ସତରେ କାନ୍ଦୁଥିଲେ ଜଗନ୍ନାଥ…?

0 31

 ‘ମୋ ମହାପ୍ରଭୁ କାନ୍ଦୁଛନ୍ତି । ମୁଁ ତାଙ୍କ ପାଖକୁ ଯେତେବେଳେ ବି ଯାଉଛି ମୋ ମହାପ୍ରଭୁଙ୍କ ସେଇ କାନ୍ଦିଲା ମୁହଁ ଦେଖୁଛି । ବହୁତ କଷ୍ଟରେ ଅଛନ୍ତି ମୋ ମହାପ୍ରଭୁ । ତାଙ୍କ ଦୁଃଖ ମୁଁ ଆଉ ଏ ଆଖିରେ ଦେଖି ପାରୁନି ।’

ଏତିକି କହି ସେଦିନ ଆଖିରୁ ଲୁହ ପୋଛିଥିଲେ ଶ୍ରୀମନ୍ଦିରର ଶେଷ ଦେବଦାସୀ ସ୍ୱର୍ଗତା ଶଶୀମଣି ଦେବୀ ।
ଆଜିକୁ ଠିକ୍ ୧୦ ବର୍ଷ ତଳେ ଅର୍ଥାତ ୨୦୦୯ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ଦେବଦାସୀ ପରଂପରାର ଶେଷ ସନ୍ତକ ଶଶୀମଣି ଦେବୀଙ୍କ ସୁଯୋଗ ପାଇଥିଲି । ରୋଗଶଯ୍ୟାରେ ପଡି ଘା ଘାଉଡ ହୋଇଯାଇଥିଲେ ଶଶୀମଣି । କେବଳ ପାଟିଟି ଛଡା ବୋଧହୁଏ ଶରୀରର କୌଣସି ଅଙ୍ଗ ସେତେବେଳେ ତାଙ୍କ ନିଜ ନିୟଂତ୍ରଣରେ ନ ଥିଲା । ‘ମହାପ୍ରଭୁ କେମିତି ଅଛନ୍ତି?’ ମୋ ପରି ଏକ ସାଧାରଣ ଯୁବକର ଏପରି ଏକ ଅସାଧାରଣ ପ୍ରଶ୍ନରେ ଆଉ ଲୁହ ସମ୍ବରଣ କରିପାରି ନ ଥିଲେ ଶଶୀମଣି ।
ସେତେବେଳକୁ ମୁଁ ‘ଦ ସନ୍ଡେ ଇଣ୍ଡିୟାନ’ ନାମକ ଏକ ଜାତୀୟ ସାପ୍ତାହିକର ଓଡ଼ିଶା ପାଇଁ ପ୍ରତିନିଧି ଭାବେ ନିଯୁକ୍ତ ଥିଲି । ଶ୍ରୀମନ୍ଦିର ପରମ୍ପରାର ଅନ୍ୟତମ ପ୍ରମୁଖ ଅଂଶବିଶେଷ ଦେବଦାସୀଙ୍କୁ ଭେଟି ତାଙ୍କ ସାକ୍ଷାତକାର ନେବାକୁ ନିଷ୍ପତି ନେଲି । ସଂଯୋଗ ବଶତଃ ଉପରୋକ୍ତ ଦିନଟି ମୋ ଜନ୍ମଦିନ ଥିଲା । ପୁରୀ ସହରରେ ପହଂଚିବା ପରେ ଶଶୀମଣି ଦେବୀଙ୍କୁ ଖୋଜିବା ଆରମ୍ଭ କରିଦେଲି । ତେବେ ଏଥିରେ ମୋତେ ସାହାଯ୍ୟ କରିଥିଲେ ଯୁବ ଫଟୋ ସାମ୍ବାଦିକ ସ୍ୱର୍ଗତ ଦେବାଶୀଷ ସିହ୍ନା । ଗତ ୩ ବର୍ଷ ତଳେ ହୃଦଘାତରେ ଦେବାଶୀଷ ଆରପାରିକୁ ଚାଲି ଯାଇଛନ୍ତି । ତେବେ ଦେବଦାସୀଙ୍କ ପରି ଜଣେ ଦେବୀଙ୍କୁ ସାକ୍ଷାତ କରାଇବାରେ ସହଯୋଗ କରିଥିବାରୁୁ ମୁଁ ଆଜି ବି ସ୍ୱର୍ଗୀୟ ଦେବାଶୀଷଙ୍କ ପାଖରେ ଋଣୀ ।
ଦେବାଶୀଷ ମୋତେ ତାଙ୍କ ଗାଡିରେ ବସାଇ ଯେଉଁ ଘର ପାଖକୁ ନେଇଗଲେ, ସେଠି ପହଂଚି ମୋତେ ଆଶ୍ଚର୍ଯ୍ୟ ଲାଗିଲା । କେଉଁ ଏକ ଭଙ୍ଗା ଦଦରା ପୁରୁଣା ଘର ଭିତରକୁ ବାଟ କଢାଇନେଲେ ଦେବାଶୀଷ । ଫାଳେ ଅଂଧାର ଆଉ ଫାଳେ ଆଲୁଅ ଭିତରେ ଘର ଲାଗୁଥିଲା ଅତ୍ୟନ୍ତ ମଳିନ ଆଉ ରୋଗଗ୍ରସ୍ତ ।
ୟା ଭିତରେ ଶ୍ରୀମନ୍ଦିର ପରମ୍ପରାର ଜଣେ ଦେବୀ ସମାନ ମହିଳା ରହୁଛନ୍ତି ବୋଲି ଆଖିକୁ ବିଶ୍ୱାସ କରିପାରିଲିନାହିଁ । ତେବେ ବିଶ୍ୱାସ କରିବାକୁ ମୁଁ ବାଧ୍ୟ ହେଲି । ଭଙ୍ଗା ଦଦରା ଖଟ ଉପରେ ବିଶ୍ରାମ ନେଇଥିଲେ ଦେବଦାସୀ । ଗୋଡ ଭାଙ୍ଗି ଯାଇଥିବାରୁ ଶକ୍ତ ବ୍ୟାଣ୍ଡେଜ ଗୁଡ଼ା ହୋଇଥିଲା । ପାଳିତ ପୁତ୍ରଙ୍କ ପାଖରେ ଆଶ୍ରୟ ନେଇଥିଳେ ସେ । ମୋ ଆସିବା ଖବର ସେହି ପାଳିତ ପୁତ୍ର ଜଣାଇବା ପରେ ବିଛଣାରୁ ଉଠି ବସିଥିଲେ ସେ । ଜଗନ୍ନାଥଙ୍କ କଥା ଆରମ୍ଭ କରୁ କରୁ ତାଙ୍କ ଆଖି ହୋଇଗଲା ଅଶ୍ରୁଳ । ୬୦ ବର୍ଷର ଦେବଦାସୀ ଅଭିଜ୍ଞତାକୁ ମାତ୍ର ୬୦ ମିନିଟରେ ହଜମ କରିବା ଶକ୍ତି ମୋ ପରି ଜଣେ ଛାର ମଣିଷ ପାଖରେ ନ ଥିଲା । ତଥାପି ଅନର୍ଗଳ ଗପିଥିଲେ ଶଶୀମଣି । ତାଙ୍କ ସହ କଥା ହେବା ବେଳେ ମୋତେ ଲାଗୁଥିଲା, ସେ ଯେମିତି ମୋ ସହ ଏଇ କେଇ ପଦ କହିବାକୁ ଅପେକ୍ଷା କରି ରହିଥିଲେ । ଘୋର ଦୁର୍ଦିନ ମଧ୍ୟରେ କାଳାତିପାତ କରୁଥିଲେ ମଧ୍ୟ ତାଙ୍କୁ କାଣିଚାଏ ବି ସରକାରୀ ସାହାଯ୍ୟ ମିଳୁ ନ ଥିବା ମୁଁ ଜାଣିବାକୁ ପାଇଲି । ତେବେ ଶଶୀମଣିଙ୍କ ପାଇଁ ଏ ସରକାର, ତାଙ୍କ ସାହଯ୍ୟର କୌଣସି ଗୁରୁତ୍ୱ ହିଁ ନ ଥିଲା । କଥା କଥାରେ ସେ ନିଜ ସ୍ୱାମୀ ସ୍ୱୟ ନାରାୟଣ ବୋଲି କହି ଆତ୍ମତୃପ୍ତିରେ ଭରି ଉଠୁଥିଲେ । ଶେଷରେ ସ୍ୱାମୀ ଜଗନ୍ନାଥ ସର୍ମ୍ପରେ ପଚାରି ଦେବା ପରେ ଜଗନ୍ନାଥ କାନ୍ଦୁଥିବା କହି ନିଜେ କାନ୍ଦି ଉଠିଥିଲେ ଶଶୀମଣି ।
ଜଗନ୍ନାଥ କାହିଁକି କାନ୍ଦୁଛନ୍ତି, ଏ ପ୍ରଶ୍ନ ପଚାରିବାର ଆଉ ଆବଶ୍ୟକତା ନ ଥିଲା । କାରଣ ଶ୍ରୀମନ୍ଦିରର ନୀତି ବିଶୃଙ୍ଖଳା ଓ ମହାପ୍ରଭୁ ଓପାଷରେ ରହିବା ସେତେବେଳେ ନିତିଦିନିଆ ପରମ୍ପରା ପାଲଟି ସାରିଥିଲା । ଶଶୀମଣିଙ୍କ ପାଦ ଛୁଇଁ ତାଙ୍କଠୁ ବିଦାୟ ନେଇ ଫେରିଲା ବେଳକୁ ମନ୍ଦିରକୁ ଆଉଥରେ ଯାଇ ଜଗନ୍ନାଥଙ୍କ ଆଖିରେ ଆଖି ମିଶାଇବାକୁ ମୋ ପାଖରେ ସାହସ ନ ଥିଲା ।
ଜଣେ ସାମ୍ବାଦିକ ହିସାବରେ କିନ୍ତୁ ମୋତେ ମୋ କର୍ତବ୍ୟ କରିବାର ଥିଲା । ନିଜ ଅନିଚ୍ଛା ସତ୍ୱେ ‘ଜଗନ୍ନାଥ କାନ୍ଦୁଛନ୍ତି’ ଶୀର୍ଷକରେ ଏକ ଖବର ଆମ ସାପ୍ତାହିକରେ ପ୍ରକାଶ କଲି । ସେହି ସାପ୍ତାହିକଟି ଆଜି କାଲିର ଗଣମାଧ୍ୟମ ପରି ବହୁଳ ପ୍ରସାରିତ ହୋଇ ନ ଥିବାରୁ ଚର୍ଚ୍ଚିର୍ତ ପ୍ରସଙ୍ଗ ପାଲଟି ନ ଥିଲା ।
ତେବେ ଏହାର ପରେ ପରେ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ନେଇ ଯାହା ଯାହା ସବୁ ଘଟି ଚାଲିଛି, ସାରା ଭକ୍ତଜନଙ୍କୁ କନ୍ଦାଉଛି । ପ୍ରଥମେ ବ୍ରହ୍ମ ବିଭ୍ରାଟ, ଦାରୁ ଫିକ୍ସିଂ, ରତ୍ନ ଭଣ୍ଡାର ଚାବି ହଜିବାଠୁ ଆରମ୍ଭ କରି ଧାଡି ଦର୍ଶନରୁ ଲାଠି ଚାର୍ଜ ଓ ବର୍ତମାନର ମଠ ମନ୍ଦିର ଭଙ୍ଗାଯାଏ, ସବୁଠି ଶୁଣିବାକୁ ମିଳୁଛି ଭକ୍ତଜନଙ୍କ ଆରତ ଚିକ୍ରାର । ଏପରି ଏକ ଘଡିସନ୍ଧି ମୁହୂର୍ତରେ ଶେଷ ଦେବଦାସୀଙ୍କ ସେହି ପଦିଏ କଥା ମୋ କାନରେ ବାରମ୍ବାର ପ୍ରତିଧ୍ୱନୀତ ହେଉଛି…
‘ମୋ ଜଗନ୍ନାଥ କାନ୍ଦୁଛନ୍ତି…!’
ସୁବ୍ରତ ଦାଶ

Leave A Reply

Your email address will not be published.