ଛତୁଆ ଦୁର୍ନୀତିର ତଦନ୍ତ କରନ୍ତୁ ପ୍ରମିଳା ମାଉସୀ…!

0 101

 ବ୍ରହ୍ମପୁର  : ରାଜ୍ୟରେ ଛତୁଆ ଦୁର୍ନୀତି ଚରମ ସୀମାରେ ପହଂଚିଛି । ବିଶେଷ କରି କୋମଳମତି ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଆହାର ନାଁରେ ଦିଆଯାଉଥିବା ଏହି ଛତୁଆ ଅନେକ କ୍ଷେତ୍ରରେ ନିମ୍ନାମାନର ହୋଇଥିବାରୁ ପିଲାମାନେ ରୋଗାକ୍ରାନ୍ତ ହେଉଥିବାର ସୂଚନା ମଧ୍ୟ ମିଳୁଛି ।

ଏହି ଛତୁଆ ଯୋଗାଣ ଦାୟିତ୍ୱରେ ଥିବା କେତେକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଶିଶୁ କଲ୍ୟାଣ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ନିରୀହ ଶିଶୁମାନଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯାଉଛି । କେତେକ କ୍ଷେତ୍ରରେ ଏପରି ଅନିୟମିତତାର ତଦନ୍ତ କରିବାକୁ ମଧ୍ୟ କୋର୍ଟ ଓ ଅନ୍ୟାନ୍ୟ ନ୍ୟାୟିକ ସଂସ୍ଥା ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।

ତେବେ ଏ କ୍ଷେତ୍ରରେ ସମାଜସେବୀ ତଥା ଆସ୍କାର ବିଜେଡି ସାଂସଦ ପ୍ରମିଳା ବିଶୋୟୀଙ୍କୁ କାହିଁକି ଉପଯୋଗ କରାଯାଉନାହିଁ, ସେଇ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଂଜାମ ଜିଲରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡିକୁ ପ୍ରୋତ୍ସାହିତ କରି, ବିଶେଷ କରି ସେମାନଙ୍କ ଦ୍ୱାରା ପୁଷ୍ଟିକର ଛତୁଆ ପ୍ରସ୍ତୁତ କରି ପ୍ରମିଳା ମାଉସୀ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ଲୋକପ୍ରିୟତାକୁ ଦେଖି ବିଜେଡି ସୁପ୍ରିମୋ ନବୀନ ବାବୁ ଗତ ନିର୍ବାଚନରେ ତାଙ୍କୁ ଆସ୍କାରୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ନିଜ ଲୋକପ୍ରିୟତାକୁ ପାଥେୟ କରି ପ୍ରମିଳା ମାଉସୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ମଧ୍ୟ ହୋଇଥିଲେ । ଏବେ ସେ ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ରାଜ୍ୟରେ ଏବେ ଅଙ୍ଗନବାଡି ଖାଦ୍ୟ, ବିଶେଷକରି ଛତୁଆର ମାନକୁ ନେଇ ପ୍ରଶ୍ନ ଉଠିଥିବାରୁ ପ୍ରମିଳା ମାଉସୀଙ୍କୁ ସିଧାସଳଖ ଏହାର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଗଲେ ବେଶୀ ଲାଭଦାୟକ ହୋଇପାରନ୍ତା ବୋଲି ସଧାରଣରେ ମତପ୍ରକାଶ ପାଉଛି । କାରଣ ଅନଭିଜ୍ଞ ସରକାରୀ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇବା ଅପେକ୍ଷା ଅଭିଜ୍ଞ ଓ ବିଶେଷ ଜ୍ଞାନ ରଖିଥିବା ଲୋକପ୍ରତିନିଧିଙ୍କୁ ଏହାର ଦାୟିତ୍ୱ ଦେଲେ ଅଧିକ ସୁଫଳ ମିଳନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ଉଲ୍ଲେଖଯାଗ୍ୟ ଯେ, ସାଧାରଣତଃ ଗ୍ରାମାଂଚଳ ଓ ସହରାଂଚଳର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଶିଶୁମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସିଥାନ୍ତି । ସେମାନଙ୍କ ଅଭିଭାବକମାନଙ୍କ ଦୁର୍ବଳତାର ସୁଯୋଗ ନେଇ କେତେକ ଅସାଧୁ ସ୍ୱୟଂସହାୟକ ଗୋଷ୍ଠୀ ଓ ସରକାରୀ କର୍ମଚାରୀ ଉପରୋକ୍ତ ସରକାରୀ ପଇସାର ହରିଲୁଟ୍ କରୁଛନ୍ତି । ନିକଟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଲକରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ନିମ୍ନମାନର ଓ କମ୍ ପରିମାଣର ଛତୁଆ ଯୋଗାଣକୁ ନେଇ ଅଭିଯୋଗ ପରେ ଓଡ଼ିଶାର ଲୋକାୟୁକ୍ତ ଘଟଣାର ତଦନ୍ତ କରିବାକୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚିତ ପ୍ରସଙ୍ ପାଲଟିଛି ।

Leave A Reply

Your email address will not be published.