ମୋଦିଙ୍କ ‘ମାଷ୍ଟରଷ୍ଟ୍ରୋକ’, ଅକଳରେ କଂଗ୍ରେସ ?

0 84

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିବା ପରେ ଅକଳରେ ବିରୋଧୀ କଂଗ୍ରେସ। ଯେଉଁ ପ୍ରସଙ୍ଗକୁ ବିଧାନସଭା ନିର୍ବାଚନ ବେଳେ ରାଜନୀତିର ତତଲା କଢାରେ ଭାଜି ବିଜେପିକୁ ପାଉଁଶ କରିବାକୁ ଚେଷ୍ଟା କରିଥିଲା ସେଥିରେ ବିଜେପି ଏକ ପ୍ରକାର ଫୁଲଷ୍ଟପ ପକାଇଛି ।

ମୋଦି ସରକାର ତିନି କୃଷି ଆଇନ ରଦ୍ଦ କରି ଯଦିଓ ବ୍ୟାକଫୁଟରେ ରହିଛନ୍ତି ଏବଂ ବିରୋଧୀ ଏବଂ ଆନ୍ଦୋଳନକାରୀ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ବୋଲି ପରୋକ୍ଷରେ କହିଛନ୍ତି। କିନ୍ତୁ ରାଜନୀତିର ଅସଲ ଉଦ୍ଦେଶ୍ୟ କ୍ଷମତା ସାଧନ ପାଇଁ ବିଜେପି ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି। ଯାହାକି ବିରୋଧୀ କଂଗ୍ରେସ ଏବଂ ଆନ୍ଦୋଳନକାରୀ ଚାଷୀଙ୍କ ହାତରୁ ପ୍ରସଙ୍ଗ ଛଡାଇ ନେଇଛି । ତେଣୁ ଯେଉଁ ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କୁ ଗୁରୁ ପର୍ବ ଅବସରରେ ମୋଦି ସରକାର ବିଜୟ ହୋଇଛ କହି ଉପହାର ଦେଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ଅସଲରେ କାହାର ବିଜୟ ହୋଇଛି ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡିବ। ଯାହାକି 2024 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପଚରାଯାଇଥିଲା ଯେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ତାଙ୍କ ଦଳ ବିଜେପି ସହିତ ଯିବ କି? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ତିନି ମାସ ଧରି ଏହା କହୁଥିଲି। ମୁଁ କହିଥିଲି ଯେ କୃଷକଙ୍କ ସମସ୍ୟା ପ୍ରଥମ, ଏହାର ସମାଧାନ ହେଲେ ଆମେ ଆପଣଙ୍କ (ବିଜେପି) ସହ ସିଟ୍ ଆଡଜଷ୍ଟମେଣ୍ଟ୍ କରିବୁ।

ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ବର୍ତ୍ତମାନ ପଞ୍ଜାବରେ ଏକ ନୂଆ ରାଜନୀତିକ ସମୀକରଣ ତିଆରି କରିଛି। ରାଜ୍ୟରେ ଶାସନ ଭାର କଂଗ୍ରେସ ହାତରେ ରହିଛି। ହେଲେ ପୂର୍ବ ବିଧାନସଭା ନିର୍ବାଚନରେ ଯିଏ କଂଗ୍ରେସର ପୋଷ୍ଟର ବୟ ସିଏ ଏବେ ନୂଆ ଦଳ ଗଢିଛନ୍ତି। ଆଉ ରାଜ୍ୟରେ କଂଗ୍ରେସ ଭିତରେ ଚାଲିଥିବା କନ୍ଦଳର ଭରପୁର ଫାଇଦା ନେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅପେକ୍ଷା କରିଛନ୍ତି। ପଂଜାବରେ ଅମରିନ୍ଦର କଂଗ୍ରେସ ଛାଡିବା ପରେ ବିଜେପି ସହିତ ଯୋଗାଯୋଗରେ ରହିଛନ୍ତି। ଏମିତିକି ଅମରିନ୍ଦରଙ୍କ ପଛରେ ବିଜେପି ଛିଡା ହୋଇଛି ବୋଲି କୁହାଯାଉଛି। ରାଜ୍ୟରେ କ୍ୟାପଟେନ ଗୋଟିଏ ବଡ ଚେହେରା। 2017ରେ ଅମରିନ୍ଦରଙ୍କ ନେତୃତ୍ବରେ କଂଗ୍ରେସ କ୍ଷମତାକୁ ଫେରିଥିଲା। ତେଣୁ ଏବେ କୃଷି ଆଇନ ରଦ୍ଦ ପରେ ବିଜେପି ଏବେ ଅମରିନ୍ଦରଙ୍କ ପରଦା ପଛରେ ସମର୍ଥନ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ରାଜ୍ୟର ବିରୋଧୀ ଆସନରେ ଥିବା ଶିରୋମଣି ଅକାଳି ଦଳ ମଧ୍ୟ ଆଗାମୀ ଦିନରେ କ୍ୟାପଟେନଙ୍କୁ ସମର୍ଥନ କରିପାରେ। ସେହିପରି ସମାନ ସମୟରେ ୟୁପିରେ ମଧ୍ୟ ବିଧାନସଭା ନିର୍ବାଚନ ରହିଛି। ଯଦିଓ ଚାଷୀ ଆନ୍ଦୋଳନ ବେଳେ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି କିନ୍ତୁ ବିଧାନସଭା ଆସନ ବେଳେ ସମସ୍ତ ବିରୋଧୀ ଏବଂ ଚାଷୀ ଆନ୍ଦୋଳନକାରୀ ଗଣିତ ଓଲଟପାଲଟ କରିପାରନ୍ତି ବୋଲି ବିଜେପି ଏକ ସର୍ଭେରୁ ହୃଦବୋଧ କରିଛି।

Leave A Reply

Your email address will not be published.