ବିଜୟ ମହାପାତ୍ରଙ୍କ ମୁହଁ ବନ୍ଦ କରିବ କିଏ ?

0 138

ଭୁବନେଶ୍ୱର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲି ସରକାରଙ୍କୁ ମାଡ଼ ମାରି ଚାଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଯାହାକି ଶାସକ ଦଳକୁ ଅକଳରେ ପକାଇ ଦେଇଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ଏକ ପ୍ରକାର କ୍ଲିନିଚିଟ୍ ଦେବାକୁ ପ୍ରୟାସ କରିଛି । ହେଲେ ବିରୋଧୀ ନଛୋଡବନ୍ଧା। ହରତାଳ, ଶାସକ ଦଳର ମନ୍ତ୍ରୀଙ୍କୁ ଅଣ୍ଡାମାଡ, ବିଭିନ୍ନ ସ୍ଥାନରେ ବିକ୍ଷୋଭ କରି ଚାଲିଛି ବିଜେପି ଆଉ ଏହି ନିଆଁରେ ଘିଅ ଢାଳି ବିଜୟ ମହାପାତ୍ର ପ୍ରତିବାଦକୁ ଜମାଉଛନ୍ତି । ଯଦିଓ ଏପରି ପ୍ରତିବାଦକୁ ହୀନ ରାଜନୀତି ବୋଲି ବିଜେଡି କହିଛି । କିନ୍ତୁ ବିରୋଧୀଙ୍କ ପ୍ରଶ୍ନର ସଠିକ ଜବାବ ଦେବାକୁ ଯାଇ ବ୍ୟାକ ଫୁଟରେ ଶଙ୍ଖ ଦଳର ନେତା ।

ଆଜି ବିଜୟ ମହାପାତ୍ର ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି । ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ମେହେର ନିଜ ଭୁଲକୁ ସ୍ୱୀକାର କରିଛି କିନ୍ତୁ ‘କନଫେସ’ କରିନି। ଏହାଦ୍ୱାରା ଅଭିଯୁକ୍ତକୁ ଖସାଇବା ପାଇଁ ପୁଲିସ ବାଟ କରିଦେଇଛି ବୋଲି ବିଜୟ କହିଛନ୍ତି ।

ବାହାରେ ପ୍ରଚାର କରାଗଲା ସ୍କୁଲ ଏବଂ କଲେଜ ଅଲଗା । ହେଲେ ଏତଲାରେ କୁହାଯାଇଛି କଲେଜର ହଷ୍ଟେଲରେ ମମିତା ରହୁଥିଲେ । ଏହି କଲେଜ ହଷ୍ଟେଲରେ ଦେହ ବେପାର ଜମୁଥିଲା ବୋଲି ଅଭିଯୋଗ ରହିଛି । ଏହାପରେ ବି ଏ ମାମଲାର ତଦନ୍ତ କିଏ କରୁଛି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ସେହିପରି ପୋଲିସ ଯଦି ଏକଥା ଗୋବିନ୍ଦକୁ ପଚାରିଛି ତାହେଲେ ଏହାର ଉତ୍ତର ପୁଲିସ କୋର୍ଟରେ କାହିଁକି ରଖିନି ବୋଲି ବିଜୟ ମହାପାତ୍ର କହିଛନ୍ତି। ୧୬୧ କିମ୍ବା ୧୬୪ ରେ କାହିଁକି ପୋଲିସ ଗୋବିନ୍ଦର ବୟାନ ନେଲାନି ବୋଲି ମଧ୍ୟ ବିଜୟ ପ୍ରଶ୍ନ କରିଛନ୍ତି। କୋର୍ଟରେ ପୋଲିସ ଦାଖଲ କରିଥିବା ରିପୋର୍ଟରେ କେବଳ ଗୋଟିଏ କଥା ଲେଖା ହୋଇଛି ଗୋବିନ୍ଦ ହତ୍ୟା ଘଟଣାକୁ ସ୍ୱୀକାର କରିଛି କିନ୍ତୁ ହତ୍ୟା କରିଛି ବୋଲି କହିନି । ହତ୍ୟା ଘଟିଥିବା ସ୍ଥାନକୁ ପୁଲିସ ଗୋବିନ୍ଦକୁ ନେଇଥିବା ବେଳେ ଏକଥା କୋର୍ଟରେ କହିନାହିଁ ପୁଲିସ । ତେଣୁ ପ୍ରଥମରୁ ହିଁ ପୋଲିସ ମାମଲାକୁ ଦୁର୍ବଳ କରିଦେଇଛି । ଆଉ ଏବେବି ଏହି କେସକୁ ଆହୁରି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ଯଦିଓ ଏତଲା ହୋଇଛି କିନ୍ତୁ କେସ କିଛି ନାହିଁ  ବୋଲି ବିଜୟ ମହାପାତ୍ର କହିଛନ୍ତି।

ଏହି ମାମଲାରେ କୋର୍ଟରେ ପୋଲିସ ଦାଖଲ କରିଥିବା କେସ ଡାଏରୀକୁ ନେଇ ପୋଲିସ ଉପରେ ବର୍ଷିଛନ୍ତି ବିଜୟ। କଳାହାଣ୍ଡିର ଏକ ନୃଶଂସ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଆକ୍ରୋଶ ରହିଥିବା ବେଳେ ଶାସକ ଦଳର ନେତାଙ୍କ ଇଙ୍ଗିତରେ କେସକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହି ମାମଲାରେ ଅକ୍ଟୋବର ୧୩ରେ ମାମଲା ରୁଜୁ ହୋଇଥିଲା ଆଜି ୧୩ ନଭେମ୍ବର.ଅର୍ଥାତ ଘଟଣାକୁ ମାସେ ପୁରୁଛି । କିନ୍ତୁ ତଦନ୍ତ କେଉଁଠି ପହଂଚିଲା ଏଯାଏ ଜଣାପଡିନି । ପୁଲିସ ଏହାକୁ ସାର୍ବଜନୀନ କରିବା ଦରକାର ବୋଲି ସେ କହିଛନ୍ତି।

ସେହିପରି ୧୨ ତାରିଖ ରାତି ୧୨ଟାରେ ଚାପର ଶିକାର ହୋଇ ପୁଲିସ ଏତଲା ରଖିଛି କିନ୍ତୁ ଏହାକୁ ୧୩ ତାରିଖ ବୋଲି ଦର୍ଶାଯାଇଛି । ହେଲେ କୋର୍ଟକୁ ଏତଲା ଆସିବାକୁ ୩ ଦିନ ଲାଗିଲା । ଯେତେବେଳେ ସିନ୍ଧେଇକେଲା ଥାନା ରୁ ବଙ୍ଗମୁଣ୍ଡା କୋର୍ଟ ଘଣ୍ଟାକର ବାଟ । ସେତେବେଳେ ତିନି ଦିନ କେମିତି ଲାଗିଲା ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇନ ଅନୁଯାୟୀ ଏତଲା ସଙ୍ଗେ ସଙ୍ଗେ କୋର୍ଟ ଆସିବ କିନ୍ତୁ ଏପରି ବ୍ୟତିକ୍ରମ କିପରି ହେଲା ତାର ଉତ୍ତର ପୁଲିସ ରଖିବ କି ବିଜୟ ପ୍ରଶ୍ନ କରିଛନ୍ତି।  ଯଦି କିଛି ଅସୁବିଧା ଥିଲା ତାହାଲେ ପୋଲିସ କାରଣ କାହିଁକି ଦର୍ଶାଇଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ରାଜ୍ୟବାସୀଙ୍କ ମନରେ ଏହି ଘଟଣାକୁ ନେଇ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ଉପୁଜୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର କଥା ପ୍ରଥମେ ସାମ୍ନାକୁ ଆଣିଥିଲେ ବିଜୟ ମହାପାତ୍ର । ମମତି, ଗୋବିନ୍ଦଙ୍କ ବିବାଦକୁ ରାୟପୁର ଘରେ ମନ୍ତ୍ରୀ ସମାଧାନ କରିବାକୁ ଚେଷ୍ଟା କରିଥିବା ବିଜୟ କହିଥିଲେ।

ରାଜ୍ୟ ରାଜନୀତିରେ ବିଜୟ ଜଣେ ବର୍ଷିଆନ ନେତା । ଯଦିଓ ବାରମ୍ବାର ନିର୍ବାଚନରେ ବିଜୟ ପରାଜୟ ବରଣ କରୁଛନ୍ତି କିନ୍ତୁ ଅନେକ ପ୍ରସଙ୍ଗରେ ବିଜୟ ମୁହଁ ଖୋଲିଲା ମାତ୍ରେ ଶାସକ ଦଳ ତଥା ସରକାର ବେକେ ପାଣିରେ ଛିଡା ହେଲା ଭଳି ଲାଗେ । ଏବେ ମମିତା ପ୍ରସଙ୍ଗରେ ମଧ୍ୟ ବିଜୟ ମୁହଁ ଖୋଲି ଶାସକ ଦଳର ମୁଣ୍ଡ ବିନ୍ଧା ବଢାଇ ଦେଇଛନ୍ତି । ତେଣୁ ଏବେ ଦେଖିବାକୁ ବାକି ରହିଲା ବିଜୟଙ୍କ ମୁହଁ ବନ୍ଦ କରିବାକୁ ଯାଇ ଶାସକ ଦଳ କଣ ଆଭିମୁଖ୍ୟ ରଖୁଛି?

Leave A Reply

Your email address will not be published.