କେନ୍ଦ୍ରକୁ ହାଇକୋର୍ଟଙ୍କ ପ୍ରଶ୍ନ, ପେଟ୍ରୋଲ ଓ ଡିଜେଲ କାହିଁକି ଜିଏସଟି ପରିସରଭୁକ୍ତ ହେବନି?

0 41

ଥିରୁଅନନ୍ତପୁରମ: ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନରେ କାହିଁକି ଅଣାଯାଇପାରିବ ନାହିଁ ଏ ନେଇ କେରଳ ହାଇକୋର୍ଟ ଜିଏସଟି ପରିଷଦକୁ ଉତ୍ତର ମାଗିଛନ୍ତି। ସୋମବାର କେରଳ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ କେନ୍ଦ୍ର ସରକାର ଏବଂ ଜିଏସଟି ପରିଷଦକୁ ପେଟ୍ରୋଲ ଏବଂ ଡିଜେଲ ଅନ୍ତର୍ଭୂକ୍ତ ନକରିବାର କାରଣ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଉତ୍ପାଦ କାହିଁକି ଜିଏସଟି ଅଧୀନରେ ଆସିପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଏସ ମାଣିକୁମାରଙ୍କ ନେତୃତ୍ୱରେ ଏକ ବେଞ୍ଚ କେରଳ ପ୍ରଦେଶ ଗାନ୍ଧୀ ଦର୍ଶନୱାଦୀ ନାମକ ଏକ ସଂସ୍ଥା ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ଜିଏସଟି ପରିଷଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି ଯେଉଁଥିରେ ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧୀନରେ ନକରିବାକୁ ନିଷ୍ପତ୍ତି ନିଆଯାଇଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ନିକଟରେ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ପର୍ଯ୍ୟାୟରେ ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଅନ୍ତର୍ଭୁକ୍ତ କରିବା ଅନୁଚିତ। ଜିଏସଟି ଅଧୀନରେ ପେଟ୍ରୋଲିୟମ ଉତ୍ପାଦ ଆଣିବାକୁ ପରିଷଦର ବୈଠକ ବସିଥିଲା। କିନ୍ତୁ ପରିଷଦ ଏହାକୁ ଅନ୍ତର୍ଭୁକ୍ତ କରିବାକୁ ମନା କରିଦେଇଥିଲେ।

ଏହି ମାମଲାର ଶୁଣାଣି ସମୟରେ ଓକିଲ ଅରୁଣ ବି ଭାର୍ଗସେ ଯୁକ୍ତି କରିଛନ୍ତି ଯେ ଆବେଦନକାରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଜିଏସଟି ପରିଷଦ ପାଖରେ କୈଣସି ବୈଧ କାରଣ ନାହିଁ। ପରିଷଦ ଏହା ଉପରେ ମଧ୍ୟ କେବେ ଚିନ୍ତା କରିନି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢୁଥିବାରୁ ଏହା ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଯେଉଁମାନେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରୁ ନାହାନ୍ତି ସେମାନେ ମଧ୍ୟ ତେଲର ମୂଲ୍ୟ ବୃଦ୍ଧି ଦ୍ୱାରା ସମାନ ଭାବରେ ପ୍ରଭାବିତ ହେଉଛନ୍ତି।

ଆବେଦନକାରୀଙ୍କ କହିବାନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଟ୍ୟାକ୍ସର ବିଭିନ୍ନ ହାର ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଦର ବଢିଛି। ରାଜ୍ୟ ତଥା କେନ୍ଦ୍ରୀୟ ଟିକସ ଏକ ଲିଟର ପେଟ୍ରୋଲ କିମ୍ବା ଡିଜେଲ ମୂଲ୍ୟର ଅତିକମରେ 60 ପ୍ରତିଶତ ରହୁଛି। ହେଲେ ସମ୍ବିଧାନର ଧାରା 279A (6) ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଏକ ସୁସଙ୍ଗତ ଜାତୀୟ ବଜାର ହାସଲ କରିବାରେ ଏହା ଏକ ପ୍ରତିବନ୍ଧକ।

Leave A Reply

Your email address will not be published.