ଅଘଟଣର ଅପ୍ରିୟ ସତ୍ୟ !

ନବ ଦାସ ହତ୍ୟାକାଣ୍ଡ

0 1,981

(୧) ଗୁରୁତ୍ୱପୂର୍ଣ୍ଣ ୩ ଘଂଟା କାହିଁକି ହେଲା ବରବାଦ..!
ଗୁଳିକାଣ୍ଡ ପରେ ନବ ଦାସଙ୍କୁ ୧୦/୧୫ ମିନିଟ୍ ଭିତରେ ନିକଟସ୍ଥ ଜିଲା ହସ୍ପିଟାଲକୁ ନିଆଯାଇଥିଲା । ତା ପରେ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫଟ୍ କରାଗଲା । ଝାରସୁଗୁଡା ଜିଲା ହସ୍ପିଟାଲରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପହଁଚାଇବା ଭିତରେ ପ୍ରାୟ ୩ ଘଂଟା ଅତିବାହିତ ହୋଇଗଲା, ଯେଉଁ ସମୟରେ ଜଣେ ଗୁରୁତର ରୋଗୀଙ୍କୁ ପ୍ରାରମ୍ଭିକ ଚିକିତ୍ସା ହିଁ ଦିଆଯାଇ ପାରିଥିଲା । କୁହାଗଲା ଯେ, ଆପୋଲୋ ହସ୍ପିଟାଲରେ ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ହେଲେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ଶ୍ରୀ ଦାସଙ୍କ ଜୀବନ ରକ୍ଷା କରାଯାଇପାରି ନ ଥିଲା । ସ୍ୱତଃ ମନରେ ପ୍ରଶ୍ନ ଉଠେ, ଯଦି ଝାରସୁଗୁଡା ଜିଲା ହସ୍ପିଟାଲରେ ଆପୋଲୋ ହସ୍ପିଟାଲ ପରି ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ଥାଆନ୍ତା, ତେବେ କଣ ନବ ଦାସଙ୍କ ଜୀବନ ରକ୍ଷା କରାଯାଇପାରିଥାନ୍ତା! କାରଣ ରକ୍ତସ୍ରାବ ବନ୍ଦ କରିବାକୁ ୩ ଘଂଟାର ସମୟ ଅଭିଜ୍ଞ ଡାକ୍ତରମାନଙ୍କ ପାଇଁ ଯଥେଷ୍ଟ! ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଯଦି ରକ୍ତସ୍ରାବ ବନ୍ଦ କରିବାକୁ ଅସମର୍ଥ, ତାହେଲେ କେଉଁ ଆଧାରରେ ଓଡ଼ିଶାର ରୋଗୀମାନେ ସରକାରୀ ଡାକ୍ତରଖାନାଗୁଡିକରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପାଉଛନ୍ତି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି?

(୨) କ୍ୟାପିଟାଲ ହସ୍ପିଟାଲ କଣ କେବଳ ପୋଷ୍ଟମର୍ଟମ ପାଇଁ…?
ଗୁରୁତର ଆହତ ନବ ଦାସଙ୍କୁ ଏୟାର ଲିଫଟିଂ କରାଯାଇ ଭୁବନେଶ୍ୱର ଅଣାଯିବା ପରେ ଆପୋଲୋ ପରି ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଗଲା । ଯେଉଁ ବାଟ ଦେଇ ନବ ଦାସଙ୍କ ଆମ୍ବୁଲାନ୍ସ ଆପୋଲୋ ହସ୍ପିଟାଲ ଅଭିମୁଖେ ଗଲା, ସେହି ବାଟରେ ଭୁବନେଶ୍ୱରର ସର୍ବବୃହତ ସରକାରୀ ଡାକ୍ତରଖାନା କ୍ୟାପଟାଲ ହସ୍ପିଟାଲ ପଡିଥିଲା । ତଥାପି ସେଠାରୁ ୫ କିମି ଦୂର ଆପୋଲୋ ହସ୍ପିଟାଲ ନିଆଯାଇ ସେଠାରେ ଚିକିତ୍ସା କରାଗଲା । ଯଦିଓ କିଛି ସମୟ ପରେ ଆମ୍ବୁଲାନ୍ସ ଫେରିଥିଲା କ୍ୟାପିଟାଲ ହସ୍ପିଟାଲ, କିନ୍ତୁ ଅସୁସ୍ଥ ରୋଗୀଙ୍କୁ ଧରି ନୁହଁ, ବରଂ ଡେଡ୍‌ବଡିର ପୋଷ୍ଟମର୍ଟମ ପାଇଁ । ଏଠାରେ ପ୍ରଶ୍ନ ଉଠେ ରାଜ୍ୟ ରାଜଧାନୀର ସର୍ବବୃହତ ସରକାରୀ ହସ୍ପାଟଲର ମାନ୍ୟତା ପାଇଥିବା କ୍ୟାପିଟାଲ ହସ୍ପିଟାଲ ଖାଲି କଣ ପୋଷ୍ଟମର୍ଟମ ପାଇଁ । ଆଜି ବି କଣ ଏହି ସର୍ବ ପୁରାତନ ହସ୍ପିଟାଲ କେବଳ କୁକୁର କାମୁଡ଼ା, ସାପ କାମୁଡ଼ା, ପେଟ କାମୁଡ଼ା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ, ଗୁରୁତର ରୋଗୀଙ୍କ ଜୀବନ ବଂଚାଇବା ପାଇଁ ନୁହେଁ…?

(୩) ପଶ୍ଚିମ ଓଡ଼ିଶା କ’ ମେଡିକାଲ ଶୂନ୍ୟ..?
ଆପୋଲା ହସ୍ପିଟାଲ ଡାକ୍ତରଙ୍କ ନିରନ୍ତର ଉଦ୍ୟମ ସତ୍ୱେ ଆଖି ବୁଜିଲେ ନବ ଦାସ । ତେବେ ଆଶ୍ୱାସନାର ବିଷୟ ହେଉଛି ମାତ୍ର ୩ ଘଂଟା ମଧ୍ୟରେ ଜୀବିତ ଅବସ୍ଥାରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫଟ କରାଯାଇ ପାରିଲା । ଏହା ସମ୍ଭବପର ହେଲା ନବନିର୍ମିତ ଝାରସୁଗୁଡା ଏୟାରପୋର୍ଟ ପାଇଁ । ପ୍ରଶ୍ନ ଉଠେ, ଯଦି ଝାରସୁଗଡା ଏୟାରପୋର୍ଟ ନ ଥାନ୍ତା…ତାହେଲେ କେଉଁଠି ଚିକିତ୍ସା କରାଯାଇଥାନ୍ତା ନବ ଦାସଙ୍କର? ପଶ୍ଚିମ ଓଡ଼ିଶା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ବେଳେ ଏଠାରେ କଣ ଗୋଟିଏ ବି ଏମିତି ହସ୍ପିଟାଲ ନାହିଁ, ଯେଉଁଠି ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇପାରିବ..? ସମ୍ବୁଲପୁରରେ ଥିବା ସର୍ବପୁରାତନ ଭିମସାର ହସ୍ପିଟାଲ, ଭୀମଭୋଇ ମେଡକାଲ କଲେଜ, ଆଇଜିଏଚ ଇତ୍ୟାଦି ତାହେଲେ କଣ ପାଇଁ ପ୍ରତିଷ୍ଠା କରାଯାଇଚି…? ଛତୁଫୁଟିଲା ଭଳି ମେଡିକାଲ କଲେଜ ପ୍ରତିଷ୍ଠା ସତ୍ୱେ ଯଦି ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକତ୍ସା ପାଇଁ ଭର୍ତି କରାଯାଉଛି, ତାହେଲେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ଚିକତ୍ସା ଯୋଗାଇ ଦେଉଚନ୍ତି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଚନ୍ତି, ତାହା ଡାହା ମିଛ ନୁହେଁ କି…?

(୪) ସାଧାରଣ ରୋଗୀଙ୍କୁ କିଏ କରିବ ଏୟାର ଲିଫ୍‌ଟ…?
ନବ ଦାସ କେବଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନ ଥିଲେ, ସେ ଜଣେ ଧନୀ ବ୍ୟବସାୟୀ ମଧ୍ୟ ଥିଲେ । ହାତରେ ଯଦି ସମୟ ଥାନ୍ତା, ତାଙ୍କ ପରିବାର ହୁଏତ ତାଙ୍କୁ ଦିଲ୍ଲୀ ବମ୍ବେ, ଚେନ୍ନାଇ କି ହାଇଦ୍ରାବାଦ ମଧ୍ୟ ଏୟାରଲିଫଟ କରି ଆହୁରି ଉନ୍ନତ ଚିକିତ୍ସା ଯୋଗାଇ ଦେଇଥାନ୍ତେ । ଯଦି ବି ଏହା ପରେ ଆଉ କିଛି ଅଘଟଣା ଘଟେ, କେତେ ଜଣଙ୍କୁ ଏପରି ଏୟାର ଲିଫଟ୍ କରାଯାଇ ପାରିବ? ସାଧାରଣ ଜନତାଟିଏ ନିଜ ଖର୍ଚ୍ଚରେ ଏୟାର ଲିଫଟ ହେବାକୁ ସମର୍ଥ ତ…?

୫- ଜ୍ୟୋତିଷ ଶାସ୍ତ୍ରର ସତ୍ୟତା!
ନବ ଦାସଙ୍କ ଦୁଃଖଦ ବିଦାୟ ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ତାହାହେଲା ଜ୍ୟୋତିଷ ଶାସ୍ତ୍ରର ସତ୍ୟତା । ଗୁଳିକାଣ୍ଡର ଶିକାର ହେବାର ମାତ୍ର ସପ୍ତାହେ ତଳେ ନବ ଦାସ ମହାରାଷ୍ଟ୍ରର ଶନି ମନ୍ଦିର ଯାଇ ସେଠାରେ ଶନି ମହାଗ୍ରହଙ୍କୁ ସୁନା କଳସ ପ୍ରଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅନୁସାରେ ଶନି ମହାଗ୍ରହଙ୍କ କୋପଦୃଷ୍ଟି ମଣିଷ ପାଇଁ ବହୁତ କ୍ଷତିକାରକ । ଯାହା ଉପରେ ଶନିଦସା ପଡେ, ବିଭିନ୍ନ ଉପାୟରେ ଶନିମହାଗ୍ରହଙ୍କୁ ସନ୍ତୁଷ୍ଟ କରାଯାଏ । ହୁଏତ ନବ ଦାସଙ୍କ ଜାତକରେ ସେମିତି କିଛି ମହାଦସାକୁ ଜ୍ୟୋତିଷ ନିର୍ଭୁଲ ଗଣନା କରିପାରିଥିଲେ । ତେଣୁ ପ୍ରତିକାର କରିବାକୁ ହୁଏତ ତ୍ରିବେଣୀ ଅମାବାଶ୍ୟାରେ ସୁନା କଳସ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜାତକ ଗଣନା ନିର୍ଭୁଲ ଥିଲା, କାରଣ ମାତ୍ର ସପ୍ତାହକ ମଧ୍ୟରେ ନବ ଦାସ ଅପ୍ରତ୍ୟାଶିତ ଭାବେ ଆରପାରିକୁ ଚାଲିଗଲେ । ହୁଏତ ପ୍ରତିକାର ବ୍ୟବସ୍ଥାରେ କିଛି ତ୍ରୁଟି ରହିଗଲା, ବା ନିୟତିର ବିଧାନ ତାହା ହିଁ ଥିଲା । କିନ୍ତୁ ନବ ଦାସଙ୍କ ଗ୍ରହ ନକ୍ଷତ୍ରରେ ଯେ ଶନିଦଦା ଥିଲା, ଏହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ଜ୍ୟୋତିଷଙ୍କ ଏପରି ନିର୍ଭୁଲ ଗଣନା ପରେ ଯେଉଁମାନେ ହିନ୍ଦୁ ବୈଦିକ ଶାସ୍ତ୍ର ଯେମିତି କି ଜାତକ ଗଣନା, ଭାଗ୍ୟଫଳ, ରାଶି ନକ୍ଷତ୍ର ଗଣନାକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ବା ସମାଲୋଚନା କରିବାକୁ ମଧ୍ୟ ପଛାଉ ନାହାନ୍ତି, ସେମାନଙ୍କୁ ପୁଣିଥରେ ନିଜ ଭାବନା ଉପରେ ଚିନ୍ତନ କରିବାକୁ ପଡ଼ିବ । ଜ୍ୟୋତିଷ ଶାସ୍ତ୍ରର ଉପଯୁକ୍ତ ଲାଭ ଉଠାଇ ନିଜକୁ ଭବିଷ୍ୟତ ପାଇଁ ସଜାଗ ରହିବାକୁ ପଡିବ ।

Leave A Reply

Your email address will not be published.