ଗେହଲୋଟଙ୍କ ପରେ ପାଇଲଟ ଭେଟିବେ ସୋନିଆଙ୍କୁ

1 18

ନୂଆଦିଲ୍ଲୀ: ଡିସେମ୍ବରରେ ରାଜସ୍ଥାନର ଗେହଲୋଟ ସରକାର ତିନି ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟରେ ଥିବା ଦୁଇ ଶୀର୍ଶ ନେତାଙ୍କ କନ୍ଦଳର ସମାଧାନ କିଭଳି ହେବ ସେ ନେଇ ଦିଲ୍ଲୀ କଂଗ୍ରେସ ଚିନ୍ତିତ । ପ୍ରଥମେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଆସି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଆସି ଭେଟିଥିଲେ। ଏହାପରେ ଏବେ ସଚିନ ପାଇଲଟ ବିଳମ୍ବିତ ରାତିରେ ଆସି ଦିଲ୍ଲୀ ପହଂଚିଥିବା ସୂଚନା ରହିଛି। ଆଜି ସେ ସୋନିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ସଚିନ ପାଇଲଟ ଦିଲ୍ଲୀରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କଂଗ୍ରେସ ସଭାପତିଙ୍କୁ ଭେଟିବା ପରେ ଜୟପୁର ଫେରିଯାଇଛନ୍ତି। ଗେହଲୋଟ୍ ଗୁରୁବାର ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ସହ ଭଲ ପରିବେଶରେ ଆଲୋଚନା ହୋଇଛି। ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ ଏବଂ ରାଜନୀତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ହାଇକମାଣ୍ଡଙ୍କ ସମ୍ମୁଖରେ ପୂରା ମାମଲା ରଖାଯାଇଛି। ହାଇ କମାଣ୍ଡ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଗ୍ରହଣ କରାଯିବ।

ସଚିନ୍ ଏବଂ ଗେହଲୋଟ୍ ଦିଲ୍ଲୀ ଗସ୍ତରେ ଆସି ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ପ୍ରସ୍ତାବିତ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ରାଜନୀତିକ ନିଯୁକ୍ତିକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ ଖୁବ ଶୀଘ୍ର ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ ଉପରେ ନିଷ୍ପତ୍ତି ନିଆଯିବ।

ସୂଚନାନୁସାରେ, ଆଠରୁ ବାରଟି ନୂଆ ଚେହେରା କ୍ୟାବିନେଟରେ ସ୍ଥାନ ପାଇବ ଏବଂ ତିନି ପୁରୁଣା ଚେହେରାଙ୍କୁ ହଟାଯାଇପାରେ। ପାଇଲଟ୍ କ୍ୟାମ୍ପର ଚେହେରା କ୍ୟାବିନେଟରେ ସାମିଲ ହୋଇପାରନ୍ତି। ଗେହଲୋଟ୍ ସରକାରରେ 9ଟି ଖାଲି ମନ୍ତ୍ରୀ ପଦ ରହିଛି। ରାଜ୍ୟରେ ମୋଟ 30 ଜଣ ମନ୍ତ୍ରୀ ରହିପାରିବେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସମେତ 21 ଜଣ ଅଛନ୍ତି, ଅତି କମରେ 9 ଜଣ ମନ୍ତ୍ରୀ ହୋଇପାରିବେ। ସରକାର ଗଠନ ପରେ ମଧ୍ୟ ଗେହଲୋଟ୍ କ୍ୟାବିନେଟ୍ ସଂପ୍ରସାରଣ କରି ନାହାନ୍ତି।

1 Comment
  1. Sallyt says

    Great mix of humor and insight! For more, click here: READ MORE. Let’s discuss!

Leave A Reply

Your email address will not be published.