ଶେଷରେ ନିବାସରୁ ବାହାରିଲେ ନବୀନ: ବିଜେପିର ବିଜୟ ନା ବିଜେଡିର ଚାଲ୍‌…!

HIGH DRAMA AT ODISHA POLITICS

0 188

ଭୁବନେଶ୍ୱର: ମଧ୍ୟାହ୍ନ ପ୍ରାୟ ୧.୩୦ । ଉତପ୍ତ ରାଜଧାନୀର ସବୁଠୁ ଉତପ୍ତ କ୍ଷେତ୍ର ପାଲଟିଗଲା ନବୀନ ନିବାସ ସାମ୍ନା ରାସ୍ତା । ୪୦ ଡିଗ୍ରି ଡହ ଡହ ତାତିରେ ତତଲା ତାୱା ପରି ତାତିଥିବା ପିଚୁରାସ୍ତାରେ ଲଥ କରି ବସି ପଡିଥିଲେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର ଏମଏଲଏ । ରାଜ୍ୟର ପ୍ରମୁଖ ଗଣମାଧ୍ୟମର ସବୁ କ୍ୟାମେରା ସେଇ ଗୋଟିଏ ସ୍ଥାନ ଉପରେ କେନ୍ଦ୍ରୀତ ଥିଲା । ୟା ପରେ କଣ ହେବ…?

  • ଖରାବେଳରେ କଳାଛତା !
    ହଠାତ୍ ଉପସ୍ଥିତ ବିଜେଡି ନେତାମାନେ ର‌୍ୟାପିଡ ଆକ୍ସନ ଫୋସ୍‌ର୍ ପରି ତତ୍ପର ହୋଇ ଉଠିଲେ । ନିଜେ ମନ୍ତ୍ରୀ ବିକ୍ରମ ଆରୁଖ ସାମ୍ନାରେ ଠିଆ ହୋଇ ବିଜେପି କର୍ମୀ ଆଉ ଗଣମାଧ୍ୟମର କର୍ମୀମାନଙ୍କୁ ଠେଲିବାର ଦୃଶ୍ୟ ଦିଶିଲା । ପଛଆଡେ ଥିବା ଧୁରୀଣ ଏମଏଲଏ ଓ ମନ୍ତ୍ରୀମାନେ ମଧ୍ୟ ଗହଳି ଭିତରେ ରାସ୍ତା ତିଆରି କାମରେ ଲାଗିପଡିଲେ । ଶାସକ ଦଳର ନେତାମନ୍ତ୍ରୀଙ୍କ ଏପରି ଅସ୍ୱାଭାବିକ ଆଚରଣରୁ ସ୍ପଷ୍ଟ ହୋଇଗଲା ଆଗକୁ କଣ ହେବାକୁ ଯାଉଛି । ଠିକ୍ ପରେ ପରେ ପଛରୁ ଦିଶିଲା ଏକ କଳା ରଙ୍ଗର ଛତା ରାସ୍ତାରେ ବସିଥିବା ବିଜେପି ବିଧାୟକମାନଙ୍କ ଆଡକୁ ଧୀର ମନ୍ଥର ଗତିରେ ଆଗେଇ ଆସୁଛି, ଆଉ ବିଜେଡିର ଆଗଧାଡିଆ ବିଧାୟକମାନେ ସେଇ ଛତା ତଳେ ଥିବା ମଣିଷଙ୍କୁ ବାଟ କଢେଇ ଆଣୁଚନ୍ତି । ମାତ୍ର କେଇ ମିନିଟ୍ ମଧ୍ୟରେ ଦୃଶ୍ୟ ସ୍ପଷ୍ଟ ହୋଇଗଲା । ଛତାତଳେ ଆଉ କେହି ନ ଥିଲେ, ଥିଲେ ଖୋଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଖରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ।
    ନବୀନଙ୍କ ଦର୍ଶନ ପରେ ବିଜେପି ନେତାମାନଙ୍କ ରାଗ ସେମାନଙ୍କ ଦେହର ଝାଳ ପରି ତରଳିଯିବା ପରି ଲାଗିଲା । ଖୋଦ୍ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏପରି ହସ ହସ ବଦନରେ ଦୃଶ୍ୟମାନ ହେଲେ, ସତେ ଯେମିତି ଏବେବି ବିଜେଡି-ବିଜେପି ମେଂଟ ସରକାର ଚାଲିଛି ଓ ନବୀନ ବାବୁ ଏବେବି ଏହାର ମୁଖ୍ୟମନ୍ତ୍ରୀ । ତା ପରେ ନବୀନ ବାବୁ ତାଙ୍କ ଚିରାଚରିତ ଢଙ୍ଗରେ ହାତ ହଲାଇ ବିଜେପି ବିଧାୟକମାନଙ୍କୁ ନିଜ ଭବନ ମଧ୍ୟକୁ ଡାକିଲେ ଓ ଏହି ବିରୋଧୀ ବିଧାୟକମାନେ ମଧ୍ୟ ଅନୁଗତଙ୍କ ପରି ତାଙ୍କ ପଶ୍ଚାତଧାବନ କଲେ । ଏତେବେଳ ଯାଏ ଟିଭି ଚ୍ୟାନେଲଗୁଡିକ ରଥଯାତ୍ରା ପରି ଦେଉଥିବା ଧାରାବିବରଣୀର ଅନ୍ତ ଘଟିଲା । ସବୁ ଚ୍ୟାନେଲ ଏହି ସମୟରେ ନିଜ ନିଜର ବ୍ରେକ୍ ନେଲେ । ୧୫ ମିନିଟ ପରେ ବିଜେପି ବିଧାୟକମାନେ ଏକସମୟରେ ବାହାରକୁ ବାହାରିଲେ । ଟିିଭି କ୍ୟାମେରା ସାମ୍ନାରେ ବାଇଟ୍ ଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଲେ, ମୁଖ୍ୟମଂତ୍ରୀ ଆମ ପ୍ରସ୍ତାବରେ ରାଜିହେଲେ । ସର୍ବଦଳୀୟ ବୈଠକ ବସି ମଣ୍ଡିରୁ ଧାନ କିଣା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ।
  • ନବୀନ ବାବୁଙ୍କୁ କାହିଁକି ଖୋଜିଲେ ବିଜେପି ବିଧାୟକ…?
    ଆଜି ବିଧାନସଭା ଆରମ୍ଭରୁ ହିଁ ମୁଲତବି ଘୋଷଣା କରାଗଲା । ଅଚଳାବସ୍ଥା ୬ ଦିନରେ ପହଂଚିଥିଲା । ମଣ୍ଡିରୁ ଧାନ ଉଠାକୁ କେନ୍ଦ୍ର କରି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାନସଭା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିଜେଡି ତାଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହ ଅଚଳ କରିଥିଲା । ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ମଣ୍ଡିରୁ ଧାନଉଠା ପ୍ରସଙ୍ଗରେ ଦାବି ରଖନ୍ତୁ ବୋଲି କହି ବିଜେପି ମଧ୍ୟ ଗୃହକୁ ଚଳାଇ ଦେଉ ନଥିଲା । ସିଧାସଳଖ ନ ହେଲେ ମଧ୍ୟ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଥିଲା । ଗୃହ କାର୍ଯ୍ୟ ଅଚଳ କରିବାରେ ବିଜେଡି ସଦସ୍ୟଙ୍କ ଭୂମିକାକୁ ନେଇ ସବୁ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ ପାଇଥିଲା । କାରଣ କୌଣସି ରାଜ୍ୟ ପ୍ରସଙ୍ଗକୁ ନେଇ ଖୋଦ ସରକାରୀ ଦଳ ବିଧାନସଭା ଚଳାଇ ନ ଦେବା ଘଟଣା ବିରଳ । ବିଜେଡିର ଏହି ଚାଲକୁ କାଟିବାକୁ ଆଉ ପାଦେ ଆଗେଇଗଲା ବିଜେପି । ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବାକୁ ସଚିବାଳୟ ବା ଲୋକସେବା ଭବନର ତୃତୀୟ ମହଲାକୁ ବାହାରିଲେ । ଏକଥା ଜାଣିପାରି ବିଜେଡି ସଭ୍ୟ ସଭ୍ୟାମାନେ ଆଗୁଆ ଲୋକସେବା ଭବନ ଯାଇ ବିଜେପି ସଭ୍ୟମାନଙ୍କ ପଥରୋଧ କଲେ ଓ ନବୀନ ବାବୁ ନବୀନ ନିବାସରେ ଅଛନ୍ତି, ସେଠାକୁ ଯାଆନ୍ତୁ ବୋଲି କହିଲେ । ଏ ନେଇ କିଛି ସମୟର ତିକ୍ତ ବାତାବରଣ ପରେ ନବୀନ ବାବୁଙ୍କୁ ଖୋଜିବାକୁ ବିଜେପି ଏମଏଲଏମାନେ ନବୀନ ନିବାସ ଆଡେ ପଦଯାତ୍ରାରେ ବାହାରିଲେ ।
  • ଆଗରେ ବିଜେପି, ପଛରେ ବିଜେଡି
    ବିଜେପି ନେତାଗଣ ନବୀନ ବାବୁଙ୍କୁ ଖୋଜିବାକୁ ନବୀନ ନିବାସ ଆଡେ ମାଡି ଚାଲିଥିବା ବେଳେ ପଶ୍ଚାତଧାବନ କରୁଥିଲେ ବିଜେଡି ଏମଏଲଏ । ଏହାର ନେତୃତ୍ୱ ଯାଜପୁର ଏମଏଲଏ ପ୍ରଣବ ପ୍ରକାଶ ଦାସ ନେଉଥିବା ପରି ଦୃଶ୍ୟ ଦେଖି ଜଣାପଡୁଥିଲା । ଅବଶ୍ୟ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କୁ ବେଶ୍ ସହଯୋଗ କରୁଥିଲେ । ବିଜଡି ନେତାଏ ବିଜେପି ନେତାଙ୍କର କାହିଁକି ପଶ୍ଚାତଧାବନ କରୁଛନ୍ତି ବୋଲି ପଚାରିବାରେ ପ୍ରଣବ ପ୍ରକାଶ କହିଥିଲେ, ‘ସେମାନେ ଆମ ନେତାଙ୍କୁ ଭେଟିବାକୁ ଯାଉଛନ୍ତି, ତେଣୁ ଆମେ ତାଙ୍କୁ ବାଟ ଦେଖାଇବାକୁ ପଛରେ ଚାଲିଛୁ ।’ ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ବିଜେଡିର କିଛି ମହିଳା ନେତ୍ରୀ ଓ ଯୁବ କର୍ମୀ ନବୀନ ନିବାସ ଆଗରେ ଶଂଖ ଓ ଘଂଟଘଂଟା ଧରି ଠିଆ ହୋଇଥିବା ଟେଲିଭିଜନ କ୍ୟାମେରାରେ ଦିଶିଲା । ଘଟଣା ଏକ ରୋଚକ ମୋଡ ନେଉଛି ବୋଲି ଜଣାପଡିବା ପରେ ରାଜ୍ୟବାସୀ ଟିଭି ପରଦା ଉପରେ ଆଖି ନିବଦ୍ଧ ରଖିଲେ ।
  • ବିଜେଡି ବିଧାୟକ ଏନଏମଏଆର!
    ବିଜେପି ଏମଏଲଏଙ୍କୁ ବିଜେଡି ଏମଏଲଏ ଏପରି ପଛରୁ ଫଲୋ କରିବାକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ ବିଜେପି ନେତା । ବିଜେଡି ଯେ ଏକ ବଡ ଗେମ୍ ପ୍ଲାନ୍‌ରେ ଅଛି ସେକଥା ମଧ୍ୟ ସେମାନଙ୍କୁ ଆଉ ଅଛପା ନ ଥିଲା । ତଥାପି ସଂଜତ ଥିଲେ ବିଜେପି ନେତା । କାରଣ ରାଜ୍ୟର ପ୍ରାୟ ସବୁ ନ୍ୟୁଜ୍ ଚ୍ୟାନେଲ ଏହାର ସିଧାପ୍ରସାରଣ କରୁଥିଲେ । ପାଟିରୁ କିଛି ବି ବାହାରିଗଲେ ସମାଲୋଚନାର ଭୟ ଥିଲା । ତେବେ ନିଜକୁ ଆଉ ରୋକି ପାରି ନ ଥିଲେ ବଦ୍‌ରାଗି ସ୍ୱାଭାବର ବରିଷ୍ଠ ବିଧାୟକ ଜୟନାରାୟର ମିଶ୍ର । ଟିଭି ଚ୍ୟାନେଲକୁ ବାଇଟ୍ ଦେଇ ବିଜେଡି ଏମଏଲଏଙ୍କୁ ଏନଏମଆର ବା ଠିକା କର୍ମଚାରୀ କହିବାକୁ ମଧ୍ୟ ପଛାଇଲେ ନାହିଁ । ଆହୁରି ମଧ୍ୟ କଟାକ୍ଷ କରି କହିଥିଲେ, ‘ଯେଉଁମାନେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି, ସେମାନେ କଣ ଆମକୁ ଭେଟେଇବେ?’ । ବିଜେଡି ନେତାମାନଙ୍କ ପାଇଁ ଏହାଥିଲା ତାଙ୍କ କଟାକ୍ଷ ।
  • ଅଡୁଆ ବଢାଇଲା ପ୍ରତାପଙ୍କ ପାପ ଉପାଖ୍ୟାନ!
    ବିଜେପି ନେତାଙ୍କ ନବୀନ ନିବାସ ଅଭିଯାନକୁ ଦେଖି ନବୀନ ନିବାସ ଆଗରେ ପୋଲିସ ପହରା ଜୋରଦାର କରିଦିଆଗଲା । ବିଧାୟକମାନଙ୍କୁ ନବୀନ ନିବାସ ଭିତରକୁ ଛଡାଯିବ ନା ପୋଲିସ ପଥରୋଧ କରିବ, ତାହା ଦେଖିବାକୁ ରାଜ୍ୟବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । କାରଣ ନବୀନ ନିବାସକୁ ପ୍ରବେଶ ପ୍ରାୟତଃ ଅନେକଙ୍କ ପାଇଁ ଅସମ୍ଭବ ବ୍ୟାପାର । ତାହା ପୁଣି ଧୁ ଧୁ ଖରାବେଳ । ତେବେ ଏହି ସମୟରେ ବିଜେପି ନେତାଙ୍କ କାନରେ ଗଣମାଧ୍ୟମର କର୍ମୀ ଏକ ରୋଚକ ଖବର ପହଁଚାଇଲେ । ଖବରଟି ଥିଲା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପ ଉପାଖ୍ୟାନ । ବିଜେପି ନେତାଙ୍କୁ ତାଚ୍ଛଲ୍ୟ କରିବାକୁ ଯାଇ ଶ୍ରୀ ଜେନା ନିଜ ବାଇଟ୍‌ରେ କହିଲେ, ‘ନବୀନ ନିବାସ ରାଜ୍ୟର ଏକ ପବିତ୍ର ସ୍ଥାନ । ବିଜେପି ନେତାଏ ଅନେକ ପାପ କରିଛନ୍ତି । ତେଣୁ ନବୀନ ନିବାସ ଭିତରେ ପ୍ରବେଶ କଲେ, ସେମାନଙ୍କ ପାପ କ୍ଷୟ ହେବ ।’
    ଏକଥା ଶୁଣିବା ପରେ ନବୀନ ନିବାସର ଫାଟକ ପାଖରେ ପିଚୁ ରାସ୍ତା ଉପରେ ବସିଗଲେ ସବୁ ବିଜେପି ବିଧାୟକ । ସେମାନେ ଆଉ ନବୀନ ନିବାସ ଯିବେନାହିଁ । ବରଂ ନବୀନ ବାବୁ ନିଜେ ନିବାସରୁ ବାହାରି ସେମାନଙ୍କୁ ସାକ୍ଷାତ କରନ୍ତୁ ବୋଲି ଅଡି ବସିଲେ ବିଜେପି ବିଧାୟକ, ଯାହା ଏକ ଅପ୍ରୀତିକର ବାତାବରଣ ସୃଷ୍ଟିକଲା । ଡହଡହ ଖରାରେ ବିଜେପିର ବରିଷ୍ଠ ବିଧାୟକମାନେ ଏପରି ବସି ରହିବା ଘଟଣା ରାଜ୍ୟ ସାରା ଚହଳ ପକାଇଦେଲା ।
  • ଖୋସାମଦ କଲେ ପ୍ରମିଳା
    ଏହି ପ୍ରସଙ୍ଗକୁ ନେଇ ବିଜେପିକୁ କଠୋର ଭାଷାରେ ସମାଲୋଚନା କରୁଥିବା ବରିଷ୍ଠ ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଳିକଙ୍କୁ ହଠାତ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଲା । ବିଜେପି ନେତାମାନେ ଅଭିମାନ ଛାଡି ଭିତରକୁ ଚାଲନ୍ତୁ । ଭିତରେ ନବୀନ ବାବୁ ସେମାନଙ୍କୁ ଅପେକ୍ଷା କରିଛନ୍ତି ବୋଲି ପ୍ରମିଳା ଯେତେ ନିବେଦନ କଲେ ବି ବିଜେପି ବିଧାୟକ ନିଜ ଯିଦ୍‌ରେ ଅଟଳ ଥିଲେ । ଉପସଚେତକ ରୋହିତ ପୂଜାରୀ, ବରିଷ୍ଠ ମନ୍ତ୍ରୀ ବିକ୍ରମ ଆରୁଖ ଓ ଟୁକୁନି ସାହୁଙ୍କୁ ମଧ୍ୟ ଏହି ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ବିଜେଡି ନେତାଙ୍କ ସବୁ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେଲେ ବିଜେପି ନେତା ।
    ପରିସ୍ଥିତି କ୍ରମଶଃ ରୋଚକରୁ ରୋଚକତର ହେବାକୁ ଯାଉଥିବା ବେଳେ ଅବିର୍ଭାବ ହେଲା କଳାଛତା ଓ ତା ତଳେ ଧଳା ପୋଷାକରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟିଲା ନାଟକର ପରିସମାପ୍ତି ।
  • କାହାର ହେଲା ଜିତାପଟ…!
    ଦୀର୍ଘ ୨୧ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ନବୀନ ବାବୁ କେବେ ତାଙ୍କ ନିବାସ ଆଗରେ ଏମିତି ଛତାଧରି ବୁଲିଥିବେ, ତାହା ଜାଣିବା ଅନେକଙ୍କ ପକ୍ଷେ ଅସମ୍ଭବ । ବୋଧହୁଏ ଟେଲିଭିଜନ ସାମ୍ନାରେ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏପରି ଅବସ୍ଥାରେ ଦୃଶ୍ୟମାନ ହେଲେ । ତାଙ୍କ ନିବାସ ଭିତରକୁ ତାଙ୍କ ଦଳର ଲୋକେ ଅତି ସନ୍ତର୍ପଣରେ ଗେପନରେ ଗୋପନରେ ଯାଉଥିବା ଦୃଶ୍ୟ ଓଡ଼ିଶାବାସୀ ଟେଲିଭିଜନ ପରଦାରେ ଆଗରୁ ଅନେକ ଥର ଦେଖିଥିଲେ । ତେବେ ପ୍ରଥମ ଥର ପାଇଁ ଛତାମାରି ସେ ନିଜେ ନିବାସର ବାହାରକୁ ଆସି ବିରୋଧୀ ବିଧାୟକଙ୍କୁ ଡାକିକି ନେବା ବୋଧହୁଏ ପ୍ରଥମ ଥର ଘଟିଲା । କେତେକ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ଯେଉଁ ଚାପ ରାଜନୀତିର ଚାଲ୍ ଖେଳିଲା, ତା ଯୋଗୁ ବିଜେଡି ପାଇଁ ବିପରୀତ ପରିସ୍ଥିତି ସୃଷ୍ଟିହେଲା । ଫଳରେ ନବୀନ ବାବୁ ପଦାକୁ ବାହାରିବାକୁ ଏକପ୍ରକାର ବାଧ୍ୟହେଲେ ।
  • ଅନ୍ୟ କେତେକଙ୍କ ମତରେ ସରକାରୀ ଦଳ ବିଧାନସଭା ଅଚଳ ପ୍ରସଙ୍ଗୁ ନେଇ ବିଭିନ୍ନ ମହଲରେ ଯେଉଁ ନକରାତ୍ମକ ମନୋଭାବ ସୃଷ୍ଟି ହୋଇଥିଲା, ସେଥିରୁ ଉଦ୍ଧାର ପାଇବା ପାଇଁ ଆଉ କିଛି ବୋଧେ ବିକଳ୍ପ ନ ଥିଲା । ତେଣୁ ବୋଧହୁଏ ନବୀନଙ୍କ ପରାମର୍ଶଦାତାମାନେ ଶେଷରେ ତାଙ୍କୁ ପଦାକୁ ବାହାରି ବିଜେପି ବିଧାୟକଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ, ତାହା ଛତା ମାରିକି ହେଉପଛେ ।
    ଅନ୍ୟ କେତେକଙ୍କ ମତରେ ନବୀନ ବାବୁ ବିରୋଧୀଙ୍କୁ କେବେ ହାଲୁକା ଭାବେ ନିଅନ୍ତିନି । ସେ ନିଜ ଦଳର ହୁଅନ୍ତୁ ବା ବିରୋଧୀ ଦଳର, ଅନ୍ୟ କାହାର କୋର୍ଟକୁ ବଲ୍ ପଳାଇବ, ତାହା ସେ ସହଜରେ ହେବାକୁ ଦେବାକୁ ଚାହାନ୍ତିନି ନବୀନ ବାବୁ । ସେ ନିବାସ ଛାଡି ପଦାକୁ ବାହାରିବାରେ ଯେତିକି ବିଳମ୍ବ କରିଥାନ୍ତେ, ଖରାରେ ବସିଥିବା ବିଜେପି ବିଧାୟକମାନେ ଟିଭି ସାମ୍ନାରେ ଅନର୍ଗଳ ଗପି ଗପି ସେତିକି ଅଧିକ ମାଇଲେଜ୍ ନେଇଯାଇଥାନ୍ତେ । କାରଣ ବିଜେପିର ବିଧାୟକମାନଙ୍କୁ ପଛରୁ ଫଲୋ କରି ବିଜେଡି ବିଧାୟକଗଣ ଦଳର ଲାଭ କରିବା ପରିବର୍ତେ ଓଲଟା ଦଳର ଭାବମୂର୍ତିକୁ ଜନମାନସରେ ବିଗାଡ଼ି ସାରିଥିଲେ । ତେଣୁ ସବୁ ଖେଳାଳି ଆଉଟ ହୋଇଯାଉଥିବା ଦେଖି ଟିମକୁ ଜିତାଇବାକୁ ଶେଷରେ ସଚିନ ତେନ୍ଦୁଲକରଙ୍କ ପରି ପ୍ରତିପକ୍ଷଙ୍କ ସାମ୍ନା କଲେ ଏକା ନବୀନ । ତେବେ ଦେଖିବାକୁ ବାକି ରହିଲା କିଏ ହେଉଛି ୱିନର ଓ କିଏ ହେଉଛି ଲୁଜର୍‌…!

Leave A Reply

Your email address will not be published.