ଶୀତର ପ୍ରକୋପ କମିବାରେ, ବଢ଼ିବ ତାପମାତ୍ରା

winter

0 0

ଭୁବନେଶ୍ୱର : ପ୍ରବଳ ଶୀତରୁ ତ୍ରାହି ମିଳିବ। ଆସନ୍ତା ୪୮ ଘଣ୍ଟା ଯାଏ ଅଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଲାଗି ରହିବ। ତେବେ ଏହି ଅଞ୍ଚଳରେ ରାତିର ସ୍ୱାଭାବିକ ତାପମାତ୍ରା ୪ରୁ ୫ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି କମ ରହିବ । ପୂର୍ବଭଳି ଥଣ୍ଡା ଅନୁଭୂତ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷ ଶେଷ ଆଡ଼କୁ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଗୁରୁବାର ସକାଳ ସୁଦ୍ଧା ୧୩ ଜିଲ୍ଲାରେ ଶୀତ ଲହରି ଜାରି ରହିବ । ତାହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ଶୀତ ଲହରି ହେବାକୁ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଯଦିଓ ଶୀତ ସହନୀୟ ରହିବ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କଠାରେ ଥଣ୍ଡା-ଜ୍ୱର, କାଶ, ନାକରୁ ପାଣି ବାହାରିବା, ଛିଙ୍କ ହେବାର ସମ୍ଭାବନା ରହିଛି । ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ । ଶୀତରୁ ରକ୍ଷା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ । ଗୃହ-ପାଳିତ ପଶୁମାନେ ବହୁ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କର ରହିବା ପାଇଁ ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟକୀୟ ଘରର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୨ ତାରିଖ ରାତିରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ସାମାନ୍ୟ ବଢ଼ିବାକୁ ଥିବା ବେଳେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ କ୍ରମଶଃ ବୃଦ୍ଧି ପାଇଁ ୨୫ ତାରିଖ ବେଳକୁ ୫ରୁ ୬ ଡିଗ୍ରି ବୃଦ୍ଧି ପାଇଥିବ । ଉତ୍ତର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ୨୭ ତାରିଖ ସୁଦ୍ଧା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଏବର୍ଷ ବଡ଼ଦିନ ପାଗ ଆରାମଦାୟକ ରହିବ । ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଉତ୍ତର ଓଡ଼ିଶାରେ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ୨୮ରୁ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବ । ୨୯ ଓ ୩୦ ତାରିଖରେ ହାଲୁକା ବର୍ଷା ହୋଇପାରେ । ଉପକୂଳରେ ପାଗ ଆଂଶିକ ମେଘୁଆ ରହିବ ।

Leave A Reply

Your email address will not be published.