ଆତ୍ମହତ୍ୟା ପୂର୍ବରୁ ୧୫ ଥର କଲ୍ କରିଥିଲେ ଶ୍ୱେତା, ଥରେ ବି ଉଠାଇ ନ ଥିଲେ ସୌମ୍ୟଜିତ୍‌

ବୈମାନ ପ୍ରେମିକର ଧୋକ୍କା ଶ୍ୱେତାଙ୍କୁ ବଂଚିବାକୁ ନିରୁତ୍ସାହିତ କରିଦେଇଥିଲା

ବହୁଚର୍ଚ୍ଚିତ ଆଇଟି ଇଂଜନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା ମାମଲା କ୍ରମଶଃ ଜଟିଳ ହେବାରେ ଲାଗିଛି । ଏହି ଆତ୍ମହତ୍ୟା ପଛରେ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ହାତ ରହିଥିବାର ବଳିଷ୍ଠ ପ୍ରମାଣ ଧୀରେଧୀରେ ପୋଲିସ ହାତରେ ଲାଗୁଛି । ଆତ୍ମହତ୍ୟାର ମାତ୍ର କେଇ ମିନିଟ୍ ପୂର୍ବରୁ ରାତି ପ୍ରାୟ ୧ଟା ପରେ ଶ୍ୱେତା କୁମାରୀ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପ୍ରାୟ ୧୫ ଥର ଲଗାତର ଫୋନ୍ କରିଥିଲେ ମଧ୍ୟ ସୌମ୍ୟଜିତ ଥରେ ବି ଉଠାଇ ନ ଥିଲେ । ଆଉ ଏହାର ଠିକ୍ ପରେ ପରେ ଶ୍ୱେତା କୁମାରୀ ନିଜ ଜୀବନକୁ ଶେଷ କରିବାର ଚରମ ନିଷ୍ପତି ନେଲେ ବୋଲି ପୋଲିସ ଶ୍ୱେତାଙ୍କ କଲ୍ ରେକର୍ଡରୁ ଜାଣିବାକୁ ପାଇଛି ।

୬ ମାସ ହେବ ସମ୍ପର୍କରେ ଆସିଥିଲା ତିକ୍ତତା:
ଶ୍ୱେତାଙ୍କର ଜଣେ ନିକଟତମ ବଂଧୁଙ୍କ କହିବା ଅନୁଯାୟୀ, ପ୍ରାୟ ୬ ମାସ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡିବା ଆରମ୍ଭ ହୋଇଥିଲା । ବିଶେଷ କରି ସେୀମ୍ୟଜିତ ଭୁବନେଶ୍ୱର ପ୍ରତିଷ୍ଠିତ ମ୍ୟାନେଜମେଂଟ କଲେଜ ଏକ୍ସଆଇଏମବିରେ ପଢିବା ପରେ ସଂପର୍କରେ ତିକ୍ତତା ଆସିଥିଲା । ସୌମ୍ୟଜିତଙ୍କ ଜୀବନରେ ଆଉ କେହି ଆସିବା ପରେ ସେ ହୁଏତ ତାଙ୍କୁ ଅବହେଳା ପ୍ରଦର୍ଶନ କରିବାକୁ ଆରମ୍ଭ କରୁଥିଲେ ବୋଲି ସନ୍ଦେହ ପ୍ରଚଟ କରିଥିଲେ ଶ୍ୱେତା । ଏ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାର ପରିଣତି ଏପରି ଏକ ଦାରୁଣ ବିଚ୍ଛେଦର ରୂପ ନେଲା ।

ପୂର୍ବରୁ ସୌମ୍ୟଜିତଙ୍କର ଥିଲେ ୩ ଜଣ ଗାର୍ଲଫ୍ରେଣ୍ଡ!
ଶ୍ୱେତାଙ୍କୁ ଭଲ ପାଇବା ପୂର୍ବରୁ ଅନ୍ୟ ୩ ଜଣ ଝିଅଙ୍କୁ ଭଲ ପାଇ ସାରିଥିଲେ ସୌମ୍ୟଜିତ୍ । ସେମାନଙ୍କୁ ଛାଡି ସେ ଶ୍ୱେତାଙ୍କୁ ଆପଣାଇଥିଲେ । ସୌମ୍ୟଜିତଙ୍କ ଏପରି ଖେଳୁଆଡ ମନୋଭାବକୁ ଠିକ୍ ଠଉରାଇଥିଲେ ଶ୍ୱେତା । ତେଣୁ ସୌମ୍ୟଜିତଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ମଧ୍ୟ ବିବାହ କରିବାର ଜିଦ୍‌କୁ ସେ ବାରମ୍ବାର ଦୋହରାଉଥିଲେ । ସୌମ୍ୟଜିତ ବିବାହ କରିବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗତ ୬ ମାସ ତଳେ ଏକ୍ସଆଇଏମବିରେ ନାମ ଲେଖାଇବା ପରେ ବିବାହ ପାଇଁ ପଛଘୁଂଚା ଦେଇଥିଲେ, ଯାହାକୁ ନେଇ ଶ୍ୱେତାଙ୍କ ସନ୍ଦେହ ବଢିଥିଲା । ଅପରପକ୍ଷରେ ଶ୍ୱେତାଙ୍କ ବାପା ଅଭିଯୋଗ କରିଛନ୍ତି ସୌମ୍ୟଜିତଙ୍କ ସହ ତାଙ୍କ ଝିଅର ବିବାହ ପାଇଁ ତାଙ୍କ ପରିବାର ଲୋକେ ପରୋକ୍ଷରେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ସେ ଏହାକୁ ଦେବାକୁ ପ୍ରସ୍ତୁତ ମଧ୍ୟ ଥିଲେ । ତେବେ ବୈମାନ ପ୍ରେମିକର ଧୋକ୍କା ଶ୍ୱେତାଙ୍କୁ ବଂଚିବାକୁ ନିରୁତ୍ସାହିତ କରିଦେଇଥିଲା । ଭୁବନେଶ୍ୱର ଶୈଳଶ୍ରୀବିହାରସ୍ଥିତ ନିଜ ଫ୍ଲାଟ୍‌ରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିଲେ ଏକ ପ୍ରତିଷ୍ଠିତ କମ୍ପାନୀରେ ଇଂଜନିୟର ଭାବେ କାମ କରୁଥିବା ଏହି ଯୁବ ଇଂଜିନିୟ ଶ୍ୱେତା । କମିଶନରେଟ ପୁଲିସ ଘଟଣାର ତଦନ୍ତ କରୁଥିବାରୁ ଏବେ ସମସ୍ତଙ୍କ ନଜର ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ରୀଭୂତ ରହିଛି ।

#ODISHA NEWS#ODISHA CRIME#SWETA SUICIDE
Comments (0)
Add Comment