କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ: ୧୩୧ ବ୍ଲକରେ ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ

0 6

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ ଜନିତ ବର୍ଷା କାରଣରୁ ୧୨ ଜିଲ୍ଲାର ୧୩୧ ବ୍ଲକର ଚାଷ ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବା ପରେ ଏପରି ରିପୋର୍ଟ ଦେଇଛି । ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲ୍ଲା ଗୁଡିକ ହେଲା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ । ଜଓ୍ୱାଦ ପ୍ରଭାବରେ ଏହି ସବୁ ଜିଲ୍ଲା ଗୁଡ଼ିକରେ ଧାନ କାଟିବା ପୂର୍ବରୁ ପ୍ରବଳ ବର୍ଷା ହୋଇଥିବାରୁ ଅଧିକ କ୍ଷତି ହୋଇଛି।

ଜଓ୍ୱାଦ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ମୋଟ୍ ୩ଟି ଟିମ୍ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକୁ ଗସ୍ତ କରି ଚାଷୀଙ୍କ ଜମି ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଏହାପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ବୈଠକ ପରେ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଶ୍ରୀମତୀ ପୂଜା ଜୈନ କହିଛନ୍ତି, ବାତ୍ୟା ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ରିଲିଫ କୋଡ଼ ସଂଶୋଧନ ପାଇଁ ବିଭିନ୍ନ ମନ୍ତ୍ରାଳୟର ସମ୍ପର୍କ ରହିଛି। ଏ ନେଇ କେନ୍ଦ୍ର କ୍ୟାବିନେଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

Leave A Reply

Your email address will not be published.