ଖେଳଣା ବନ୍ଧୁକ ବିକ୍ରୀ ଉପରେ ଲାଗିପାରେ କଟକଣା!

ନକଲୀ ବନ୍ଧୁକ ଉପରେ ପୁଲିସ ନଜର

0 55

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଫେକ୍ ଗ୍ୟାଙ୍ଗ ମାତିଛନ୍ତି । ଏମାନେ ସୋସିଆଲ ମିଡିଆରେ ଭିଡ଼ିଓ କରି ଲୋକମାନଙ୍କୁ ଡରାଇବାକୁ ଚେଷ୍ଟା କରୁଚନ୍ତି । ତେବେ ଏହିସବୁ ଗ୍ୟାଙ୍ଗର ସଦସ୍ୟମାନେ ଅସଲି ଅପେକ୍ଷା ଅସଲି ଭଳି ଅବିକଳ ଦିଶୁଥିବା ଖେଳଣା ବନ୍ଧୁକ ବ୍ୟବହାର କରୁଛନ୍ତି । ଏପରି ଖେଳଣା ବନ୍ଧୁକ ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଯଦି ଏ ନେଇ କିଛି ଆଇନଗତ ଦିଗ ଥାଏ, ତେବେ ତାହା ଉପରେ ତର୍ଜମା କରଯିବ ଓ ଦରକାର ପଡିଲେ ଏପରି ଖେଳଣା ବନ୍ଧୁକ ବିକ୍ରି ଉପରେ ଅଙ୍କୁଶ ଲଗାଯାଇପାରେ ବୋଲି ଡିସିପି ଶ୍ରୀ ଦାଶ ପରୋକ୍ଷରେ ସୂଚନା ଦେଇଚନ୍ତି । ରାଜଧାନୀରେ ଧରା ପଡିଥିବା କେବିଏନ ଗ୍ୟାଙ୍ଗ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ଅବସରରେ ସେ ଏକଥା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସୋସିଆଲ ମିଡିଆରେ ଆତଙ୍କ କରିଥିବା କେବିଏନ ଗ୍ୟାଙ୍ଗର ସଦସ୍ୟମାନେ ଗୋଟିଏ ଅସଲୀ ବନ୍ଧୁକ ବ୍ୟବହାର କରିଥିବା ବେଳେ ବାକି ସବୁ ଖେଳଣା ବନ୍ଧୁକ ଥିଲା । ତେବେ ଏଗୁଡିକ ଦେଖିବାକୁ ଅସଲୀ ବନ୍ଧୁକର ପୂରା ଅବିକଳ ଥିଲା, ଯାହା ପୋଲିସକୁ ମଧ୍ୟ ସନ୍ଦେହରେ ପକାଇ ଦେଇଥିଲା । ତେବେ ତଦନ୍ତ ପରେ ଏଗୁଡିକ ଖେଳଣା ବନ୍ଧୁକ ବୋଲି ଜଣାପଡିଥିଲା । ଏଗୁଡିକ ଯଦିଓ ଖେଳଣା ବନ୍ଧୁତ, ତେବେ ଏହା ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଅସଲୀ ବନ୍ଧୁକ ପରି, ଯାହାକୁ ଦେଖି ଯେକେହି ବି ଭୟଭୀତ ହୋଇଯାଇପାରେ । ନିକଟ ଅତୀତରେ କିଛି ଲୁଟ୍ ଓ ରାହାଜାନୀ ଘଟଣାରେ ଖେଳଣା ବନ୍ଧୁକ ବ୍ୟବହାର କରାଯାଇଥିବା ନଜିର ମଧ୍ୟ ରହିଛି । ତେଣୁ ଏପରି ବନ୍ଧୁକର ବିକ୍ରି ଓ ବ୍ୟବହାର ଉପରେ କଟକଣା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ସୂଚନାଯୋଗ୍ୟ ଯେ, ଏହି ଖେଳଣା ବନ୍ଧୁକଗୁଡିକ ଯେହେତୁ ନକଲି ଏବଂ ଏଗୁଡିକ ମାରଣାସ୍ତ୍ରର ପରିସରଭୁକ୍ତ ନୁହେଁ, ତେଣୁ ଏହା ରଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ଏହି ଖେଳଣା ବନ୍ଧୁକକୁ ଯଦି କାହାକୁ ଭୟଭୀତ କରିବାକୁ ବ୍ୟବହାର କରାଯାଏ, ତେବେ ଏଥିରେ ଇଲିଗାଲ୍ ଆର୍ମ ଆକ୍‌ଟ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଆଇନରେ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.