ମୋଦି ପୂର୍ବରୁ କେବେ କେବେ କ୍ଷମା ମାଗିଛନ୍ତି?

0 184

ଓଡ଼ିଶା ଡେଲି ଡେସ୍କ: କୁହାଯାଏ କ୍ଷମା ଦେବା ଓ କ୍ଷମା ମାଗିବାରେ କୌଣସି ଭୁଲ୍ ନଥାଏ। ଏପରି କରି କେହି ସମାଜରେ ତଳକୁ ଖସେନି ବରଂ ଜଣଙ୍କର ପରିପକ୍ୱତା ଏବଂ ମାନସିକତାକୁ ଦର୍ଶାଏ। କିନ୍ତୁ ଜଣେ କ୍ଷମା ମାଗିବାର ସ୍ଥିତି କଣ ରହିଛି ବୁଝିବାକୁ ହେବ। କାରଣ ସମୟ ଓ ସ୍ଥାନ ହିଁ ଦର୍ଶାଏ ଜଣଙ୍କ କ୍ଷମା ମାଗିବା ପଛର ଅସଲ ଉଦ୍ଦେଶ୍ୟ। ସେ ଯାହା ହେଉ ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର କ୍ଷମା ପ୍ରାର୍ଥନା କରିଛନ୍ତି । ତିନି କୃଷି ଆଇନ ରଦ୍ଦ ହେବ ବୋଲି ଘୋଷଣା କରିବା ସହ ଏପରି ନିଷ୍ପତ୍ତି ନେଉଥିବାରୁ କ୍ଷମା ମାଗିଛନ୍ତି। ଯେଉଁମାନେ କୃଷି ଆଇନକୁ ସମର୍ଥନ କରିଥିଲେ ସେମାନଙ୍କୁ ଏହା ଆଘତ ଦେବ ଭାବି କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ମଧ୍ୟ ଅନେକ ଥର ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଅନେକ ସମୟରେ ବିରୋଧୀ ମୋଦି ସରକାରକୁ ଏକଛତ୍ରବାଦ ଶାସକ କୁହନ୍ତି କିନ୍ତୁ ମୋଦି କ୍ଷମା ମାଗିବା, ସାଧାରଣ ଲୋକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରି ବିରୋଧୀଙ୍କୁ ଦେଇଛନ୍ତି କଡା ବାର୍ତ୍ତା ।

ଅନ୍ତିମ ଥର ପାଇଁ ତଥା ଏବେ ପ୍ରଧାନମନ୍ତ୍ରୀ ମୋଦି ତିନି କୃଷି ଆଇନ ପାଇଁ କ୍ଷମା ମାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ମୁଁ ଆନ୍ତରିକତାର ସହ ଏବଂ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଆମେ ଦେଶର ଗୋଟିଏ ବର୍ଗର କୃଷକଙ୍କୁ ବୁଝାଇପାରିଲୁ ନାହିଁ। ଆମ ତରଫରୁ ସେମାନଙ୍କୁ ବୁଝାଇବା ପାଇଁ ଯେଉଁ ସବୁ ପ୍ରୟାସ କରିବା କଥା ତାହା ହେଲାନି। ତେଣୁ ତିନି କୃଷି ଆଇନକୁ ରଦ୍ଦ କରୁଛୁ’।

ଯଦିଓ ସମାଲୋଚକ କହିଛନ୍ତି ଯେ ପଞ୍ଜାବ ଏବଂ ୟୁପି ନିର୍ବାଚନ ହେତୁ ପ୍ରଧାନମନ୍ତ୍ରୀ ଏପରି କରିଛନ୍ତି। ସେମାନଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ଜଣେ ଅହଂକାରୀ ନେତା … ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଅହଂକାରକୁ ପ୍ରଣାମ କରିବାକୁ ପଡିବ କି? ଉଲ୍ଲେଖଥାଉ କି, ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି।

– କରୋନା ଲହର ବେଳେ ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସାମ୍ନାରେ କହିଥିଲେ ଯେ ‘ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି, କାରଣ କରୋନା ବିରୋଧରେ ଲଢେଇରେ ଏପରି କିଛି ନିଷ୍ପତ୍ତି ନେବାକୁ ପଡିବ ଯେଉଁଥିପାଇଁ ଆପଣଙ୍କୁ ମାନିବାକୁ ପଡିବ। ଅସୁବିଧାର ସମ୍ମୁଖୀନ ହେବେ। ଗରିବ ଭାଇ ଓ ଭଉଣୀମାନେ ନିଶ୍ଚୟ ଅନୁଭବ କରିଛନ୍ତି ଯେ ଆମେ ତାଙ୍କୁ ଅସୁବିଧାରେ ପକାଉଛୁ, କିନ୍ତୁ 130 କୋଟି ଦେଶବାସୀଙ୍କ ପାଇଁ କରୋନା ବିରୋଧରେ ଲଢେଇ ପାଇଁ ଏହି ପଦକ୍ଷେପ ନିତାନ୍ତ ଆବଶ୍ୟକ।

କେବଳ ଏତିକି ନୁହେଁ, ଆମେରିକାର ହୁଷ୍ଟନରେ ଚାଲିଥିବା ‘ହାଓ୍ୱାଡି ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଟେକ୍ସାସର ସିନେଟର ଜନ୍ କର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଛନ୍ତି। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ। ସେହି ଦିନ ଜନ୍ କର୍ନିନଙ୍କ ପତ୍ନୀ ସାଣ୍ଡିଙ୍କ ଜନ୍ମଦିନ ଥିଲା। କର୍ନିନ୍ ତାଙ୍କ ପତ୍ନୀଙ୍କ ସହ ସମୟ ବିତାଇବାକୁ ଯୋଜନା କରୁଥିଲେ, କିନ୍ତୁ କାର୍ଯ୍ୟସୂଚୀ ହେତୁ ତାଙ୍କୁ ତାଙ୍କ ଯୋଜନା ବାତିଲ୍ କରିବାକୁ ପଡିଥିଲା। ଆଉ ପ୍ରଧାନମନ୍ତ୍ରୀ ମୋଦୀ ଏହା ଜାଣିପାରିଥିଲେ। ଏହାପରେ ମଂଚରେ ଉଦବୋଧନ ବେଳେ ସେ କର୍ନିଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଚଣ୍ଡିଗଡ଼ ଗସ୍ତରେ ଯାଉଥିଲେ, ସେତେବେଳେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ କେନ୍ଦ୍ର ଶାସିତ ସରକାରର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ସେତେବେଳେ ବିଶେଷ କରି ପିଲାମାନଙ୍କ ପାଇଁ ହେଉଥିବା ଅସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ। ସେ କହିଥିଲେ ‘ଲୋକଙ୍କ ପାଇଁ ହେଉଥିବା ଅସୁବିଧାକୁ ସମ୍ପୂର୍ଣ୍ଣ ରୂପେ ଏଡାଇ ଦିଆଯାଇ ପାରେ। ଏହି ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ 2017ରେ ୟୁପି ଗସ୍ତରେ ଥିଲେ। ଏହି ସମୟରେ ସେ କନ୍ନାଉଜର ଗୁରୁସାହିଗଞ୍ଜର ସାମରିକ ସ୍ଥଳରେ ପହଞ୍ଚିଥିଲେ। କନ୍ନାଉଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ରାଲି ଥିଲା। ଏହି ସମୟରେ ମୋଦି ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ସ୍ଥାନଟି ଛୋଟ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେଥିପାଇଁ ଲୋକଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡୁଛି। ଏଥିପାଇଁ ସେ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

ଏଭଳି କିଛି ଘଟଣା ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ କ୍ଷମା ମାଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ କେବଳ କ୍ଷମା ପ୍ରାର୍ଥନା କରିନାହାଁନ୍ତି ବରଂ ଏହାର ସମାଧାନ ମଧ୍ୟ ଦେଇଛନ୍ତି। ଯଦିଓ ଅନେକ ଥର ବିରୋଧୀଦଳ ଚାହୁଁଥିଲେ ଯେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ କିନ୍ତୁ ସେ କରି ନାହାନ୍ତି।

Leave A Reply

Your email address will not be published.