କାଲି ଧ୍ୱସ୍ତ ହେବ ଏହି ଟାୱାର୍‌..!

୯ ସେକେଣ୍ଡରେ ଉଡ଼ାଇଦେବେ ସରକାର ଭାରତରେ ପ୍ରଥମ, ଆତଙ୍କରେ ଦିଲ୍ଲୀ ଏନସିଆର ବାସିନ୍ଦା ସକାଳ ୭ରୁ ଘରୁ ବାହାରିବା ମନା

0 64

ମାତ୍ର ୯ ସେକେଣ୍ଡ ମଧ୍ୟରେ ଭ୍ରଷ୍ଟାଚାରର ଏହି ଟାୱାର ମାଟିରେ ମିଶିଯିବ । ତେବେ ଏହାକୁ ନେଇ ଆଖପାଖ ଲୋକଙ୍କ ଭୟ ବଢି ଯାଇଛି । କାରଣ ବ୍ଲାଷ୍ଟ ଯୋଗୁ କାଳେ କିଛି କ୍ଷୟକ୍ଷତି ହେବ, ସେ ନେଇ ଭୟରେ ଅଛନ୍ତି ସ୍ଥାନୀୟ ଲୋକେ । ସେଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୫୦ ମିଟର ପରିଧି ମଧ୍ୟରେ ଥିବା ଲୋକଙ୍କୁ ସତର୍କ କରିଦିଆଯାଇଛି । ଅପରାହ୍ନ ୨ଟାରେ ବିସ୍ପୋରଣ ସମୟ ରଖାଯାଇଥିବା ବେଳେ ସକାଳ ୭ଟା ପରଠୁ ସ୍ଥାନୀୟ ଅଂଚଳରେ ଏକପ୍ରକାର କର୍ଫ୍ୟୁ ଲାଗିଯିବ । ୭ଟାରୁ ସ୍ଥାନୀୟ ଅଂଚଳରେ ଇଲେକ୍ଟ୍ରି ସପ୍ଲାଏ ବନ୍ଦ କରିଦିଆଯିବ । ସେହିପରି ଘରକୁ ଯୋଗାଇ ଦିଆଯାଉଥିବା ପାଇପିଲାଇନ ଗ୍ୟାସ ସପ୍ଲାଏ ମଧ୍ୟ ବନ୍ଦ କରିଦିଆଯିବ । ଘର ଭିତରେ କାନ୍ଥରେ ଲାଗିଥିବା ଜିନିଷ ବାହାର କରିଦେବାକୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି । ସେହିପରି ନିଜ ଘରର ଏମସିବି, ଏସି ବନ୍ଦ ରଖିବା ସହ ବାଲକୋନୀରେ ରହିଥିବା ସମାଗ୍ରୀ ଭିତରେ ସୁରକ୍ଷିତ ଭାବେ ରଖିବାକୁ କୁହାଯାଇଛି । ଏହି ସମୟରେ ଖୁବ୍ ଭୟଙ୍କର ବିସ୍ଫୋରଣ ହେବାକୁ ଯାଉଥିବାରୁ ଘରର ଛାତ ଉପରେ ଠିଆ ନ ହେବାକୁ, କି ଏ ସମୟର ସେଲ୍‌ଫି ନ ନବାକୁ କୁହାଯାଇଛି । ଏହି ସମୟ ମଧ୍ୟରେ ଘର ଭିତରକୁ କେହି ନ ଯିବାକୁ କୁହାଯାଇଛି । ବ୍ଲାଷ୍ଟ ପରେ ଯେଉଁ ପ୍ରଚୁର ପରିମାଣର ଧୂଳିକଣା ଓ ଧୂଆଁ ବାହାରିବ, ତାହା ପ୍ରଦୂଷଣ ବଢାଇ ଦେଇପାରେ । ତେଣୁ ପାଣି ଓ ଗ୍ୟାସ ଟିମ୍‌କୁ ମୁତୟନ କରାଯାଇଛି । ୮୦ ହଜାର ଟନ୍ ୱାଷ୍ଟ ବାହାରିବ, ଯାହାକୁ ନୋଇଡାର ବିଭିନ୍ନ ସ୍ଥାନରେ ପକାଯିବ ।
ବୁଲା ଗାଈଗୋରୁ ବୁଲା କୁକୁର ଇତ୍ୟାଦି ଯେମିତି ବିସ୍ଫୋରଣରେ ମୃତାହତ ନ ହୁଅନ୍ତୁ, ସେଥିପାଇଁ ଏନଜିଓମାନେ ଏମାନଙ୍କୁ ଖାଲି କରିବାରେ ଲାଗି ପଡିଚନ୍ତି ।
କୌଣସି ବି ଜରୁରି ପରିସ୍ଥିତି ଘଟିଲେ, ତା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି । ନିକଟସ୍ଥ ହସ୍ପିଟାଲରେ ସଜ୍ୟା ସଂରକ୍ଷିତ ରଖାଯାଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ।
ନୋଏଡାର ସେକ୍‌ଟର ୯୮-ଏରେ ଥିବା ଏହି ଟ୍ୱିନ ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ହୋଇଥିବା ବେଳେ ଅନ୍ୟଟି ୨୯ ମହଲା ବିଶିଷ୍ଟ ।

କାହିଁକି ଭାଙ୍ଗିବ ଟ୍ୱିନ୍ ଟାୱାର..?
ଟ୍ୱିନ ଟାୱାର ପରି ନଭଶ୍ଚୁମ୍ଭୀ ଅଟ୍ଟାଳିକା ଭଙ୍ଗାଯିବା ପଛରେ କାରଣ ହେଉଛି ବେଆଇନ ନିର୍ମାଣ । ୨୦୦୫ ମସିହାରେ ସୁପରଟେକ୍ ନାମକ ଏକ ସଂସ୍ଥା ଦିଲ୍ଲୀ ଏନସିଆର ଅଂଚଳରେ ଏକ ଅଟ୍ଟାଳିକା ନିର୍ମାଣ କରିବାକୁ ନୋଏଡାଠାରୁ ଅନୁମତି ନେଇଥିଲା । ଏହି ବିଲ୍‌ଡିଂ ୧୪ ମହଲା ବିଶିଷ୍ଟ ରହିବ ଏବଂ ଏଥିରେ ଏକ ସପିଂ କଂପ୍ଲେସ ଓ ବଗିଚା ରହିବ ବୋଲି ଅନୁମତି ପତ୍ରରେ ସର୍ତ ରଖା ଯାଇଥିଲା । ତେବେ ପରବର୍ତୀ ସମୟରେ ଅର୍ଥାତ ୨୦୦୯ ମସିହାରେ ବେଆଇନ ଭାବେ ଚୁକ୍ତିନାମାରେ ଛେଡଛାଡ କରାଯାଇଥିଲା । କମ୍ପାନୀ କର୍ତୃପକ୍ଷ ନୋଏଡାର କିଛି ଅସାଧୁ ଅଧିକାରୀଙ୍କୁ ହାତ କରି ଏହି ଟାୱାରର ଉଚ୍ଚତା ୧୦୦ ମିଟରକୁ ବଢାଇଦେଲେ ଯାହା କୁତବ ମିନାରଠାରୁ ମଧ୍ୟ ଉଚ୍ଚା ହେଇଗଲା । କମ୍ପାନୀ ପକ୍ଷରୁ ବେଆଇନ ଭାବେ ଗୋଟିଏ ନୁହଁ, ଏକାଥରେ ଦୁଇଟି ଟାୱାର ନିର୍ମାଣ କରାଗଲା । ୩୨ ତାଲା ଟାୱାରର ନାମ ଆପେକ୍ସ ଓ ୨୯ ତାଲା ଟାୱାରର ନାମ ରଖାଗଲା ସିଆନି ।
ଆପତି ଜଣାଇଲେ ପଡୋଶୀ:
ତେବେ କମ୍ପାନୀ କର୍ତୃପକ୍ଷଙ୍କ ଏପରି ମନମୁଖୀ କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକେ, ବିଶେଷ କରି ଆଖପାଖ ଅଂଚଳର ଆପାର୍ଟମେଂଟରେ ରହୁଥିବା ଲୋକେ ପ୍ରତିବାଦ କଲେ । ତେବେ ନୋଏଡା ଅଧିକାରୀ ସେମାନଙ୍କ ଅଭିଯୋଗ ଅଣଦେଖା କରିବାରୁ ଶେଷରେ ୨୦୧୨ ମସିହାରେ ଆହ୍ଲାବାଦ ହାଇକୋର୍ଟରେ ପିଟିଶନ ଦାୟର କଲେ । ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ୨୦୧୪ ମସିହାରେ ଏକ ଐତିହାସିକ ରାୟ ଦେଇ ଟ୍ୱିନ ଟାୱାରକୁ ଅବୈଧ ଘୋଷଣା କରିବା ସହ ଏହାକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦେଲେ । ତେବେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିଷ୍ପତି ବିରୁଦ୍ଧରେ ଉଭୟ ନିର୍ମାଣକାରୀ ସଂସ୍ଥା ସୁପରଟେକ୍ ଓ ନୋଏଡା କର୍ତୃପକ୍ଷ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଗତ ୨୦୨୧ ମସିହା ଅଗଷ୍ଟ ୩୧ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଉପରୋକ୍ତ ଆଦେଶକୁ କାଏମ ରଖିବା ସହ ଅବୈଦ୍ଧ ଭାବେ ନିର୍ମାଣ ହୋଇଥିବା ଟ୍ୱିନ ଟାୱାରକୁ ତୁରନ୍ତ ଭାଙ୍ଗିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କୋଠା ନିର୍ମାଣରେ ପ୍ରଚଳିତ ଉତର ପ୍ରଦେଶ ଆପାର୍ଟମେଂଟ ଆକ୍‌ଟ-୨୦୧୦ କୁ ଉଲ୍ଲଂଘନ କରାଯାଇଛି ବୋଲି ହୃଦୟଙ୍ଗମ କରିବା ପରେ ସୁପ୍ରିମ କୋର୍ଟ ଏପରି ଆଦେଶ ଦେଇଛନ୍ତି ।

କେମିତି ଭଙ୍ଗାଯିବ ଟ୍ୱିନ୍ ଟାୱାର:
ଟ୍ୱିନ ଟାୱାର ଭାଙ୍ଗିବା ପାଇଁ ପ୍ରାୟ ୧ ବର୍ଷ ହେବ ଯୋଜନା ପ୍ରସ୍ତୁତି ଚାଲିଚି । ଏଥିପାଇଁ ଏକ ବିସ୍ଫୋରଣ କରାଯିବ । ଏହି ବିସ୍ଫୋରଣରେ ପ୍ରାୟ ୩,୭୦୦ କେଜି ଏକ୍ସପ୍ଲୋସିଭ୍ ଲାଗିବ । ଏଥିପାଇଁ ଦକ୍ଷିଣ ଆଫ୍ରିକାର ଏକ ସଂସ୍ଥା ସହ ଭାରତର ଏଡିଫିକ୍ ଇଂଜନିୟରିଂ କାର୍ଯ୍ୟ କରୁଛି ।

Leave A Reply

Your email address will not be published.