ନିର୍ବାଚନ ପାଇଁ କରୋନା ଆହୁରି ବ୍ୟାପିବନି ତ?

1 34

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସାରା ଦେଶରେ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ସାରା ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଭୟାବହତା ବଢିଛି। ଖବର ଲେଖାହେବା ସୁଦ୍ଧା ଦେଶରେ ଏବେ ମୋଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 145 ଛୁଇଁଛି। ଓମିକ୍ରନର ଭୟବହତା ଏବେ ୟୁରୋପରେ ଅଧିକ ରହିଛି । ନେଦରଲ୍ୟାଣ୍ଡରେ ଲକଡାଉନ ଲାଗୁ ହୋଇଥିବା ବେଳେ ବ୍ରିଟେନରେ ମଧ୍ୟ ଲକଡାଉନ ଲାଗିପାରେ।

ଏହାରି ଭିତରେ କିନ୍ତୁ ରାଜ୍ୟ ସରକାର କୋଡ ଅଫ୍ କଣ଼୍ଡକ୍ଟ ଲାଗୁ କରିବା ବା ଆଚରଣ ବିଧି ପାଇଁ ପ୍ରସ୍ତୁତି କରିଛନ୍ତି । ନିର୍ବାଚନକୁ ଅବାଧ ଓ ସ୍ୱଛ କରିବା ପାଇଁ ଆର୍ଟିକିଲ 243-କେରେ ଦିଆଯାଇଥିବା ସାମ୍ବିଧାନିକ କ୍ଷମତାର ବ୍ୟବହାର କରି ଏହି କୋଡ ଅଫ୍ କଣ୍ଡକ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଲାଗୁ ହେବ କୋଡ ଅଫ୍ କଣ୍ଡକ୍ଟ ଏବଂ ଗଣତି ଶେଷ ପର୍ଯ୍ୟନ୍ତ ଏହା ବଳବତର ରହିବ । ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି।

କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ଉଠିଛି। ଡେଲଟା ଭାରିଆଣ୍ଟ ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇଥିଲା। ଆଉ ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଆଉ ଏହାର ଭୟାବହତା ଦେଖି ପିପିଲି ଉପନିର୍ବାଚନ ଘୁଞ୍ଚାଇଥିଲେ ନିର୍ବାଚନ କମିଶନର। ବିଭିନ୍ନ ଅନ୍ତର୍ଜିାତୀୟ ମିଡିଆର ରିପୋର୍ଟ ଅନୁଯାୟୀ ଓମିକ୍ରନ ଦେଶରେ ତୃତୀୟ ଲହର ଆଣିବ । ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ବେଳକୁ ଏହି ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ ଭାରିଆଣ୍ଟ ଅଧିକ ଶୀଘ୍ର ସଂକ୍ରମିତ କରୁଥିବାରୁ ପଞ୍ଚାୟତ ନିର୍ବାଚନ ବେଳେ ଜନସମାବେଶ ଓମିକ୍ରନକୁ ଆଗକୁ ବଢାଇବାରେ ସୁପର ସ୍ପ୍ରେଡର ହେବନି ତ? କାରଣ ଡେଲଟା ତୁଳନାରେ ଓମିକ୍ରନ 6 ଗୁଣା ଅଧିକ ସଂକ୍ରମିତ ହୁଏ।

ଏହି ପ୍ରସଙ୍ଗରେ ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ନିର୍ବାଚନ ଆଗକୁ ରହିଛି । ହେଲେ ସେହି ସମୟରେ କରୋନାର ତୃତୀୟ ଲହର ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନକୁ ଆଉ 3-4 ମାସ ବିଳମ୍ବ କରିଦେବା ଭଲ ହେବ । ଏହାର କାରଣ ଯଦି କରୋନା ଧୀରେ ଧୀରେ ଲୋକଙ୍କ ସଂକ୍ରମିତ କରେ ତାହେଲେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଯାହା ଏବେ ରହିଛି ପରିଚାଳନା କରିହେବ । ଯଦି ଏହା ହୁ ହୁ ହୋଇ ବଢେ ତାହେଲେ ପରିଚାଳନା କରିବା ଅସୁବିଧା ହୋଇଯିବ ।

ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଚାରିଆଡେ ବ୍ୟାପିବା ଚିନ୍ତାଜନକ । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7 ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 4 ଜଣଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା । ସେମାନେ ଓମିକ୍ରନରେ ପୀଡିତ ନଥିଲେ । ଅନ୍ୟ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି। ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି। ସର୍ଭିଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି ଓମିକ୍ରନ ପ୍ରଜାତି ଅଧିକ ସଂକ୍ରମକ। କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। କିନ୍ତୁ ଏହା ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ। ଯଦି ଲକ୍ଷଣ ଅଛି ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୁନ କରିପାରିବା ନାହିଁ। କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ।

ଅନ୍ୟପଟେ ବିଶ୍ୱସ୍ୱାସ୍ତ୍ୟ ସଂଗଠନ କହିଛି, ଓମିକ୍ରନ ସଂକ୍ରମଣ ବ୍ୟାପୁଛି । 90ରୁ ଅଧିକ ଦେଶରେ ଏହି ମହାମାରୀ ବ୍ୟାପିସାରିଲାଣି । ତେଣୁ ସତର୍କ ଅବଲମ୍ବନ କରିବାକୁ ଯାଇ ଜନ ସମାବେଶ ନହେବା ଦରକାର । ସେହିପରି ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ସମୀରନ ପଣ୍ଡା କହିଛନ୍ତି ଜନସମାବେଶ ନହେବା ଦରକାର । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର। ଏମିତିକି ଜିଲ୍ଲା ସ୍ତରରେ କୋଭିଡ ସଂକ୍ରମିତଙ୍କୁ କିଭଳି ଚିହ୍ନଚ କରିହେବ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି।

1 Comment
  1. Evelynt says

    Great article! The depth of analysis is impressive. For those wanting more information, visit: LEARN MORE. Looking forward to the community’s thoughts!

Leave A Reply

Your email address will not be published.