କେନ୍ଦ୍ରାପଡ଼ା କଂଗ୍ରେସକୁ ଆଗକୁ ବଢାଇବ କିଏ..!

ହାତରେ ନାହିଁ ହାତପାଂଠୀ, କାନ୍ଧରେ ନାହିଁ ନେତୃତ୍ୱର ବଳ

0 817

ODISHA DAILY: ସାମ୍ପ୍ରତିକ ରାଜନୈତିକ ବାତାବରଣରେ ଯେଉଁ କିଛି ଅଳ୍ପ ଜିଲାରେ କଂଗ୍ରେସ ଦଳର କିଛିଟା ପ୍ରଭାବ ରହିଛି, ତା ମଧ୍ୟରେ ଅନ୍ୟତମ ହେଲା କେନ୍ଦ୍ରାପଡା଼ । କଂଗ୍ରେସ ଦଳ ପାଇଁ ଆଜି ବି କେନ୍ଦ୍ରାପଡ଼ାରେ ପକେଟ୍ ଭୋଟ୍ ରହିଛି । ତେବେ ଏହି ଭୋଟ୍‌ଗୁଡିକୁ ସଂଗଠିତ କରି ଇଭିଏମ ପର୍ଯ୍ୟନ୍ତ ଟାଣିନେବାକୁ ଯେଉଁ ସର୍ବମାନ୍ୟ ନେତାଙ୍କର ଆବଶ୍ୟକତା ରହିଛି, ତାହାର ଏବେ ଏଠାରେ ଘୋର ଅଭାବ ପରିଲକ୍ଷିତ ହେଉଛି ।
କେନ୍ଦ୍ରାପଡା ଜିଲାର ମୋଟ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସବୁଯାକ ଏବେ ଶାସକ ବିଜେଡି କବ୍‌ଜାରେ ରହିଛି । ତେବେ ଗଲା ୨୦୧୪ ନିର୍ବାଚନରେ ଏଥିମଧ୍ୟରୁ ଆଳି, ରାଜନଗର ଆସନରେ କଂଗ୍ରେସ ଜିତିଥିବା ବେଳେ କେନ୍ଦ୍ରାପଡା ଓ ବରୀ ଆସନରେ ଭଲ ଲଢେଇ ହୋଇଥିଲା । ତେବେ ୧୯ ନିର୍ବାଚନରେ ସବୁତକ ହାତେଇ ନେଇଛି ବିଜେଡି । ଏହାର କାରଣ କିଛିମାତ୍ରାରେ କଂଗ୍ରେସର ନେତୃତ୍ୱ ସଂକଟ ହୋଇଥିବା ବେଳେ ଆଉ କିଛିମାତ୍ରାରେ ସ୍ଥାନୀୟ ନେତାଙ୍କ ଦବ୍‌ଦବାର ଅଭାବ । କେବଳ ଗଣେଶ୍ୱର ବେହେରାଙ୍କୁ ଛାଡି଼ଦେଲେ ଆଉ କୌଣସି କଂଗ୍ରେସ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ସହ ଭଲ ଫାଇଟ ଦେଇ ନ ଥିଲେ ।
ଆସନ୍ତା ୨୪ ନିର୍ବାଚନ ପରିସ୍ଥିତିକୁ ବିଚାରକୁ ନେଲେ କଂଗ୍ରେସର ଦୁର୍ବଳତା ଜଳଜଳ ହୋଇ ଦିଶୁଛି ।

ଅଂଶୁମାନ ମହାନ୍ତି :
ପ୍ରଥମେ ରାଜନଗର ନିର୍ବାଚନ ମଣ୍ଡଳୀକୁ ବିଚାରକୁ ନିଆଯାଇପାରେ । ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟର ଜଣେ ଟାଣୁଆ ନେତା ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ପୂର୍ବରୁ ଏଠାରେ ବିଧାୟକ ହୋଇ ସାରିଥିବା ବେଳେ ଗତ ନିର୍ବାଚନରେ ବିଜେଡିର ଧ୍ରୁବ ସାହୁଙ୍କଠାରୁ ପରାଜିତ ହୋଇଛନ୍ତି । ଯଦିଓ ଏଠାରେ ଏବେ ବି ମୁଖ୍ୟ ବିରୋଧୀ ଦଳ କହିଲେ କଂଗ୍ରେସକୁ ହିଁ ଗଣାଯାଉଛି, ତେବେ ଜଣେ ଯୁବ ନେତା ଭାବେ ଦଳକୁ ଯେମିତି ସଂଗଠିତ କରିବା କଥା, ସେଭଳି ସଂଗଠନ ଦେଖିବାକୁ ମିଳୁନି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି । ଗତ ପଂଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସ ଆଖିଦୃଶୀୟା ପ୍ରଦର୍ଶନ କରିପାରିନାହିଁ ।

ଦେବେନ୍ଦ୍ର ଶର୍ମା:
ଏବେ ଆଳି କଥା ବିଚାରକୁ ନିଆଯାଇପାରେ । ଏଠାରେ କଂଗ୍ରେସର ନେତୃତ୍ୱ ନେଉଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଶ୍ରୀ ଶର୍ମା ଏକଦା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରତାପ ଦେବଙ୍କୁ ହରଡଘଣାରେ ପକାଇଛନ୍ତି । ଏପରି କି ନବୀନ ପଟ୍ଟନାୟକ ହାୱା ସତ୍ୱେ ଗତ ୨୦୧୪ ନିର୍ବାଚନରେ ସେ ତତ୍କାଳୀନ ମନ୍ତ୍ରୀ ଶ୍ରୀ ଦେବଙ୍କୁ ପରାଜିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତେବେ ବର୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । କାରଣ ରାଜ୍ୟ ଓ କେନ୍ଦ୍ର ନେତୃବର୍ଗଙ୍କ ବାଚାଳାମୀ ଯୋଗୁ କଂଗ୍ରେସ ପ୍ରତି ଲୋକେ କ୍ରମଶଃ ବିମୁଖ ହେବାରେ ଲାଗିଛନ୍ତି, ଯାହା ଶର୍ମାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ବିଜେପି ଏଠାରେ କିଛିଟା ନୂଆ ଭୋଟର ସୃଷ୍ଟି କରିବାରେ ସଫଳ ହୋଇଛି ଯାହା କଂଗ୍ରେସ ଭୋଟକୁ ହିଁ ମାଇନସ୍ କରୁଛି ବୋଲି ଆକଳନ କରାଯାଉଛି । ଖରସ୍ରୋତା ବଂଚାଅ ଆନ୍ଦୋଳନ ମାଧ୍ୟରେ ଶ୍ରୀ ଶର୍ମା ରାଜରାସ୍ତାକୁ ଓହ୍ଲାଇ ଭୋଟରମାନଙ୍କ ବିଶ୍ୱାସ ଭାଜନ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ତାଙ୍କୁ ସବୁ ଯାଗାରେ ପହଂଚାଇ ପାରୁନାହିଁ । ଅପରପକ୍ଷରେ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପମନ୍ତ୍ରୀ ଦାୟିତ୍ୱ ମିଳିଛି ଯାହାକୁ ନେଇ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଶ୍ରୀ ଦେବଙ୍କୁ କେଉଁ ଅସ୍ତ୍ରରେ ଶ୍ରୀ ଶର୍ମା ଆଗାମୀ ନିର୍ବାଚନରେ ମୁକାବିଲା କରିବେ, ତାକୁ ସମସ୍ତେ ଚାହିଁ ବସିଛନ୍ତି ।

ଗଣେଶ୍ୱର ବେହେରା:
ଏବେ ଆସନ୍ତୁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇବା । ଏଠାକାର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଲୋକମାନଙ୍କ ମଧ୍ୟରେ ବେଶ୍ ଆଦୃତ । ଗତ ପ୍ରାୟ ୨ଟି ନିର୍ବାଚନରେ ଶ୍ରୀ ବେହେରା କଂଗ୍ରେସ ପ୍ରର୍ଥୀ ଭାବେ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ରୀ ବେହେରା ହେଉଛନ୍ତି କେନ୍ଦ୍ରାପଡା ପାଇଁ ଫିଟେଷ୍ଟ କ୍ୟାଣ୍ଡିଡେଟ୍ । ତେବେ ନିଜର ଏହି ସମର୍ଥନକୁ ଭୋଟରେ ରୁପାନ୍ତରିତ କରିବାରେ ସେ ବିଫଳ ହେଉଛନ୍ତି । ଅନ୍ୟ କିଛିଙ୍କ ମତରେ ଶ୍ରୀ ବେହେରା ହେଉଛନ୍ତି ଖରାପ ପାର୍ଟିରେ ଥିବା ଜଣେ ଭଲ ନେତା । କେବଳ କେନ୍ଦ୍ରାପଡା କାହିଁକି, ଅବକ୍ଷୟମୁଖି କଂଗ୍ରେସରେ ସେ ଜଣେ ନିର୍ବାବଦୀୟ ରାଜ୍ୟସ୍ତରୀୟ ନେତା ଭାବେ ମଧ୍ୟ ପରିଚତ । ବିଭିନ୍ନ ଟିଭି ଚ୍ୟାନେଲରେ ଆଲୋଚନରେ ଅଂଶଗ୍ରହଣ କରି ଯେଉଁ କେତେକ ନେତା ଆଜି ବି କଂଗ୍ରେସର ଟେକ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି, ସେମାନଙ୍କ ମଧ୍ୟରେ ଶ୍ରୀ ବେହେରା ଅଗ୍ରଗଣ୍ୟ । ତେବେ ଦେଖିବା କଥା, ଆଗାମୀ ନିର୍ବାଚନରେ ମତଦାତାମାନଙ୍କୁ କେତେ ଆକୃଷ୍ଟ କରିପାରୁଛନ୍ତି ।
ଏତକ ବାଦ୍ ଦେଲେ ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ଯେମିତିକି ମହାକାଳପଡ଼ା, ପାଟକୁରା ଓ ବରୀ ନିର୍ବାଚନ ମଣ୍ଡଳରେ କଂଗ୍ରେସର ସେମିତି କାଟ୍‌ତି ନାହିଁ । ଗଲା ନିର୍ବାଚନରେ ମହାକାଳପଡା, ପାଟକୁରା ଓ ଡେରାବିଶି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ।

ଅଣକଂଗ୍ରେସ ନେତାଙ୍କ କାଟ୍‌ତି:
ଅବଶ୍ୟ ବିଜୁବାବୁ ଅଣକଂଗ୍ରେସ ଦଳର ନେତା ସଜିବା ପରେ କେନ୍ଦ୍ରାପଡା ଜିଲାରେ କଂଗ୍ରେସ ସେମିତି ଆଖିଦୃଶୀୟା ସଫଳତା ପାଇପାରିନାହିଁ । କେବଳ ଭାଗବତ ପ୍ରସାଦ ମହାନ୍ତିଙ୍କୁ ବାଦ୍ ଦେଲେ ଜିଲାରେ ଏଯାଏ କଂଗ୍ରେସର କୌଣସି ଟାଣ୍ରୁଆ ନେତା ସାମ୍ନାକୁ ଆସିନାହାନ୍ତି । ଅନ୍ୟପକ୍ଷରେ ବିଜୁବାବୁଙ୍କ ସମୟରେ ନଳିନୀକାନ୍ତ ମହାନ୍ତି, ବିଜୟ ମହାପାତ୍ର, ବେଦପ୍ରକାଶ ଅଗ୍ରୱାଲ, ଶ୍ରୀକାନ୍ତ ଜେନା, ଶରତ ଦେବଙ୍କ ପରି ନେତାମାନେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିଲେ । ଜିଲାରେ କେବଳ ମାତ୍ର ବୈଜୟନ୍ତା ପଣ୍ଡା ଓ ବିଜୟ ମହାପାତ୍ରଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ବିଜେପି ନେତାଙ୍କ ପାଖରେ ଭୋଟରଙ୍କୁ ଆକର୍ଷଣ କଲା ଭଳି ଶକ୍ତି ନ ଥିବାରୁ ସରକାର ବିରୋଧୀ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ଯିବାକଥା । ତେବେ ଦୀର୍ଘଦିନ ହେବ କ୍ଷମତା ବାହାରେ ଥିବାରୁ ଦଳରେ ପାଂଠିର ଘୋର ଅଭାବ ତଥା ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ସ୍ଥାନୀୟ ନେତାମାନଙ୍କୁ ଦିଗହରା କରିଦେଇଛି । ଆସନ୍ତା ୨୪ ନିର୍ବାଚନରେ ଜିଲାର କଂଗ୍ରେସ ନେତାମାନେ କିଭଳି ନିଜକୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଉଚନ୍ତି, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.