ପୃଥିବୀର ସବୁଠୁ ବଡ଼ କଡାଇ

ଥରକରେ ୨୫,୦୦୦ଙ୍କ ଖାଦ୍ୟ

0 12

ODISHA DAILY: ଏହା ଏମିତି ଏକ କଡାଇ, ଯେଉଁଥିରେ ଗୋଟିଏ ଥରରେ ପ୍ରସ୍ତୁତ ଖାଦ୍ୟ, ଏକକାଳୀନ ୨୫ ହଜାର ଲୋକଙ୍କ ପେଟ ଭରିପାରେ । ଅନ୍ୟ କେଉଁଠି ନୁହେଁ, ଭାରତର ରାଜସ୍ଥାନସ୍ଥିତ ଆଜ୍‌ମେରର ଖ୍ୱାଜା କରିମ୍ ନବାଜ ଦର୍ଘାରେ ରହିଛି ବିଶ୍ୱର ଏଇ ସର୍ବ ବୃହତ୍ କଡାଇ । ଏହି କଡାଇର ସବୁଠୁ ବଡ ବିଶେଷତ୍ୱ ହେଲା ଏଥିରେ ଏକକାଳୀନ ପ୍ରାୟ ୪୮୦୦ କିଲୋଗ୍ରାମ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇପାରେ… ।
ଆକବର ଦାନ କରିଥିଲେ କଡ଼ାଇ
କଡେଇଟି ଯେପରି ନିଆରା, ଏଥିରେ ପ୍ରସ୍ତୁତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ସେତିକି ନିଆରା । ବିଶେଷ କରି ଏହି କଡାଇରେ ଜାଫରାଇନ ରାଇସ ପ୍ରସ୍ତୁତ କରାଯାଇଥାଏ, ଯାହା ଲଙ୍ଗରରେ ଲାଗିଥାଏ । ଜାଫରାନି ରାଇସ ପ୍ରସ୍ତୁତି ପୂର୍ବରୁ କିଛି ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ କରାଯାଇଥାଏ । ଯେପରିକି, ପ୍ରଥମେ ଏହି କଡେଇକୁ ଖାଲି କରାଯାଇଥାଏ । କାରଣ ଲଙ୍ଗର ପରେ ଖାଲି ଥିବା କଡାଇରେ ଶ୍ରଦ୍ଧାଳୁମାନେ ଚାଉଳ, ଡାଲି ଓ ଟଙ୍କା ପଇସା ପକାଇ, ନିଜ ମଙ୍ଗଳ କାମନା କରିଥାନ୍ତି । ତେଣୁ କଡାଇଟିକୁ ଭଲଭାବେ ପରିସ୍କାର କରିବା ପରେ ସେଥିରେ ପାଣି ଭର୍ତି କରାଯାଇଥାଏ । ପାଣି ଗରମ ହେବା ପୂର୍ବରୁ କଡାଇଟିକୁ ଫୁଲ ଓ ଚନ୍ଦନରେ ସଜା ଯାଇଥାଏ । ଏହି ପରମ୍ପରା ପ୍ରାୟ ୪୪୦ ବର୍ଷ ତଳୁ, ମୋଗଲ ସମ୍ରାଟ ଆକବରଙ୍କ ରାଜତ୍ୱ କାଳରୁ ଚାଲି ଆସୁଅଛି । ଇତିହାସ କହେ, ଆଜକୁ ପ୍ରାୟ ୪୪୦ ବର୍ଷ ପୂର୍ବେ ସମ୍ରାଟ ଆକବର ଯେତେବେଳେ ଏହି ଦର୍ଘା ଦର୍ଶନରେ ଆସିଥିଲେ, ପୁଅଟିଏ ହେଲେ ପ୍ରସାଦ ରଂଧା ପାତ୍ରଟିଏ ଦେବେ ବୋଲି ମାନସିକ କରିଥିଲେ । ଏହାର କିଛିଦିନ ପରେ ଜାହାଙ୍ଗୀର ଜନ୍ମ ହୋଇଥିଲେ । ସେହି ଖୁସୀ ସମ୍ରାଟ ଆକବର ଏହି ବୃହତ୍ କଡାଇଟି ପ୍ରଦାନ କରିଥିଲେ ।
ସେବେଠୁ ଏହି ପରମ୍ପରା ଚାଲି ଆସୁଅଛି । କଡାଇରେ ପାଣି ଭର୍ତି କରାଯିବା ପରେ ଚୁଲିରେ ଅଗ୍ନି ସଂଯୋଗ କରାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ଚୁଲା ମଧ୍ୟ ରହିଛି ଯାହା ଏଠାକାର ଅନ୍ୟ ଏକ ଆକର୍ଷଣ । ଆସନ୍ତୁ ଥରେ ବଡ କଡେଇର ସେହି ବଡ ପ୍ରସାଦର ପ୍ରସ୍ତୁତି ପ୍ରଣାଳୀ ଦେଖିନବା । କଡେଇରେ ପାଣି ଗରିମ ହେବା ପରେ ଏଥିରେ ପର୍ଯ୍ୟାପ୍ତ ପରିମାଣର ହଳଦୀଗୁଣ୍ଡ, ମଇଦା, ଲୁଣ ଆଦି ପକାଇ ଦିଆଯାଇଥାଏ । ପାଣି ଫୁଟିବା ପରେ ଏଥିରେ ଅରୁଆ ଚାଉଳ ପକାଯାଏ । ପଚାଶ କି ଶହେ କିଲ ନୁହଁ, ଏଥିରେ ଏକକାଳିନ ଶହ ଶହ କୁଇଁଟାଲ ଚାଉଳ ପକାଯାଏ । କଡେଇରେ ଚାଉଳ ପଡି ସାରିବା ପରେ ଏଥିରେ ଚିନି ପକାଯାଇଥାଏ.. । ଏହା ପରେ ଏକ ବୃହତ୍ ଆକାର ଖଡିକାରେ କଡେଇକୁ ଗୋଳା ଯାଇଥାଏ.. । ଖଡିକାଟି ଏତେ ବଡ ହୋଇଥାଏ ଯେ, ଏଥିରେ ରଶି ବାନ୍ଧି ଏହାକୁ ଟଣା ଯାଇଥାଏ । ତା ପରେ ଏଥିରେ ଘିଅ ଓ କିଛି ରଙ୍ଗ ପକାଯାଇ ପୁଣି ଖଡିକାରେ ଗୋଳା ଯାଇଥାଏ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ଚୁଲିରେ ଦାଉ ଦାଉ ନିଆଁ ଜଳିବା ପରେ କଡାଇରେ ଡହ ଡହ ବାମ୍ଫ ଉଠୁଥିଲେ ମଧ୍ୟ କ଼ଡାଇର ବାହାର ଭାଗ ଆଦୌ ତାତି ନ ଥାଏ । ଏହା ହିଁ ହେଉଛି ଏହି କଡାଇର ସ୍ୱାତନ୍ତ୍ର‌୍ୟ । କଡାଇକୁ କିଛି ସମୟ ଗୋଳାଯିବା ପରେ ଏଥିରେ କାଜୁ, କିସ୍‌ମିସ୍ ଅନ୍ୟ କେତେକ ଶୁଖିଲା ଖାଦ୍ୟ ବା ଡ୍ରାଏ ଫୁଡ୍ ପକାଯାଇଥାଏ । ସବୁ ଆନୁଷଙ୍ଗିକ ପଦାର୍ଥଗୁଡିକ ପକାଯିବା ପରେ ଏହାକୁ ଚାରିପଟୁ ଖୁବ୍ ଯତ୍ନର ସହ ଗୋଳା ଯାଇଥାଏ, ଯେପରି ଏହାର ସାମାନ୍ୟ ବି ଅଂଶ ପୋଡି ନ ଯାଏ.. । କିଛି ସମୟ ପରେ ପ୍ରସ୍ତୁତ ହୋଇଯାଏ ମହକ ଓ ସୁଗନ୍ଧରେ ଭରପୂର ଜାଫରାନି ରାଇସ୍ । ଏହା ପରେ ଖଡିକାଟୁକ ବାହାର କରାଯାଇ କଡାଇ ମଧ୍ୟକୁ ଏକ ସିଡି ପକାଯାଇଥାଏ, ଯେଉଁଥିରେ ତଳକୁ ଓହ୍ଲାଇ ରେଷେୟାମାନେ ସଦ୍ୟ ରନ୍ଧା ଯାଇଥିବା ଜାଫରାନିକୁ ବାଲ୍‌ତି ସାହାଯ୍ୟରେ ପଦାକୁ ବାହାର କରିଥାନ୍ତି । ବାଲ୍‌ତିରୁ ବାହାରୁଥିବା ଖାଦ୍ୟକୁ ଡ୍ରମରେ ଭର୍ତି କରାଯାଇ ଲଙ୍ଗରକୁ ପଠାଯାଇଥାଏ, ଯେଉଁଠି ଶ୍ରଦ୍ଧାଳୁମାନେ ବିନା ମୂଲ୍ୟରେ ପ୍ରସାଦ ସେବନ କରିଥାନ୍ତି । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଯେ, ଏଠାରେ ଲଙ୍ଗରରେ ବସି ପ୍ରସାଦ ସେବନ କଲେ ସବୁ ମନଷ୍କାମନା ପୂର୍ଣ୍ଣ ହୋଇଥାଏ ।

Leave A Reply

Your email address will not be published.