ସ୍ୱଚ୍ଛ ଶାସନ ନାଁରେ 5ଟି ସରକାରର ପୋଲ୍ ଖୋଲିଲା ପିଏଆଇ !

0 608

ବେଙ୍ଗାଲୁରୁ/ଭୁବନେଶ୍ୱର: ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଛି ପବ୍ଲିକ ଆଫାୟାର୍ସ ଇଣ୍ଡେକ୍ସର ରିପୋର୍ଟ । ଏହି ପିଏଆଇ 2021ର ରିପୋର୍ଟ ଅନୁଯାୟୀ ସୁଶାସନରେ ଓଡିଶା ସରକାର ତଳ ଆଡୁ ତୃତୀୟରେ ରହିଛି । 18ଟି ରାଜ୍ୟକୁ ନେଇ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ବେଙ୍ଗାଲୁରୁର ଏକ ଥିଙ୍କ-ଟ୍ୟାଙ୍କର ବିଗତ 5 ବର୍ଷ ହେବ ଏପରି ରିପୋର୍ଟ ପ୍ରଦାନ କରି ଆସୁଛି । ସୁଶାସନ କ୍ଷେତ୍ରରେ ଦେଶର 18ଟି ବଡ ବଡ ରାଜ୍ୟ ମଧ୍ୟରେ ଓଡିଶା ତଳ ଆଡୁ ତୃତୀୟରେ ରହିଥିବା ବେଳେ ଏହା ଉପରେ ଛତିଶଗଡ ଏବଂ ଝାଡଖଣ୍ଡ ଭଳି ଛୋଟିଆ ଛୋଟିଆ ରାଜ୍ୟ ରହିଛି। କେବଳ ନିର୍ବାଚନମୁଖୀ ଯୋଜନା, ଯୋଜନାର କାର୍ଯ୍ୟକାରିତାରେ ବିଫଳତା ଏବଂ ଅର୍ଥ ବାଟମାରଣା, ରାଜ୍ୟ ପଛରେ ପଡିବାର ମୁଖ୍ୟ କାରଣ ବୋଲି ଅଭିଯୋଗ ଉଠିଛି।

ସବୁଠୁ ବଡ କଥା ହେଲା ସ୍ୱଚ୍ଛ ଶାସନ ନେଇ ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଡିଣ୍ଡିମ ପିଟୁଛନ୍ତି । ହେଲେ ଅସଲ ରିପୋର୍ଟ କଣ ତାହା ପପ୍ଲିକ ଆଫାୟର୍ସ ଇଣ୍ଡେକ୍ସ ବା ସୂଚକାଙ୍କ (PAI)ର ଜଣାପଡିଛି । ଅଭିବୃଦ୍ଧି, ସମାନତା ଏବଂ ସ୍ଥିରତାକୁ ଆଧାର କରି ଏପରି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ତେବେ ଏହି ତାଲିକାରେ କେରଳ ଚଳିତ ବର୍ଷ ମଧ୍ୟ ପୂର୍ବ ଚାରି ଥର ପରି ଆଗରେ ରହିଛି । ଦେଶର 18ଟି ବୃହତ ରାଜ୍ୟ ମଧ୍ୟରେ ଓଡିଶା 17 ତମ ସ୍ଥାନ ହାସଲ କରିଥିବାବେଳେ ଅଭିବୃଦ୍ଧି ସୂଚକାଙ୍କ ଅନୁଯାୟୀ ଏହା 13 ତମ ସ୍ଥାନରେ ରଖିଛି। ସେହିପରି ସ୍ଥିରତା ଦୃଷ୍ଟିରୁ ଓଡିଶା 12ତମ ସ୍ଥାନରେ ରହିଛି।

ସ୍ୱଚ୍ଛତା ଏବଂ ସୁଶାସନ ଉପରେ ରାଜ୍ୟ ସରକାର ଅନେକ ସମୟରେ ଡିଣ୍ଡିମ ପିଟୁଥିବା ବେଳେ ବିଶେଷଜ୍ଞମାନେ PAI ସୂଚକାଙ୍କକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ ଯଦିଓ କେନ୍ଦ୍ରରେ ବିଜେପି ସରକାରଙ୍କ ତରଫରୁ ବହୁ ପରିମାଣର ସହାୟତା ମିଳୁଛି, ତଥାପି ରାଜ୍ୟରେ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉ ନାହିଁ । ଓଡିଶା ସରକାର ‘ଦାୟିତ୍ୱବାନ’ ହେବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର। ତେବେ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଯେ PAI ରିପୋର୍ଟର କୌଣସି ଅର୍ଥ ନାହିଁ, ରାଜ୍ୟ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି।

Leave A Reply

Your email address will not be published.