ମୋ ଛାଇକୁ ବି ନବୀନଙ୍କ ପ୍ରବଳ ଡର: ବିଜୟ ମହାପାତ୍ର

୨୦୧୦ ମସିହାରେ ଦିଲ୍ଲୀରୁ ପ୍ରକାଶିତ ସମ୍ବାଦ ପତ୍ରିକା ‘ଦ ସନ୍‌ଡେ ଇନ୍‌ଡିୟାନ’ରେ ପ୍ରକାଶିତ ସାକ୍ଷାତକାରର କିୟଦାଂଶ । ସାକ୍ଷାତକାର : ସୁବ୍ରତ ଦାଶ

0 534

ପ୍ର: ଶେଷରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆପଣ ବିଜେପିରେ ଯୋଗ ଦେଇଛନ୍ତି । ଆପଣ ଯୋଗଦେବା ପରେ ବିଜେପିର ଶକ୍ତି ବୃଦ୍ଧି ପାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେଡିରୁ ବହିଷ୍କୃତ ହେବା ପରେ ଅର୍ଥାତ ୨୦୦୦ ମସିହାରେ ଆପଣ ବିଜେପିରେ ଯୋଗଦେବାକୁ ଚିନ୍ତା କରିଥିଲେ ବୋଲି ଶୁଣାଯାଏ?

-ରାଜ୍ୟରୁ କଂଗ୍ରେସର ଦୁର୍ନୀତିଗ୍ରସ୍ତ, ସ୍ୱେଚ୍ଛାଚାରୀ କୁଶାସନକୁ ହଟାଇବା ପାଇଁ ଆମେ ଜନତା ଦଳ ଭାଙ୍ଗି ବିଜେଡି ଗଢିଥିଲୁ । ଆମର ପ୍ରଥମ ଟାର୍ଗେଟ ଥିଲା କଂଗ୍ରେସକୁ ହଟାଇ ରାଜ୍ୟରେ ଏକ ସ୍ୱଚ୍ଛ ଶାସନ ଦେବା । ଲୋକେ ମଧ୍ୟ ଆମର ଏହି ନିଷ୍ପତିକୁ ବିପୁଳ ସଂଖ୍ୟାରେ ଭୋଟ ମାଧ୍ୟମରେ ସମର୍ଥନ ଜଣାଇଥିଲେ । ତେବେ ବିଜେଡିରୁ ମୋତେ ଯେଉଁ ପରି ଢଙ୍ଗରେ ଅଲଗା କରିଦିଆଗଲା ତାହା କାହାରିକୁ ଅଛପା ନାହିଁ । ତେଣୁ ମୋ ନୀତି ଓ ଆଦର୍ଶକୁ ଲୋକଲୋଚନକୁ ଆଣିବାକୁ ମୁଁ ଏକ ନୂଆଦଳ ଗଢିଲି । ବିଜେପି ଯେହେତୁ ସେତେବେଳେ ବିଜେଡିର ସହଯୋଗୀ ଦଳ ଥିଲା, ସେଥିରେ ମିଶିବାର ପ୍ରଶ୍ନ ଉଠୁ ନ ଥିଲା ।

ପ୍ର: ବିଜେପିର ଜଣେ ତୁଙ୍ଗ ନେତା କହନ୍ତି ଯେ, ୨୦୦୦ ମସିହାରେ ଆପଣ କିଛି ଅନୁଗତଙ୍କ ସହ ବିଜେପିରେ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ ଓ ଏଥିପାଇଁ ଆଡଭାନୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ତେବେ କାଳେ ବିଜେଡି ଅସନ୍ତୁଷ୍ଟ ହେବ, ସେଥିପାଇଁ ଆପଣଙ୍କୁ ପାର୍ଟିରେ ଗ୍ରହଣ କରାଯାଇ ନ ଥିଲା?

-ନା, ସେପରି କିଛି ଘଟଣା ଘଟିନି । ବିଜେପିର ନୀତି ଓ ଆଦର୍ଶ ସହ ମୁଁ ଏକମତ ଥିଲି । ସେମାନଙ୍କ କେନ୍ଦ୍ରୀୟ ନେତା ଆସିଲେ ମୁଁ ସାକ୍ଷାତ ଆଲୋଚନା କରେ । ଆଡଭାନୀଙ୍କୁ ମଧ୍ୟ ଭେଟିଛି । ତେବେ ପାର୍ଟିରେ ଯୋଗଦେବା ନିମନ୍ତେ ମୁଁ ଅନୁରୋଧ କରିନାହିଁ ।

ରାଜ୍ୟରୁ କଂଗ୍ରେସର ଦୁର୍ନୀତିଗ୍ରସ୍ତ, ସ୍ୱେଚ୍ଛାଚାରୀ କୁଶାସନକୁ ହଟାଇବା ପାଇଁ ଆମେ ଜନତା ଦଳ ଭାଙ୍ଗି ବିଜେଡି ଗଢିଥିଲୁ

ପ୍ର: ଆପଣ ବିଜେଡିର ପ୍ରତିଷ୍ଠାତା ସଦସ୍ୟ, କିନ୍ତୁ ଠିକ୍ ବେଳେ ଆପଣଙ୍କୁ ଏହି ଦଳରୁ ଅପ୍ରତ୍ୟାଶିତ ଢଙ୍ଗରେ ବିଦା କରାଗଲା । ତା ପରେ ଆପଣ ଓଜିିପି ଗଢିଲେ । କିନ୍ତୁ ଆପଣଙ୍କ ସହଯୋଗୀମାନେ ଭୋଟବେଳେ ଆପଣଙ୍କୁ ଛାଡି ଚାଲିଗଲେ । ତା ପରେ ଆପଣ ଏନସିପିରେ ମିଶିଲେ, କିନ୍ତୁ ବିଜେଡି ସହ ମେଂଟଣ୍ଟ କରିବାକୁ ଏନସିପିର ହାଇକମାଣ୍ଡ ଆପଣଙ୍କୁ ବାଦ୍ ଦେବାକୁ ମଧ୍ୟ ପଛଘୁଂଚା ଦେଲନି । ଆପଣଙ୍କ ସହ ବାରମ୍ବାର ଏପରି ଧୋକା ହେଉଛି କାହିଁକି?

-ଏଥିପାଇଁ ଦାୟୀ କେବଳ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଚାହାନ୍ତି ବିଜୟ ମହାପାତ୍ରର ପଲିଟିକାଲ କ୍ୟାରିୟର ଶେଷ ହୋଇଯାଉ । ସେହି ଲକ୍ଷ୍ୟରେ ସେ ମୋତେ ବିଜେଡିରୁ ହଟାଇଲେ, ଓଜିିିପିରେ ବିଘଟନ ଘଟାଇଲେ, ଏନସିପି ନେତାଙ୍କୁ କୁହାବୋଲା କରି ଏଠାରେ ମଧ୍ୟ ରାସ୍ତା ପରିଷ୍କାର କଲେ । ମୁଁ କହିବି ବିଜୟ ମହାପାତ୍ରକୁ ନବୀନଙ୍କ ପ୍ରବଳ ଡର । ମୋ ଛାଇକୁ ମଧ୍ୟ ସେ ଭୟ କରନ୍ତି । ସେ ମୋତେ କାହିଁକି ଏତେମାତ୍ରାରେ ଡରନ୍ତି ମୁଁ ଜାଣେନା । ଖାଲି ଏତିକି କହିବି-ଭୁଲ୍ କଲେ ମଣିଷ ନିଜ ଛାଇକୁ ମଧ୍ୟ ଡରିଥାଏ ।

ପ୍ର: ଶୁଣାଯାଏ ଯେ, ଆପଣ ହଟିଲେ ଯାଇ ଏନସିପି ସହ ବିଜେଡି ମେଂଟଣ୍ଟ କରିବ ବୋଲି ନବୀନ ଶରଦ ପାୱାରଙ୍କ ସହ ସର୍ତ ରଖିଥିଲେ…
-ହଁ ଏହା ସମ୍ପୂର୍ଣ୍ଣ ସତ । ଦୀର୍ଘ ୬ ମାସ ହେବ ନବୀନ ଓ ଶରଦ ପାୱାରଙ୍କ ମଧ୍ୟରେ କଥାବାର୍ତା ଚାଲିଥିଲା । ଗୋଟିଏ ନୁହେଁ ନବୀନ ୩ଟି ସର୍ତ ରଖିଥିଲେ-ବିଜୟ ମହାପାତ୍ର କୌଣସି ଉପାୟରେ ବିଧାନସଭାକୁ ଯିବେନି, ଦଳ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବନି, ତାଙ୍କୁ କୌଣସି ଦଳୀୟ ପଦ ପଦବୀରେ ରଖାଯିବନି

ପ୍ର: ବିଜୟ ମହାପାତ୍ରଙ୍କ ଟାର୍ଗେଟ ନମ୍ବର ୧ କିଏ?

-ନିଶ୍ଚିତ ଭାବେ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ତାଙ୍କ ୧୦ ବର୍ଷର ଶାସନ କାଳ ମଧ୍ୟରେ ଓଡିଶାକୁ ତଳିତଳାନ୍ତ କରିଦେଇଛନ୍ତି । କୌଣସି ବ୍ୟକ୍ତିଗତ ଶତ୍ରୁତା ନୁହେଁ, ନୀତିଗତ ଭାବେ ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ବିରୋଧ କରିବି । ତେବେ କଂଗ୍ରେସ ମଧ୍ୟ ରାଜ୍ୟର ଅନେକ କ୍ଷତି ସାଧନ କରିଛି । ଏହି ଦଳକୁ କ୍ଷମତାରୁ ଦୂରେଇ ରଖିବାକୁ ସବୁମତେ ଉଦ୍ୟମ କରାଯିବ ।

ପ୍ର: ଆପଣ ଖାଲି ଯେ, ନବୀନ ପଟ୍ଟନାୟକଙ୍କର ଜଣେ ବଡ ସମାଲୋଚକ, ସେକଥା ନୁହେଁ ଆପଣ ବିଜେଡି ବିଜେପି ସରକାରଙ୍କୁ ମଧ୍ୟ କଡା ସମାଲୋଚନା କରୁଥିଲେ । ଏବେ ବିଜେପିରେ ମିଶିବା ପରେ ନୀତିଗତ ଭାବେ କିଛି ଅସୁବିଧା ହେଉନି?

-ମୁଁ କାହାକୁ ବ୍ୟକ୍ତିଗତ ଭାବେ ସମାଲୋଚନା କରୁ ନ ଥିଲି । ସରକାରଙ୍କ ନୀତିକୁ ସମାଲୋଚନା କରୁଥିଲି । ମୁଁ ସେତେବେଳେ ସରକାରଙ୍କ ଯେଉଁ ନୀତିଗୁଡିକୁ ସମାଲୋଚନା କରୁଥିଲି ଆଜି ବିଜେପି ନେତାଏ ମଧ୍ୟ ସେଥିରେ ଏକମତ । କଳିଙ୍ଗନଗର ଗୁଳିକାଣ୍ଡ ଘଟଣାଠାରୁ ଆରମ୍ଭ କରି ପୋସ୍କୋକୁ ଖଣି ଓ ଜମି ଲିଜ୍ ଦେବା, ସବୁ ଘଟଣାକୁ ବିଜେପି ନେତାଏ ଏବେ ବିରୋଧ କରୁଛନ୍ତି । ତେଣୁ ମୁଁ କେବେବି ଅଯୌକ୍ତିକ କଥା କହିନି, ତେଣୁ ବିଜେପିରେ ଏବେ ମୋତେ କିଛି ବି ସେମିତି ଅସୁବିଧା ଲାଗୁନି ।

୨୦୧୦ ମସିହାରେ ଦିଲ୍ଲୀରୁ ପ୍ରକାଶିତ ସମ୍ବାଦ ପତ୍ରିକା ‘ଦ ସନ୍‌ଡେ ଇନ୍‌ଡିୟାନ’ରେ ପ୍ରକାଶିତ ସାକ୍ଷାତକାରର କିୟଦାଂଶ । ସାକ୍ଷାତକାର ନେଇଥିଲେ ସୁବ୍ରତ ଦାଶ

Leave A Reply

Your email address will not be published.