବର୍ତମାନର ଭୟଙ୍କର କରୋନା ଭୂତାଣୁକୁ ରୋକିବା ପାଇଁ ସାରା ବିଶ୍ୱ ଯେଉଁ ଲକ୍‌ଡାଉନ ଉପରେ ଭରସା କରିଛି, ତାହା ଭାରତ ପାଇଁ ନୂଆନୁହେଁ । ୧୯୧୮ ମସିହାର ସ୍ପାନିଶ ଫ୍ଲୁ ବ୍ୟାପିବା ପରେ ବମ୍ବେକୁ ମଧ୍ୟ ଲକ୍‌ଡାଉନ୍ କରାଯାଇଥିଲା । କାରଖାନା ବନ୍ଦ ରହିଥିଲା । ଶ୍ରମିକମାନଙ୍କୁ ଘରେ ରହିବାକୁ କୁହାଯାଇଥିଲା । ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ କରିଦିଆଯାଇଥିଲା । କର୍ମଚାରୀ ଛୁଟିରେ ଚାଲିଯିବାକୁ କୁହାଯାଇଥିଲା । ଏହା ସତ୍ୱେ ସଂକ୍ରମଣ ରୋକାଯାଇ ପାରି ନ ଥିଲା । ସରକାରୀ ଉଦାସିନତା, ସଚେତନତାର ଅଭାବ, ଚିକିତ୍ସା ବିଜ୍ଞାନର ଅଭାବ ପ୍ରାଣାନ୍ତକ ସାବ୍ୟସ୍ତ ହୋଇଥିଲା । ଇତିହାସ କହେ ୧୯୧୮ ଜୁଲାଇ ମାସରେ କେବଳ ବମ୍ବେ ସହରରେ ଦିନକୁ ୨୩୦ ଜଣ ମୃତୁବରଣ କରୁଥିଲେ! ତେବେ ଭାରତୀୟମାନଙ୍କଠାରୁ ଯଥେଷ୍ଟ ସଚେତନ ଓ ଶିକ୍ଷିତ ଥିବା ୟୁରୋପୀୟମାନଙ୍କଠାରେ ଏହି ସଂକ୍ରମଣ ଖୁବ୍ କମ୍ ଦେଖିବାକୁ ମିଳିଥିଲା ।

ଆକ୍ରାନ୍ତ ହୋଇଥିଲେ ମହାତ୍ମା ଗାନ୍ଧୀ:
ଦକ୍ଷିଣ ଆଫ୍ରିକାରୁ ସଦ୍ୟ ଫେରିଲା ପରେ ନିଜ ରାଜ୍ୟ ଗୁଜୁରାଟର ସାବରମତିଠାରେ ଆଶ୍ରମ ଆରମ୍ଭ କରୁଥିଲେ ମହାତ୍ମା ଗାନ୍ଧୀ । ଏହି ମହାମାରୀ ବ୍ୟାପିବା ବେଳକୁ ୪୮ ବର୍ଷୀୟ ଗାନ୍ଧୀ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ ଆରମ୍ଭ କରିସାରିଥିଲେ । ତେବେଏହି ସମୟରେ ତାଙ୍କଠାରେ ସଂକ୍ରମିତ ହେଲା ଘାତକ ସ୍ପାନିଶ ଫ୍ଲୁ । ତରଳ ଖାଦ୍ୟ ଖାଇବା ସହ ସଭା ସମିତିରେ ଯୋଗ ନ ଦେଇ ନିଜ ଘରେ ବିଶ୍ରାମ ନେବାକୁ ଗାନ୍ଧିଜୀଙ୍କୁ କୁହାଗଲା । ଏହି ସମୟରେ ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୂତ ଅବନତୀ ଘଟିଲା । ଗାନ୍ଧିଜୀଙ୍କଠାରେ ମହାମାରୀ ବ୍ୟାପିବା ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ପରେ ଲକ୍ଷ ଲକ୍ଷ ଲୋକ ମ୍ରିୟମାଣ ହୋଇପଡିଲେ! ହେଲେ ଗାନ୍ଧିଜୀ ଧୀର ସ୍ଥିର ଏକାନ୍ତ ଚିତରେ ନିଜ ବ୍ୟସ୍ତବହୁଳ ଜୀବନୀ ସବୁତକ ଚିରାଚରିତ ଧାରାରୁ ବାହାରି ଆସି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜକୁ ଏକାନ୍ତ କରି ରଖିବା ସହ ବିଶ୍ରମ ନେଲେ । ଏହି ସମୟରେ ସ୍ଥାନୀୟ ଏକ ଖବର କାଗଜରେ ଗାନ୍ଧିଜୀଙ୍କ ଏହି ସଂକ୍ରମଣ ସମ୍ପର୍କରେ ଯେଉଁ ହେଡ୍‌ଲାଇନ୍‌ସ ବାହାରିଥିଲା, ତାହା ଏହିପରି -ଗାନ୍ଧୀଙ୍କ ଜୀବନ କବେଳ ତାଙ୍କ ନିଜର ବ୍ୟକ୍ତିଗତ ଅଧିକାର ନୁହେଁ, ଏହା ସମଗ୍ରା ଭାରତର ଅଧିକାର() । ଶେଷରେ ରୋଗ ଭୂତାଣୁ ହାରିଲା । ନିଜର ଦୃଢ ଆତ୍ମବିଶ୍ୱାସ ନିଷ୍ଠା ଓ ଶୃଙ୍ଖଳିତ ଚିକିତ୍ସା ଦ୍ୱାରା ଗାନ୍ଧିଜୀ ଏହି ମହାମରୀରୁ ଆରୋଗ୍ୟ ଲାଭ କଲେ ।

ଦେବଦୂତ ସାଜିଲେ ସ୍ୱେଚ୍ଛାସେବୀ!sourceinternet
ମହାମାରୀ ସ୍ପାନିଶ ଫ୍ଲୁ କବଳରେ ସାରା ଭାରତ ଛଟପଟ ହେଉଥିବା ବେଳେ ବ୍ରିଟିଶ ସରକାର ଥିଲେ ସମ୍ପୂର୍ଣ୍ଣ ଉଦାସୀନ । ତେବେ ଦେବଦୂତ ସାଜିଥିଲେ କେତେକ ସ୍ୱେଚ୍ଛାସେବୀ । ଏହି ସ୍ୱେଚ୍ଛାସେବୀମାନେ ନିଜ ଉଦ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ସହ ଏଣେତେଣେ ପଡି ରହିଥିବା ଶବ ଶତ୍କାର କରିଥିଲେ । ସେହିପରି ଦ୍ୱାର ଦ୍ୱାର ବୁଲି ଭିକ୍ଷାକରୀ କିଛି ଅର୍ଥ ଆଦାୟ କରି ସେଥିରେ ସଂକ୍ରମିତମାନଙ୍କ ଚିକିତ୍ସା କରିଥିଲେ । ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ଲୋକେ ପରସ୍ପଠାରୁ ଦୂରତ୍ୱ ବଜାୟ ରଖିବାକୁ ସେମାନେ ଘର ଘର ବୁଲି ବୁଝାଇଲେ । ଏହି ସ୍ୱେଚ୍ଛାସେବୀମାନଙ୍କ ଅନବରତ ଉଦ୍ୟମ ଫଳରେ ପ୍ରାୟ ୬ ମାସ ତାଣ୍ଡବ ରଟିବା ପରେ ନିଜେ ନିଚ୍ଛିହ୍ନ ହୋଇଯାଇଥିଲା ଘାତକ ସ୍ପାନିଶ୍ ଫ୍ଲୁ…!!!

Leave A Reply

Your email address will not be published.