ଛବିରାଣୀ ରେପ୍ ଆଣ୍ଡ୍ ମର୍ଡର…ଅଂଜନା ଗଣବଳାତ୍କାର…ଏବେର ମମିତା ମେହେର…!

କ’ଣ ଅଛି ଅପରାଧରେ ସମାନତା...!

0 196

ଓଡ଼ିଶା ଡେଲି ଡେସ୍କ: ୮୦ ଦଶକର ବହୁଚର୍ଚ୍ଚିତ ଛବିରାଣୀ ଗଣବଳାତ୍କାର ଓ ହତ୍ୟାକାଣ୍ଡ, ୯୦ ଦଶକ ଶେଷ ଭାଗର ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣବଳାତ୍କାର ଓ ଏବେର ବିଭତ୍ସ ମମିତା ମହେର ହତ୍ୟାକାଣ୍ଡ ଓଡ଼ିଶାର ଅପରାଧ ଇତିହାସରେ ଗୋଟେ ଗୋଟେ ଅଭୁଲା ଫର୍ଦ୍ଦ । ଯଦିଓ ଛିବରାଣୀ ହତ୍ୟାକାଣ୍ଡ ଓ ଅଂଜନା ମିଶ୍ର ଗଣବଳାତ୍କାରର ଫଇସଲା ଶେଷ ହୋଇ ସାରିଛି, ଦୋଷୀମାନେ ଦଣ୍ଡ ପାଇସାରିଥିବା ବେଳେ କେତେକ ଇତିମଧ୍ୟରେ ମରି ହଜି ଗଲେଣି, ତଥାପି ଏହି ଦୁଇଟି ଅପରାଧ ଓ ଅପରାଧର ପୃଷ୍ଠଭୂମି ଆଜି ମଧ୍ୟ ଓଡ଼ିଶାବାସୀଙ୍କ ମନରେ ଜୀବନ୍ତ । ଠିକ୍ ସେମିତି ଏବେକାର ମମିତା ମେହେର ଜଘଣ୍ୟ ହତ୍ୟାକାଣ୍ଡ ଏପରି ଏକ ବିଭତ୍ସ ଅପରାଧ, ଯାହା ଜନମାନସକୁ ଢେର ଦିନ ଯାଏ ଆନ୍ଦୋଳିତ କରିବ, ଏଥିରେ ଦ୍ୱିଧାନାହିଁ । ଅପରାଧ ଓ ଅପରାଧୀଙ୍କ ଉପରେ ଗବେଷଣା କରୁଥିବା କିଛି ବିଶେଷଜ୍ଞଙ୍କ ମତରେ ଯେଉଁ ଅପରାଧଗୁଡିକରେ ଶାସକ ଦଳର ସମ୍ପୃକ୍ତି ଅଭିଯୋଗ ଆସିଛି ଆଉ କାର୍ଯ୍ୟାନୁଷ୍ଠାନ ପରିବର୍ତେ ଅଭିଯୁକ୍ତଙ୍କ ପାଇଁ ସରକାରୀ ସ୍ତରରେ ଗଳାବାଟ ପ୍ରସ୍ତୁତ କରାଯାଇଛି, ସେତେବେଳେ ଏହା ସ୍ୱତଃପ୍ରବୃତ ଭାବେ ଜନମାନସକୁ ଆନ୍ଦୋଳିତ କରିଛି । ମମିତା ମହେର ହତ୍ୟା ଘଟଣାରେ ଯଦିଓ ଏ ଯାଏ ଶାସକ ଦଳର କୌଣସି ବଡ଼ନେତାଙ୍କ ସମ୍ପୃକ୍ତିର ପ୍ରମାଣ ସାମ୍ନାକୁ ଆସିନି, ତେବେ ଘଟଣାକ୍ରମକୁ ନେଇ ସରକାରୀ କଳର ଗଳାବାଟ ଖୋଜିବାର ବ୍ୟାକୁଳତା, ଓ ବିଚଳିତ ଅବସ୍ଥା, ଜନସାଧାରଣରେ ସନ୍ଦେହ ସୃଷ୍ଟି କରିବାକୁ ଖୋରାକ ଯୋଗାଇଛି ।

ପ୍ରଥମେ ଆସନ୍ତୁ ଛବିରାଣୀ ହତ୍ୟାକାଣ୍ଡକୁ ପରୀକ୍ଷା କରିନେବା । ୧୯୭୯ ମସିହାରେ ଜଗତସିଂହପୁର ବିଲୁଆଖାଇ ନଦୀ କୂଳରେ ଛବିରାଣୀଙ୍କୁ ଗଣବଳାତ୍କାର କରାଯାଇ ବିଭତ୍ସ ହତ୍ୟା କରାଗଲା । ଅପରାଧୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ସେମାନଙ୍କୁ ଘଂଟ ଘୋଡାଇବାକୁ ଗଳାବାଟ ଖୋଜିଲା । କାରଣ ଅଭିଯୁକ୍ତମାନେ ତତ୍କାଳୀନ ସରକାରୀ ଦଳ, ଅର୍ଥାତ କଂଗ୍ରେସର ସ୍ଥାନୀୟ ନେତା ଥିଲେ । ଅପରାଧୀ ଧରାପଡିଲେ ଦଳ ବଦନାମ ହେବ, ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପୋଲିସର ଏହି ଗଳାବାଟକୁ ପରୋକ୍ଷରେ ସମର୍ଥନ କଲେ । ପରିଣତି ସ୍ୱରୂପ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କ ବିରୁଦ୍ଧରେ ଜନମାନସରେ କ୍ଷୋଭ ସୃଷ୍ଟିହେଲା । ଦଳର ଯଥେଷ୍ଟ ସଂଖ୍ୟାଗରିଷ୍ଠତାର ଦମ୍ଭ ଯଦିଓ ଜାନକୀ ବାବୁଙ୍କ ସରକାର ଉପରେ ଏହାର ତତ୍କାଳ ପ୍ରଭାବ ପକାଇ ପାରିଲା ନାହିଁ, ତେବେ ପରବର୍ତୀ ସମୟରେ ଏହି ହତ୍ୟାକାଣ୍ଡ ବିରୋଧୀଙ୍କ ମୁଖ୍ୟ ଆୟୁଧ ପାଲଟିଲା, ଯାହା ପରିଣତି ୧୯୮୯ ଲୋକସଭା ନିର୍ବାଚନ ଓ ୧୯୯୦ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲା । ବିଜୁବାବୁଙ୍କ ସାମ୍ନାରେ ଜାନକୀ ବାବୁ ବିପୁଳ ପରାଜୟ ବରଣ କଲେ । ଆଜି ମଧ୍ୟ ଛବିରାଣୀ ହତ୍ୟାକାଣ୍ଡକୁ ସରକାରୀ ପ୍ରାୟୋଜିତ ଅପରାଧ ବୋଲି ଲୋକେ ଆଲୋଚନା କରୁଛନ୍ତି ।

ଅଂଜନା ଗଣବଳାତ୍କାର: ଏବେ ଆସନ୍ତୁ ଜାଣିବା ଅଂଜନା ମିଶ୍ର ଗଣବଳାତ୍କାର ସୁଦୂର ପ୍ରସାରୀ ପ୍ରଭାବ ସଂପର୍କରେ । ୯୦ ଦଶକର ଶେଷ ଭାଗରେ ଘଟିଥିବା ଏହି ଅପରାଧ ମଧ୍ୟ ଶାସକ ଦଳର ଗଳାବାଟ ଖୋଜାକୁ ଇଂଗିତ କରେ । ଅଂଜନା ମିଶ୍ର ପରିବାରିକ ହିଂସାର ଶିକାର ହୋଇ ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ସହାୟତା ମାଗିଲେ । ତେବେ ସହାୟତା କରିବା ବଦଳରେ ଇନ୍ଦ୍ରଜିତ ତାଙ୍କୁ ଅସାଦାଚରଣ କଲେ ବୋଲି ଅଂଜନା ଗଣମାଧ୍ୟମରେ ଅଭିଯୋଗ କଲେ । ଗଣମାଧ୍ୟମର ସ୍ୱଳ୍ପତା ସତ୍ୱେ ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟିକଲା । ଇନ୍ଦ୍ରଜିତ ରାୟଙ୍କୁ ତତ୍କାଳ ବହିଷ୍କାର କରିବାକୁ ବିରୋଧୀ ଦଳ ଅଡି ବସିଥିଲେ । ତେବେ ସେହି ସଂଖ୍ୟା ଗରିଷ୍ଠତାର ଧମ୍ଭ ଯୋଗୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁ ଏହାକୁ ଭୃକ୍ଷେପ କରି ନ ଥିଲେ । କୁହାଯାଏ ଯେ, ଇନ୍ଦ୍ରଜିତଙ୍କ ପ୍ରତି ଜାନକୀ ବାବୁଙ୍କର ଅହେତୁକ ଦରଦ ଥିଲା । ତେଣୁ ଇନ୍ଦ୍ରଜିତଙ୍କୁ ବହିଷ୍କାର କରିବାକୁ ନିଜ ଦଳର କିଛି ନେତାଙ୍କ ପରାମର୍ଶକୁ ବି ସେ ଅଗ୍ରାହ୍ୟ କରିଦେଇଥିଲେ ।

ଘଟଣା ତତଲା ତାୱା ପରି ଗରମ ଥିବା ବେଳେ ଘଟିଗଲା ଆଉ ଏକ ଅଘଟଣ । ଅଂଜନା ଜଣେ ସାମ୍ବାଦିକଙ୍କ ସହ କଟକରୁ ଫେରୁଥିବା ବେଳେ ବାରଙ୍ଗ ନିକଟରେ କିଛି ଦୁର୍ବୃତ ତାଙ୍କୁ ଗଣବଳାତ୍କାର କଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅପରାଧ ଘଟାଇଥିବା ଅପରାଧୀମାନଙ୍କର ଶାସକ କଂଗ୍ରେସ ଦଳ ସହ କୌଣସି ସମ୍ପୃକ୍ତି ନ ଥିଲେ ମଧ୍ୟ, କଂଗ୍ରେସ ହିଁ ଏପରି ଅଘଟଣା ଘଟାଇଥିବା ସାଧାରଣରେ ଚର୍ଚ୍ଚା ହେଲା । ଆଉ ଯାହାର ପରିଣତି କଂଗ୍ରେସ ଏଯାଏ ଭୋଗୁଛି । ଦଳର ବରିଷ୍ଠ ନେତା ସୁର ରାଉତରାୟ ଓ ଜାନକୀ ବାବୁଙ୍କ ଜ୍ୱାଇଁ ତଥା ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏକଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହି ଘଟଣା ପରେ ରାଜ୍ୟରେ ଯେଉଁ ଆଟି ଜାନକୀ ହାୱା ବହିଲା, ତାହାର ଫାଇଦା ଉଠାଇବାକୁ ବିଜୁବାବୁ ଜୀବନ୍ତ ନ ଥିଲେ । ତେଣୁ ପୂର୍ବ ପ୍ରସ୍ତୁତ ହୋଇ ସାରିଥିବା ଉର୍ବର ଜମିରେ କେଇମୁଠା ବିହନ ବୁଣି ନବୀନ ବାବୁ ସିଧା ଫସଲ କାଟିଲେ । କେବଳ ଜଣେ ଇନ୍ଦ୍ରଜିତଙ୍କ ବଂଚାଇବାକୁ ଯାଇ ଜାନକୀ ବାବୁ କଂଗ୍ରେସକୁ ବଳି ଚଢାଇଦେଲେ ବୋଲି ସାଧାରଣରେ ଆଲୋଚନା ହୁଏ ।

ମମିତା ମେହେର ହତ୍ୟାକାଣ୍ଡ:
ଏବେ ଆସନ୍ତୁ ଆଲୋଚନା କରିବା ମମିତା ମେହେର ହତ୍ୟାକାଣ୍ଡ ସଂପର୍କରେ । ଏହି ଘଟଣାରେ ମୁଖ୍ୟ ଚରିତ୍ର କୁହାଯାଉଥିବା ଗୋବିନ୍ଦ ସାହୁକୁ ପୁଲିସି ଗିରଫ କରି ସାରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ବିବାଦ ଥମିବା ପରିବର୍ତେ ଜମିବାରେ ଲାଗିଛି । ଏହାର ଏକମାତ୍ର କାରଣ, ସରକାରୀ ଦଳର ଗଳାବାଟ ଖୋଜା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ମମିତା ମେହେର ହତ୍ୟାକାଣ୍ଡର ଘଟଣା କ୍ରମକୁ ଅନୁଶୀଳନ କଲେ, ଶାସକ ଦଳ କେମିତି ଓଷଧ ବିକଳରେ ତାଟିଆ କାମୁଡ଼ୁଛି, ତାହା ଜଳ ଜଳ ହୋଇ ଦିଶୁଛି । ଏକ ବର୍ବର ଅପରାଧ ଘଟାଇଥିବାରୁ ଗୋବିନ୍ଦ ସାହୁ ନିଶ୍ଚିତ ଭାବେ ଜଣେ ଜଘଣ୍ୟ ଅପରାଧୀ । ଏହି ହିସାବରେ ଦେଖିବାକୁ ଗଲେ ଅପରାଧୀକୁ କେଉଁମାନେ ବିଭିନ୍ନ ସମୟରେ ସହଯୋଗ କରିଛନ୍ତି, ତାହାର ଖୋଳତାଡର ଆବଶ୍ୟକତା ରହିଛି । ତେବେ ଖୋଳତାଡ ପରେ ଯେଉଁମାନଙ୍କ ମୁହଁ ସାମ୍ନାକୁ ଆସୁଛି, ସେମାନଙ୍କ ମଧ୍ୟରେ ଶାସକ ଦଳର କିଛି ବରିଷ୍ଠ ନେତା ଅଛନ୍ତି । ବିରୋଧୀମାନେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି, ସେହି ତାଲିକାର ଶୀର୍ଷରେ ଅଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେ ନିଜ ବିଧାୟକ ପାଣ୍ଠିରୁ ଗୋବିନ୍ଦଙ୍କ ଘରୋଇ ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ସହଯୋଗ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ଅନେକ ବାର ଅତିଥି ସାଜି ଗୋବିନ୍ଦଙ୍କ ଭୂରି ଭୂରି ଗୁଣଗାନ କରିଛନ୍ତି । ଅନେକ ସଭାସମିତିରେ ଉଭୟ ଦିବ୍ୟଶଙ୍କର ଓ ଗୋବିନ୍ଦଙ୍କ ଫଟୋ ମିଡିଆରେ ଘୂରି ବୁଲୁଛି । ସବୁଠୁ ବଡକଥା ହେଲା ଉଭୟ ଗୋଟିଏ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ । ଏପରିକି ନବୀନ ନିବସରେ ମଧ୍ୟ ଗୋବିନ୍ଦଙ୍କ ଉପସ୍ଥିତିର ଫଟୋ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କ୍ୟାପଟେନ ଦିବ୍ୟଶଙ୍କରଙ୍କ ଘନିଷ୍ଠ ହୋଇଥିବାରୁ ଗୋବିନ୍ଦ ସରକାରୀ ଫାଇଦା ଉଠାଇଚନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏଠାରେ ଗୋଟିଏ ପ୍ରଶ୍ନ ଉଠେ, ଅଭିଯୋଗ ପ୍ରମାଣ ନ ହେବା ପର୍ଯ୍ୟନ୍ତ କେହି ଅପରାଧୀ ନୁହନ୍ତି । ସମାନ ଭାବେ କ୍ୟାପ୍‌ଟେନ ମଧ୍ୟ ଅପରାଧୀ ନୁହନ୍ତି,କାରଣ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନି । ତେବେ ଜନମାନସରେ ଯଦି ଏ ନେଇ ସନ୍ଦେହ ଦେଖା ଦେଉଛି, ତାହେଲେ ସେହି ସନ୍ଦେହକୁ ତୁରନ୍ତ ଦୂର କରିବା ଦରକାର ଥିଲା । ଅର୍ଥାତ କ୍ୟାପ୍‌ଟେନ ଦିବ୍ୟଶଙ୍କର ନିଜଆଡୁ ଇସ୍ତଫା ଦେଇ ତଦନ୍ତକୁ ସ୍ୱଚ୍ଛ କରିବାର ଥିଲା । ନତୁବା ନିଜର ପୂର୍ବ ପଦକ୍ଷେପ ଭଳି ନବୀନ ବାବୁ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବାର ଥିଲା, ଯାହା ସେ ଅନେକ ବାର କରି ଦେଖାଇଛନ୍ତି । କ୍ୟାପଟେନ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀ ନୁହନ୍ତି ଯେ ତାଙ୍କ ଇସ୍ତଫା ଯୋଗୁ ସରକାର ପରିବର୍ତନ ହୋଇ ଯାଇଥାନ୍ତା । ଯେହେତୁ ସେ ଗୃହ ରାଷ୍ଟ୍ରମନ୍ତ୍ରୀ, ତାଙ୍କ ଅଧିନରେ ପୁଲିସି ବିଭାଗ ରହିଛି, ତେଣୁ ପୋଲିସ ତଦନ୍ତକୁ ନେଇ ଯେ କେହିବନ୍ସନ୍ଦେହ କରିବା ସ୍ୱାଭାବିକ । ଯଦି ଦିବ୍ୟଶଙ୍କରଙ୍କର ଘଟଣା ସହ କୌଣସି ସଂପୃକ୍ତି ନାହିଁ, ତେବେ ତାହା ତଦନ୍ତରୁ ସ୍ପଷ୍ଟ ହୋଇ ଯାଇଥାନ୍ତା, ଯାହା ଉଭୟ ଦିବ୍ୟଶଙ୍କର ଓ ନବୀନ ବାବୁଙ୍କ ପାଇଁ ପ୍ଲସ ପଏଁଟ ହୋଇ ଉଭା ହୋଇଥାନ୍ତା ।

ଏସବୁ କରା ନ ଯାଇ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା, ତାଙ୍କ ସହ ଗୋଟି ମଂଚ ସେୟାର କରିବା, ସାଧାରଣ ଜନତାର ସ୍ୱରକୁ ଭୃକ୍ଷେପ ନ କରିବା, ଛବିରାଣୀ, ଅଂଜନା ଘଟଣାର ପୁନରାବୃତି ଘଟାଇବନି ତ…! କାରଣ ସେତେବେଳର ସରକାର ବି ବିପୁଳ ସଂଖ୍ୟା ଗରିଷ୍ଠତାର ଅହଂଭାବରେ ଅନ୍ଧ ହୋଇଯାଇଥିଲେ…! ODISHA DAILY

Leave A Reply

Your email address will not be published.