ବିମାନବନ୍ଦରରେ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ

corona

0 0

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଭାରିଏଣ୍ଟ୍‌ ଚିହ୍ନଟ ହୋଇ ନଥିଲେ ମଧ୍ୟ ସରକାର ଏବେଠୁ ସତର୍କ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ବିପଦକୁ ନେଇ ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସରକାର କିଛି ନିୟମ-କଟକଣା ଲାଗୁ କରିଛନ୍ତି । ଡିସେମ୍ବର ପହିଲାରୁ ଏହା କାର୍ଯ୍ୟକାରୀ ହେବ । ଯେଉଁ ଯାତ୍ରୀମାନେ ଅଧିକ ବିପଦପୂର୍ଣ୍ଣ ବା ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମଣଶୀଳ ଦେଶରୁ ଆସିଥିବେ, ଭାରତରେ ପହଞ୍ଚିଲା ପରେ ବିମାନବନ୍ଦରରେ ସେମାନଙ୍କର କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଅଧିକ ବିପଦପୂର୍ଣ୍ଣ ଦେଶଗୁଡ଼ିକ ଭିତରେ ଅଛନ୍ତି ୟୁରୋପ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍ତୱାନା, ଚୀନ୍, ମରିସସ୍, ନୁ୍ୟଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ । ଭାରତରୁ ଅନ୍ତର୍ଜାତୀୟ ବାଣିଜି୍ୟକ ଉଡ଼ାଣ ପୁଣି କେବେଠାରୁ ଆରମ୍ଭ ହେବ, ବିଶ୍ୱ ଦୃଶ୍ୟପଟକୁ ଦେଖି ତା’ ଉପରେ ମଧ୍ୟ ସରକାର ପୁନଃସମୀକ୍ଷା କରିବେ । ଶୁକ୍ରବାର ବିମାନ ଚଳାଚଳ ମନ୍ତ୍ରଣାଳୟ ଆସନ୍ତା ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା । ନୂତନ ଭାରିଆଣ୍ଟ ଓମିକ୍ରନର ଆତ୍ମପ୍ରକାଶ ପରେ ସରକାର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ବାହାରୁ ଆସୁଥିବା ଯାତ୍ରୀମାନେ ଗତ ୧୪ ଦିନ ଭିତରେ କୁଆଡେ଼ ଗସ୍ତ କରିଥିଲେ କି ନାହିଁ ତା’ର ବିବରଣୀ ଦେବା ସହ ଏୟାର ସୁବିଧା ପୋର୍ଟାଲରେ ନିଜର ନେଗେଟିଭ୍ ଆରଟି-ପିସିଆର୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ବିପଦପୂର୍ଣ୍ଣ ଦେଶରୁ ଆସିଥିବା ଯାତ୍ରୀମାନେ ପୋର୍ଟାଲରେ ଏତକ ରିପୋର୍ଟ ଦେଲେ ବି ପହଞ୍ଚିବା ପରେ ବିମାନବନ୍ଦରରେ ପୁଣିଥରେ ପରୀକ୍ଷାର ସମ୍ମୁଖୀନ ହେବେ । ଟେଷ୍ଟ ନେଗେଟିଭ୍ ଆସିଲେ ପରବର୍ତ୍ତୀ ୭ ଦିନ ତାଙ୍କୁ ଗୃହସଂଗରୋଧରେ ରହିବାକୁ ହେବ । ୮ମ ଦିନ ପୁଣିଥରେ ପରୀକ୍ଷା ହେବ । ଯଦି ନେଗେଟିଭ୍ ଆସେ ତେବେ ପରବର୍ତ୍ତୀ ୭ ଦିନ ତାଙ୍କୁ ଆତ୍ମସମୀକ୍ଷା (ନିଜକୁ ନିଜେ ତନଖି କରିବା) ଭିତରେ ରହିବାକୁ ହେବ । ପରୀକ୍ଷାର ସବୁ ଖର୍ଚ୍ଚ ମନ୍ତ୍ରଣାଳୟ ବହନ କରିବ । ଯଦି କେହି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ତାଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ । ପାଞ୍ଚବର୍ଷରୁ କମ୍ ପିଲାମାନଙ୍କୁ ଏହିସବୁ ପରୀକ୍ଷାରୁ ବାଦ ଦିଆଯାଇଛି।

Leave A Reply

Your email address will not be published.