କଲାମଙ୍କୁ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ବାଜପାୟୀ…!

WHY VAJPAYEE CHOOSE KALAM AS PRESIDENTIAL CANDIDATE...? MUST READ

0 66

ନୂଆଦିଲ୍ଲୀ: ପ୍ରସିଦ୍ଧ ବୈଜ୍ଞାନିକ ତଥା ବାଗ୍ମୀ ଡ.ଏ.ପି.ଜେ ଅବଦୁଲ କଲାମ ୨୦୦୨ ମସିହାରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଜଣେ ପ୍ରତିରକ୍ଷା ବୈଜ୍ଞାନିକ ଭାବେ କଲାମ ଯେତିକି ସୁଖ୍ୟାତି ଅର୍ଜନ କରିଥିଲେ, ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି ଭାବେ ମଧ୍ୟ ସେ କୋଟି କୋଟି ଭାରତୀୟମାନଙ୍କ ଆଦର୍ଶ ସାଜି ପାରିଥିଲେ । ତେବେ ରାଜନୀତିରେ ଆଦୌ ରୁଚି ରଖୁ ନ ଥିବା ଏହି ସନ୍ନାସୀ ପ୍ରତିମ ମଣିଷ ଜଣକ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ ହେଲେ, ତାହା ଅନେଙ୍କୁ ଅଜଣା । କଲାମ୍ଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ପଛରେ ଥିଲା ଆଉ ଜଣେ ମହାମାନବ ତଥା ପ୍ରବାଦ ପୁରୁଷଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଆଉ କେହି ନୁହନ୍ତି, ସେ ହେଉଚନ୍ତି ସମସ୍ତଙ୍କ ପ୍ରିୟ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ ।
କଲାମଙ୍କ ପ୍ରାର୍ଥିତ୍ୱ ପଛରେ ଥିବା କାରଣ ଏହିପରି । ୨୦୦୨ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି କେ.ଆର ନାରାୟଣଙ୍କ କାର୍ଯ୍ୟକାଳ ଶେଷ ହେଲା । ସେତେବେଳେ ଦେଶରେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱାଧୀନ ଏନଡିଏ ଶାସନ କରୁଥିଲା । ବାଜପାୟୀ ପ୍ରଧାନମନ୍ତ୍ରୀ ଥିଲେ ସତ, ହେଲେ ତାଙ୍କୁ ସଣ୍ଢୁଆସି ଆକ୍ରମଣ କରୁଥିଲେ ନିଜ ମେଂଟର ସହଯୋଗୀ ବୃନ୍ଦ । ବିଶେଷ କରି ତୃୁଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କରୁଣାନିଧି, ସମତା ପାର୍ଟି ନେତା ନୀତିଶ କୁମାର, ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କଠାରୁ ବାରମ୍ବାର ବ୍ଲାକମେଲ୍ର ଶିକାର ହେଉଥିଲେ ବାଜପାୟୀ । ବିଜେଡି ନେତା ନବୀନ ପଟ୍ଟନାୟକଙ୍କର ଯଦିଓ ବାଜପାୟୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା, ତେବେ କେତେକ କାରଣକୁ ନେଇ ସେ ମଧ୍ୟ ଯିଦ୍ କରୁଥିବା ଦେଖିବାକୁ ମିଳୁତିଲା ।
ମେଂଟର ନେତାମାନଙ୍କୁ ଏକାଠି କରି ରଖିବା କଷ୍ଟସାଧ୍ୟ ଥିବା ବେଳେ ବିରୋଧୀ କଂଗ୍ରେସ ଓ ବାମପନ୍ଥୀମାନେ ବାଜପାୟୀ ସରକାରଙ୍କ ପତ୍ତନର ଦିନ ଗଣୁଥିଲେ । ମେଂଟ ସହଯୋଗୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ବାଜପାୟୀ ସରକାରଙ୍କୁ ବିଦା କରିବା ବିରୋଧୀ ଦଳର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଠିକ୍ ଏତିକି ବେଳେ ରାଷ୍ଟ୍ରପତି ନିର୍ବାଚନ ବାଜପାୟୀ ସରକାର ଓ ଏନଡିଏର ସ୍ଥାୟିତ୍ୱ ପାଇଁ ଯେମିତି ଏକ ପରୀକ୍ଷା ଭାବେ ଉଭାହେଲା ।
ତକ୍ରାଳୀନ ବିଜେପି ନେତୃବର୍ଗଙ୍କର କିଛି ଅନୁଗାମୀଙ୍କ କହିବା ଅନୁଯାୟୀ ପି.ସି.ଆଲେକ୍ଜାଣ୍ଡାରଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଏକପ୍ରକାର ନିଷ୍ପତ୍ତି ହୋଇ ସାରିଥିଲା । କାରଣ ଆଲେକ୍ଜାଣ୍ଡାର ବାଜପାୟୀଙ୍କ ପସନ୍ଦଦାର ପ୍ରାର୍ଥୀ ଥିଲେ । ବାଜପାୟୀ ଚାହୁଁଥିଲେ ଏନଡିଏର ଏହି ପ୍ରାର୍ଥୀ ସର୍ବସମ୍ମତ କ୍ରମେ ନିର୍ବାଚିତ ହୁଅନ୍ତୁ । ତେବେ ବିରୋଧୀ ତ ବିରୋଧୀ, ଖୋଦ୍ ମେଂଟର ସହଯୋଗୀମାନଙ୍କୁ ଆଲେକ୍ଜାଣ୍ଡାର ପସନ୍ଦ ନ ଥିଲେ ।
ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଆଲେକ୍ଜେଣ୍ଡାରଙ୍କ ବଦଳରେ ଅନ୍ୟ କାହାକୁ ପ୍ରାର୍ଥୀ କରିବାକୁ କହିବା ସହ ସଂପୃକ୍ତ ପ୍ରାର୍ଥୀ ସର୍ବସମ୍ମତ ଭାବେ ନିର୍ବାଚିତ ହୁଅନ୍ତୁ ବୋଲି ସର୍ତ ରଖିଥିଲେ ।
ତକ୍ରାଳୀନ ଉପରାଷ୍ଟ୍ରପତି କ୍ରିଷ୍ଣକାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ପରେ ନିଷ୍ପତ୍ତି ନିଆଗଲା । ତେବେ ଏହାକୁ ମମତା ବାନାର୍ଜୀ, ବାଲ୍ ଥାକରେ ଓ ନବୀନ ପଟ୍ଟନାୟକ ବିରୋଧ କଲେ । ଏହାର ସୁଯୋଗ ନେଇ କଂଗ୍ରେସ ତକ୍ରାଳୀନ ରାଷ୍ଟ୍ରପତି କେ.ଆର ନାରାୟଣଙ୍କୁ ଦ୍ୱିତୀୟ ବାର ରାଷ୍ଟ୍ରପତି କରିବାକୁ ଉଦ୍ୟମ କଲା, ଯାହାକୁ ଏନଡିଏର କିଛି ନେତା ସମର୍ଥନ କରୁଥିବା ନେଇ ଚର୍ଚା ହେଲା । ପରିସ୍ଥିତି ଏପରି ହେଲା, ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଏନଡିଏ ଭାଙ୍ଗିଯିବା ପରିସ୍ଥିତି ସୃଷ୍ଟିହେଲା ।
ଠିକ୍ ଏତିକି ବେଳେ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ପ୍ରଧାନମନ୍ତ୍ରୀ ବାଜପାୟୀ । ସନ୍ଧ୍ୟାରେ ସେ ଏପରି ଜଣେ ବ୍ୟକ୍ତିଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କଲେ, ଯାହାଙ୍କୁ କେବଳ ନିଜ ମେଂଟର ସଦସ୍ୟ ନୁହନ୍ତି, ଖୋଦ ବିରୋଧୀ କଂଗ୍ରେସ ମଧ୍ୟ ତକ୍ରାଳ ସମର୍ଥନ ଜଣାଇଲା । ସେ ଆଉ କେହି ନ ଥିଲେ, ସେ ତିଲେ ବିଶିଷ୍ଟ ପ୍ରତିରକ୍ଷା ବୈଜ୍ଞାନିକ ଏପିଜେ ଅବଦୁଲ୍ କଲାମ ।
ପୋଖରନ-୨ ଆଣବିକ ପରୀକ୍ଷା ପରେ କଲାମ ଭାରତର ଘରେ ଘରେ ପରିଚିତ ଥିଲେ । ବାଜପାୟୀଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ କଲାମ କିଛିଦିନ କାମକରି ଘନିଷ୍ଠ ହୋଇପାରିଥିଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବାଜପାୟୀ କଲାମଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ । ଶୁଣିବାକୁ ମିଳେ ଯେ, ଖୋଦ୍ କଲାମ ମଧ୍ୟ ବାଜପାୟୀଙ୍କ ଏକଥାକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ । କଲାମ ନିଜ ଘରେ ଥିବାବେଳେ ଏନଡିଏର ପ୍ରାର୍ଥୀ ହେବାକୁ ଟେଲିଫୋନ କରି ବାଜପାୟୀ ଅନୁରୋଧ କଲେ । ବାଜପାୟୀଙ୍କ ପରି ବଂଧୁଙ୍କ ଅନୁରୋଧ ରକ୍ଷା କରିବାକୁ କୁଂଠିତ ହୋଇ ନ ଥିଲେ । ତା ପରେ ରାଜନୈତିକ ପ୍ରେକ୍ଷାପଟ ସମ୍ପୂର୍ଣ୍ଣ ବଦଳିଗଲା ।
ଚନ୍ଦ୍ରବାବୁ ନାଇଡୁ ଏହାକୁ ତକ୍ରାଳ ସମର୍ଥନ କରିବା ସହ ରାତିକ ଭିତରେ ହିଁ ମେଂଟ ସହଯୋଗୀଙ୍କ ସମର୍ଥନ ମିଳିଗଲା । ତା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ସମର୍ଥନ ଜଣାଇଦେଲେ । ଜଣେ ମୁସଲମାନଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ସେ ଇଚ୍ଛୁକ ବୋଲି କହି ସମାଜବାଦୀ ପାର୍ଟ ନେତା ମୁଲାୟମ ସିଂହ ଯାଦବ ସମର୍ଥନ ଜଣାଇଦେଲେ । ପରିସ୍ଥିତି ଏମିତି ଏମିତି ହେଲା, ତାମିଲନାଡୁର ଦୁଇ ପରସ୍ପର ବିରୋଧୀ ଦଳ ଡିଏମକେ ଓ ଏଆଇଡିଏମ୍କେ ମଧ୍ୟ କଲାମଙ୍କୁ ସମର୍ଥନ ଜଣାଇଦେଲେ । କେବଳ ବାମପନ୍ଥୀଙ୍କୁ ଛାଡି ଅନ୍ୟ ସମସ୍ତେ କଲାମଙ୍କୁ ସମର୍ଥନ ଜଣାଇଲେ । ଏନଡିଏ ପ୍ରାର୍ଥୀ କଲାମ ଓ ମିଳିତ ବାମପନ୍ଥୀ ଦଳର ପ୍ରାର୍ଥୀ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ସେହେଗଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଲା, ଯେଉଁଥିରେ କଲାମ ୯୦ ପ୍ରତିଶତ ଭୋଟ ଭାଇ ଦେଶର ୧୧ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ।
ପ୍ରତିକୁଳ ପରିସ୍ଥିତିରେ ବି କେମିତି ଦେଶକୁ ଏକତାର ସୂତ୍ରରେ ବନ୍ଧାଯାଇପାରେ, କଲାମଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବାଜପାୟୀ ତାହା ପ୍ରମାଣିତ କରିଥିଲେ ।

VAJPAYEE AND KALAM

Leave A Reply

Your email address will not be published.