କାହାନ୍ତି କଂଗ୍ରେସର ହେଭିୱେଟ୍‌…!

ସୁର-ତାରାରେ ସୀମିତ କଂଗ୍ରେସର ରୋକ୍‌ଠୋକ୍ ଆଭିମୁଖ୍ୟ ଚିରଂଜୀବୀ କାଁ ଭାଁ, ରଂଜୀବଙ୍କ ଦେଖାନାହିଁ ୨ କାର୍ଯ୍ୟକାରୀ ସଭାପତି ଦଳ ଡେଇଁ ଛୁ...

0 579

ଭୁବନେଶ୍ୱର: ଦୀର୍ଘଦିନ ଧରି ଶାସକ ଦଳ, ପରେ ମୁଖ୍ୟ ବିରୋଧୀ ଦଳ, ଆଉ ଏବେ ଦୁଇ ନମ୍ବର ବିରୋଧୀ ଦଳ, କ୍ରମଶଃ ବିଲୁପ୍ତି ଆଡକୁ ଗତି କରୁଛି ରାଜ୍ୟ କଂଗ୍ରେସ । ଜଣକ ପରେ ଜଣେ ନେତା ଦଳ ଛାଡୁଥିବା ବେଳେ, ବାକି ଯେତିକି ଅଛନ୍ତି, ସେମାନଙ୍କ ଭିତରେ ସହଯୋଗ ପରିବର୍ତେ ବିରୋଧାଭାବ ବେଶୀ ପରିଲକ୍ଷିତ ହେଉଛି । ଅବସ୍ଥା ଏମିତି ହେଲାଣି, ବର୍ତମାନ ରାଜ୍ୟ କଂଗ୍ରେସରେ ଜଣେ ବି ହେଭିୱେଟ ନେତା ନାହାନ୍ତି କହିଲେ ଚଳେ,ଯାହାର ରାଜ୍ୟ ବ୍ୟାପୀ ଲୋକପ୍ରିୟତା ରହିଛି ।ଅନ୍ୟପକ୍ଷରେ କହିବାକୁ ଗଲେ ଯାହାକୁ ଦେଖିବାକୁ ବା ଯାହାର କଥା ଶୁଣିବାକୁ ସାଧାରଣ ଜନତା ଆଗ୍ରହ ପ୍ରକାଶ କରିବେ ।

ଦିନଥିଲା ଯେତେବେଳେ ହେଭିୱେଟ୍ ନେତା କହିଲେ କେବଳ କଂଗ୍ରେସ ନେତାଙ୍କୁ ହିଁ ବୁଝାଉଥିଲା । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯାଏ, ଟାଣୁଆ ନେତା କେବଳ କଂଗ୍ରେସ ହିଁ ଭେଟି ଦେଇଥିଲା । ଏମାନଙ୍କର ଜାତୀୟ ସ୍ତରରେ ମଧ୍ୟ ବେଶ୍ ପରିଚିତି ଥିଲା । ୮୦ ଓ ୯୦ ଦଶକରେ ମଧ୍ୟ କଂଗ୍ରେସରେ ହେଭିୱେଟଙ୍କ ଅଭାବ ନ ଥିଲା । ଜାନକୀ ବଲ୍ଲଭଙ୍କ ବ୍ୟତୀତ ନନ୍ଦିନୀ ଶତପଥୀ, ବସନ୍ତ ବିଶ୍ୱାଳ, ରାମଚନ୍ଦ୍ର ଉଲାକା, ହେମାନନ୍ଦ ବିଶ୍ୱାଳ, କାହ୍ନୁ ଲେଙ୍କା, ଯଦୁନାଥ ଦାସ ମହାପାତ୍ର, ଭାଗବତ ମହାନ୍ତି, ଲୁଲୁ ମହାପାତ୍ର,ଜୟନ୍ତୀ ପଟ୍ଟନାୟକ, କେ.ପି ସିଂଦେଓଙ୍କ ପରି ନେତାମାନେ ଥିଲେ, ଯେଉଁମାନଙ୍କର କ୍ରାଉଡ୍ ପୁଲିଂ କ୍ୟାପାସିଟି ଥିଲା । ଜଣେ ଜଣେ ନେତାଙ୍କ ସଭାରେ ମଧ୍ୟ ହଜାର ହଜାର ଜନତା ଭିଡ଼ ଲଗାଉଥିଲେ ।

ନବୀନ ଆଗମନ, ଜାନକୀ-ବସନ୍ତ ବିଦାୟ:

ତେବେ ପରବର୍ତୀ ପିଢିର ନେତାମାନଙ୍କ ମଧ୍ୟରେ ଆଉ ସେହି ଚମକ ଦେଖିବାକୁ ମିଳିଲାନାହିଁ । ବିଶେଷ କରି ୨୦୦୦ ମସିହାରେ ଦଳ ଶାସନ ଗାଦିରୁ ହଟିବା ପରେ ଦଳର ନେତାମାନଙ୍କ ଲୋକପ୍ରିୟତା କ୍ରମଶଃ ହ୍ରାସ ପାଇଲା । ରାଜନୀତରେ ନବାଗତ ନବୀନ ବାବୁଙ୍କ ହାତରେ ଶୋଚନୀୟ ପାରାଜୟ ପରେ ଅନେକ କଂଗ୍ରେସ ନେତା ଦୀର୍ଘଦିନ ଯାଏ ମୁହଁ ଲୁଚାଇ ରହିଲେ । ଯଦିଓ ଜାନକୀ ବାବୁ କିଛିଦିନ ମଙ୍ଗ ସମ୍ଭାଳିଲେ, ତେବେ ତାଙ୍କ ପାଇଁ ଦଳ କ୍ଷତି ସହିଲା ପଛେ, ଲାଭବାନ ହୋଇପାରିଲାନି । ସେହିପରି ବସନ୍ତ ବିଶ୍ୱାଳ, ନନ୍ଦିନୀ ଶତପଥୀ, କାହ୍ନୁ ଲେଙ୍କା, କେପି ସିଂଦେଓଙ୍କ ଭଳି ନେତାମାନେ ମଧ୍ୟ ଆଉ ପ୍ରଭାବଶାଳୀ ହୋଇ ରହିପାରିଲେନି ।

ଚଉକି ସମ୍ପବାଳିବାରେ ରହିଲେ ସୀମିତ:

୨୦୦୦ ପରବର୍ତୀ ସମୟରେ ଯେଉଁମାନେ କଂଗ୍ରେସର ମଙ୍ଗ ଧରିଲେ, ସେମାନଙ୍କ ଭିତରେ ଆଉ ପୂର୍ବବର୍ତୀ ସ୍ପୃହା ନ ଥିଲା । ବିଶେଷ କରି ୨୦୦୪ ମସିହା ନିର୍ବାଚନରେ ଦଳ ପୁଣିଥରେ ଶୋଚନୀୟ ପରାଜୟ ବରଣ କରିବା ପରେ ଦଳର ତୁଙ୍ଗ ନେତାମାନେ ନିରାଶ ହୋଇପଡିଲେ । ଯାହାଫଳରେ ସେମାନେ ଦଳର ସମାଗ୍ରିକ ବିକାଶ ପରିବର୍ତେ ନିଜର ବ୍ୟକ୍ତିଗତ ବିକାଶ ଉପରେ ବେଶୀ ଚିନ୍ତାକଲେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦିଅନ୍ତି । ଜୟଦେବ ଜେନା, କେପି ସିଂଦେଓ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ତଥା ବର୍ତମାନର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ନେତାମାନେ ଯଦିଓ ପଦବୀ ସମ୍ଭାଳିଛନ୍ତି, ତେବେ ଦଳର ସାମଗ୍ରିକ ବିକାଶ ନିମନ୍ତେ ସେମିତି ଠୋସ୍ ପଦକ୍ଷେପ ନେଇପାରିନାହାନ୍ତି । ଯାହାର ଫଳସ୍ୱରୂପ ନିଷ୍ଠାପର କର୍ମୀମାନେ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ।

କ୍ଷତି ଘଟାଇଲେ କାର୍ଯ୍ୟକାରୀ ସଭାପତି:
ତେବେ ଦଳ ପାଇଁ ସବୁଠୁ କ୍ଷତି ଘଟିଛି ୨୦୧୫ ପରେ । ଗୋଷ୍ଠୀ କନ୍ଦଳରେ ମଦମସ୍ତ ଦଳକୁ ସଂଗଠିତ କରିବାକୁ ଦିଲ୍ଲୀର ହାଇକମାଣ୍ଡ ପିସିସି ପାଇଁ ନିରଂଜନଙ୍କୁ ସଭାପତି କରିବା ସହ ୩ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଥିଲେ । ରାଜ୍ୟର ପ୍ରତିଟି ଭାଗରେ ଦଳକୁ ସଂଗଠିତ କରିବା ହାଇକମାଣ୍ଡଙ୍କ ଉଦ୍ଦେଶ୍ୟ ଥିଲା । ତେବେ ସେହି କାର୍ଯ୍ୟକାରୀ ସଭାପତିମାନେ ହିଁ ଦଳର ବେଶୀ କ୍ଷତି କଲେ । ୧୯ ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ସଭାପତି ନବ ଦାସ ଦଳ ତ୍ୟାଗରି ବିଜେଡିରେ ଯୋଗ ଦେଇଥିବା ବେଳେ ନିକଟରେ ଅନ୍ୟତମ ସଭାପତି ପ୍ରଦୀପ ମାଝି ମଧ୍ୟ ଦଳ ଛାଡି ବିରୋଧୀ ବିଜେଡିରେ ଯୋଗ ଦେଇଛନ୍ତି, ଯାହା କଂଗ୍ରେସ ପାଇଁ ତଥାପି ଆଶା ଲଦି ବସିଥିବା ଯତକିଂଚିତ କର୍ମୀଙ୍କ ହତବମ୍ବ କରିଦେଇଛି । ଅନ୍ୟତମ କାର୍ଯ୍ୟକାରୀ ସଭାପତି ଚିରଂଜୀବୀ ବିଶ୍ୱଳ ଥାଇ ନ ଥିବା ଅବସ୍ଥାରେ ଅଛନ୍ତି । କଂଗ୍ରେସ ପକ୍ଷରୁ ଅହରହ ଡକା ଯାଉଥିବା ସାମ୍ବାଦିକ ସମ୍ବାମିଳନୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନାହିଁ । ତାଙ୍କ ଭାଇ ତଥା କଂଗ୍ରେସର ଅନ୍ୟତମ ଆକର୍ଷଣ କୁହାଯାଉଥିବା ରଂଜୀବ ବିଶ୍ୱାଳଙ୍କୁ ମଧ୍ୟ ଢେର ଦିନ ହେବ ଲୋକେ ଦେଖିବାକୁ ପାଉନାହାନ୍ତି ।

କିଏ ସମ୍ଭାଳିବ ଦଳ…!
ଅନ୍ୟପକ୍ଷରେ ଦଳକୁ ସମ୍ଭାଳି ରଖିବାର ଭାର ବହୁଥିବା ନିରଂଜନ ବାବୁ କ୍ରମଶଃ ଅସୁସ୍ଥ ରହୁଥିବା ଦେଖିବାକୁ ମିଳୁଛି । ଯଦିଓ ତାଙ୍କର ଆଜି ମଧ୍ୟ କ୍ରେଜ୍ ରହିଛି, ତେବେ ଶରିରୀକ ଅସୁସ୍ଥତା ତାଙ୍କ ପାଇଁ ବାଧକ ସାଜିଛି । ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସର ନବଗ୍ରହଙ୍କ ମଧ୍ୟରୁ କେବଳ ସୁର ରାଉତରାୟ ଓ ତାରା ବାହିନୀପତିଙ୍କୁ ଛାଡିଦେଲେ ଆଉ କାହାକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳୁନି । ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ଯଦିଓ ଭଦ୍ର ଏବଂ ସ୍ୱଳ୍ପଭାସୀ, ତେବେ ସଭା ସମିତିରେ ଭାଷଣ ଦେବାରେ ସୀମିତ ରହିଯାଉଛି ତାଙ୍କ ରାଜନୀତି । ତାଙ୍କର ମଧ୍ୟ କ୍ରାଉଡ୍ ପୁଲିଂ କ୍ୟାପିସିଟି ନାହିଁ କହିଲେ ଚଳେ ।

ଅନୁରୂପ ଭାବେ ରାଷ୍ଟ୍ରୀୟ ସ୍ତରରେ ଦେଖିଲେ କେବଳ ମାତ୍ର ଗାନ୍ଧୀ ପରିବାର ବ୍ୟତୀତ ଆଉ କେହି ବି ନେତା ଏଠାକାର ଜନତାଙ୍କୁ ଆକୃଷ୍ଟ କରିବାର କ୍ଷମତା ରଖି ନାହାନ୍ତି । ତେଣୁ ହେଭିୱେଟଙ୍କ ଅଭାବରେ କଂଗ୍ରେସ କେମିତି ଆସନ୍ତା ନିର୍ବାଚନରେ ଜନତାଙ୍କୁ ଆକୃଷ୍ଟ କରିବ, ତାହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି ।

Leave A Reply

Your email address will not be published.