ଶଶୀଭୂଷଣ VS ଗଣେଶ୍ୱର: କିଏ ବାଜିଗର…!

କେନ୍ଦ୍ରାପଡ଼ା ନେତାମାନେ ଏବେ ନିର୍ବାଚନମଣ୍ଡଳୀ ମୁହାଁ

0 1,040

କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ନିକଟତର। ରାଜ୍ୟର ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ନେତାମାନେ ଏବେ ନିର୍ବାଚନମଣ୍ଡଳୀ ମୁହାଁ ହୋଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହେଲ୍‌ଥ ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନା। ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲା ଜିଲ୍ଲା ବୁଲି କାର୍ଡ ବଣ୍ଟନ ଶୁଭାରମ୍ଭ କରୁଛନ୍ତି। ସରକାରଙ୍କ ବିଭିନ୍ନ ମନ୍ତ୍ରୀ ମଧ୍ୟ ସଂପୃକ୍ତ ଜିଲ୍ଲାର ବ୍ଲକ୍‌ ଓ ପଞ୍ଚାୟତଗୁଡ଼ିକ ଘୂରିବୁଲି କାର୍ଡ ବଣ୍ଟନ କରୁଛନ୍ତି। ତେବେ ଏହି କାର୍ଡ କେତେ କାମ ଦେଉଛି ତାହା ତ ସମୟ କହିବ, ମାତ୍ର କାର୍ଡ ବଣ୍ଟନ ଆଳରେ ନେତାମାନଙ୍କ ଲୋକ ସଂପର୍କ ଜୋରଦାର ହୋଇଛି। ପଞ୍ଚାୟତରେ ଦଳୀୟ କର୍ମୀମାନଙ୍କୁ ସଂଗଠିତ କରାଯାଉଛି। ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଭୋଟ୍‌ ହାତେଇବାକୁ ଜୋରଦାର ପ୍ରଚାର କରୁଛନ୍ତି।

ତେବେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ନାହାନ୍ତି। ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା, ନାରୀ ସୁରକ୍ଷା ଏବଂ ମମିତା ହତ୍ୟା ଘଟଣାରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ କରି ଜୋରଦାର ବିରୋଧ କରୁଛନ୍ତି। ବିଜେପି ପକ୍ଷରୁ ପ୍ରତି ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯାଉଛି। ବନ୍ଦ କରାଯାଉଛି। ନେତା ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଉଛି। କଳାପତାକା ପ୍ରଦର୍ଶନ କରୁଛନ୍ତି। ତେବେ ଏସବୁ ଭିତରେ ହଜି ଯାଇଛି ଲୋକଙ୍କ ପ୍ରକୃତ ସମସ୍ୟା। ଏତେସବୁ ପରେ ଆମେ ଭୁଲି ଯାଇଛେ ଆମେ ୨୦୧୯ରେ ନିର୍ବାଚିତ କରି ପଠାଇଥିବା ନେତାମାନେ କେତେ ପରିମାଣରେ ସେମାନଙ୍କ ମତଦାତାଙ୍କୁ ସନ୍ତୁଷ୍ଟ କରିପାରିଛନ୍ତି। ଲୋକଙ୍କ ଆବଶ୍ୟକତା ପୂରଣ କରିବା ଏବଂ ନିର୍ବାଚନମଣ୍ଡଳୀର ଉନ୍ନତି କରିବାରେ କେତେ ସଫଳ ହୋଇଛନ୍ତି।

ରାଜ୍ୟ ରାଜନୀତିରେ କେନ୍ଦ୍ରାପଡ଼ା ଏକ ସମ୍ବେଦନଶୀଳ ଅଞ୍ଚଳ। ଅଣକଂଗ୍ରେସ ଗଡ଼ ଭାବେ ଏହା ଦୀର୍ଘ ଦିନରୁ ପରିଚିତ। ବିଶେଷକରି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ସର୍ବଦା ତାର ଅଣକଂଗ୍ରେସ ଆଭିମୁଖ୍ୟକୁ ପ୍ରମାଣିତ କରି ଆସିଛି। ସରା ଦେଶରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ତରଙ୍ଗ ଅନୁଭୂତ ହେଉଥିଲା ସେତେବେଳେ ମଧ୍ୟ କେନ୍ଦ୍ରାପଡ଼ା ସେଥିରେ ଭାସି ଯାଇନି। ୧୯୭୧ରେ ଏଠାରେ ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି ବିଜୟ ହୋଇଥିଲେ। ତେବେ ଏହାପରଠାରୁ ହୋଇଥିବା ପ୍ରତି ନିର୍ବାଚନରେ ଜନତା ପାର୍ଟି, ଜନତା ଦଳ, ପରେ ବିଜୁ ଜନତା ଦଳ ବିଜୟୀ ହୋଇ ଅଣ କଂଗ୍ରେସର ଗଡ଼ ଭାବେ ନିଜର ପରିଚୟକୁ ବଜାୟ ରଖିଛି।

୨୦୧୪ରେ ବୈଜୟନ୍ତ ପଣ୍ଡା ଏବଂ ୨୦୧୮ ଜୁନ୍‌ ୧୪ରେ ବୈଜୟନ୍ତ ବିଜେଡି ଛାଡ଼ିବା ପରେ ୧୦୧୯ର ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ବୈଜୟନ୍ତଙ୍କୁ ପରାଜିତ କରିଥିଲେ। ସେହିପରି ୧୯୯୫ରେ ଶେଷଥର ପାଇଁ କେନ୍ଦ୍ରପଡ଼ା ବିଧାନସଭା ନିର୍ବାଚନ ଆସନରୁ ଭାଗବତ ପ୍ରସାଦ ମହାନ୍ତି କଂ‌ଗ୍ରେସରୁ ବିଜୟୀ ହୋଇଥିଲେ। ପରେ ୨୦୦୦ରେ ବେଦପ୍ରକାଶ ଅଗ୍ରୱାଲା, ୨୦୦୪ରେ ଓଡ଼ିଶା ଗଣ ପରିଷଦରୁ ଉତ୍କଳ କେଶରୀ ପରିଡ଼ା ଏବଂ ଏହି ନିର୍ବାଚନମଣ୍ଡୀର ପୁନଃ ସୀମା ନିର୍ଦ୍ଧାରଣ ହେବା ପରେ ୨୦୦୯ରେ ସିପ୍ରା ମଲ୍ଲିକ, ୨୦୧୪ରେ କିଶୋର ତରାଇ ଏବଂ ୨୦୧୯ରେ ଶଶିଭୂଷଣ ବେ‌ହେରା ବିଜେଡିରୁ ବିଜୟୀ ହୋଇଛନ୍ତି।

ମଜାର କଥା ହେଉଛି ୨୦୧୯ରେ ଉଭୟ ଲୋକସଭା ଏବଂ ବିଧାନସଭାରେ କେନ୍ଦ୍ରପଡ଼ାବାସୀ ବିଧାୟକ ଭାବେ ଶଶିଭୂଷଣ ବେହେରା ଏବଂ ସାଂସଦ ଭାବେ ଅନୁଭବଙ୍କୁ ବିଜୟୀ କରାଇଛନ୍ତି। ଶଶିଭୂଷଣ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡୀ ଅନ୍ତର୍ଗତ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ନ୍ତି। ତେବେ ଗତ ନିର୍ବାଚନରେ ଜୟଦେବ ନିର୍ବାଚନମଣ୍ଡଳୀରେ ତାଙ୍କୁ ଜୋରଦାର ବିରୋଧ କରାଗଲା।

ଏପରିକି ବାଲିଅନ୍ତା ଓ ବାଲିପାଟଣରେ ବିଜେଡିର କର୍ମୀମାନେ ତାଙ୍କ କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡିର ଆଭ୍ୟନ୍ତରୀଣ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା ସୂଚନା ମିଳିବା ପରେ ତାଙ୍କୁ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ଦିଆ ନଯାଇ ଅରବିନ୍ଦ ଢାଲିଙ୍କୁ ଟିକେଟ୍ ଦିଆଗଲା। ହେଲେ ଶଶିଭୂଷଣଙ୍କୁ ଶେଷ ପର୍ଯ୍ୟାୟରେ କେନ୍ଦ୍ରପଡ଼ାବାସୀଙ୍କ ଉପରେ ଲଦି ଦିଆଗଲା। କେନ୍ଦ୍ରାପଡ଼ାବାସୀ ମଧ୍ୟ ତାଙ୍କୁ ଗ୍ରହଣ କରିନେଲେ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରପାଡ଼ା ମାଟିର ଟାଣୁଆ ନେତା ଗଣେଶ୍ବର ବେହେରାଙ୍କୁ ସେ ପରାଜିତ କଲେ।

ଜିଲ୍ଲା ବାହାରର ଓ ଜିଲ୍ଲା ମାଟିର ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଜୋରଦାର ଲଢ଼େଇରେ ଶଶିଭୂଷଣ ଫାଇଦା ମାରିନେଲେ। ପ୍ରାୟ ୬ ହଜାରରୁ ଅଧିକ ଭୋଟ୍‌ରେ ଶଶିଭୂଷଣ ବିଜୟୀ ହେଲେ। ସେହିପରି ଲୋକସଭା ନିର୍ବାଚନରେ ବିଜେପିରୁ ବୈଜୟନ୍ତୀଙ୍କୁ ପରାଜିତ କରିବାକୁ ପୂରା ବିଜେଡି ଜୋର ଲଗାଇ ଦେଇଥିଲା।

ଲୋକସଭାରେ ସର୍ବଦା ଅଣକଂଗ୍ରେସର ଅପରାଜେୟ ରେକର୍ଡ ରଖିଥିଲେ ମଧ୍ୟ ଅନୁଭବଙ୍କ ବିଜୟ ନେଇ ନିଶ୍ଚିତ ହୋଇ ପାରି ନଥିଲା ବିଜେଡି। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗାଁ ବୁଲି ଲୋକଙ୍କୁ ପ୍ରଲୋଭିତ କରିବାକୁ ଲାଗିଲେ। ଲୋକଙ୍କୁ ଆକର୍ଷିତ କରିଥିଲେ। ଏପରିକି କେନ୍ଦ୍ରାପଡ଼ାର ଦାୟିତ୍ବ ନିଜେ ନେବେ ବୋଲି ପ୍ରତିଶ୍ରୁତି ଦେଲେ। ‌କଳ, ବଳ ସବୁ ଲଗାଇବା ପରେ ୨ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ଅନୁଭବ ବୈଜୟନ୍ତଙ୍କୁ ପରାଜିତ କଲେ।

ନିର୍ବାଚନକୁ ଇତି ମଧ୍ୟରେ ୨ ବର୍ଷ ବିତି ଯାଇଛି। ଏହି ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହା ସମୟ କହିବ। ହେଲେ ଯେଉଁ ଦୁଇ ନେତା କେନ୍ଦ୍ରାପଡ଼ା ମାଟିର ନ ହୋଇ ମଧ୍ୟ ବିଜୟର ସ୍ବାଦ ଚାଖିଛନ୍ତି ସେମାନେ ଲୋକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ କେତେ ସମର୍ଥ ହୋଇଛନ୍ତି? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକମାନେ ଏବେ ନିଜ ମଧ୍ୟରେ ଆତ୍ମସମୀକ୍ଷା କରୁଛନ୍ତି।

ଶଶିଭୂଷଣ ଓ ଅନୁଭବ କେତେ ଲୋକଙ୍କ ଆବଶ୍ୟକତା ପୂରଣ କରିଛନ୍ତି ତାହା ବିଚାର କରୁଛନ୍ତି। ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ତାହା ଆଲୋଚନା କରିବା। ମାଟିର ପୁଅକୁ ପରାଜିତ କରି କେନ୍ଦ୍ରାପଡ଼ାବାସୀ ଠିକ୍‌ କରିଛନ୍ତି କି ଭୁଲ୍‌ କରିଛନ୍ତି ତାହା ପର୍ଯ୍ୟାଲୋଚନା କରିବାର ସମୟ ଆସିଛି। କେନ୍ଦ୍ରାପଡ଼ାର ବିଜେଡି କର୍ମୀମାନେ ଏବେ ବିଧାୟକଙ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେଣି ବୋଲି କୁହାଯାଉଛି।

ଖୋଲା ଖୋଲି ସାମାଜିକ ଗଣମାଧ୍ୟମରେ ଦଳୀୟ କର୍ମୀମାନେ ବିଧାୟକଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି। ସେହିପରି ସାଂସଦ ଭାବେ ଦେଇଥିବା ପ୍ରତିଶ୍ରୁତି ଅନୁଭବ କେତେ ପୂରଣ କରିଛନ୍ତି ତାହା ବି ଆଲୋଚନା ହେବା ଦରକାର। ନିଜ ପରିବାର ତଥା ବୈବାହିକ ସଂପର୍କକୁ ନେଇ ଦୀର୍ଘଦିନ ହେଲା ଚର୍ଚ୍ଚାରେ ରହିଥିବା ଅନୁଭବ ତାଙ୍କ ନିର୍ବାଚନମଣ୍ଡଳୀ ଏବଂ କର୍ମୀଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିବା ଆଲୋଚନା ହୁଏ। ଏହି ବିବାଦକୁ ନେଇ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଅନୁଭବଙ୍କୁ ଦୂରେଇ ରଖାଯାଉଥିବା ଦେଖାଯାଇଛି। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କ ଅନୁପସ୍ଥିତିରୁ ଏହା ସ୍ପଷ୍ଟ ସୂଚନା ମିଳୁଛି ଯେ ତାଙ୍କ ଉପରେ ନା କର୍ମୀ ନା ନେତା କେହି ସନ୍ତୁଷ୍ଟ ନାହାନ୍ତି।

ଶିଳ୍ପ ବିହୀନ କେନ୍ଦ୍ରାପଡ଼ାକୁ କେତେ ଶିଳ୍ପକାରଖାନା ବସିଲା ତାହା ଜିଲ୍ଲାବାସୀ ଜାଣି ସାରିଛନ୍ତି। କେନ୍ଦ୍ରାପଡ଼ାର ବେକାର ଯୁବକ, ଯୁବତୀଙ୍କ ନିଯୁକ୍ତି ନେଇ ନେତା ଓ ସରକାର କେତେ ସମ୍ବେଦନଶୀଳ ତାହା ବି ଏହି ଦୁଇ ବର୍ଷରେ ପ୍ରମାଣିତ ହୋଇ ସାରିଛି। କେନ୍ଦ୍ରାପଡ଼ାର ଉନ୍ନତି କେବଳ ପ୍ରତିଶ୍ରୁତିରେ ରହିଯାଇଛି।

ରାସ୍ତା ଘାଟରେ ବିଶେଷ ‌ଉନ୍ନତି ନାହିଁ। ପାରାଦୀପକୁ ରେଳ ସଂଯୋଗ ହେବା ପରେ ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ପ୍ରତିଯୋଗିତା କରି ଦେଇଥିଲେ, ହେଲେ ଲୋକମାନେ ରେଳରେ ଯାତ୍ରା କଲେଣି କି? । ଶିକ୍ଷା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ନିଜର କିମ୍ବା ନିଜ ଅଞ୍ଚଳର ସମସ୍ୟା ନେଇ ଲୋକମାନେ ଗୁହାରି କରିବାକୁ ଗଲେ ନା ସାଂସଦଙ୍କୁ ପଆନ୍ତି, ନା ବିଧାୟକଙ୍କୁ।

କେନ୍ଦ୍ରାପଡ଼ା ମାଟିର ହୋଇ ନଥିବାରୁ କିଛି ସମସ୍ୟା ହେଲେ ଲୋକମାନଙ୍କୁ ଭୁବନେଶ୍ବର କିମ୍ବା କଟକ ଯିବାକୁ ହୋଇଥାଏ। ବିଭିନ୍ନ ସମୟରେ ଖୋଜିଲେ ମଧ୍ୟ ବିଧାୟକଙ୍କୁ ଜିଲ୍ଲାରେ ଦେଖିବାକୁ ମିଳୁ ନଥିବା କର୍ମୀମାନେ କହିଛନ୍ତି।

Leave A Reply

Your email address will not be published.