ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ କ୍ୟାପଟେନ୍

1 922

କଳାହାଣ୍ଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାରେ ପହଞ୍ଚିଛନ୍ତି। ଭବାନୀପାଟଣାର ଓୟୁଏଟି ପଡିଆରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ଏକ ବିଶାଳ ରାଲି ବାହାରିଥିଲା। ତେବେ ସବୁଠାରୁ ବଡ଼ ଆଶ୍ଚଯ୍ୟକର ଘଟଣା ଯେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋଟିଏ ମଞ୍ଚରେ ଅଛନ୍ତି। ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମଞ୍ଚରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଅଛନ୍ତି। କଳାହାଣ୍ଡିରେ ବିଜେପି ଏହାକୁ କଡା ନିନ୍ଦା କରିବା ସହିତ, ମୁଖ୍ୟମନ୍ତ୍ରୀଙ୍କୁ ଅପଦାର୍ଥ ମୁଖ୍ୟମନ୍ତ୍ରୀ ବୋଲି ବିଜେପି କର୍ମୀମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି ଏହାକୁ ଦୃଢ଼ ଭାବରେ ନିନ୍ଦା କରିଛି।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ ଶିଶୁ ଭବନ ଛକ ନିକଟରେ ପୁଲିସ୍ ଅଟକାଇଛି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବିଜେପି କର୍ମୀ ପ୍ରଥମ ସ୍ତର ସୁରକ୍ଷା ବ୍ୟବସ୍ଥାକୁ ପାର ହେବା ପରେ ପୁଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ପୁଲିସ୍ ଅନେକ କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଆହୁରି ଅନେକ କର୍ମୀ ସେଠାରେ ଧାରଣାରେ ବସିଛନ୍ତି।
ଭବାନୀପାଟଣାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଜେପି ସହିତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହିତ ଧର୍ମଗଡ଼ ଓ ଜୁନାଗଡ଼ ପ୍ରଭୃତି ସ୍ଥାନରୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳ ଠାରୁ ଗୋଟିଏ କିଲୋମିଟର ପରିଧି ମଧ୍ୟରେ ସମସ୍ତଙ୍କୁ କଡ଼ା ଯାଞ୍ଚ କରାଯାଉଛି। ଆଜି ସକାଳୁ ମଧ୍ୟ ଖବର ଆସିଥିଲା ଯେ ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି।

1 Comment
  1. Juliett says

    Very informative article! I appreciate the depth of analysis. If you want to delve deeper, here’s a helpful resource: EXPLORE FURTHER. Eager to hear everyone’s thoughts!

Leave A Reply

Your email address will not be published.