ମଇଦାନ ହଟ୍, କ୍ୟାପଟେନ କୁଲ୍

0 52

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ସାରା ରାଜ୍ୟ ଉଠୁଛି ପଡୁଛି । ବିରୋଧୀଙ୍କ ପାଖରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକ, ସୋଶିଆଲ ମିଡିଆ ସବୁଠି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ମାଳମାଳ ପ୍ରଶ୍ନ ସହିତ ଇସ୍ତଫା ଦାବି ହୋଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ ମଂଚରେ ବସିଛନ୍ତି ତାଙ୍କ ଡେପୁଟି ଅର୍ଥାତ୍ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାରା ରାଜ୍ୟରେ ଶାସକ ଦଳର ନେତାଙ୍କୁ ଅଣ୍ଡାମାଡ ଏବଂ କଳା ପତାକା ପ୍ରଦର୍ଶନ ଚାଲିଥିବା ବେଳେ ଦିବ୍ୟଙ୍କୁ ପାଖରେ ବସାଇ ନବୀନ ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଖାଲି ଏତିକି ନୁହେଁ କ୍ୟାପଟେନ ମୁଣ୍ଡରେ ଟିକା ଲଗାଇ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ଯେ ବିରୋଧୀ ମଇଦାନରେ ଯେତେ ଗର୍ଜିଲେ ମଧ୍ୟ ସେ ଏବେ ଆଶ୍ୱସ୍ତ ।

ଗତମାସ 21 ତାରିଖରେ ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଥିବା ବେଳେ ନବୀନ ମୟୂରଭଞ୍ଜ ଗସ୍ତ କରିଥିଲେ। ଏହି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ କ୍ୟାପଟେନ ମିଶ୍ର ଯୋଗ ଦେବାର ଥିଲା। କିନ୍ତୁ ମିଡିଆ ପାଖରୁ ମଇଦାନ ସବୁଠି ଏହାକୁ ନେଇ ତାତି ରହିଥିଲା। ତେଣୁ କ୍ୟାପଟେନଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ହେଲେ ଏହାପରେ ପରେ କ୍ୟାପଟେନ ଏକ ଭିଡିଓ ଜାରି କରି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ତାଙ୍କୁ ଜାଣିଶୁଣି ବଦନାମ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଆଉ ଏହି ବଦନାମ ତିନି ମିଡିଆ ହାଉସ ଜାଣିଶୁଣି କରୁଛନ୍ତି ବୋଲି କ୍ୟାପଟେନ କହିଥିଲେ । ପରେ ଏହି ତିନି ମିଡିଆ ହାଉସ ନାଁରେ ମାନହାନୀ ମୋକଦ୍ଦମା କରିଛନ୍ତି। ଆଉ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଆଇନ ଠିକ ବାଟରେ ଯିବ ଦୋଷୀ ଦଣ୍ଡ ପାଇବ ବୋଲି କହିଥିଲେ।

ଏହାପରେ ପରେ ଏହି ମାମଲାର ତଦନ୍ତ କରୁଥିବା ଏସପିଙ୍କ ସହିତ ଦିବ୍ୟଶଙ୍କର ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ବେଳେ ତଦନ୍ତକାରୀ ଏସପିଙ୍କ ସହିତ କ୍ୟାପଟେନ ଆଲୋଚନା କରୁଥିଲେ । ଯାହାକୁ ନେଇ ତମ୍ବିତୋଫାନ କରିଥିଲେ ବିରୋଧୀ। ଯେଉଁ ବ୍ୟକ୍ତି ନାଁରେ ଅଭିଯୋଗ ସିଏ ମନ୍ତ୍ରୀ ଏବଂ ଯିଏ ତଦନ୍ତକାରୀ ଅଫିସର ତାଙ୍କର ମୁଖିଆ ହେଉଛନ୍ତି ଏହି ମନ୍ତ୍ରୀ। ତେଣୁ ମିଛଟାରେ କେବଳ ତଦନ୍ତ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଏଥିସହିତ ସରକାର ନୀତି ନୈତିକତା ହରାଇଛନ୍ତି ବୋଲି କହିଥିଲେ।

ଏହାପରେ ପରେ ସାଂସଦ ଜୁଏଲ ଓରାମ କହିଥିଲେ ପୂର୍ବରୁ ଟିକିଏ ଅଭିଯୋଗ ଆସିଲେ ନବୀନ ଅନେକଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ଦେଇଛନ୍ତି। ହେଲେ ଏବେ ବୋଧହୁଏ ତାଙ୍କ କାନରେ ଏସବୁ କଥା ପହଂଚୁ ନାହିଁ  ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ। ଦିବ୍ୟଶଙ୍କରଙ୍କ ବିରୋଧରେ ଅଭିଯୋଗ ରହିଛି ପ୍ରମାଣ ମଧ୍ୟ ରହିଛି ହେଲେ ନବୀନ ଚୁପ୍ ବୋଲି ଜୁଏଲ କହିଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସମ୍ ହସ୍ପିଟାଲରେ ନିଆଁ ଲାଗିବା ଘଟଣା ହେଉ ଅବା ଡାଲି ଦୁର୍ନୀତି ଅଭିଯୋଗ ଆସିବା ପରେ ନବୀନ ସଙ୍ଗେ ସଙ୍ଗେ ଅତନୁ ସବ୍ୟସାଚ୍ଚୀ ନାୟକ ଏବଂ ପ୍ରମିଳ ମଲ୍ଲିକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

ଏବେ କିନ୍ତୁ ଶାସକ ଦଳର ତରିକା ବଦଳିଛି । ଶାସକ ଦଳର ନେତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ପରେ ବି ନବୀନ ନିଜ ନେତାଙ୍କୁ ସୁରକ୍ଷା ଦେଉଛନ୍ତି। ଲୋକଙ୍କ ଅସନ୍ତୋଷକୁ ଚାପି ଦେବାକୁ ଶାସକ ଦଳ ଅର୍ଥ ପାଖରୁ ଆରମ୍ଭ କରି ସମସ୍ତ ପ୍ରକାର ବାହୁବଳ ପ୍ରୟୋଗ କରୁଛି। ଏହା ଅଂହକାରର ପ୍ରତିଫଳନ । ସବୁଠାରୁ ବଡକଥା ହେଲା ବିବାଦ ଭିତରେ କ୍ୟାପଟେନ ବାହାରକୁ ଆସି ମୁଣ୍ଡ ଟେକିବା ପଛରେ କି ଥିଓରୀ ରହିଛି ତାହା ପ୍ରଶ୍ନ? ବିରୋଧୀଙ୍କୁ ହେୟଜ୍ଞାନ କରିବାକୁ ଯାଇ ଶାସକ ଦଳ ବା ସରକାର କ୍ୟାପଟେନଙ୍କୁ ସୁରକ୍ଷା ଦେଉଛି ନା ଶାସକ ଦଳର ଗୁମର ଦିବ୍ୟଶଙ୍କର ମିଶ୍ରଙ୍କ ପାଖରେ ରହିଛି କି? ନା କଳାହାଣ୍ଡିର ୟଙ୍ଗ ନେତା ଭାବରେ ଚର୍ଚ୍ଚାରେ ରହିଥିବା ଏହି ନେତା ଏବେ ଲୋକପ୍ରିୟ ନେତା ହୋଇସାରିଛନ୍ତି କି?

Leave A Reply

Your email address will not be published.