କାହା ଭରସାରେ କେନ୍ଦ୍ରାପଡ଼ା ବିଜେପି!

୧୯ରେ ପରାଜିତଙ୍କ ଦେଖାନାହି, ଏକା ଏକା ବିଜୟ!

0 343

ODISHA DAILY: ରାଜ୍ୟରେ ମୁଖ୍ୟ ବିରୋଧ ଦଳର ଆଖ୍ୟା ପାଇଥିବା ଭାରତୀୟ ଜନତା ପାର୍ଟି ଆଗାମୀ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ କରି ଆସନ୍ତା ୨୪ରେ ବିଜେପି ଓଡ଼ିଶାରେ ଶାସନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ କଥା ଆଉ କାମରେ ଯେ ଅନେକ ଫରକ, ଏହା ଦଳୀୟ ସଂଗଠନରୁ ହିଁ ଜଣାପଡୁଛି । ରାଜ୍ୟରେ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲା ରହିଛି ଯେଉଁଠି ବିଜେପିର ନେତୃତ୍ୱକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ଉଦାହରଣ ଭାବେ ରାଜନୈତିକ ସମ୍ବେଦନଶୀଳ କେନ୍ଦ୍ରାପଡ଼ାକୁ ନିଆଯାଇପାରେ । ଆଗାମୀ ନିର୍ବାଚନରେ କିଏ କେନ୍ଦ୍ରାପଡ଼ାରେ ଦଳର ମଙ୍ଗ ସମ୍ଭାଳିବ, ତାକୁ ନେଇ ଏବେ ଅଙ୍କକଷା ଚାଲିଛି ।

ବୈଜୟନ୍ତଙ୍କ ପାଇଁ ବଢିଥିଲା ବିଜେପି ଭୋଟ୍‌:
୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ବିଜେପି ପ୍ରାୟତଃ ନେତା ଶୂନ୍ୟ ଥିଲା । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ ଜିଲାରେ ବିଜେପି ନୂଆ ରୂପରେ ଉଭା ହେଲା । ଶ୍ରୀ ପଣ୍ଡା ବିଜେପିରେ ଯୋଗଦେଇ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହେବା ପରେ ଅନେକ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ କଂଗ୍ରେସ ସମର୍ଥକ ବିଜେପିରେ ଯୋଗଦେଲେ । ଏହି ଠୁଁ ହିଁ ଜିଲାରେ କିଛି ନେତା ଓ କର୍ମୀ ସୃଷ୍ଟିହେଲେ, ଯେଉଁମାନେ କି ନିଜକୁ ପ୍ରଚାର ଅଭିଯାନରେ ସାମିଲ କରି ରାଲି, ସଭା ସମିତି ଇତ୍ୟାଦି କଲେ । ଯାହାଫଳରେ ବିଜେପିର ଅସ୍ତିତ୍ୱ ପ୍ରକାଶ ପାଇଲା । ଶ୍ରୀ ପଣ୍ଡା ଏଠାକାର ସାଂସଦ ପ୍ରାର୍ଥୀ ହେବା ପରେ ତାଙ୍କୁ ପରାଜିତ କରିବାକୁ ନବୀନ ବାବୁଙ୍କ ଟିମ୍ ଯେଉଁ ଓଭର ଆକ୍‌ଟିଭ ହୋଇ କାମକଲେ, ତାହଦ୍ୱାରା ମଧ୍ୟ ବିଜେପିର ଗୁରୁତ୍ୱ ଅନେକାଂଶରେ ବଢିଗଲା । ବିଜେପି ଯେ ଏଠାରେ ବିଜେଡିକୁ ଫାଇଟ୍ ଦେଇପାରେ, ତାହା ବିଜେପି କର୍ମୀଙ୍କ ସମେତ ସାଧାରଣରେ ମଧ୍ୟ ଅନୁଭୂତ ହେଲା । ତେବେ ନିର୍ବାଚନ ଫଳ ହେଲା ଓଲଟା । ବିପୁଳ ଭୋଟ ବ୍ୟବଧାନରେ ଶ୍ରୀ ପଣ୍ଡାଙ୍କ ପରାଜୟ ପରେ ସ୍ୱଭାବିକ ଭାବେ ନୂଆ କର୍ମୀମାନଙ୍କ ମନୋବଳ ଭାଙ୍ଗିଗଲା । ଏହି କର୍ମୀମାନଙ୍କୁ ପୁନଶ୍ଚ ସକ୍ରୀୟ କରାଇ ୨୪ ବେଳକୁ ସେମାନଙ୍କୁ ପୁଣିଥରେ ଆକ୍ରମଣାତ୍ମକ ମୁଦ୍ରାକୁ ଆଣିବାକୁ ଯେଉଁ ନେତାଙ୍କର ଆବଶ୍ୟକତା ରହିଛି, ତାହା ଏଠାରେ ସାମାନ୍ୟ ବି ଦୃଷ୍ଟିଗୋଚର ହେଉନାହିଁ ।

୧୯ରେ ପରାଜିତଙ୍କ ଦେଖାନାହି!
ଅନ୍ୟପକ୍ଷରେ ପରାଜୟ ପରେ ଶ୍ରୀ ପଣ୍ଡାଙ୍କୁ ଜାତୀୟ ଉପସଭାପତି ପଦବୀ ସହ ଆସାମ, ଦିଲ୍ଲୀ, ତ୍ରିପୁରା ଆଦି ରାଜ୍ୟର ପ୍ରଭାରୀ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଫଳରେ ସେ ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଛନ୍ତି । କର୍ମୀମାନଙ୍କୁ ସଂଗଠିତ କରିବାକୁ ତାଙ୍କ ପାଖରେ ସମୟର ଘୋର ଅଭାବ ରହିଛି । ଅପରପକ୍ଷରେ ଗତ ନିର୍ବାଚନରେ ଯେଉଁ ପୂର୍ବତନ ବିଧାୟକମାନେ ଏଠାରେ ବିଭିନ୍ନ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ, ସେମାନଙ୍କ ଭୂମିକା ସେତିକି ହିଁ ଥିଲା ବୋଲି କର୍ମୀ ମହଲରେ ମତ ପ୍ରକାଶ ପାଉଛି । ଉଦାହରଣ ସ୍ୱରୂପ ଆଳି ଆସନକୁ ନିଆଯାଇପାରେ । ଏଠାରେ ପୂର୍ବତନ କଂଗ୍ରେସ ବିଧାୟକ ଦୋଳ ଗୋବିନ୍ଦ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ନିର୍ବାଚନରେ ପରାଜୟ ପରେ ତାଙ୍କର ଆଉ ଦେଖାଦର୍ଶନ ମିଳି ନ ଥିଲା । ଯଦିଓ ୧୯ ନିର୍ବାଚନ ପାଇଁ ଦଳୀୟ ଟିକେଟର ଅନ୍ୟତମ ପ୍ରମୁଖ ଦାବିଦାର ଥିବା କୃଷ୍ଣ ପଣ୍ଡା ଏବେ କିଛିଟା ସକ୍ରୀୟ ଅଛନ୍ତି, ତେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରତାପ ଦେବ ଓ ଦେବେନ୍ଦ୍ର ଶର୍ମାଙ୍କୁ ସେ କେମିତି ଟକ୍କର ଦେବେ, ତାହା ହିଁ ତାଙ୍କ ପାଇଁ ଚିନ୍ତା ।
ରାଜନଗରରେ ୩ ନମ୍ବର ସ୍ଥାନ:
ରାଜନଗର ନିର୍ବାଚନ ମଣ୍ଡଳୀକୁ ଲକ୍ଷ୍ୟ କଲେ ସମାନ ସ୍ଥିତି ଦେଖିବାକୁ ମିଳେ । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ବିଜେଡି ଏମଏଲଏ ଅଲେଖ ଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଠାରେ ଅନୁଷ୍ଠିତ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ସେ ୩ ନମ୍ବର ଥିଲେ । ଆଦୌ ସାଂଗଠନିକ ଦକ୍ଷତା ରଖି ନ ଥିବା ଶ୍ରୀ ଜେନା ଯଦିଓ ପ୍ରାର୍ଥୀ ହୋଇ ପଦ୍ମ ଚିହ୍ନରେ ଲଢିଥିଲେ, ତେବେ ତାଙ୍କ ପାଖରେ କର୍ମୀଙ୍କର ଘୋର ଅଭାବ ରହିଥିଲା । ଗତ ପଂଚାୟତ ନିର୍ବାଚନରେ ମଧ୍ୟ ଦଳ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

ଏକା ଏକା ବିଜୟ!
ପାଟକୁରା ଆସନରେ ପୂର୍ବରୁ ପ୍ରତିନିଧିତ୍ୱ କରୁଥିବା ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲ ମେଂଟ ସରକାର ସମୟରେ ବିଜେପିରେ ଥିଲେ । ପରବର୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ଏଠାରୁ ମଂତ୍ରୀ ହୋଇଥିଲେ । ତା ପରେ ପାଟକୁରାରେ ବିଜେପି ପ୍ରାୟତଃ ବିଲୀନ ହୋଇ ଯାଇଥିଲା । ତେବେ ଏଠାକାର ଧୂରୀଣ ରାଜନେତା ବିଜୟ ମହାପାତ୍ର ବିଜେପିରେ ଯୋଗଦେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ସପକ୍ଷରେ ଏପରି ହାୱା ବହୁଥିଲା ଯେ, ସେ ବିଜୟୀ ହେବା ପ୍ରାୟ ସୁନିଶ୍ଚିତ ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଉଥିଲେ । ତେବେ ପ୍ରାର୍ଥୀ ହୋଇଥିବା ବେଦୁବାବୁଙ୍କ ଆକସ୍ମିକ ବିୟୋଗ ପରେ ଏଠାରେ ନିର୍ବାଚନକୁ ୩ ମାସ ପାଇଁ ସ୍ଥଗିତ ରଖି ଦିଆଗଲା । ପରେ ଯେଉଁ ନିର୍ବାଚନ ହେଲା, ସେଠାରେ ବିଜୟଙ୍କୁ ପରାଜିତ କରି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଶାସକ ବିଜେଡି କଳ ବଳ କୌଶଳ, ସବୁ ଏକାକାର କରିଦେଇଥିଲା । ଫଳରେ ପରାଜିତ ହୋଇଥିଲେ ଶ୍ରୀ ମହାପାତ୍ର । ଜିଲାରେ ଖାତା ଖୋଲିବାକୁ ବିଜେପି ଯେଉଁ ଶେଷ ଆଶା ଟିକକ ରଖିଥିଲା, ତାହା ବିଜୟ ବାବୁଙ୍କ ପରାଜୟ ସହ ମାଟିରେ ମିଶି ଯାଇଥିଲା । ଯଦିଓ ଶ୍ରୀ ମହାପାତ୍ରଙ୍କର ଏବେବି ପାଟକୁରା ଓ ସମଗ୍ର କେନ୍ଦ୍ରାପଡା ଜିଲାରେ ପତିଆରା ରହିଛି, ତେବେ ପାର୍ଟି ତାଙ୍କୁ କ୍ରମାଗତ ଅବହେଳା କରିଚାଲିଛି, ଯାହାଦ୍ୱାରା ସେ ମଧ୍ୟ କ୍ରମଶଃ ନିଷ୍କ୍ରୀୟ ହୋଇଯାଉଛନ୍ତି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି ।

କେନ୍ଦ୍ରାପଡ଼ାରୁ କିଏ..!
ଏବେ ବିଚାର କରିବା ଜିଲାର ଅନ୍ୟ ୨ ଆସନ ମହାକାଳପଡ଼ା ଓ କେନ୍ଦ୍ରାପଡା ଉପରେ । ଗତ ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ ହୋଇଥିବା ସୁନାକର ବେହେରା ମାତ୍ର ୧୫% ଭୋଟ ପାଇବାରେ ସଫଳ ହୋଇଥିଲେ ଯେଉଁଠିକି ତାଙ୍କ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀ, ବିଜେଡିର ଶଶୀଭୂଷଣ ବେହେରା ୪୩.୬୫% ଓ କଂଗ୍ରେସର ଗଣେଶ୍ୱର ବେହେରା ୩୯.୩୪% ଭୋଟ ପାଇଥିଲେ । ତେଣୁ ଏଠାରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହେବା କେତେ ଦୁରୁହ ବ୍ୟପାର, ତାହା ତଥ୍ୟରୁ ଅନୁମେୟ ।

ମହାକାଳପଡ଼ାର ମଜବୁତ୍ ସ୍ଥିତି ଫେରିବ ତ!
ତେବେ ପାଟକୁରା ପରି ମହାକାଳପଡ଼ାରେ ବିଜେଡିର ମଜବୁତ୍ ସ୍ଥିତି ଦେଖିବାକୁ ମିଳିଥିଲା ଗତ ନିର୍ବାଚନରେ । ଏଠାକାର ଦଳୀୟ ପ୍ରାର୍ଥୀ ବିଜୟ ପ୍ରଧାନ, ବିଜେଡିର ଟାଣୁଆ ନେତା ଅତନୁ ସବ୍ୟସାଚି ନାୟକଙ୍କୁ କଡା ଟକ୍କର ଦେଇଥିଲେ । ଶ୍ରୀ ନାୟକ ୯୩,୧୯୭ ଭୋଟ ପାଇଥିବା ବେଳେ ଶ୍ରୀ ପ୍ରଧାନ ପାଇଥିଲେ ୭୭, ୫୩୪ ଭୋଟ । ବିଜୟ ବ୍ୟବଧାନ ଥିଲା ୧୫,୬୬୩ । ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡିଥିଲା । ପର୍ଯ୍ୟବେକ୍ଷକଙ୍କ ମତରେ ଏଠାରେ ଦଳର ଅନ୍ୟ ଦୁଇ ତୁଙ୍ଗନେତା ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଭୋଟବ୍ୟାଙ୍କର ଫାଇଦା ଶ୍ରୀ ପ୍ରଧାନଙ୍କୁ ମିଳିଥିଲା । କିନ୍ତୁ ସେବେର ଉତ୍ସାହ ଏବେ ନାହିଁ । ଅନ୍ୟପକ୍ଷରେ ମନ୍ତ୍ରୀ ହେବା ପରେ ମଧ୍ୟ ଅତନୁ ନିଜ ନିର୍ବାଚନ ମଣ୍ଡଳୀକୁ ନିୟମିତ ଗସ୍ତ କରି କର୍ମୀମାନଙ୍କୁ ସଂଗଠିତ କରୁଥିବା ଦେଖିବାକୁ ମିଳୁଛି ।

ରାଜନୈତିକ ସମୀକ୍ଷକମାନଙ୍କ ମତରେ ଯଦିଓ ଗତ ୧୯ ନିର୍ବାଚନରେ ଦଳ ନିଜ ପାଇଁ କିଛି ଭୋଟ ଯୋଗାଡ କରିବାରେ ସଫଳ ହୋଇଥିଲା, ତେବେ ଏହି ଭୋଟ୍‌କୁ ନିଜ ସହ ୨୪ ନିର୍ବାଚନ ଯାଏ ରଖି ପାରିବ କି ନାହିଁ, ସେ ନେଇ ସନ୍ଦେହ ରହିଛି । ଜିଲାର ୨ ପ୍ରମୁଖ ନେତା ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ଦଳରେ କୋଣଠେସା ପରି ଲାଗୁଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟ କିମ୍ବା ଜାତୀୟ ନେତୃମଣ୍ଡଳୀ ଜିଲାରେ ସେମିତି କିଛି ଆଖିଦୃଶୀୟା କାର୍ଯ୍ୟକ୍ରମ ବା କର୍ମୀ ସମ୍ମିଳନୀ ମଧ୍ୟ କରୁନାହାନ୍ତି, ତେଣୁ କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହେଉନାହିଁ । ଅନ୍ୟପକ୍ଷରେ ଭୋଟ ରାଜନୀତିରେ ମାହିର ବିଜେଡି ନିଜ କର୍ମୀମାନଙ୍କୁ ସଂଗଠିତ କରି ୨୪ର ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଦେଖିବା କଥା ବିଜେପିର ନେତୃବୃନ୍ଦଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ।

Leave A Reply

Your email address will not be published.