୨୪ ନିର୍ବାଚନ: ସତରେ ଲଢିବ ତ ବିଜେପି!

ଲୋକପ୍ରିୟ ନେତା ନେତ୍ରୀ କୋଣଠେସା, ଫିଲ୍‌ଡ ନେତାଙ୍କଠୁ ଟିଭି ନେତା ବେଶି

0 181

ଭୁବନେଶ୍ୱର: ୨୪ ସାଧାରଣ ନିର୍ବାଚନ ମାତ୍ର ବର୍ଷେ ବାକି ଅଛି । ଆଉ କେଇ ମାସ ପରେ ସମଗ୍ର ଦେଶରେ, ବିଶେଷ କରି ଓଡ଼ିଶାରେ ନିର୍ବାଚନୀ ଉଷ୍ମତା ଅନୁଭୂତ ହେବ । ଏଥିପାଇଁ ଶାସକ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଜଣାପଡୁଛି । କିନ୍ତୁ ବିରୋଧୀ ଦଳ, ବିଶେଷ କରି ବିଜେପିର ନୀତିଗତିକୁ ନେଇ ଆଜି ବି ଲୋକେ ସନ୍ଦହରେ ଅଛନ୍ତି । କାରଣ ୨୪ ବର୍ଷର ଶାସନକୁ ହଟାଇ ଏକ ବିକଳ୍ପ ସରକାର ପାଇଁ ଯେଉଁ ମତଦାତାମାନେ ସ୍ୱପ୍ନ ଦେଖୁଛନ୍ତି, ମୁଖ୍ୟ ବିରୋଧୀ ଦଳ ବିଜେପି ପାଖରୁ ସେମାନେ ସେମିତି କିଛି ପ୍ରତିଶ୍ରୁତି ପାଇପାରୁନାହାନ୍ତି । ସମଗ୍ର ଦେଶରେ ଶୃଙ୍ଖଳିତ ଦଳ ବୋଲି ଦାବି କରୁଥିବା ବିଜେପି ଓଡ଼ିଶାରେ ଏତେ ଭାଗରେ ବିଭକ୍ତ ହୋଇଛି, ଏବଂ ଏହାର ନେତୃମଣ୍ଡଳୀର ନବୀନ ସରକାର ପ୍ରତି ଆଭିମୁଖ୍ୟ ଏତେ ଅସ୍ପଷ୍ଟ ରହିଛି ଯେ, ଆଗାମୀ ୨୪ ନିର୍ବାଚନରେ ବିଜେପି ସତରେ ଆର ୟା ପାର୍ ଲଢିବ, ନା ଲଢେଇଟା ଖାଲି ଲୋକ ଦେଖାଣିଆ ହେବ, ସେ ନେଇ ଆଜି ବି ଅନେକ ସନ୍ଦେହରେ । ଯଦିଓ ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି, ତେବେ ୨୪ ଯାଏଁ ବିଜେପିର ଏହି ଆଭିମୁଖ୍ୟ ରହିବ, ନା ପୁଣି ଓଲଟିଯିବ, ସେଥିରେ ଅନେକଙ୍କ ସନ୍ଦେହ ରହିଛି ।

ଗତ କିଛି ବର୍ଷର ରାଜନୀତିକୁ ଦେଖିଲେ ଜଣାଯାଏ, ଓଡ଼ିଶାରେ ବିଜେପି ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶ୍ରା କରି ଚାଲିଛି । ଏକଥା ମଧ୍ୟ ସ୍ପଷ୍ଟ ଯେ ବିଜେଡି ହାତ ଛାଡିଦେବା ପରେ ବିଜେପିର ଅବସ୍ଥିତିକୁ ନେଇ ଯେତେବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ତାହା ଧର୍ମେନ୍ଦ୍ରଙ୍କ ଦୃଢ ନେତୃତ୍ୱ ଯୋଗୁ ଦୂର ହୋଇଥିଲା । ଏକଦା ଏମିତି ଏକ ସମୟ ସୃଷ୍ଟି ହୋଇଥିଲା ଯେତେବେଳେ କି ବିଜେଡିର ସମସ୍ତଙ୍କ ନେତାଙ୍କୁ ଏକୁଟିଆ ମୁକାବିଲା କରୁଥିଲେ ଧର୍ମେନ୍ଦ୍ର ବାବୁ । ଧର୍ମେନ୍ଦ୍ରଙ୍କ ଦୃଢ ନେତୃତ୍ୱ ଯୋଗୁ ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଯଥେଷ୍ଟ ଭଲ ପ୍ରଦର୍ଶନ କରି ବିଜେଡି ନେତୃବର୍ଗଙ୍କ ମଧ୍ୟରେ ଭାଳେଣି ସୃଷ୍ଟି କରିପାରିଥିଲା । ତବେ ୨୦୧୭ରେ ଯେଉଁ ଫଳାଫଳ ହୋଇଥିଲା ୨୦୧୯ ନିର୍ବାଚନରେ ତାହା ପ୍ରତିଫଳିତ ହେଲାନାହିଁ । ଯଦିଓ କିଛି ସାଂସଦ ପଦବୀ ପାଇବାରେ ବିଜେପି ସଫଳ ହୋଇଥିଲା, ତେବେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲା ।
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ଭୋଟରମାନଙ୍କୁ ଏହି ସମୟରେ ନିରାଶ କରିଥିଲା ।

୧୭ରେ ଆକ୍ରମଣ, ୧୯ରେ ଅସ୍ତ୍ରତ୍ୟାଗ:
୨୦୧୭ର ସଫଳତା ପରେ ଆହୁରି ଅଧିକ ଆକ୍ରମଣାତ୍ମକ ହେବା ପରିବର୍ତେ ବିଜେପି ବିଜେଡିର ଗୋଡାଣିଆ ସାଜିଥିଲା । ଅନେକ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ନବୀନଙ୍କୁ ପ୍ରଶଂସା କଲେ । ଧର୍ମେନ୍ଦ୍ର ବାବୁଙ୍କଠି ମଧ୍ୟ ନବୀନ ସରକାର ପ୍ରତି ସେପରି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଲାନି । ଅନେକ ସମୟରେ ବିଜେପି ଓ ବିଜେଡି ପରସ୍ପରକୁ ସାହାଯ୍ୟ କରୁଥିବା ଭଳି ସୁବିଧାବାଦୀ ରାଜନୀତି ଲୋକେ ଦେଖିଲେ । ତାହାର ଫଳ ୧୯ ନିର୍ବାଚନରେ ପ୍ରତିଫଳିତ ହେଲା । ତେଣୁ ପଂଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଇଥିବା ଭୋଟର ବିଜେପି ଉପରେ ଭରସି ପାରିଲେନି । ଫଳସ୍ୱରୂପ ପୁଣି ଥରେ ବିପୁଳ ଭୋଟରେ ବିଜୟୀ ହେଲା ବିଜେଡି । ୧୯ ନିର୍ବାଚନ ପରେ ଯଦିଓ କେନ୍ଦ୍ରରେ ବିଜେପି ସରକାର କଲା ଓ ଧର୍ମେନ୍ଦ୍ର ବାବୁ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମନ୍ତ୍ରୀ ହେଲେ, କିନ୍ତୁ ଓଡ଼ିଶାରେ ବିଜେପି ଭୋଟରଙ୍କ ପାଖେ ଗୁରୁତ୍ୱ ହରାଇଲା ।

ଲୋକପ୍ରିୟ ନେତା ନେତ୍ରୀ ପଛରେ:
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ରାଜ୍ୟରେ ବର୍ତମାନ ଯେଉଁ ସ୍ଥିତିରେ ଅଛି, ବିଜେଡିର ବିଜୟଧାରା ଉପରେ ତାହାର ବିଶେଷ ପ୍ରଭାବ ପକାଇ ପାରିବ ନାହିଁ । ଏଥିପାଇଁ ବିଜେପିର ପାୱାର କରିଡର ହିଁ ଦାୟୀ । କାରଣ ଦଳର ଯେଉଁ କିଛି ଲୋକପ୍ରିୟ ନେତାନେତ୍ରୀ ଭୋଟରଙ୍କ ଆକୃଷ୍ଟ କରିବାର କ୍ଷମତା ରଖିଛନ୍ତି, ସେମାନଙ୍କୁ ଆଗକୁ ଛଡାଯାଉନାହିଁ, କିମ୍ବା ଦଳ ପକ୍ଷରୁ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁନାହିଁ । ସମୀକ୍ଷକଙ୍କ ମତରେ ବିଜେପିର ସବୁଠୁ ଲୋକପ୍ରିୟ ନେତା ତାଲିକାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଲୋକେ ଗ୍ରହଣ କରୁଥିବା ବେଳେ ଦଳ ପକ୍ଷରୁ ସେମାନଙ୍କୁ ସମର୍ଥନ ମିଳୁନାହିଁ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଅପରାଜିତା ଏକା ଏକା ଲଢୁଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରତାପ ଷଡଙ୍ଗୀଙ୍କଠାରୁ ମନ୍ତ୍ରୀ ପଦ କାଢି ନିଆଯାଇ ତାଙ୍କୁ ଗୌଣ କରିଦିଆଯିବାକୁ ଉଦ୍ୟମ କରାଯାଇଛି । ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନେତା ଜୟନାରାୟଣ ମିଶ୍ରଙ୍କୁ ଦୟାରେ ବିରୋଧୀ ଦଳ ନେତା ପଦବୀରେ ଅଧିଷ୍ଠିତ କରାଯାଇ ତାଙ୍କୁ ମଧ୍ୟ ଗୌଣ କରି ଦିଆଯାଇଛି । ଆଦିବାସୀମାନଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ଜୁଏଲ ଓରାମ ଏବେ କେବଳ ସୁନ୍ଦରଗଡରେ ହିଁ ସୀମାବଦ୍ଧ । ବିଜେଡି ଛାଡି ବିଜେପିକୁ ଆସି କେନ୍ଦ୍ରାପଡା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦଳର ମଙ୍ଗ ଧରିଥିବା ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ନିଜ ଦଳ ମଧ୍ୟରେ ଉପଯୁକ୍ତ ସମର୍ଥନ ମିଳୁନି । ଷ୍ଟ୍ରାଟେଜଳି ମାଷ୍ଟର ବିଜୟ ମହାପାତ୍ର ଏକପ୍ରକାର କୋଣଠେସା ।

ଟିଭି ନେତା ବନାମ ଫିଲ୍‌ଡ୍ ନେତା:
ସମୀକ୍ଷକଙ୍କ ମତରେ ବିଜେପିର ଯେତେ ନେତା ଫିଲ୍‌ଡରେ ଲୋକଙ୍କ ସହ କାମ କରୁଚନ୍ତି, ତାଠୁ ଅଧିକ ନେତା ଟିଭିରେ ଭାଷଣବାଜି କରୁଛନ୍ତି । ଲୋକେ ଏମାନଙ୍କୁ ପ୍ରେସ କନ୍‌ଫରେନ୍ସ ନେତା ବୋଲି କହିବାକୁ ମଧ୍ୟ ପଛାଉନାହାନ୍ତି । ଏମାନେ ଅଧିକ ସମୟରେ ସାମ୍ବାଦିକ ସମ୍ମିଳନୀ, ପ୍ରେସ ରିଲିଜ, ଟିଭିର ଆଲୋଚନଚକ୍ର ଆଦିରେ ବହୁତ ଗରାମଗରମ ଭାଷଣ ଦେଉଚନ୍ତି, ହେଲେ ଫିଲ୍‌ଡରେ ସେମାନଙ୍କ ଦେଖା ମିଳୁନି । ଏଭଳି ନେତାଙ୍କ ଉପସ୍ଥିତି ଭୋଟ ରାଜନୀତିରେ ସେମିତି ବିଶେଷ ପ୍ରଭାବ ପକାଇବନାହିଁ ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ମତ । ତେଣୁ କେଉଁ ଷ୍ଟ୍ରାଟେଜି ବଳରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶାରେ ସରକାର ପରିବର୍ତନ ଆଶା କରିଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଧାମନଗରରୁ ଆଶ୍ୱସ୍ତି:
ଧାମନଗର ନିର୍ବାଚନୀ ଫଳ ବିଜେପିକୁ ଅନେକ ମାତ୍ରାରେ ଆଶ୍ୱସ୍ତି ଦେଇଛି । ବିଜେଡିର ସବୁ କସରତ ସତ୍ୱେ ବିଜେପି ବାଜିମାତ କରିଛି । ନବୀନ ଯେ ଅପରାଜେୟ ନୁହନ୍ତି, ତାହା ଧାମନଗର ନିର୍ବାଚନ ଫଳ ପ୍ରମାଣିତ କରିଛି । ବିଜେପିର ଐକବଦ୍ଧ ଲଢେଇକୁ ଏହାର ଶ୍ରେୟ ଦିଆଯାଉଥିବା ବେଳେ ବିଜେଡିର ଗୋଷ୍ଠୀ କନ୍ଦଳ ଯୁଗର ଅୟମାରମ୍ଭ ହୋଇଛି ।

Leave A Reply

Your email address will not be published.