କେନ୍ଦ୍ରାପଡା ବିଜେଡିକୁ ଅନୁଭବ ମହାନ୍ତି କଣ୍ଟା: ଦଳୀୟ ନେତାଙ୍କ ମାଳ ମାଳ ପୋଷ୍ଟର, ସାଂସଦ ଉଭାନ

0 476

ଓଡ଼ିଶା ଡେଲି ଡେସ୍କ: ସମୟ ବଡ ବଳବାନ। ଆଜି ଯିଏ ହଜାର ହଜାର ପ୍ରଶଂସା ସାଉଁଟୁଥିବ କାଲି ସିଏ ରାସ୍ତାକଡରେ ଛିଡା ହୋଇଥିଲେ ବି କେହି ଟିକିଏ ଆହା କହିବାକୁ ନଥିବେ । ଏହିପରି ଏକ ସମୟ ଦେଇ ଗତି କରୁଛନ୍ତି ବିଜେଡିର ‘ମାଟ୍ରିକ ଫେଲ୍’ ହିରୋ ସାଂସଦ ଅନୁଭବ ମହାନ୍ତି । ଯାହାଙ୍କର ପୂର୍ବ ଥାଟବାଟ ଆଉ ନାହିଁ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଏପରି କାଟୁ କରିଛି ଯେ ବିଜେଡି ସୁପ୍ରିମୋ ମଧ୍ୟ ଅନୁଭବଙ୍କୁ ଦୂରେଇ ଦେଉଛନ୍ତି। ଯଦିଓ କୋର୍ଟରେ ଉଭୟ ପତି ଓ ପତ୍ନୀ ନିଜର ପକ୍ଷ ରଖି ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି । ହେଲେ ବର୍ଷାଙ୍କ ବାଣରେ ଅନୁଭବଙ୍କ ରାଜନୀତିକ କ୍ୟାରିଅର ଯେମିତି ଛାରଖାର ହୋଇଗଲାଣି।

ନିକଟରେ କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ । ଏଥିରେ ଅନେକ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ଭର୍ଚୁଆଲ ମିଡିଅମରେ ଆୟୋଜିତ ହୋଇଥିବା ଏହି କାର୍ଡ ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଥରୁଟିଏ ମାନ୍ୟବର ସାଂସଦ କହିଥିଲେ। ହେଲେ ଭୋଟରଙ୍କର ଆଶା ଥିଲା ତାଙ୍କ ସୁଖ ଦୁଃଖର ସାଥୀ ତଥା ହିରୋ ଅନୁଭବଙ୍କ ପାଖରୁ ସ୍ୱାସ୍ଥ୍ୟ କାର୍ଡ ନେବେ । ହେଲେ ଯେଉଁ ସଭା କେନ୍ଦ୍ରାପଡାରେ ଆୟୋଜନ ହୋଇଥିଲା ସେଥିରି ‘ବାଳୁଙ୍ଗା ଟୋକା’ର ଏହି ହିରୋକୁ ଦେଖିବାକୁ ମିଳିନଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି । ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ବିଜେଡି ଏକ ପ୍ରକାର ଭୋଟ୍ ବ୍ୟାଙ୍କ ମଜବୁତ କରୁଛି । ଏପରି ସ୍ଥିତିରେ ବିଜେଡି ଏବେ ଅନୁଭବଙ୍କୁ ଜଣେ ଭୋଟ୍ ବ୍ୟାଙ୍କ ସୃଷ୍ଟି କରୁଥିବା ନେତା ପରିବର୍ତ୍ତେ ଭୋଟ୍ ବ୍ୟାଙ୍କ ବିଭାଜିତ କରୁଥିବା ନେତା ବୋଲି ବିଚାର କରୁଥିବା ସୂଚନା ରହିଛି। ତେଣୁ ଜିଲ୍ଲାରେ ବିଧାୟକ ଏବଂ ଦଳୀୟ ନେତାଙ୍କର ମାଳ ମାଳ ପୋଷ୍ଟର ଲାଗୁଥିବାବେଳେ ସାଂସଦଙ୍କର ପୋଷ୍ଟର ମଧ୍ୟ ବଜାର ଘାଟରେ ଦେଖିବାକୁ ମିଳୁନି ।

ଶୁଣାଯାଉଛି ଦଳ କଥା ବୁଝୁଥିବା ନେତା କୁଆଡେ ଅନୁଭବଙ୍କ ମୁହଁ ଦେଖିବାକୁ ଚାହୁଁ ନାହାନ୍ତି କି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରି ଭୋଟ୍ ହରାଇବାକୁ ଚାହୁଁ ନାହାନ୍ତି। ସେ ଦିଲ୍ଲୀରେ କାର୍ଯ୍ୟକାଳ ଶେଷ ହେବାଯାଏ ସାଙ୍ଗସାଥୀଙ୍କ ସହ ବିତାନ୍ତୁ । ଓଡିଶାରେ ଦଳର କୌଣସି କାମରେ ସାମିଲ ନକରି ଆଗାମୀ ଦିନରେ ଅନ୍ୟ କୌଣସି ଦଳକୁ ଯାଇ ଅନୁଭବ ଯେମିିତି ଟିକେଟ ମାଗିପାରିବେନି କି ତାଙ୍କ ସମର୍ଥନରେ ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ଅଛି ବୋଲି ନକହିପାରିବେ ତାର ଖସଡା ପ୍ରସ୍ତୁତ କରିଛନ୍ତି ଦଳର ଛାମୁଆ ନେତା ।

ଏହା ପୂର୍ବରୁ କେନ୍ଦ୍ରାପଡାରେ ଏକ ବଡ ପୁଞ୍ଜିନିବେଶ ପାଇଁ ତୃତୀୟ ମହଲାର ଶକ୍ତିଶାଳୀ ଅଧିକାରୀ ଏବଂ ଜିଲ୍ଲାର ଛାମୁଆ ନେତା, ବିଧାୟକ ଏକ ବନ୍ଦର ନେଇ ଏକାଠି ହୋଇ ଆଲୋଚନା କରିଥିଲେ। ହେଲେ ଏଥିରେ ଓଲିଉଡର ଏହି ହିରୋ ସାଂସଦ ହୋଇ ମଧ୍ୟ ଉପସ୍ଥିତ ନଥିଲେ। ଆଉ ଏଇଠୁ ଆରମ୍ଭ ହୋଇଥିଲା ଅନୁଭବ ମହାନ୍ତି ହଟାଅ ଅଭିଯାନର ମୁଳଦୁଆ ।

ପୂର୍ବରୁ କେନ୍ଦ୍ରାପଡାରୁ ଏବେର ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ନିର୍ବାଚିତ ସଂସଦକୁ ନିର୍ବାଚିତ ହେଉଥିଲେ । ହେଲେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ଲଢିବା ବେଳେ ବିଜେଡିକୁ ଭୋଟ୍ ବ୍ୟାଙ୍କ ଚିନ୍ତା ପଡିଥିଲା । ପଣ୍ଡାଙ୍କ ଭଳି ବଡ ନେତାକୁ ଲଢାଇବା ପାଇଁ ତାଙ୍କ ପାରିବାରିକ ଟିଭି ଚ୍ୟାନେଲ ଦ୍ୱାରା ପରିଚିତ ପାଇଥିବା ଅନୁଭବଙ୍କୁ ଅସ୍ତ୍ର କରି ନିର୍ବାଚନ ଲଢାଇଲା । ଆଉ ନବୀନ ପଟ୍ଟନାୟକ ବ୍ରାଣ୍ଡରେ ଅନୁଭବ ବୈଜୟନ୍ତଙ୍କୁ ହରାଇ ଲୋକସଭାର ସାଂସଦ ହେଲେ । ଏହି ସମୟରେ ଦଳର କଥାରେ ପଡି ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅନେକ ପ୍ରକାର ସମାଲୋଚନା କରିବାକୁ ପଛାଇ ନଥିଲେ ଅନୁଭବ । ହେଲେ ବର୍ଷକ ଭିତରେ ସବୁକିଛି ଓଲଟି ଗଲା । ଏବେ ଅନୁଭବଙ୍କ ମଳି ଯେମିତି ବିଜେଡିର ଧଳା ଶଙ୍ଖରେ ନଲାଗିବ ସେ ଚିନ୍ତାରେ ବିଜେଡି ।

Leave A Reply

Your email address will not be published.