ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ଅନ୍ ଲାଇନ୍ ଆପ ଜରିଆରେ ଠକି ଦେଲା କମ୍ପାନୀ

0 64

ଝାରସୁଗୁଡା: ନିକଟରେ କ୍ଲାଉଡ ଆସେଟ ମ୍ୟାନେଜମେଣ୍ଟ ନାମକ ସଂସ୍ଥା ଅନ୍ ଲାଇନ୍ ଆପ୍ ଜରିଆରେ ହଜାର ହଜାର ଲୋକଙ୍କ ଟଙ୍କାକୁ ଠକେଇ କରିଥିଲା। ଏବେ ଆଉ ଏକ ସଂସ୍ଥା ନାଁରେ ସମାନ ଅଭିଯୋଗ ଆସିଛି । ଏହି କମ୍ପାନୀର ନାଁ ରହିଛି ଓ୍ୱାଟର ଭାଟାଲିଟି । ଏହି ସଂସ୍ଥା ଆପ ଜରିଆରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି।

ଏହି କମ୍ପାନୀ ଠକେଇ କରିବାକୁ ଯାଇ ଏବଂ ଲୋକଙ୍କ ପାଖରେ ବିଶ୍ୱସନୀୟତା ସୃଷ୍ଟି କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ମଧ୍ୟ ବ୍ୟବହାର କରିଛି। କମ୍ପାନୀରେ ନିବେଶ କଲେ ଅଧିକ ସୁଧ ଦେଉଥିଲା। ଏହି ସଂସ୍ଥାରେ ନିବେଶ ହେଉଥିବା ଟଂକା ବିଶୁଦ୍ଧ ପାଣି ଏବଂ ଅକ୍ସିଜେନ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କହିଥିଲା।

ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ 470 ଟଙ୍କା ଜମା କଲେ ଦୈନିକ 19 ଟଂକା 74 ପଇସା ହିସାବରେ 100 ଦିନ ଯାଏ 1974 ଟଂକା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହିପରି ଅଧିକ ଟଂକାରେ ଅଧିକ ସୁଧ ଦେଖାଇ ବିଭିନ୍ନ ସ୍କିମ ଲୋକଙ୍କ ଆଗରେ ରଖିଥିଲା ଏହି କମ୍ପାନୀ । ଯେଉଁମାନେ ନିବେଶ କରୁଥିଲେ ସେମାନଙ୍କୁ ଭଲ ଲାଭ ମଧ୍ୟ ଦେଉଥିଲା କମ୍ପାନୀ । ଏମିତିକି ହ୍ୱାଟସଆପ ଗ୍ରୁପ ମଧ୍ୟ ଏହି କମ୍ପାନୀର କିଛି ବ୍ୟକ୍ତି ତିଆରି କରିଥିଲେ । ଏହାପରେ ହଠାତ ଗତମାସ ଶେଷରେ ସେହି ଓ୍ୱାଟର ଭାଟିଲିଟି ଆପଟି କାମ କରିନଥିଲା। ଆଉ ଲୋକମାନେ ତାଙ୍କ ପଇସା ଉଠାଇ ପାରିନଥିଲେ। କମ୍ପାନୀ ହ୍ୱାଟସ ଆପ ଜରିଆରେ କହିଥିଲା ଏହି ଆପଟି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବାକୁ ଯାଉଛି । ତେଣୁ ବୈଷୟିକ ତ୍ରୁଟି ରହିଛି । ସେହିପରି ନଭେମ୍ବର 6 ପୂର୍ବରୁ ନିବେଶ କଲେ ପୁରୁଣା ସୁଧ ଅନୁସାରେ ପଇସା ମିଳିବ ଏହାପରେ କଲେ କମ ସୁଧ ମିଳିବ ବୋଲି ହ୍ୱାଟସଆପରେ କହିଥିଲା କମ୍ପାନୀ । ଅଧିକ ଲୋଭ ଆଶାରେ ଅନେକ ଲୋକ ସଙ୍ଗେସଙ୍ଗେ ପୁଞ୍ଜି ନିବେଶ ମଧ୍ୟ କରିଥିଲେ। ଆଉ ନଭେମ୍ବର 6 ତାରିଖ ପରେ ଏହି ଆପଟି ଆଉ କାମ କରନଥିବା ସୂଚନା ରହିଛି । ହଜାରେରେ ଅଧିକ ଲୋକ ଏହି ଆପରେ ନିବେଶ କରିଥିବା ବେଳେ ହଠାତ ଏହି ଆପଟି ଅଚଳ ହୋଇଯିବାରୁ ନିଜ ପଇସା ନେଇ ଲୋକଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବାରମ୍ବାର ଚିଟଫଣ୍ଡ ଠକେଇର ଅଭିଯୋଗ ଆସୁଛି । ଅନେକ ଲୋକ ଏହି ଠକେଇର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି। କିନ୍ତୁ ଏହାପରେ ବି ଶୀଘ୍ର ଧନୀ ଏବଂ ପଇସା କମାଇବାକୁ ଯାଇ ଲୋକେ ଅନେକ ଠକ କମ୍ପାନୀର ଶିକାର ହେଉଛନ୍ତି।

Leave A Reply

Your email address will not be published.