କେନ୍ଦ୍ରାପଡ଼ାରେ କମ୍ପିଲେ ସୁର

ଜିଲାର ୨ ମନ୍ତ୍ରୀଙ୍କୁ ଟାର୍ଗେଟ: ଜଣେ ହେଉଛି ଲଣ୍ଡର ଭଣ୍ଡର, ଜଣେ କରିଚି ଆଁ.... ସମର୍ଥକଙ୍କ ଗହଳିରେ ବୁଲିଲା କଂଗ୍ରେସର ‘ମାଟି ପାଇଁ ମାଡ଼ିଚାଲ’ ରାଲି

0 34

ODISHA DAILY: କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ କମ୍ପିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ହଜାର ହଜାର କଂଗ୍ରେସ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ନବୀନ ସରକାର ଓ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ସୁର । ଶ୍ରୀବଳଦେବ ଜିଉଙ୍କ କ୍ଷେତ୍ର କେନ୍ଦ୍ରାପଡ଼ାକୁ ଜାଣି ଶୁଣି ଅବହେଳା କରାଯାଉଛି, ଯାହାର ଜବାବ ଲୋକେ ଖୁବ୍ ଶୀଘ୍ର ଦେବେ ବୋଲି ସେ ରୋକ୍‌ଠୋକ୍ କହିଥିଲେ । ଜିଲାର ୨ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ କଟାକ୍ଷ କରି ଶ୍ରୀ ରାଉତରାୟ କହିଥିଲେ, ୨ ମନ୍ତ୍ରୀଙ୍କ ଭିତରୁ ଜଣେ ଲଣ୍ଡର ଭଣ୍ଡର ହେଉଥିବା ବେଳେ ଆଉ ଜଣେ ସବୁ ଗ୍ରାସିବାକୁ ଆଁ କରି ବସିଛନ୍ତି । କଂଗ୍ରେସ କର୍ମୀଙ୍କୁ ହତୋତ୍ସାହିତ କଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇତିଲେ ।

କେନ୍ଦ୍ରାପଡା ଜିଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ତାଙ୍କୁ ଦେଖିବାକୁ କେବଳ କଂଗ୍ରେସ କାହିଁକି ସାଧାରଣ ଲୋକଙ୍କ ଗହଳି ମଧ୍ୟ ଦେଖା ଯାଇଥିଲା । ଶ୍ରୀ ରାଉତରାୟ ମଧ୍ୟ ନିଜ ସ୍ୱଭାବ ସୁଲଭ ଢଙ୍ଗରେ ଉପସ୍ଥିତ ଜନତାଙ୍କୁ ବାନ୍ଧି ରଖିଥିଲେ । ରାଜ୍ୟର ଅନ୍ୟାନ୍ୟ ଜିଲାରେ ମେଡିକାଲ କଲେଜ ଗଢି ଉଠିଥିବା ବେଳେ କେନ୍ଦ୍ରାପଡାକୁ କାହିଁକି ଏଥିରୁ ବଂଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିବା ସହ ଶିକ୍ଷା କ୍ଷେତ୍ରରେ ଏହି ଆଗୁଆ ଜିଲାରେ ଗୋଟିଏ ବି ୟୁନିଭରସିଟି ନ ଥିବା ଉଦ୍‌ବେଗଜନକ ବୋଲି ସେ କହିଥିଲେ । ଏଥିପାଇଁ ଜିଲାର ଶାସକ ଦଳର ନେତାମାନେ ହିଁ ଦାୟୀ ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ ।

ଜିଲା ପ୍ରଶାସନକୁତାଳି, ମନ୍ତ୍ରୀଙ୍କୁ ଗାଳି:
ଜିଲାପାଳ ଓ ଏସପି ଏଠାରେ ଲୋକଙ୍କ ପାଇଁ ଭଲ କାମ କରୁଛନ୍ତି । ତେଣୁ ସେମାନଙ୍କ ପାଇଁ କରତାଳି ଲଗାଇବାକୁ ସେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିବା ବେଳେ ଜିଲାର ୨ ମନ୍ତ୍ରୀଙ୍କୁ କିନ୍ତୁ ଟାର୍ଗେଟ କରିଥିଲେ । କାହାରି ନାମ ନ ନେଇ ସେ କହିଥିଲେ ଜଣେ ମନ୍ତ୍ରୀ ଖାଲି ଲଣ୍ଡର ଭଣ୍ଡର ହେଉଥିବା ବେଳେ ଅନ୍ୟ ଜଣେ ମନ୍ତ୍ରୀ ବାଲି, ପାଣି ଆଦି ଖାଇବାକୁ ଆଁ କରି ବସିଛନ୍ତି । ତେବେ ମହାକାଳପଡା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନାମ ସିଧାସଳଖ ନେଇ ଶ୍ରୀ ରାଉତରାୟ କହିଥିଲେ, କଂଗ୍ରେସ କର୍ମୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବାରୁ ଅତନୁ ବିରତ ରୁହନ୍ତୁ । ନ ହେଲେ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡିବ । ଦରକାର ପଡିଲେ ଆମେ କଣା କରିଦେବୁ ଯାହାକୁ ନବୀନ ମଧ୍ୟ ବଂଚାଇ ପାରିବେନି ବୋଲି ସେ ରୋକ୍‌ଠୋକ୍ ଚେତାବନୀ ଦେଇଥିଲେ ।

ଗାନ୍ଧୀ ପରିବାରର ଗୁଣଗାନ, ମୋଦୀଙ୍କୁ ନିନ୍ଦା:
ଉପସ୍ଥିତ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ରାଉତରାୟ ଗାନ୍ଧି ପରିବାରର ଇତିହାସ ବଖାଣିଥିଲେ । ମୋତିଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ କିଭଳି ଦେଶର ସ୍ୱାଥରର୍କ୍ଷା ପାଇଁ ଲାଗି ପଡିଛନ୍ତି, ତା ଉପରେ ବୁଝାଇଥିଲେ । ତେବେ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କିଭଳି କଂଗ୍ରେସ ନେତାଙ୍କୁ ଅପମାନିତ କରୁଛି ଓ ଦେଶକୁ ବିପଦ ମଧ୍ୟକୁ ଠେଲି ଦେଉଛି, ତାହା ବଖାଣି ଦଳୀୟ କର୍ମୀମାନଙ୍କ ଭିତରେ ଉତ୍ସାହ ଭରିବାକୁ ଚେଷ୍ଟା କରିଥିଲେ ।

ଏକାଠି ହେଲେ କଂଗ୍ରେସର ତୁଙ୍ଗନେତା:
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଶୋଭାଯାତ୍ରାରେ ଜିଲାର ପ୍ରାୟତଃ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଜିଲାର ବରିଷ୍ଠ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଚିନ୍ମୟ ବେଉରା, ଧରଣୀଧର ନାୟକ, ଅମୀୟ ପାଣ୍ଡବଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ । ୧୯ ନିର୍ବାଚନ ପରେ କଂଗ୍ରେସ ପକ୍ଷରୁ ଏହା ସବୁଠୁ ବଡ଼ ଶୋଭାଯାତ୍ରା ଥିଲା, ଯେଉଁଥିରେ ବହୁ ପରିମାଣରେ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.