ଅତନୁ ଓ ଜାନକୀଙ୍କ କଥା କହି ସରକାରଙ୍କୁ ନୈତିକତାର ଅ, ଆ ଶିଖାଇଲେ ସୌମ୍ୟ ପଟ୍ଟନାୟକ

0 37

ଭୁବନେଶ୍ୱର: ଶାସକ ଦଳର ବିଧାୟକ ତଥା ସମ୍ବାଦ ଖବରକାଗଜର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ନିଜର ସମ୍ପାଦକୀୟ ଆମ ଘରର ହାଲଚାଲ ଜରିଆରେ ଏକ ବୃତ୍ତି , ପାର୍ଟି ଓ ମାଟି ନାମରେ ଆଲେଖ୍ୟ ଲେଖି ସରକାରଙ୍କୁ ଘେରିଛନ୍ତି । ଆଉ ମମିତା ମେହେର ଭଳି ହତ୍ୟା ଘଟଣାରେ ଗୃହ ବିଭାଗର ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଯେତେବେଳେ ସଂପୃକ୍ତି ଅଭିଯୋଗ ଆସୁଛି ସେତେବେଳେ ତାଙ୍କ ଦଳର ସରକାରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏହି ଖଣ୍ଡପଡା ବିଧାୟକ । ଆଉ ଏଥିପାଇଁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ଏବଂ ଅଞ୍ଜନ ମିଶ୍ର ଘଟଣାର ଉଦାହରଣ ଦେଇଛନ୍ତି ସୌମ୍ୟ ରଂଜନ । ଆଉ ନିଜ ଆଲେଖ୍ୟ ଜରିଆରେ ସରକାରଙ୍କୁ କହିଛନ୍ତି ନୈତିକତା ହରାଇଲେ କଣ ଭୋଗିବାକୁ ପଡେ।

ଆଗକୁ ପୌର ଓ ପଂଚାୟତ ନିର୍ବାଚନ ରହିଛି । ଏହି ସମୟରେ ଯଦିଓ ବିଜେଡି ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛି । ଆଉ ମମିତା ପ୍ରସଙ୍ଗରେ ନିରବ ରହି ଲୋକଙ୍କ ପାଖରେ ଏହି ଦରଦାମକୁ ପ୍ରସଙ୍ଗ କରି ନିର୍ବାଚନ ଲଢିବ ବୋଲି ଯୋଜନା କରିଛି। କିନ୍ତୁ ଶାସକ ଦଳର ନେତା ଭାବରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସତସାହସର ସହିତ ନିଜ ସରକାର ଏବଂ ଦଳର ମୁଖିଆଙ୍କୁ ନୈତିକତା ହରାଇଲେ କଣ ହୁଏ ସେ ନେଇ ବୁଝାଇଛନ୍ତି । ଆଉ ଦଳ ଯଦି ଏଭଳି ଦୋମୁହାଁ ନୀତିରେ ଚାଲିବ ତାହେଲେ ଆଗାମୀ ଦିନର କଣ ହେବ ସେ ନେଇ ଗନ୍ଧ ବାରିଛନ୍ତି ସୌମ୍ୟ ।

ସୌମ୍ୟ ରଂଜନ ସିଧା ଲେଖିଛନ୍ତି, “ସମ୍‌ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁବାବୁଙ୍କର କୌଣସି ଭୂମିକା ନଥିଲା। ତଥାପି ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା।… କିନ୍ତୁ ସେ କ’ଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସମ୍ପୃକ୍ତି ଅଭିଯୋଗର ମୁକ୍ତ ଓ ନିର‌େପକ୍ଷ ତଦନ୍ତ ହୋଇପାରିବ ନାହିଁ”।

ସେହପରି ନିଜର ସ୍ୱର୍ଗତ ଶ୍ୱଶୂର ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରର ଏକ ଚର୍ଚ୍ଚିତ ଘଟଣାକୁ ଉଲ୍ଲେଖ କରି ସୌମ୍ୟ ପଟ୍ଟନାୟକକ ଲେଖିଛନ୍ତି, “ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରିତ୍ୱର ଶେଷ ପାଳି। ମୁଁ ଲୋକସଭା‌ରେ ଭୁବନେଶ୍ବରର ସାଂସଦ। ତତ୍କାଳୀନ ଆଡ୍‌ଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ବିରୋଧରେ ଅଞ୍ଜନା ମିଶ୍ର ବଳାତ୍କାର ଅଭିଯୋଗ ଆଣିଲେ। ସେତେବେଳେ ସେ ନୂଆପଲ୍ଲୀରେ ରହୁଥିଲେ। ଜଣେ ଓକିଲ ବନ୍ଧୁଙ୍କ ଜରିଆରେ ସାଂସଦ ହିସାବରେ ମୋଠାରୁ ‌ନ୍ୟାୟ ପାଇବା ପାଇଁ ଦାବି କଲେ। ଏହା ମୋ ପାଇଁ ସେତେବେଳେ ଏକ ଅତ୍ୟନ୍ତ ସ୍ପର୍ଶକାତର ଦ୍ବନ୍ଦ୍ବ ଥିଲା। ମୁଁ ସେତେବେଳେ ନୂଆ ସାଂସଦ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲି ଯେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ ନ କଲା ପର୍ଯ୍ୟନ୍ତ ସରକାରଙ୍କ ପାଇଁ ଆଉ କେସ୍‌ ଲଢ଼ନ୍ତୁ ନାହିଁ। ଏପରିକି ତାଙ୍କ ପାଇଁ ଏକ ନମୁନା ଇସ୍ତଫାପତ୍ର ମଧ୍ୟ ଲେଖି ଦେଇଥିଲି। ସେଥିରେ ଉଲ୍ଲେଖ କରିଥିଲି ଯେ ‘ମୁଁ ସରକାରଙ୍କର ଓକିଲ ନିଜ କେସ୍‌ ଲଢ଼ି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ ନ କଲା ପର୍ଯ୍ୟନ୍ତ ସରକାରୀ କେସ୍‌ ଲଢ଼ିବି ନାହିଁ। ସେଥିପାଇଁ ପଦରୁ ଇସ୍ତଫା ଦେଉଛି। ଜାନକୀବାବୁ କିନ୍ତୁ ମୋ ପରାମର୍ଶକୁ ଗ୍ରହଣ କଲେ ନାହିଁ। ସମ୍ଭବତଃ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏପରି ବଳି ଦେବା ପାଇଁ ପାର୍ଟିର ସ୍ବାର୍ଥ ଦୃଷ୍ଟିରୁ ସେ ସାହସ କୁଳେଇ ପାରିଲେ ନାହିଁ। ଅଞ୍ଜନାଙ୍କ କେସ୍‌ ପାଇଁ ପରବର୍ତ୍ତୀ ରାଜନୈତିକ ଅବସ୍ଥା କ’ଣ ହେଲା ତାହା ସମସ୍ତଙ୍କୁ ଜଣା”।

Leave A Reply

Your email address will not be published.