କାହିଁକି ପାକିସ୍ତାନ ଭାରତ ଠାରୁ ଗୋଟିଏ ଦିନ ଆଗରୁ ପାଳେ ସ୍ବାଧୀନତା ଦିବସ!

Pakistan's independence day is 14th August, why?

0 10
    • χInternetନୂଆଦିଲ୍ଲୀ-ଅଗଷ୍ଟ ୧୪କୁ ପାକିସ୍ତାନ ନିଜ ସ୍ୱାଧୀନତା ଦିବସ ଭାବେ ପାଳନ କରିଆସୁଛି । ଅର୍ଥାତ ଭାରତର ସ୍ୱାଧୀନତା ଦିବସର ୧୫ ଅଗଷ୍ଟର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପାଳୁଛି ଏହାର ସ୍ୱାଧୀନତା ଦିବସ । ଏହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି । କାରଣ ଭାରତ ଭୂଖଣ୍ଡ ବିଭାଜିତ ହେଲା ପରେ ଯାଇ ପାକିସ୍ତାନ ଏକ ନୂଆ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା । ଏହାର ସ୍ୱାଧୀନତା ଦିବସ କିପରି ମୂଳ ଭୂଖଣ୍ଡ ଅର୍ଥାତ ଭାରତର ସ୍ୱାଧୀନତା ଦିବସଠୁ ଗୋଟିଏ ଦିନ ଆଗୁଆ ପଡିଲା, ସେନେଇ ଅନେକ ଏବେବି ପ୍ରଶ୍ନ କରନ୍ତି ।
      ଏହି ପ୍ରଶ୍ନର ଭିନ୍ନ ଭିନ୍ନ ଉତର ରହିଛି । ତେବେ ଯେଉଁ ଉତର ଉପରେ ଅନେକ ଏକମତ, ତାହା ହେଲା ଭାରତରେ ବ୍ରିଟିଶ ସରକାରଙ୍କ ଶେଷ ବଡଲାଟ୍ ଲର୍ଡ ମାଉଂଟ ବ୍ୟାଟେନଙ୍କ ପାଇଁ ହିଁ ପାକିସ୍ତାନ ଗୋଟିଏ ଦିନ ଆଗରୁ ନିଜ ସ୍ୱାଧୀନତା ଦିବସ ପାଳିଲା । କୁହାଯାଏ ଯେ, ମାଉଂଟ ବ୍ୟାଟେନ୍ ଉଭୟ ଭାରତ ଓ ପାକିସ୍ତାନର ସ୍ୱାଧୀନତା ପ୍ରାପ୍ତି ମୁହୂର୍ତକୁ ସ୍ୱଚକ୍ଷୁରେ ଦେଖିବାକୁ ଚାହୁଁଥିଲେ । ଗୋଟିଏ ସମୟରେ ଉଭୟ ଦେଶ ସ୍ୱାଧୀନ ହେଲେ, ତାହା ସମ୍ଭବପର ହୋଇ ନ ଥାନ୍ତା । ତେଣୁ ମାଉଁଟ ବ୍ୟାଟେନଙ୍କ ଇଚ୍ଛା ଚରିତାର୍ଥ କରିବାକୁ ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ଆଗରୁ ପାକିସ୍ତାନ ତାର ସ୍ୱାଧୀନତା ଦିବସ ପାଳିଥିଲା । ଅନ୍ୟ କେତେକ ସମୀକ୍ଷକ କୁହନ୍ତି, ପାକିସ୍ତାନ ଏକ ଧର୍ମଭିତିକ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଇସଲାମ ଧର୍ମ ଅନୁସାରେ ଏକ ପବିତ୍ର ଦିନ ଥିଲା । ତେଣୁ ଏହିଦିନ ଦେଶର ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଜିନ୍ନା ଆଗ୍ରହ ପ୍ରକାଶ କରିଥିଲେ ।

୧୪ ଅଗଷ୍ଟ…! ପାକିସ୍ତାନର ସ୍ୱାଧୀନତା ଦିବସ ନା ପ୍ରତିଷ୍ଠା ଦିବସ!

ପାକିସ୍ତାନର ସ୍ୱାଧୀନତା ଦିବସ, ଅର୍ଥତ ୧୯୪୭ ମସିଆ ଅଗଷ୍ଟ ୧୪ ତାରିଖକୁ ନେଇ ଅନେକ ବିତର୍କ ଲାଗି ରହିଛି । କାରଣ ବ୍ରିଟିଶ ଇଣ୍ଡିଆରେ ପାକିସ୍ତାନ ବୋଲି କୌଣସି ସ୍ଥାନ ବା ଭୂଖଣ୍ଡ ନ ଥଲା । ଭାରତ ବିଭାଜିତ ହେବା ପରେ ଯାଇ ପାକିସ୍ତାନର ଉତ୍ପତି ହେଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଭାରତ ସ୍ୱାଧୀନ ହୋଇ ନ ଥିବାରୁ ପାକିସ୍ତାନର ସ୍ଥିତି ହିଁ ନ ଥିଲା । ଏପରି ସମୟରେ ପାକିସ୍ତାନ କେମିତି ସ୍ୱାଧୀନ ହେଲା ବୋଲି ଅନେକ ରାଜନୈତିକ ସମୀକ୍ଷକ ପ୍ରଶ୍ନ କରନ୍ତି । କାରଣ ୧୯୪୭ ମସିଆ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବ୍ରିଟିଶ ସରକାର କେବଳ ଗୋଟିଏ ଦେଶ ଭାରତ ବୋଲି ହିଁ ଉଲ୍ଲେଖ କରିଥିଲେ । ୧୯୪୭ ମସିହାରେ ବ୍ରିଟିଶ ପାର୍ଲାମେଂଟରେ ଯେଉଁ ବିଲ୍ ପାସ୍ ହୋଇଥିଲା ତାର ନାଁ India & Pakistan Independence Act ନ ଥିଲା, ବରଂ ଥିଲା Indian Independence Act. … ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବ୍ରିଟିଶ ସରକାର ୧୯୩୭ ମସିହାରେ ଭାରତ ଠାରୁ ବର୍ମା (ବର୍ତମାନର ମ୍ୟାନମାର)କୁ ବିଭାଜିତ କରିଥିଲେ । ସେବେଠାରୁ ଏହି ଦୁଇ ଭୂଖଣ୍ଡ ବ୍ରିଟିଶ ଇଣ୍ଡିଆ ଓ ବ୍ରିଟିଶ ବର୍ମା ଭାବେ ପରିଚିତ ହେଲେ । ଭାରତ ସ୍ୱାଧୀନତା ପାଇବାର ପ୍ରାୟ ବର୍ଷକ ପରେ, ଅର୍ଥାତ ୧୯୪୮ ମସିହାରେ ବର୍ମା ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଥିଲା । ତେବେ ଭାରତର ସ୍ୱାଧୀନତା ପୂର୍ବରୁ ଏହାକୁ ଆଉ ବିଭାଜିତ କରାଯାଇ ବ୍ରିଟିଶ ଇଣ୍ଡିଆ ଓ ବ୍ରିଟିଶ ପାକିସ୍ତାନ ବୋଲି ଦୁଇଟି ସ୍ୱତନ୍ତ୍ର ଉପନିବେଶ ସୃଷ୍ଟି କରାଯାଇ ନ ଥିଲା । ତେଣୁ ପାକିସ୍ତାନ ସ୍ୱାଧୀନତା ପାଇଲା ବୋଲି କହିବା ବଦଳରେ ପାକିସ୍ତାନ ଏହି ଦିନ ପ୍ରତିଷ୍ଠା ହେଲା ବୋଲି କହିବା ହିଁ ଠିକ୍ ହେବ । ଭାରତ ସ୍ୱାଧୀନ ହେଲା ବୋଲି ହିଁ ପାକିସ୍ତାନ ସୃଷ୍ଟିହେଲା ।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା ମଧ୍ୟ ଅଗଷ୍ଟ ୧୫ ତାରିଖକୁ ପାକିସ୍ତାନର ସ୍ୱାଧୀନତା ଦିବସ ବୋଲି ଘୋଷଣା କରିଥିଲେ । ସବୁଠାରୁ କୌତୁହଳର କଥା ୧୯୪୮ ମସିହା ଅଗଷ୍ଟ ୧୫ ତାରିଖରେ ହିଁ ପାକିସ୍ତାନ ତାର ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଥିଲା, ଯାହା ପରବର୍ତୀ ସମୟରେ ୧୪ ତାରିଖକୁ ପଛୁଆ କରିଦିଆଗଲା । ଭାରତଠୁ ମିଛି ମିଛିକା ଆଗୁଆ ହେବାକୁ ପାକିସ୍ତାନର ଏହା ଏକ ବିକଳ ପ୍ରୟାସ ବୋଲି ମଧ୍ୟ ସମୀକ୍ଷକମାନେ ଯୁକ୍ତି ବାଢନ୍ତି ।

Leave A Reply

Your email address will not be published.