କାହିଁକି ହସୁଛି ହତ୍ୟାକାରୀ ଗୋପାଳ..!

ହତ୍ୟାକାଣ୍ଡର ପ୍ରମାଣ ମହଯୁଦ୍, ଖୋଦ୍ ହତ୍ୟାକାରୀ ମହଯୁଦ୍, ହେଲେ ହତ୍ୟାର କାରଣକୁ ନେଇ ଘାଂଟି ହେଉଛି ପୋଲିସ

0 312

ODISHA DAILY: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଇତିମଧ୍ୟରେ ୧୫ ଦିନ ଅତିବାହିତ ହେଲାଣ। ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଚି ପଡୁଚି। ରାଜନୈତିକ ଦଳଗୁଡିକ ପକ୍ଷରୁ ପରସ୍ପର ଆରୋପ ପ୍ରତ୍ୟାରୋପ ଶେଷ ସୀମା ଛୁଇଁଲାଣି। ଏପରି କି ଘଟଣାକୁ ନେଇ ବିବାଦୀୟ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲାଣ। ହତ୍ୟାକାଣ୍ଡ ପରେ ଖାଲି ନବ ଦାସଙ୍କ ପରିବାର ଲୋକ ନୁହନ୍ତି, ଛୋଟବଡ ନେତା ଅଫିସର ବିଚଳିତ, ଯିଏ ବାସ୍ତବିକ ବିଚଳିତ ହେବା କଥା, ସେ କିନ୍ତୁ ଅବିଚଳିତ। ସେ ହେଲେ ହତ୍ୟାକାରୀ ପୋଲିସ ଅଧିକାରୀ ଗୋପାଳ ଦାସ।
ଏହି ଘଟଣା ପରେ ଯେଉଁ କେତେକ ସ୍ଥାନରେ ଗୋପାଳଙ୍କ ମୁହଁ ମିଡିଆ ସାମ୍ନାକୁ ଆସିଚି, ତାଙ୍କ ମୁହଁରେ ହସ ଥିବା ଦେଖିବାକୁ ମିଳିଛି। କେଉଁଠି ବି ଲେସାଏ ମାତ୍ର ଦୁଃଖ, ଭୟ, ଅନୁଶୋଚନା, ଆଶଙ୍କା କି ଆତ୍ମଗ୍ଳାନୀ ଥିବା ଦେଖିବାକୁ ମିଳୁନି। ଏପରି କି ଗତ 9 ତାରିଖ ଦିନ, ଯେଉଁ ଦିନ ନବ ଦାସଙ୍କ ଏକାଦଶାହ ଉପଲକ୍ଷେ ଝୁରୁଥିଲା ସାରା ଝାରସୁଗୁଡା, ଶୋକ ସନ୍ତପ୍ତ ପରିବାର ପାଖକୁ ଉଡିକି ଯାଇ ପହଂଚିଥିଲେ ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେଦିନ ହତ୍ୟାକାରୀ ଗୋପାଳ ଦାସର ଯେଉଁ ଛବି ଗଣମାଧ୍ୟମ ଜରିଆରେ ଲୋକେ ଦେଖିଥିଲେ, ସେଥିରେ ଖୁବ୍ ଖୁସିଥିଲା ଗୋପାଳ। ଖାଲି ଖୁସୀ ନ ଥିଲା, ଅତ୍ୟଧିକ ଖୁସି ତା ମୁଖମଣ୍ଡଳର ଝରି ପଡୁଥିଲା।
ଅପରାଧ ବିଜ୍ଞାନ କହେ, ଜଘଣ୍ୟ ଅପରାଧ ଘଟାଇ ସାରିବା ପରେ ଅଧିକାଂଶ ଅପରାଧୀ ବିଚଳିତ ହୋଇ ପଡିଥାନ୍ତି। ବିଶେଷ କରି ଯେଉଁମାନେ ପେଶାଦାର ଅପରାଧୀ ନୁହନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ କଲାକର୍ମକୁ ନେଇ ଭାଙ୍ଗି ପଡିଥାନ୍ତି। ସେପରି କୌଣସି ଲକ୍ଷଣ ଗୋପାଳଠାରେ ଦେଖିବାକୁ ମିଳିନି। ଗୋପାଳ ପେଶାଦାର ଅପରାଧୀ ନ ହୋଇ ମଧ୍ୟ ସେ ଖୁବ୍ ହାଲ୍କା ଭାବେ ଏହି ହତ୍ୟାକାଣ୍ଡକୁ ଗ୍ରହଣ କରିଛି। ତା ମନରେ ସାମାନ୍ୟତମ ଅନୁଶୋଚନା ଥିବା ଦେଖିବାକୁ ମିଳୁନି। ତା ଆଚରଣକୁ ଲକ୍ଷ୍ୟ କଲେ ୨ଟି ଉପସଂହାରରେ ଉପନୀତ ହୋଇହେବ। ହୁଏତ ଗୋପାଳର ମାନସିକ ବିକୃତି ଆସିଯାଇଚି, ନତୁବା ସେ ନିଜ କଲାକର୍ମ, ଅର୍ଥାତ ଏହି ହତ୍ୟାକାଣ୍ଡକୁ ଯଥାର୍ଥ ବୋଲି ମନେ କରୁଛି। ତେଣୁ ତାଠାରେ କୌଣସି ଅବଚଳିତ ଲକ୍ଷଣ ପ୍ରକାଶ ପାଉନାହିଁ।
ଆଉ ଏକ ପ୍ରସଙ୍ଗ ଯାହା ଏଠାରେ ଆଲୋଚନାର ପରିସରଭୁକ୍ତ ହେବା ନିତାନ୍ତ ଜରୁରୀ, ତାହା ହେଲା ଗୋପାଳ ଚାରିପାଖେ ସୃଷ୍ଟି କରାଯାଇଥିବା ଅଦୃଶ୍ୟ ବଳୟ। ଯେଉଁ ବଳୟ ଭେଦକରି ବାହାରକୁ ଆସିପାରୁନି ଗୋପାଳର ମୁହଁରୁ ବାହାରୁଥିବା କଥା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ହତ୍ୟାକାରୀ ଅବିଳମ୍ବେ ଧରାପଡିଲା, ହେଲେ ଆଜିଯାଏ ହତ୍ୟାର କାରଣ ଅସ୍ପଷ୍ଟ। ହତ୍ୟା ଘଟାଇବା ପରେ ପ୍ରଥମେ ଯେତେବେଳେ ତାକୁ ଥାନାକୁ ଧରି ନେଇଥିଲେ ତାର ନିଜ ସହକର୍ମୀ, ସେମାନଙ୍କ ପାଖେ ହତ୍ୟାର କାରଣ ନିଶ୍ଚିତ କହିଥିବ ଗୋପାଳ। କିନ୍ତୁ ତା’ର ସେଇ କଥାକୁ ଆଜିଯାଏ ସାର୍ବଜନୀନ କଲାନାହିଁ ପୋଲିସ। ହତ୍ୟାକାରୀ ଖୋଦ ସାମ୍ନାରେ ବସିଥିବା ବେଳେ ତା ହାତଲେଖା ଚିଠିକୁ ଏତେ ପରିଶ୍ରମ କରି ପାଇଖାନା ଟାଙ୍କିରୁ ଖୋଜାଯିବା ଘଟଣାକୁ ମଧ୍ୟ ସହଜରେ ହଜମ କରିପାରୁନାହାନ୍ତି ସଚେତନ ଜନତା। ବାସ୍ତବିକ ସାମ୍ପ୍ରତିକ ସମୟରେ ଏହି ଘଟଣା ଏମିତି ଏକ ବିରଳ ଘଟଣା ଯେଉଁଥିରେ ହତ୍ୟାକାଣ୍ଡର ପ୍ରମାଣ ମହଯୁଦ୍, ଖୋଦ୍ ହତ୍ୟାକାରୀ ମହଯୁଦ୍, ହେଲେ ହତ୍ୟାର କାରଣକୁ ନେଇ ଘାଂଟି ହେଉଛି ପୋଲିସ ବିଭାଗ। ବୋଧହୁଏ ନିଜ ବିଭାଗର (ପୂର୍ବରୁ) ଏପରି ଅସହାୟତାକୁ ହସି ହସି ଉପହସିତ କରୁଚି ହତ୍ୟାକାରୀ ଗୋପାଳ!

Leave A Reply

Your email address will not be published.