କେନ୍ଦ୍ରାପଡ଼ା ବିଜେଡିର ସର୍ବମାନ୍ୟ ନେତା କିଏ…!

ଅତନୁ ଓ ପ୍ରତାପଙ୍କ ପ୍ରଭାବ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସୀମିତ

0 1,325

ଓଡ଼ିଶା ଡେଲି ଡେସ୍କ (ବ୍ୟୁରୋ) : ରାଜନୀତି କ୍ଷେତ୍ରରେ ସବଠୁ ଅଧିକ ଚର୍ଚିତ କେନ୍ଦ୍ରାପଡ଼ା ଜିଲାରେ ଶାସକ ବିଜେଡି ଏବ ତ୍ରିଶଂକୁ ସ୍ଥିତିରେ ରହିଛି । ଯଦିଓ ଏହି ଜିଲ୍ଲାର ସବୁତକ ବିଧାନସଭା ଆସନ ଓ ଲୋକସଭା ଆସନ ଶାସକ ବିଜେଡି ଅକ୍ତିଆରରେ ଅଛି, ତେବେ ଜିଲ୍ଲାରେ ଦଳର ସର୍ବମାନ୍ୟ ଓ ସର୍ବାଦ୍ରୁତ ନେତା କିଏ, ସେ ନେଇ ଦେଖା ଦେଇଛି ଏକ ବିରାଟ ଦ୍ୱନ୍ଦ୍ୱ ।

ସୁରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ବିଜୁ ପଟ୍ଟନାୟକ, ରବି ରାୟ, ଶରତ ଦେବଙ୍କ ପରି ସର୍ବାଦୃତ ନେତାଙ୍କର ଏକଦା ନିଜସ୍ୱ ନିର୍ବାଚନ ମଣ୍ଡଳୀ ଥିବା ଏହି ଜିଲା ଅଣକଂଗ୍ରେସ ରାଜନୀତି ପାଇଁ ବେଶ ଚର୍ଚ୍ଚିତ । ଅଧିକାଂଶ ସମୟ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଣକଂଗ୍ରେସ ଦଳର କବ୍‌ଜାରେ ରହିଆସିଛି । ୨୦୦୦ ମସିହାରେ ବିଜେଡି ଶାସନ ଦାୟିତ୍ୱ ସମ୍ଭାଳିବା ପରଠୁ ଏହି ଆସନ ବିଜେଡି ଅକ୍ତିଆରରେ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସମଗ୍ର ଜିଲାରେ ନିରଂକୁଶ ଭାବେ ବିଜେଡି ଶାସନ କରୁଥିବା ବେଳେ, ଜିଲାରେ ଦଳର ନେତୃତ୍ୱ ସଂକଟ ଦେଖା ଦେଇଛି । ଦଳ ସୁପ୍ରିମୋ ନବୀନ ବାବୁଙ୍କୁ ଛାଡିଦେଲେ, ଏଠି ଅନ୍ୟ କୌଣସି ନେତା ସମଗ୍ର ଜିଲାରେ ନିଜ ଦବ୍‌ଦବା ଦେଖାଇ ପାରୁନାହାନ୍ତି ।

ଦଳର ଦୁଇ ଟାଣୁଆ ନେତା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଆଳି ବିଧାୟକ ପ୍ରତାପ ଦେବ ଯଦିଓ ଜିଲ୍ଲାରେ କିଛିଟା ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି, ତେବେ ତାହା ଅତ୍ୟନ୍ତ ଗୌଣ । ପ୍ରଭାବ ଦୃଷ୍ଟିରୁ ଦେଖିବାକୁ ଗଲେ ଉଭୟଙ୍କ କ୍ଷମତା କେବଳ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସୀମିତ । ଉଭୟ ଅତନୁ ବାବୁ ଓ ପ୍ରତାବ ବାବୁ ନବୀନ ସରକାର ଆସିବା ପରଠୁ ଥରେ ମାତ୍ର ହାରିଛନ୍ତି । ତେବେ ମନ୍ତ୍ରୀପଦ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରତାପଙ୍କ ଯଥେଷ୍ଟ ଆଗରେ ଅତନୁ । କାରଣ ଅତନୁ ବାବୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ୨ ଥର ସ୍ଥାନ ପାଇଥିବା ବେଳେ, ଶକ୍ତି, ସ୍ୱାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପ୍ରତାପ ବାବୁ ଥରେ ମାତ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଯୋଗାଣ ବିଭାଗ ଦାୟିତ୍ୱରେ ଥିଲେ । ଯଦିଓ ମନ୍ତ୍ରୀ ଥାଇ ଗତ ୨୦୧୪ ନିର୍ବାଚନରେ ପରାଜିତ ହେବା ପରେ ଦଳ ସୁପ୍ରିମୋ ତାଙ୍କୁ ରାଜ୍ୟସଭା ପଠାଇ ସାଂସଦ କରାଇଥିଲେ, ଯାହା ଏଯାବତ ଅତନୁଙ୍କ କ୍ଷେତ୍ରରେ ଘଟିନାହିଁ ।

ଆଗାମୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ଉଭୟ ଆଖେଇ ଥିବା କୁହାଯାଉଥିବା ବେଳେ ନିଷ୍ପତି କେବଳ ସପ୍ରିମୋଙ୍କ ହାତରେ ହିଁ ରହିଛି । ସେହିପରି ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ଆସନରେ ଯଦିଓ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରତିନିଧିତ୍ୱ କରୁଚନ୍ତି, ତେବେ ସେ ଭୁବନେଶ୍ୱରିଆ ନେତା ଭାବେ ଜିଲ୍ଲାରେ ବେଶୀ ପରିଚିତ । ତାଙ୍କୁ କେବଳ ଥଇଥାନ ଭିତିରେ ଏଠାରେ ଟିକେଟ ମିଳିଛି । ଏକଥା ଜିଲ୍ଲାରେ ଦଳୀୟ ନେତା ଓ କର୍ମୀ, ସମସ୍ତେ ଜାଣନ୍ତି । ତେଣୁ ସେ କେବଳ ସୋ-ପିସ୍ ହୋଇଥିବା ବେଳେ ଜିଲ୍ଲା ରାଜନୀତିରେ ତାଙ୍କର ବିଶେଷ ଭୂମିକା ନାହିଁ ।

ସେହିପରି ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦୁବାବୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଯଦିଓ ନିର୍ବାଚିତ ହୋଇଛନ୍ତି, ତେବେ ରାଜନୀତିରେ ତାଙ୍କର କୌଣସି ଭୂମିକା ହିଁ ନାହିଁ । ଅନ୍ୟପକ୍ଷରେ ଏଠାରେ ମାଆଙ୍କ ଅଧିକାଂଶ କାମ ପୁଅ କରୁଥିବା ସମସ୍ତେ ଜାଣନ୍ତି । ତେଣୁ ଜିଲ୍ଲା ରାଜନୀତି ତ ଦୂର, ନିଜ ନିର୍ବାଚନ ମଣ୍ଡଳୀ ରାଜନୀତିରେ ମଧ୍ୟ ସାବିତ୍ରୀଙ୍କ ଭୂମିକା ଅତ୍ୟନ୍ତ ନଗଣ୍ୟ ।

ଅନୁରୂପ ଅବସ୍ଥା ରାଜନଗର ବିଧାୟକ ଧ୍ରୂବ ସାହୁଙ୍କର । ସେ ଚଳିତ ଥର ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଫଳରେ ନିଜ ନିର୍ବାଚନ ମଣ୍ଡଳୀରେ ନିଜ ସ୍ଥିତି ସୁଧାରିବା ତାଙ୍କ ପାଇଁ ବର୍ତମାନ ବଡ଼ ଚ୍ୟାଲେଞ୍ଜ । କାରଣ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ତଥା ଟାଣୁଆ ଯୁବନେତା ଅଂଶୁମାନ ମହାନ୍ତି ଆଗାମୀ ଦିନରେ ତାଙ୍କ ପାଇଁ ବଡ଼ ବିପଦ । ତେଣୁ ନିଜ ନିର୍ବାଚନ ମଣ୍ଡଳୀର ଅଂଶୁମାନ ମହାନ୍ତିଙ୍କୁ କାଉଁଟର କରିବାରେ ତାଙ୍କର ଅଧିକାଂଶ ସମୟ ଯାଉଛି । ତେଣୁ ଜିଲା ରାଜନୀତିରେ ତାଙ୍କର ବିଶେଷ ଭୂମିକା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ଠିକ୍ ସେମିତି ବରୀ ଡେରାବିଶ ବିଧାୟିକାଙ୍କ ଅବସ୍ଥା । ସେ ପ୍ରଥମ ଥର ନିର୍ବାଚନ ଜିତିଥିବାରୁ ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ।

ସିନେତା ତାରକା ଅନୁଭବ ମହାନ୍ତି ଯଦିଓ ଗଲା ନିର୍ବାଚନରେ ଏଠାକାର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଥିଲେ, ତେବେ ନିର୍ବାଚିତ ହେବା ପରେ ତାଙ୍କ ଉଚ୍ଚାରଣ ଓ ଆଚରଣ, ଅନେକ ମାତ୍ରାରେ ଏଠାକାର ଦଳୀୟ ନେତାଙ୍କୁ ଅସ୍ୱସ୍ତିକର ପରସ୍ଥିତି ମଧ୍ୟକୁ ଠେଲି ଦେଇଛି । ତେଣୁ ସାଂସଦଙ୍କ ପ୍ରଭାବ ଦଳ ଉପରେ ନାହିଁ କହିଲେ ଚଳେ ।

ଅନ୍ୟପକ୍ଷରେ ୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ଏଠାକାର ବିଧାୟକ ଯଥା, ନଳିନୀକାନ୍ତ ମହାନ୍ତି, ବିଜୟ ମହାପାତ୍ର, ବେଦପ୍ରକାଶ ଅଗ୍ରୱାଲଙ୍କ ଲୋକପ୍ରିୟତା ଓ ଦଳର ଉପରେ ସେମାନଙ୍କ ପ୍ରଭାବ ପ୍ରାୟତଃ ଶୀର୍ଷରେ ଥିଲା । ତେଣୁକରି କେନ୍ଦ୍ରାପଡ଼ା ବିଜୁବାବୁଙ୍କ ସମୟରେ ସବୁଠୁ ପ୍ରଭାବଶାଳୀ ଜିଲା ଭାବେ ଉଭା ହୋଇଥିଲା । ସେହି ସମୟରେ କେନ୍ଦ୍ରାପଡା ସାଂସଦୀୟ ଆସନରୁ ନିର୍ବାଚିତ ରବି ରାୟ ଲୋକସଭାର ବାଚସ୍ପତି ହେବା ପରେ ତାଙ୍କର ମଧ୍ୟ ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିଲା । ସେହିପରି ଜିଲାର ଅନ୍ୟ ଜଣେ ଟାଣୁଆ ନେତା ଶରତ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁଶ୍ରୀ ଦେବି ଆଳି ଆସନରୁ ପ୍ରଥମ ଥର ବିଧାୟିକା ହୋଇଥିଲେ ମଧ୍ୟ ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଉଥିଲା । ଏହି କାରଣରୁ କେନ୍ଦ୍ରାପଡାକୁ ସେତେବେଳେ ଅଣକଂଗ୍ରେସ ରାଜନୀତିର ଦୁର୍ଗ ବୋଲି କୁହାଯାଉଥିଲା ।

ବିଜେଡି ଶାସନରେ ଯଦିଓ ଏହି ଦୁର୍ଗ ଅଭେଦ୍ୟ ରହିଛି, ତେବେ ଏହାର ଶ୍ରେୟ ସ୍ଥାନୀୟ ନେତା ନୁହନ୍ତି, ବରଂ ଦଳର ସୁପ୍ରିମୋ ନବୀନ ବାବୁଙ୍କୁ ହିଁ ଯାଉଛି । କାରଣ ସମଗ୍ର ଜିଲାକୁ ପ୍ରତିନିଧିତ୍ୱ କରିବା ପରି ନେତା ଏଯାଏ ଆଖି ସାମ୍ନାରେ ଉଭା ହୋଇନାହାନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରୁଛନ୍ତି ।

Leave A Reply

Your email address will not be published.