୧୪ ରାଜ୍ୟରେ ୩୦% ମହିଳା ସ୍ୱାମୀଙ୍କ ନିର୍ଯାତନାର ହେଉଛନ୍ତି: ସର୍ଭେ

women violence report

0 52

ନୂଆଦିଲ୍ଲୀ: ମହିଳାମାନେ ପୁରୁଷଙ୍କ ସମକକ୍ଷ। ସେମାନେ କେବଳ ଘର କୋଣରେ ଓଢ଼ଣା ତଳେ ବସିବାକୁ ଜନ୍ମ ହୋଇ ନାହାନ୍ତି। ସେମାନେ କାହାର ଶାରୀରିକ ସୁଖ ଭୋଗ କରିବାର କ୍ରୀଡ଼ାନକ ମଧ୍ୟ ନୁହନ୍ତି। ସେମାନେ ଏବେ ଦେଶ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ମହିଳାଙ୍କ ସୁରକ୍ଷା, ଶିକ୍ଷା ଓ ଆତ୍ମନିର୍ଭରଶୀଳତା ନେଇ ସରକାରୀ ସ୍ତରରେ ଅନେକ ଯୋଜନା ଜାରି କରାଯାଉଛି। ତଥାପି ମହିଳାଙ୍କ ପ୍ରତି ହିଂସା, ନିର୍ଯାତନାର ହାର ହ୍ରାସ ପାଉନାହିଁ। ଲୋକେ ସଚେତନ ହୋଇ ନାହାନ୍ତି ତାହା ନୁହେଁ, ତଥାପି କେଉଁଠି ନା କେଉଁଠି ମହିଳାଙ୍କ ପ୍ରତି ରହିଥିବା ଧାରଣା ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇ ନାହିଁ। ଯାହା ନ୍ୟାସନାଲ୍ ଫାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି।

ଏହି ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରେ ଦର୍ଶାଯାଇଛି ଯେ ଦେଶର ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୧୪ଟିରେ (ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ)ରେ ଏବେ ବି ୩୦ ପ୍ରତିଶତରୁ ଅଧିକ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତ। ବିଭିନ୍ନ କାରଣ ପାଇଁ ସେମାନେ ସ୍ୱାମୀଙ୍କଠାରୁ ନିର୍ଯାତିତ ହେଉଛନ୍ତି। ମାଡ଼ ବି ଖାଉଛନ୍ତି।

ସର୍ଭେରେ ଦର୍ଶାଯାଇଛି ଯେ ତିନି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ୭୫ ପ୍ରତିଶତ ମହିଳା ସେମାନଙ୍କ ସ୍ୱାମୀଙ୍କଠାରୁ ନିର୍ଯାତନାର ଶିକାର ହେଉଛନ୍ତି। ତେଲେଙ୍ଗାନାରେ ଓ ଆନ୍ଧ୍ର ପ୍ରଦେଶରେ ୮୪% ଏବଂ କର୍ଣ୍ଣାଟକରେ ୭୭ ପ୍ରତିଶତ ମହିଳା ଏହି ସମାନ ଅଭିଯୋଗ ଆଣିଛନ୍ତି। ଏହା ପଛକୁ ମଣିପୁରରେ ୬୬%, କେରଳରେ ୫୨%, ଜମ୍ମୁ ଏବଂ କାଶ୍ମିରରେ ୪୯%, ମହାରାଷ୍ଟ୍ରରେ ୪୪% ଏବଂ ପଶ୍ଚିମ ବଙ୍ଗରେ ୪୨% ମହିଳା ଦର୍ଶାଇଛନ୍ତି ଯେ ସେମାନେ ସେମାନଙ୍କ ସ୍ୱାମୀଙ୍କଠାରୁ ନିର୍ଯାତିତ ହେଉଛନ୍ତି ଏପରିକି ମାଡ଼ ବି ଖାଉଛନ୍ତି।

ସର୍ଭେରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଭିନ୍ନ ଭିନ୍ନ କାରଣ ଓ ପରିସ୍ଥିତି ପାଇଁ ସ୍ବାମୀମାନେ ସେମାନଙ୍କ ପତ୍ନୀଙ୍କୁ ମାଡ଼ ମାରୁଛନ୍ତି। ବିଶେଷକରି ଅବିଶ୍ୱାସ, ଘରର ନିୟମକୁ ଅମାନ୍ୟ କରିବା, ସ୍ୱାମୀଙ୍କ ସହିତ ଯୁକ୍ତିତର୍କ କରିବା, ଦୈହିକ ସଂପର୍କ ରକ୍ଷା କରିବାକୁ ମନା କରିବା, ସ୍ୱାମୀଙ୍କୁ ନଜଣାଇ ବାହାରକୁ ଯିବା, ଘର ଓ ପିଲାମାନଙ୍କୁ ଅବହେଳା କରବା, ଭଲ ଖାଦ୍ୟ ନ ରାନ୍ଧିବାକୁ ନେଇ ସାଧାରଣତଃ ପତ୍ନୀ ମାନେ ସ୍ୱାମୀଙ୍କ ନିର୍ଯାତନାର ଶିକାର ହୋଇଥାନ୍ତି।

ତେବେ ଏସବୁ ମଧ୍ୟରୁ ପିଲାମାନଙ୍କ ଯତ୍ନ ନନେବା ଓ ଘରର ନିୟମକୁ ନ ମାନିବାକୁ ନେଇ ମହିଳାମାନେ ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି ବୋଲି ସର୍ଭେରେ ଦର୍ଶାଯାଇଛି। ଏହି ସର୍ଭେରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ହିମାଚଳ ପ୍ରଦେଶ, କେରଳ, ମଣିପୁର, ଗୁଜୁରାଟ, ତେଲେଙ୍ଗାନା, ବିହାର, ଗୋଆ, ନାଗାଲାଣ୍ଡ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର ଏବଂ ପଶ୍ଚିମ ବଙ୍ଗରେ ପତ୍ନୀଙ୍କୁ ସ୍ୱାମୀମାନେ ଯେଉଁ ନିର୍ୟାତନା ଦେଉଛନ୍ତି ଏହା ପଛରେ ସ୍ୱାମୀଙ୍କ ନିୟମକୁ ଅବମାନନା କରିବା ରହିଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ସର୍ବନିମ୍ନ ୧୪.୮% ମହିଳା ସ୍ବାମୀଙ୍କ ନିର୍ଯାତନାର ଶିକାର ହୁଅନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକରେ ୮୧.୯ % ପୁରୁଷ ସ୍ତ୍ରୀମାନଙ୍କ ଉପରେ ହେଉଥିବା ଏହି ନିର୍ଯାତନାକୁ ସମର୍ଥନ କରିଛନ୍ତି।

ହାଇଦ୍ରାବାଦର ଏକ ଏନଜିଓ ‘ରୋଶନି’ର ନିର୍ଦେଶକ ଉଷଶ୍ରୀଙ୍କ ମତରେ କୋଭିଡ୍-୧୯ ମହାମାରୀ ସମୟରେ ମହିଳାଙ୍କ ପ୍ରତି ଘରୋଇ ହିଂସା ଏବଂ ଶାରୀରିକ ନିର୍ୟାତନା ବଢ଼ିଛି। ଏଥିରେ ଶାରୀରିକ ସଂପର୍କ ଅନ୍ୟ ଏକ କାରଣ ବୋଲି ସେ ଦର୍ଶାଇଛନ୍ତି। ସେ ଅହୁରି ମଧ୍ୟ କହିଛନ୍ତି, ମହାମାରୀରେ ରୋଜଗାର ହରାଇବା ପରେ ଅନେକ ପୁରୁଷ ସେମାନଙ୍କ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରୁଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ତେଲେଙ୍ଗାନା ଚିନ୍ତାଜନକ। ଏହାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର କେନ୍ଦ୍ର ସରକାରଙ୍କ ସହିତ ଅନେକ ଯୋଜନା କରିଛନ୍ତି।

ଏହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ନିର୍ୟାତନା କମି ପାରିବ। ମୋଟ ଉପରେ କହିବାକୁ ଗଲେ ମହିଳାଙ୍କ ଉପରେ ହେଉଥିବା ନିର୍ୟାତନାକୁ କମାଇବାକୁ ହେଲେ ମହିଳାମାନଙ୍କୁ ହିଁ ଆଗକୁ ବଢ଼ିବାକୁ ହେବ। ସେମାନଙ୍କୁ ମୁହଁ ଖୋଲିବାକୁ ହେବ। ଏହାରେ ବିରୋଧ କରିବାକୁ ହେବ।

Leave A Reply

Your email address will not be published.